ପ୍ରିଜମ୍ ନ୍ୟୁଜ(କମଳାକାନ୍ତ ପତି): ଅଫିସରେ କେତେ ଘଣ୍ଟା କାମ କରିବେ କର୍ମଚାରୀ ? ପ୍ରଚଳିତ ନିୟମ କହୁଛି ଗୋଟିଏ କଥା, ଏଥିରେ ସଂସ୍କାର ଆଣିବା ପାଇଁ ସରକାର ପ୍ରସ୍ତୁତ କରିଥିବା ଖସଡ଼ା କହୁଛି ଅନ୍ୟ ଏକ କଥା। ଯାହାକୁ ନେଇ ଏବେ ଦେଖାଦେଲାଣି ବିବାଦ, ଉଠିଲାଣି ବିତର୍କ। ସରକାର ଯେଉଁ ଚାରିଗୋଟି ଶ୍ରମ ଆଇନର ପ୍ରସ୍ତାବ ଆଣିଛନ୍ତି, ସେଥିରୁ ଗୋଟିଏ ହେଉଛି ‘ପେସା ନିରାପତ୍ତା, ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟ ସର୍ତ୍ତ’ ଏହି ପ୍ରସ୍ତାବିତ ଆଇନ ଖସଡ଼ାକୁ ନେଇ ଦାନବlନ୍ଧୁଛି ବିତର୍କ। ଏହାକୁ ଅଧିକ ସରଳ କରି କହିଲେ ଦୈନିକ କାର୍ଯ୍ୟକ୍ଷେତ୍ରରେ ସମୟକୁ ନେଇ ଏହି ବିତର୍କ। ଏବେ ପ୍ରଚଳିତ ମୂଳ ଶ୍ରମ ଆଇନ ବା ୧୯୪୮ ମସିହାର ଫ୍ୟାକ୍ଟ୍ରିଜ ଆକ୍ଟ ଅନୁସାରେ କାର୍ଯ୍ୟ ଦିବସରେ କାର୍ଯ୍ୟାଳୟରେ ଦୈନିକ ୮ ଘଣ୍ଟା ( ବିରତି ସହ ୯ ଘଣ୍ଟା ) କାର୍ଯ୍ୟ କରିବାର ନିୟମ ରହିଛି। ଏହି ଆଇନର ୫୧ ନମ୍ବର ଧାରା ଅନୁଯାୟୀ ସପ୍ତାହରେ ଦୁଇ ଦିନ ଛୁଟି ଥିଲେ ବିରତି ସହ ଦୈନିକ ୧୦ ଘଣ୍ଟା କାର୍ଯ୍ୟ କରାଯାଇପାରିବ। ତେବେ କୌଣସି ପରିସ୍ଥିତିରେ ତାହା ସପ୍ତାହକୁ ୪୮ ଘଣ୍ଟା କାର୍ଯ୍ୟରୁ ଅଧିକ ହୋଇ ପାରିବ ନାହିଁ। ନୂଆ ଶ୍ରମ ଆଇନରେ ଏହାକୁ ଅପରିବର୍ତ୍ତିତ ରଖାଯାଇଥିଲେ ମଧ୍ଯ ଖସଡ଼ା ନିୟମରେ କିଛିଟା ଭିନ୍ନ ବ୍ୟବସ୍ଥା ଉଲ୍ଲେଖ ରହିଛି।
ସପ୍ତାହରେ ମୋଟ ହିସାବରେ କାର୍ଯ୍ୟ ସମୟ ୪୮ ଘଣ୍ଟା ରଖାଯାଇଥିଲେ ମଧ୍ଯ ଦୈନିକ କାର୍ଯ୍ୟ ସମୟ ଚାହିଁଲେ ୧୨ ଘଣ୍ଟା କରାଯାଇପାରିବ ବୋଲି ପ୍ରସ୍ତାବ ରହିଛି।ସରକାର ଏଭଳି ପ୍ରସ୍ତାବ ପ୍ରସ୍ତାବିତ ନୂଆ ଶ୍ରମିବିଧିରେ ସନ୍ନିବେଶିତ କରି ଶ୍ରମିକ, କର୍ମଚାରୀଙ୍କୁ ଶୋଷଣ କରିବାକୁ ଚାହୁଁଛନ୍ତି ବୋଲି ଅଭିଯୋଗ ଉଠିଲାଣି। ଏହା ନିଯୁକ୍ତିଦାତାଙ୍କୁ ସୁହାଇବ ବୋଲି କୁହାଗଲାଣି। କାରଣ ପ୍ରସ୍ତାବିତ ଆଇନରେ ନିଯୁକ୍ତିଦାତାଙ୍କ ସକାଶେ ତିନିଗୋଟି ବିକଳ୍ପ ରହୁଛି। ସେମାନେ ଚାହିଁଲେ ସପ୍ତାହରେ ୪,୫ କିମ୍ବା ୬ଦିନ କାର୍ଯ୍ୟଦିବସ ଧାର୍ଯ୍ୟ କରି ପାରିବେ। ଅବଶିଷ୍ଟ ଦିନ ଗୁଡିକ ଛୁଟି ରହିବ। ଅବଶ୍ୟ ଏହା କର୍ମଚାରୀମାନଙ୍କ ଦ୍ୱାରା ଗ୍ରହଣୀୟ ହେବକି ନାହିଁ ତାହା ଦେଖି କରି, ସେମାନଙ୍କର ମତ ନେଇ କାର୍ଯ୍ୟକାରୀ କରାଯିବ। ପ୍ରଶ୍ନ ଉଠୁଛି, ନିଯୁକ୍ତିଦାତାମାନେ କର୍ମଚାରୀ, ଶ୍ରମିକଙ୍କ ମତକୁ ଅପେକ୍ଷା କରିବେ କି ? ଆଇନର ଆଳ ଦେଖାଇ ଏହାକୁ ତତକ୍ଷଣାତ ଲାଗୁକରି ଶ୍ରମିକ କର୍ମଚାରୀଙ୍କ ଠାରୁ ଅଧିକ ସମୟ କାର୍ଯ୍ୟ ହାସଲ କରିବାର ସମସ୍ତ ବ୍ୟବସ୍ଥା ଚାଲୁ କରିଦେବେ। ତେଣୁ ଶ୍ରମିକ ସଂଗଠନ ଗୁଡିକ କେନ୍ଦ୍ର ସରକାରଙ୍କର ଏହି ବ୍ୟାଖ୍ୟା ମାନିବାକୁ ନାରାଜ। ଇତି ମଧ୍ୟରେ ଦେଶର ୧୦ଟି ଶ୍ରମିକ ସଂଗଠନ ସରକାରଙ୍କୁ ଚିଠି ଲେଖି ଏହି ଆଇନ ଖସଡ଼ା ପ୍ରସ୍ତାବକୁ ବିରୋଧ କରିଛନ୍ତି। କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଶ୍ରମ ଆଇନରେ ଥିବା ବ୍ୟବସ୍ଥା ଅନୁଯାୟୀ କୌଣସି ସଂସ୍ଥା ଚାହିଁଲେ ଦିନକୁ ୧୨ ଘଣ୍ଟା କରି ସପ୍ତାହରେ ୪ ଦିନ, ଦିନକୁ ୧୦ ଘଣ୍ଟା କରି ସପ୍ତାହକୁ ୫ ଦିନ, ଦିନକୁ ୮ ଘଣ୍ଟା କରି ସପ୍ତାହକୁ ୬ ଦିନ କାର୍ଯ୍ୟଦିବସ ସ୍ଥିର କରି ପାରିବେ। କାର୍ଯ୍ୟ ପରିବେଶକୁ ନମନୀୟ କରିବା ପାଇଁ ଏଭଳି ବ୍ୟବସ୍ଥା ରଖାଯାଇଛି। କିନ୍ତୁ ପ୍ରଶ୍ନ ଉଠୁଛି, ମୂଳ ଶ୍ରମ ଆଇନରେ ଏଭଳି ବ୍ୟବସ୍ଥା ନ ଥିବା ସତ୍ୱେ ନୂଆ ଖସଡ଼ା ଆଇନରେ ୧୨ ଘଣ୍ଟା କାର୍ଯ୍ୟଦିବସ କଥା ଉଲ୍ଲେଖ ରହିଛି କାହିଁକି ? ଏତେ ଲମ୍ବା କାର୍ଯ୍ୟ ନିର୍ଘଣ୍ଟ ଅମାନବୀୟ ନୁହେଁ କି ? କାର୍ଯ୍ୟଦିବସ ୧୨ ଘଣ୍ଟା ହେଲେ କର୍ମଚାରୀଙ୍କ ପାଇଁ ଦିନର ୧୫ -୧୬ ଘଣ୍ଟା ( ଯାତାୟାତକୁ ମିଶାଇ ) ଲାଗିଯିବ। ଘରେ ଓ ବାହାରେ କାର୍ଯ୍ୟ କରୁଥିବା କର୍ମଜୀବୀ ମହିଳାଙ୍କ ସକାଶେ ଏହି ନିୟମ ମାନିବା କେତେ ସମ୍ଭବ ହେବ?
