ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବିହାରରେ ନିର୍ବାଚନ ତାତି। ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ହେବ କଡ଼ା ଟକ୍କର। ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିବା ସହ ଭୋଟ୍ ହାତେଇବାକୁ ସବୁ ଦଳ ରଣନୀତି ପ୍ରସ୍ତୁତ କରିସାରିଲାଣି। ଏହା ଭିତରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରଜେଡି ୪୩ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରିଛି। ତେବେ ଏ ପର୍ଯ୍ୟନ୍ତ କଟିହାର, କୋଚାଧାମନ ଏବଂ ସିହ୍ନେଶ୍ୱର ଏହି ୩ଟି ବିଧାନସଭା ଆସନରେ ପ୍ରାର୍ଥୀଙ୍କ ନାମ ଚୂଡାନ୍ତ ହୋଇନାହିଁ। ଏଠାରେ କିଏ ପ୍ରାର୍ଥୀ ହେବ, ତାହାକୁ ନେଇ ସସପେନ୍ସ ଲାଗି ରହିଛି । କୌଣସି ରିସ୍କ ନ ନେଇ ତୃତୀୟ ପର୍ଯ୍ୟାୟ ଲାଗି ପୁରୁଣା ଚେହେରା ଉପରେ ଭରସା କରିଛି ଦଳ। ତଥାପି କିଛି ନୂଆ ଚେହେରାଙ୍କୁ ମଧ୍ୟ ନିର୍ବାଚନୀ ମଇଦାନରେ ଦେଖିବାକୁ ମିଳିବ।
ଏଠାରେ କହି ରଖୁଛୁ, ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବାମପନ୍ଥୀ ଦଳ ୭ଟି ଆସନ, କଂଗ୍ରେସ ୨୫ଟି ଆସନ ଏବଂ ଆରଜେଡି ୪୬ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ତେବେ କେତେକ ଆସନରେ କଂଗ୍ରେସ ଏବଂ ଆରଜେଡି ମଧ୍ୟରେ ପୁନଃପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ମହାମେଣ୍ଟ (ଆରଜେଡି, କଂଗ୍ରେସ ଓ ବାମଦଳ) ଖୁବଶୀଘ୍ର ସମସ୍ତ ୨୪୩ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବେ।
ତୃତୀୟ ପର୍ଯ୍ୟାୟରେ ବିହାରର ୭୮ଟି ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ୨୦ ଅକ୍ଟୋବର ସୁଦ୍ଧା ନାମାଙ୍କନ ପତ୍ର ଦାଖଲ ହେବ ଏବଂ ୭ ନଭେମ୍ବରରେ ଭୋଟ ଗ୍ରହଣ କରାଯିବ।