(ପରଂବ୍ରହ୍ମ ତ୍ରିପାଠୀ): ଧରନ୍ତୁ, ଆପଣଙ୍କ ଭିତରେ ଆପଣଙ୍କ ଗାଁ ଆଜି ବି ବଞ୍ଚିଛି। କର୍ମସଂସ୍ଥାନ ଦାୟରେ ଆପଣ ରାଜ୍ୟ କି ରାଜ୍ୟ ବାହାରେ ଜୀବନର ଷାଠିଏ ବର୍ଷ କାଟିଦେଲେ। ଧନ, ସମ୍ମାନ, ପ୍ରତିଷ୍ଠା, ପ୍ରତିପତ୍ତି ଅର୍ଜନ କଲେ। ଆପଣଙ୍କ ପିଲାପିଲି ବି ଏବେ ନିଜ ନିଜ ଜାଗାରେ ସଫଳ। ଆପଣ ଚାହାନ୍ତି ନିଜ ଅବସର ଜୀବନ ଗାଁରେ କାଟିବେ ନିଜ ପିଲାଦିନର ସ୍ମୃତି ରୋମନ୍ଥନ କରି, ନିଜ ଲୋକଙ୍କ ଭିତରେ। ବଢିଆ କଥା। ଆପଣ ଅବସର ପରେ ନିଜ ଗାଁରେ କିପରି ଖୁସିରେ ରହି ପାରିବେ ତାର କିଛି ସରଳ ଉପାୟ ବତାଉଛି। ଆପଣ ପଚାରି ପାରନ୍ତି, ମୋ ଗାଁ ରେ ମୁଁ ରହିବି, ତମେ ବାବୁ କିଏ ମତେ ଉପାୟ ବତେଇବାକୁ? ତାପରେ ନିଜ ଗାଁ ନଈ ଆଉ ପର ଗାଁ ମଶାଣିରେ କଣ ଭୟ ଅଛି ଯେ ତମେ ମତେ ସରଳ ସୂତ୍ର କହିବ? ଅଛି ଆଜ୍ଞା, ବାଲି ମାଫିଆ ମାତିଲା ଦିନ ଠୁ ନଈର ଗଭୀରତା ଓ ଜମି ମାଫିଆଙ୍କ ପ୍ରଭାବ ବିସ୍ତାର ଦିନଠୁ ଶ୍ମଶାନର ଅସ୍ତିତ୍ୱ ବିଷୟରେ ସ୍ୱୟଂ ଭଗବାନ ବି ସନ୍ଦିହାନ। ସେଇଥିପାଇଁ ଏ ସରଳ ମନ୍ତ୍ର। ମାନିବା ନ ମାନିବା ଆପଣଙ୍କ ଶ୍ରଦ୍ଧା।
ପ୍ରଥମ ନିୟମଟି ହେଲା, ଆପଣଙ୍କ ପିଲା ଦିନେ ଗାଁ କେମିତି ଥିଲା, କେମିତି ଚାଲୁଥିଲା, କଣ କଣ ହେଉଥିଲା ସେ ସବୁ ଆବେଗ, ସ୍ମୃତି ଅନୁଭୂତିକୁ ନିଜ ଟଙ୍କା ସୁନା ସହ ସହରରେ ବ୍ୟାଙ୍କ ଲକରରେ ରଖି ହିଁ ଗାଁକୁ ଯାଆନ୍ତୁ। କାହିଁକି? କାରଣ, ସେ ସବୁ ମନେ ରଖିଲେ ଆପଣ ପ୍ରତି ପଦକ୍ଷେପରେ ଅସୁବିଧାରେ ପଡିବେ। ବୁଝି ପାରିଲେନି? ସରଳ ଭାବେ ବୁଝେଇ ଦଉଛି। ଆପଣଙ୍କ ପିଲା ବେଳେ ଗାଁରେ ଅମକ କକେଇ, ସମକ ଦାଦି, ବଡବାପା, ଅପା ରହୁଥିଲେ। ଆଜି ଗାଁଟା ଯାକ ମାତ୍ର ତିନୋଟି ଧରଣର ପ୍ରାଣୀ ରୁହନ୍ତି। ସେମାନେ ହେଲେ ବିଜେଡି ଵାଲା, ବିଜେପିଆ ଓ କଂଗ୍ରେସିଆ(କମ, ମାତ୍ର ବିଲୁପ୍ତ ହୋଇ ନାହାନ୍ତି)। ଏ ତିନି ପ୍ରାଣୀଙ୍କ ଚାଲିଚଳଣୀ, ଉପଯୋଜନ, ସଣ୍ଠଣା, ଆପଣଙ୍କ ସମୟର ଦାଦି-ବଡବାପା- ଅପା ଭଳିଆ ମାନସିକତା ଠାରୁ ସମ୍ପୂର୍ଣ୍ଣ ଅଲଗା। ଯେତେବେଳେ ରହୁଥିବା ଲୋକ ବଦଳିଛନ୍ତି, ସମ୍ପର୍କର ସଂଜ୍ଞା ବି ବଦଳିଛି। ପୁରୁଣା ସୂତାରେ କିଏ କଣ ନୂଆ କନ୍ଥା ସିଲାଏ? ସେଇଥିପାଇଁ ତ ପ୍ରଥମ ସୂତ୍ର ହେଲା, ପୁରୁଣା ସମ୍ପର୍କ ଓ ଆବେଗକୁ ବ୍ୟାଙ୍କ ଲକରରେ ସୁରକ୍ଷିତ ରଖି ଗାଁକୁ ଯାଆନ୍ତୁ।
ଏବେ ଆପଣ ଟିକେ ଟିକେ ପ୍ରକୃତିସ୍ଥ ହେଲା ଭଳି ଲାଗିଲେଣି। ଦ୍ଵିତୀୟଟି କହୁଛି, ଶୁଣନ୍ତୁ। ଗାଁରେ ପହଁଚିଲା ପରେ ନିଜ ବିଲ ଉଷୁନା ଚାଉଳ, ମୁଗ କୋଳଥ, ନିଜ ପୋଖରୀ ମାଛ, କଖାରୁଫୁଲ ଇତ୍ୟାଦି ଇତ୍ୟାଦି ଦେଖି ଖୁସି ହୁଅନ୍ତୁ ଓ ତାରି ଭିତରେ ହିଁ ନିଜକୁ ସୀମିତ ରଖନ୍ତୁ। ଗାଁକୁ କାହିଁକି ରାସ୍ତା ନାହିଁ, ସ୍କୁଲକୁ ମାଷ୍ଟ୍ରେ କାହିଁକି ଆସୁ ନାହାନ୍ତି, ଗାଁରେ ସୋଲାର ଲାଇଟ ଲାଗିବା ପାଇଁ ଆସିଥିବା ଟଙ୍କା କୁଆଡେ ଗଲା ଇତ୍ୟାଦି ଇତ୍ୟାଦି ବିଷୟରେ ଜମା ମୁଣ୍ଡ ଖେଳାନ୍ତୁ ନାହିଁ। ସେ ବିଷୟରେ ମୁଣ୍ଡ ଖେଳେଇବାକୁ ଗାଁର ଯୁବପିଢ଼ି ଏବଂ ଉପରେ କହିଥିବା ତିନି ଶ୍ରେଣୀର ପ୍ରାଣୀ ଅଛନ୍ତି। ଅମାନିଆ ହେଇ ମୁଣ୍ଡ ଖେଳେଇବେ, ନାମ ନେବେ ଶହେ ରେ ଶହେ। ଷାଠିଏ ବର୍ଷ ଭିତରେ ଯେଉଁ ସୁନାମ ପାଇଛନ୍ତି, ଏସବୁ ବିଷୟରେ ମୁଣ୍ଡ ଖେଳେଇଲେ କି ମତାମତ ଦେଲେ, ସେଇଟା କେମିତି ଷାଠିଏ ସେକେଣ୍ଡରେ ଗୋବର ହେଇଯିବ ତାହା ଆପଣ ବୁଝିଲା ବେଳକୁ ନେଡି ଗୁଡ଼ କହୁଣୀକୁ ବୋହି ଯାଇଥିବ।
ଏବେ ତୃତୀୟ ନିୟମଟି। କର୍ମମୟ ଜୀବନରେ କିଛି ମାଲପତ୍ର କମେଇଛନ୍ତି ଓ ଚାହୁଁଛନ୍ତି କି ସେଥିରୁ କିଛି ନିଜ ଗାଁର ଉନ୍ନତି ପାଇଁ ଖର୍ଚ୍ଚ କରିବେ ? ବଢିଆ କଥା, ଗାଁରେ ମନ୍ଦିରଟେ କରନ୍ତୁ, ନିଜେ ସବୁଦିନ ସକାଳୁ ଫୁଲ, ନଡ଼ିଆ, ଧୂପ ଧରି ସେଠାରେ ପୂଜା କରିବାକୁ ଯାଆନ୍ତୁ। ଆପଣ ବି ଶାନ୍ତିରେ ରହିବେ, ଗାଁରେ ଆପଣଙ୍କର ଜୟଜୟକାର ବି ହେବ। ଅତ୍ୟଧିକ ପ୍ରଗତିଶୀଳ ଦେଖେଇ ହେଇ ପାଠାଗାର, ଅନଗ୍ରସର ପିଲାଙ୍କ ପାଇଁ ଶିକ୍ଷା, ବିଭିନ୍ନ ସରକାରୀ ଓ ବେସରକାରୀ ପରୀକ୍ଷାରେ ଆପଣଙ୍କ ଗାଁ ପିଲା କିପରି ସଫଳତା ପାଇବେ ଇତ୍ୟାଦି ଇତ୍ୟାଦି ବାଜେ କଥା କରିବା ପାଇଁ ଯଦି ମନ ବଳେଇଲେ ବା କାମ ଆରମ୍ଭ କଲେ ତାହାଲେ ଶୟନେ ସପନେ ଜାଗରଣେ ହେଲମେଟ ପିନ୍ଧିବା ଆରମ୍ଭ କରନ୍ତୁ। ଏସବୁ ବାଜେ କାମରେ ମୁଣ୍ଡ ଖେଳଉଥିବା ଲୋକର ମୁଣ୍ଡ ଯେକୌଣସି ସମୟରେ ଫାଟି ଯାଇପାରେ।
ଶେଷରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସୂତ୍ର। ସାନମାନଙ୍କୁ ଉପଦେଶ ଦେବା, ଭୁଲ କୁ ଭୁଲ କହିବା ଇତ୍ୟାଦି ଇତ୍ୟାଦି ଦେଖେଇହେବା ଗୁଣ ଠାରୁ ନିରାପଦ ଦୂରତାରେ ରୁହନ୍ତୁ। ଆଜି କା ଦିନରେ ଅଣ୍ଡା ବଚ୍ଚା ହାତରେ ସ୍ମାର୍ଟଫୋନ, ସମସ୍ତେ ଜ୍ଞାନୀ। ଆପଣ ଅଧିକା ଗୋଟେ କଣ କହିବେ? ନିଜ ସମ୍ମାନ ନିଜ ହାତରେ, ଯେତେ କମ ଉପଦେଶ ଦେବେ, ମୁଣ୍ଡ ଖେଳେଇବେ , ସେତେ ଖୁସିରେ ରହିବେ।
ଏ ସବୁ ସୂତ୍ର ଶୁଣି ଗାଁକୁ ଫେରିଯିବା ସିଦ୍ଧାନ୍ତ ପୁନର୍ବିଚାର କରିବା ପାଇଁ ଭାବିଲେଣି କି ? ତାହାଲେ, ପ୍ରକୃତରେ ଏବେ ହିଁ ଆପଣ ପ୍ରକୃତିସ୍ଥ ହେଲେ। ଷାଠିଏ ବର୍ଷ ଯାଏ ଯେମିତି ଚାଲୁଥିଲା, ଠିକ ସେମିତି ଚଳେଇ ରଖନ୍ତୁ। ଅଳପ ଦିନିଆ କୁଣିଆ ସବୁବେଳେ ଅଧିକ ସମ୍ମାନ ପାଏ।
(ପରଂବ୍ରହ୍ମ ତ୍ରିପାଠୀ, ସାମ୍ୱାଦିକତା ଓ ଓଡ଼ିଶା ସାହିତ୍ୟ ଜଗତରେ ଜଣେ ଜଣାଶୁଣା ନାଁ)
ନାଉଗାଁହାଟ, ଜଗତସିଂହପୁର
9717302205
0 Comments