ଆଗମୀ ଦିନରେ କୌଣସି ସଂସ୍ଥା କର୍ମଚାରୀଙ୍କୁ ୧୨ ଘଣ୍ଟା କାର୍ଯ୍ୟ କରିବାକୁ ବାଧ୍ୟ କରିବା କିଛି ବିଚିତ୍ର ନୁହେଁ। ଦୈନିକ କାର୍ଯ୍ୟ ଦିବସକୁ ନେଇ କୌଣସି ଏକ ସଂସ୍ଥାର କର୍ମଚାରୀଙ୍କ ସହ ଯଦି ମତଭେଦ ଘଟେ ତେବେ ପରିସ୍ଥିତି କଣ ହେବ ? ଏମିତି ଏକାଧିକ ପ୍ରଶ୍ନ ଉଠିବା ଆରମ୍ଭ କଲାଣି। ଶିଳ୍ପ ମହଲରେ ମଧ୍ଯ ଏହି କାର୍ଯ୍ୟବିଧି ଖସଡ଼ାକୁ ନେଇ ଦ୍ବିମତ ଦେଖାଦେଉଛି। କେତେକ ଶିଳ୍ପ ସଂଗଠନ କହୁଛନ୍ତି ଯେ ଦୈନିକ ୧୨ ଘଣ୍ଟା କାର୍ଯ୍ୟ କରାଇ କର୍ମଚାରୀଙ୍କୁ ସପ୍ତାହରେ ତିନି ଦିନ ଛୁଟି ଦେବା ସମ୍ଭବ ନୁହେଁ। ଅନ୍ୟ କେତେକଙ୍କ ମତରେ କର୍ମଚାରୀମାନେ ସପ୍ତାହକୁ ତିନି ଦିନ ଛୁଟି ପାଇଲେ ସେମାନେ ନିଜସ୍ୱ ଆୟ ବଢାଇବାକୁ ସେହି ସମୟତକ ବ୍ୟବହାର କରିପାରିବେକିନ୍ତୁ ସରକାରଙ୍କର ଏହି ପ୍ରସ୍ତାବ ବ୍ୟାଙ୍କ, ବୀମା ଆଦି କ୍ଷେତ୍ରରେ ପ୍ରଯୋଜ୍ୟ ହୋଇ ପାରିବକି ? ଏହା କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଅନୁକୂଳ ପ୍ରସ୍ତାବ କି ? ଦୈନିକ ୧୨ ଘଣ୍ଟା କାମ କରିବା ଦ୍ୱାରା ତାହା ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ l ସୁତରାଂ ସରକାର ଯେଉଁ ଶ୍ରମ ଖସଡ଼ା ପ୍ରସ୍ତୁତ କରିଛନ୍ତି ତାହା ବାସ୍ତବତା ଠାରୁ ଅନେକ ଦୂରରେ ବୋଲି ବିବେଚନା କରାଯାଉଛି। କୃଷି ଆଇନ ଭଳି ଶ୍ରମ ଆଇନକୁ ନେଇ ବିବାଦର ସୁତ୍ରପାତ ନଘଟୁ, ସେଥିପ୍ରତି ସରକାରଙ୍କ ଶୀତଳ ଘର ବାବୁମାନେ ଥଣ୍ଡା ମୁଣ୍ଡରେ ଚିନ୍ତା କରିବା ଉଚିତ।