EXCLUSIVE- ଆମେ ତ ଆଶ୍ରିତଙ୍କଠାରