ରେଡିଓର ବିଶ୍ୱସନୀୟତା ଆଜି ବି ଅତୁଟ

ରେଡିଓର ବିଶ୍ୱସନୀୟତା ଆଜି ବି ଅତୁଟ

ପ୍ରିଜମ ନ୍ୟୁଜ ବ୍ୟୁରୋ : ରେଡିଓ ପ୍ରତି ଲୋକଙ୍କ ବିଶ୍ଵାସ ଆଜି ବି ଅତୁଟ ରହିଛି। ସବୁ ସମୟରେ, ସବୁ ପରିସ୍ଥିତିରେ ଏହା ଲୋକଙ୍କ ସୁଖ ଦୁଃଖର ସାଥୀ ହେଇ ରହିଛି ବୋଲି କହିଛନ୍ତି ବିଶିଷ୍ଟ ରେଡିଓ ବ୍ୟକ୍ତିତ୍ୱ ଅଖିଲ ମିତ୍ତଲ। ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମ୍ସି) ଏବଂ ରେଡିଓ ଭୁବନେଶ୍ୱର ପକ୍ଷରୁ ବିଶ୍ୱ ରେଡିଓ ଦିବସ ଅବସରରେ ‘ରେଡିଓ ଓ ବିଶ୍ୱାସ’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହେଇଛି। ଏଥିରେ ବକ୍ତା ଭାବେ ଯୋଗ ଦେଇ ମିତ୍ତଲ କହିଛନ୍ତି, ରେଡ଼ିଓରେ ଯେଉଁ ଖବର ଆସେ ଲୋକେ ତାକୁ ସମୂର୍ଣ୍ଣ ବିଶ୍ୱାସ କରନ୍ତି। କାରଣ ରେଡିଓରେ ଯେକୌଣସି ଖବର ଯେଉଁଠୁ ବି ଆସୁ ତାକୁ ପ୍ରଥମେ ତାହା ସୂତ୍ରରୁ ଯାଞ୍ଚ କରାଯିବା ପରେ ଯାଇ ପ୍ରସାରଣ କରାଯାଏ। ରେଡିଓ ସବୁବେଳେ ସତ ସୂଚନା ଓ ତଥ୍ୟକୁ ବିଭିନ୍ନ ସୂତ୍ର ମାଧ୍ୟମରେ ଯାଞ୍ଚ କରିଥାଏ। ଏଥିରୁ ଜଣାପଡେ ରେଡିଓ କେତେ ବିଶ୍ୱସନୀୟ। ତେବେ ରେଡିଓ ପାଇଁ ବିଷୟବସ୍ତୁ ପ୍ରସ୍ତୁତ କରିବା ଏକ କଳା। ଉଭୟ ଲେଖା ଓ ସ୍ବରରେ ସୃଜନଶୀଳତା ଆବଶ୍ୟକ। ଏଥିପାଇଁ ଛାତ୍ରଛାତ୍ରୀମାନେ ଏ ଦିଗରେ ଗୁରୁତ୍ବ ଦେବା ଦରକାର। ସେହିପରି ଆକାଶବାଣୀ କଟକର ଷ୍ଟେସନ ନିର୍ଦେଶକ ତରୁଣ ରାଉତ କହିଛନ୍ତି, ରେଡିଓ ବେଶ ଅନ୍ତରଙ୍ଗ ମାଧ୍ୟମ। ଏହା ସାଧାରଣ ଲୋକଙ୍କ ଭଲ ବନ୍ଧୁ। ଲୋକଙ୍କ ସୁଖ ଦୁଃଖରେ ସବୁବେଳେ ରେଡିଓ ହିଁ ଠିଆ ହୁଏ। ମହାବାତ୍ୟାଠାରୁ ଆରମ୍ଭ କରି ଫାଇଲିନ, ହୁଡହୁଡ, ଜବଡ଼ ପର୍ଯ୍ୟନ୍ତ ବାତ୍ୟା ଓ ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିଭିନ୍ନ ଜରୁରୀ ସୂଚନା ଦେଇଥାଏ। ବିପର୍ଯ୍ୟୟ ବେଳେ କଣ କରିବା ଉଚିତ, କଣ କରିବା ଅନୁଚିତ ତାର ସୂଚନା ମଧ୍ୟ ଦେଇଥାଏ। ରେଡିଓ ଆଜି ମଧ୍ୟ ସମସ୍ତଙ୍କର ବିଶ୍ୱାସଭାଜନ ହେଇ ରହିଛି। ଆଇଆଇଏମ୍ସି ନୂଆଦିଲ୍ଲୀର ପ୍ରଫେସର ସଙ୍ଗୀତା ପ୍ରାଣଭେନ୍ଦ୍ର କହିଛନ୍ତି, ଗଣମାଧ୍ୟମର ଏକ ଶ୍ରେଷ୍ଠ ମାଧ୍ୟମ ହେଉଛି ରେଫିଓ। ଖବର ହେଉ କି ବିକାଶମୂଳକ କାର୍ଯ୍ୟକ୍ରମ ସବୁଥିରେ ଏହା ପ୍ରାସଙ୍ଗିକ ଓ ଜରୁରୀ ସୂଚନା ଦେଇଥାଏ। ଏହାର ବ୍ୟବହାର ସୁବିଧାଜନକ ଏବଂ ପ୍ରତ୍ୟକ୍ଷ। ଏହା ବ୍ୟାପକ ଅଂଚଳରେ ପହଞ୍ଚି ପାରିଛି। ଏବଂ ରେଡିଓ ତତକ୍ଷଣାତ୍ ସୂଚନା ଦିଏ। ଲୋକମାନଙ୍କୁ ସେବା କରିବା ପାଇଁ ଏହା ଯୋଗାଯୋଗର ଉତ୍ତମ ମାଧ୍ୟମ ଭାବରେ ଛିଡା ହୋଇଛି। ଆଜିକାଲି ଗୋଷ୍ଠୀ ରେଡିଓର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଲୋକଙ୍କୁ ଏକତ୍ରିତ କରିବା ସହ ଗଣମାଧ୍ୟମ ଓ ବ୍ୟକ୍ତିଙ୍କ ଭିତରେ ସୁସମ୍ପର୍କ ସ୍ଥାପନ ଦିଗରେ ଗୋଷ୍ଠୀ ବେତାର କାର୍ଯ୍ୟ କରେ। ଏଣୁ ଗୋଷ୍ଠୀ ରେଡିଓକୁ ଭାରତ ସରକାର ସମସ୍ତ ପ୍ରକାର ସହାୟତା ଯୋଗେଇ ଦେଉଛନ୍ତି ବୋଲି ସେ କହିଛନ୍ତି। ବିଶିଷ୍ଟ ଲେଖକ ତଥା ରେଡିଓ ପ୍ରଯୋଜକ ମାନସ ପ୍ରତୀମ ଦାସ କହିଛନ୍ତି, ରେଡିଓଠାରୁ ଇଣ୍ଟରନେଟ ରେଡିଓ କିଛି ଭିନ୍ନ ନୁହେଁ। କେବଳ ଯାହା ଟେକ୍ନୋଲୋଜି ନୂଆ, କିନ୍ତୁ ରେଡିଓର ନୀତି ନିୟମ ଏକା। ଏମିତିକି ରେଡିଓ ପରି ଇଣ୍ଟରନେଟରେ ମଧ୍ୟ ଏକା ପ୍ରକାରରେ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଥାଏ। ଆଜିକାଲିର ଯୁବ ବର୍ଗମାନେ ବିଶେଷତଃ ଇଣ୍ଟରନେଟ ରେଡିଓ ଶୁଣୁଛନ୍ତି। ରେଡିଓ ଭୁବନେଶ୍ୱରର ପ୍ରତିଷ୍ଠାତା ସୁବ୍ରତ ପତି କହିଛନ୍ତି, ବର୍ତ୍ତମାନ ପ୍ରସାରଣ କ୍ଷେତ୍ରରେ ରେଡିଓ ଏକ ନୂଆ ଯୁଗ ଆରମ୍ଭ କରିଛି। କେବଳ ମାଧ୍ୟମ ଯାହା ବଦଳିଛି। ଇଣ୍ଟରନେଟ ରେଡିଓ, ଗୋଷ୍ଠୀ ବେତାର, ପଡକାଷ୍ଟ ଓ ବିଭିନ୍ନ ଆପ ମାଧ୍ୟମରେ ଶ୍ରାବ୍ୟ ବିଷୟବସ୍ତୁର ଆଦର ବଢ଼ିବାରେ ଲାଗିଛି। ଏବେ ରେଡିଓ ନୂଆ ରୂପରେ ଲୋକଙ୍କ ପାଖରେ ସହଜରେ ପହଞ୍ଚି ପାରୁଛି ଓ ଯୋଡି ହେଇ ରହିପାରୁଛି। ଅର୍ଥାତ ଉତ୍ତମ ମାନର ଶ୍ରାବ୍ୟ ବିଷୟବସ୍ତୁ ଶୁଣିବାକୁ ଲୋକେ ଖୁବ ଇଚ୍ଛା ପ୍ରକାଶ କରୁଛନ୍ତି। ଆଗକୁ ଲୋକଙ୍କ ରୁଚି ଅନୁସାରେ ସ୍ୱତନ୍ତ୍ର ରେଡିଓ ଚ୍ୟାନେଲ ଖୋଲିବ। ଯାହା ରେଡିଓର ଲୋକପ୍ରିୟତାକୁ ଆହୁରି ବଢ଼େଇବ ବୋଲି ସେ ପ୍ରକାଶ କରିଛନ୍ତି। ଆଇଆଇଏମ୍ସିର ଆଞ୍ଚଳିକ ନିର୍ଦେଶକ ଡ. ମୃଣାଳ ଚାଟାର୍ଜୀ ପ୍ରାରମ୍ଭିକ ବକ୍ତବ୍ୟରେ କହିଛନ୍ତି, ଗତ ୧୨୦ ବର୍ଷ ହେବ ରେଡିଓ ଆମ ସହ ଅଛି। ଏହା ଏକ ଅନ୍ତରଙ୍ଗ ଗଣ ଯୋଗାଯୋଗ ମାଧ୍ୟମ। ଲୋକଙ୍କୁ ଏକାଠି କରିବାରେ ରେଡିଓର ଉଲ୍ଲେଖନୀୟ ଅବଦାନ ରହିଛି। ସ୍ୱାଧୀନତା ଆନ୍ଦୋଳନ ସମୟରେ କଂଗ୍ରେସ ରେଡିଓ ଓ ଆଜାଦ ହିନ୍ଦ ରେଡ଼ିଓର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ଆଜି ମଧ୍ୟ ସାମାଜିକ ଗଣମାଧ୍ୟମ ଯୁଗରେ ସବୁ ସମୟରେ ରେଡିଓ ଗଣ ଯୋଗାଯୋଗର ଏକ ପ୍ରମୁଖ ମାଧ୍ୟମ ଭାବେ ରହିଛି ବୋଲି ସେ କହିଛନ୍ତି। ଏହି ଅବସରରେ ଆଇଆଇଏମ୍ସି ଢେଙ୍କାନାଳର ଇଂରାଜୀ ଏବଂ ଓଡ଼ିଆ ସାମ୍ଵାଦିକତା ପାଠ୍ୟକ୍ରମର ଶିକ୍ଷାର୍ଥୀଙ୍କ ଦ୍ୱାରା ରେଡିଓର ଇତିହାସ ଉପରେ ପ୍ରସ୍ତୁତ ଅଡିଓ ଫିଚର ପରିବେଷିତ ହୋଇଥିଲା। ଏହାସହ ବିଶ୍ୱ ରେଡିଓ ଦିବସ ଉପରେ ରେଡିଓ ଭୁବନେଶ୍ୱରର ସ୍ବତନ୍ତ୍ର ଫିଚର ମଧ୍ୟ ପରିବେଷିତ ହୋଇଥିଲା। ଆଇଆଇଏମ୍ସିର ସହକାରୀ ପ୍ରଫେସର ଭାବନା ଆଚାର୍ଯ୍ୟ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ରେଡିଓ ଭୁବନେଶ୍ୱରର ଶାଶ୍ବତୀ କର ଧନ୍ୟବାଦ ଦେଇଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: