ପ୍ରିଜମ୍ ନ୍ୟୁଜ(ସମ୍ପାଦକୀୟ): ପ୍ରତିପକ୍ଷଙ୍କୁ ଦୁର୍ବଳ କରି ନିଜକୁ ଶକ୍ତିଶାଳୀ କରିବା ନେଇ ବିଜେପିର ରାଜନୀତି ‘ଜ୍ୟୋତିରାଦିତ୍ୟ ମଡେଲ’ ସଫଳ ହେଉଥିବା ଦେଖାଯାଉଛି। ଉତ୍ତର ପ୍ରଦଶରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନର ପଦପାତ ମଧ୍ୟରେ କଂଗ୍ରେସର ଆଉ ଏକ ଯୁବ ଚେହେରା ଜିତିନ ପ୍ରସାଦ ଭାଜପାରେ ଯୋଗ ଦେଇଛନ୍ତି। କୁହାଯାଉଛି, ୨୦୨୪ ଲୋକସଭା ନିର୍ବାଚନ ସୁଦ୍ଧା ଏଭଳି ବହୁ ଯୁବ ନେତା କଂଗ୍ରେସ ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଦଳ ଛାଡ଼ି ବିଜେପିରେ ମିଶି ପାରନ୍ତି।
ଯେଉଁମାନଙ୍କୁ ନା ନିଜ ଦଳରେ ଆଶାନୁରୂପ ସମ୍ମାନ ମିଳୁଛି, ନା ସେମାନେ ସେଠାରେ ନିଜର ରାଜନୈତିକ ଭବିଷ୍ୟତ ଦେଖି ପାରୁଛନ୍ତି। ବାସ୍ତବରେ ମାର୍ଚ୍ଚ ୨୦୨୦ରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ସାମିଲ ହେବାକୁ କଂଗ୍ରେସ ସରକାରର ପତନ ଏବଂ ଶିବରାଜ ସରକାରର ପ୍ରତ୍ୟାବର୍ତ୍ତନର ସୀମିତ ରାଜନୈତିକ ଘଟଣାକ୍ରମ ପର୍ଯ୍ୟନ୍ତ ଦେଖାଗଲା। ଯେତେବେଳେ ବିଜେପି ଏହାକୁ ବଡ଼ ଏକ୍ସପେରିମେଣ୍ଟ ଭାବେ ଚ୍ୟାଲେଞ୍ଜକୁ ସ୍ୱୀକାର କଲା। ସଂଗଠନ ସିନ୍ଧିଆଙ୍କୁ ଦଳରେ ଜଣେ ଏଭଳି ନେତାଙ୍କ ଦର୍ଜା ଦେଲା, ଯାହା ତାଙ୍କୁ ନିଜ ଦଳରେ ବି ମିଳି ନ ଥିଲା। କ୍ୟାବିନେଟରେ ତାଙ୍କ ସମର୍ଥକଙ୍କୁ ଗୁରୁତ୍ୱ ମିଳିଲା। ସେପଟେ ବିଧାନସଭାର ୨୮ଟି ଆସନରେ ହୋଇଥିବା ନିର୍ବାଚନରେ ସିନ୍ଧିଆ ତଥା ତାଙ୍କର ସାଥୀ ସମର୍ଥକଙ୍କୁ ଟିକେଟ୍ ମଧ୍ୟ ମିଳିଥିଲା, ଯେଉଁମାନେ ନିଜ ବିଧାୟକତ୍ୱ ତ୍ୟାଗ କରି ଆସିଥିଲେ। ଏପଟେ ସିନ୍ଧିଆଙ୍କୁ ମଧ୍ୟ ବିଜେପି ରାଜ୍ୟସଭା ପଠାଇବାରେ ହେଳା କରି ନ ଥିଲା। ବିଜେପିର ଏହି ମଡେଲକୁ ନେଇ କଂଗ୍ରେସ ଏବଂ ଅନ୍ୟ ଆଞ୍ଚଳିକ ଦଳଗୁଡ଼ିକର ଏକାଧିକ ଦିଗଗଜ ଯୁବନେତାଙ୍କ ନଜର ରହିଥିଲା। ବିଜେପି ମଧ୍ୟ ସେସବୁ ନେତାଙ୍କର ତାଲିକା ପ୍ରସ୍ତୁତ କରି ସଜାଗ ଅଛି। ଫଳରେ ବିଜେପି ଗୋଟିଏ ତୀରରେ ଦୁଇଟି ଶିକାର କରିବା ଲକ୍ଷ୍ୟରେ ରହିଛି। ପ୍ରଥମଟି ହେଉଛି, ଦଳ ନିଜର କଂଗ୍ରେସମୁକ୍ତ ଭାରତ ଦିଗରେ ଗତି କରୁଛି ଏବଂ ଦ୍ୱିତୀୟଟି ନିଜ ସଂଗଠନକୁ ସୁଦୃଢ଼ କରୁଛି।
ଜିତିନ ପ୍ରସାଦଙ୍କ ପିତା ଜିତେନ୍ଦ୍ର ପ୍ରସାଦ ଏବଂ ସଚିନ ପାଇଲଟଙ୍କ ପିତା ରାଜେଶ ପାଇଲଟଙ୍କ ମଧ୍ୟରେ ସମାନତା ଏଇଆ ଯେ, ଉଭୟେ କଂଗ୍ରେସ ହାଇକମାଣ୍ଡଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ। ସେହିପରି ଗତବର୍ଷ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିବା ପରଠାରୁ ସଚିନ ପାଇଲଟ ନା ଉପମୁଖ୍ୟମନ୍ତ୍ରୀ ଅଛନ୍ତି ନା ରାଜ୍ୟ କଂଗ୍ରେସର ସଭାପତି। ତାଙ୍କ ରାଜନୈତିକ ଭବିଷ୍ୟତ ଉପରେ ସେହିପରି ଏକ ପ୍ରଶ୍ନଚିହ୍ନ ସୃଷ୍ଟି ହୋଇଛି, ଯାହା ମଧ୍ୟପ୍ରଦେଶରେ କମଲନାଥଙ୍କ ସରକାରରେ ସିନ୍ଧିଆଙ୍କ କ୍ଷେତ୍ରରେ ହୋଇଥିଲା। ସଂଯୋଗର କଥା ହେଉଛି, ସିନ୍ଧିଆଙ୍କ ପିତା ମାଧବ ରାଓ ସିନ୍ଧିଆ ମଧ୍ୟ ଏକଦା ରାଜୀବ ଗାନ୍ଧିଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରି ମଧ୍ୟପ୍ରଦେଶ କଂଗ୍ରେସ ଗଠନ କରିଥିଲେ। ଦକ୍ଷିଣ ମୁମ୍ୱାଇର କଂଗ୍ରେସ ସାଂସଦ ମିଲିନ୍ଦ ଦେଓରାଙ୍କ ବିଜେପି ପ୍ରତି ବଢ଼ୁଥିବା ଅନ୍ତରଙ୍ଗତା ଏବଂ ଏନେଇ ସେ କରିଥିବା ଟ୍ୱିଟକୁ ମଧ୍ୟ ଏହି ଚେନର ଏକ କଡ଼ି ଭାବରେ ଦେଖାଯାଇପାରେ। ମଧ୍ୟପ୍ରଦେଶର ବିଜେପି ରାଜ୍ୟ ସଭାପତି ବିଷ୍ଣୁଦତ୍ତ ଶର୍ମାଙ୍କ କହିବା କଥା, ବିଜେପି ହେଉଛି ଏକ ବିଚାର। ସଦସ୍ୟତା ନେଉଥିବା ବ୍ୟକ୍ତି ଏଥିରେ ଏମିତି ମିଶିଯା’ନ୍ତି, ଯେମିତି କ୍ଷୀରରେ ଚିନି ମିଶିଯାଏ। ୧୯୮୦ ମସିହାରେ ବିଜେପି ଗଠନ ସମୟରେ ବହୁସମାଜବାଦୀ ବନ୍ଧୁ ଦଳରେ ସାମିଲ ହୋଇଥିଲେ ଏବଂ ସେମାନେ ଆଜି ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଅବସ୍ଥାପିତ ଅଛନ୍ତି। ଜ୍ୟୋତିରାଦିତ୍ୟଙ୍କ ସହ ଅନ୍ୟ ବନ୍ଧୁମାନେ ମଧ୍ୟ ଆଗାମୀ ଦିନରେ ଏହିପରି ଦଳର ଗୁରୁତ୍ୱପୂର୍ଣ୍ଣ ପଦପଦବୀ ବହନ କରିବେ।
ଅନ୍ୟପଟେ ରାହୁଲ ଗାନ୍ଧି କଂଗ୍ରେସ ସଭାପତି ପଦ ଛାଡ଼ିବା ପରେ ପରୋକ୍ଷରେ ଏକ ଇସାରା ଦେଇଥିଲେ। ଅଣ ଗାନ୍ଧି ପରିବାର ଲୋକ ଦଳର କମାଣ ସମ୍ଭାଳନ୍ତୁ। କିନ୍ତୁ, ଏହା ପଛରେ ଯେଉଁ ବ୍ୟଙ୍ଗ ରହିଥିଲା, ତାହା ହୁଏ ତ ବୁଝିବାବାଲା ହିଁ ଠିକ୍ ବୁଝି ପାରିବ।କିନ୍ତୁ ଗାନ୍ଧି ପରିବାର କେତେବେଳେ ବି ଚାହିଁ ନାହିଁ ଯେ, ଅଣ ଗାନ୍ଧି ପରିବାର ଲୋକ ଦଳର ଦାୟିତ୍ୱ ନିଅନ୍ତୁ। ଅତୀତରେ ନରସିଂହ ରାଓ ଏବଂ ସୀତାରାମ କେଶରୀଙ୍କୁ ଗାନ୍ଧି ପରିବାର ପରୀକ୍ଷା କରି ଦେଖି ସାରିଛି। ସେହିପରି ମନମୋହନ ସିଂହଙ୍କୁ ସୋନିଆ ଯେମିତି ଦାୟିତ୍ୱ ଦେଇଥିଲେ, ଠିକ୍ ସେମିତି ରାହୁଲ ଗାନ୍ଧି ମଧ୍ୟ ମୁକୁଲ ୱାସନିକଙ୍କୁ ଦଳର ଶୀର୍ଷ ନେତା ଭାବେ ଦାୟିତ୍ୱ ଦେଇ ନିଜେ ବାହାରୁ ଚାବି ମୋଡ଼ିବାକୁ ଚାହୁଁଥିଲେ ବୋଲି ରାଜନୈତିକ ସମୀକ୍ଷକମାନେ କହିଛନ୍ତି। ଏହା ତ କଂଗ୍ରେସର ପୁରୁଣା ଫର୍ମୁଲା। ଅତୀତରେ ଏମିତି ଅନେକ ଉଦାହରଣ ରହିଛି। ତେବେ ଏହି ଫର୍ମୁଲା କେତେଦିନ ଚାଲିବ ?
ଗୋଟେପଟେ ଦଳ ଭିତରେ ଯୁବଗୋଷ୍ଠୀଙ୍କୁ ସୁଯୋଗ ଦିଆଯାଉ ନ ଥିବା ଅଭିଯୋଗ ହେଉଛି। ବରିଷ୍ଠ ଏବଂ କନିଷ୍ଠଙ୍କ ମନୋମାଳୀନ୍ୟ ଭିତରେ ଦଳର ଡେଣା ଦିନକୁ ଦିନ କ୍ଷତାକ୍ତ ହେବାରେ ଲାଗିଛି। ସେହିପରି ଗାନ୍ଧି ପରିବାରରେ ପ୍ରତ୍ୟକ୍ଷ ରାଜନୀତି କରି ବର୍ତ୍ତମାନର ବିଜେପି ସହ ଲଢ଼େଇ କରିବାରେ ସେତିକି ବଳ ନାହିଁ। ୨୦୧୪ ନିର୍ବାଚନରେ କଂଗ୍ରେସ ରାହୁଲ ଗାନ୍ଧିଙ୍କୁ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଦର୍ଶାଇ ଯେଉଁ ରଣନୀତି ପ୍ରସ୍ତୁତ କରିଥିଲା, ସେଥିରେ ଦଳ ଫେଲ୍ ମାରିଥିଲା । ୨୦୧୯ ନିର୍ବାଚନ ସମୟରେ ମଧ୍ୟ ଦଳ ଅନୁରୂପ ରଣନୀତି ପ୍ରସ୍ତୁତ କରି ବିଫଳ ହୋଇଥିଲା । ସମସ୍ତେ ଜାଣିଛନ୍ତି ଯେ, ପ୍ରିୟଙ୍କା ଗାନ୍ଧି ୨୦୧୪ ଓ ୨୦୧୯ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ନିର୍ବାଚନ ଲଢ଼ିବାକୁ ଚାହୁଁଥିଲେ। କିନ୍ତୁ, ପରିବାର ଭିତରେ ଥିବା ‘ଅଦୃଶ୍ୟ’ ରାଜନୀତି ତାଙ୍କୁ ତାହା କରିବାକୁ ଦେଇ ନ ଥିଲା। ଏହା ଯଦି ହୋଇଥା’ନ୍ତା, ତେବେ ରାହୁଲଙ୍କ ଉପରେ ପ୍ରିୟଙ୍କା ଭାରି ପଡ଼ିଥାନ୍ତେ ଏବଂ ରାହୁଲଙ୍କୁ ନେଇ ସ୍ୱପ୍ନ ଦେଖୁଥିବା ପରିବାରର ‘ଅଦୃଶ୍ୟ’ ରାଜନୈତିକ ଶକ୍ତିମାନେ ଦୁର୍ବଳ ହୋଇ ପଡ଼ିଥାନ୍ତେ। ତେଣୁ, ତାଙ୍କୁ କେବଳ ଉତ୍ତର ପ୍ରଦେଶ ଭିତରେ ହିଁ ସୀମିତ ରଖାଯାଇଛି। ଏଠାରେ ପ୍ରଶ୍ନ ଉଠୁଛି ଯେ, କଂଗ୍ରେସ କାହିଁକି ନିଜର ରଣନୀତି ବଦଳାଉ ନାହିଁ ? ଦଳ କେବେ ପରିବାରବାଦ ହେବା ଛାଡ଼ି ଦଳଭିତ୍ତିକ ହେବ ? ଦଳରେ ଅନେକ ନେତା ଅଛନ୍ତି, ଯେଉଁମାନେ ରାହୁଲ ଗାନ୍ଧି ଓ ତାଙ୍କର ରାଜନୀତିକୁ ଜମାରୁ ପସନ୍ଦ କରନ୍ତି ନାହିଁ। ତଥାପି ବି ଦଳ ରାହୁଲ ଗାନ୍ଧିଙ୍କୁ ଗୁରୁତ୍ୱ ଦେବାର ଅର୍ଥ କ’ଣ ?
ଗତ କିଛିଦିନ ଧରି ପୁଣି ଥରେ ରାଜସ୍ଥାନରେ ରାଜନୈତିକ ନାଟକ ଦେଖିବାକୁ ମିଳିଛି। ସଚିନ ପାଇଲଟ ପୁଣି ଥରେ ବିଦ୍ରୋହ ଆରମ୍ଭ କରିଛନ୍ତି। ସେ ଯଦି ବିଦ୍ରୋହ କରୁ କରୁ ଗେରୁଆ ଶିବିର ଠିକଣାରେ ପହଞ୍ଚିଯା’ନ୍ତି, ତେବେ କଥା ସରିଲା। କଂଗ୍ରେସର ଆଉ ଏକ ଡେଣା କଟିଯିବ। ତେଣୁ, ନିଜର ପଲିଟିକାଲ ଷ୍ଟ୍ରାଟେଜି ବା ରାଜନୈତିକ ରଣନୀତିକୁ କଂଗ୍ରେସକୁ ବଦଳାଇବାକୁ ହେବ। ନଚେତ୍ ଆଗାମୀ କିଛିବର୍ଷ ମଧ୍ୟରେ ଦଳ ପ୍ରକୃତରେ ଭାରତରୁ ମୁକ୍ତ ହୋଇଯିବ, ଏଥିରେ ସନ୍ଦେହ ନାହିଁ।
0 Comments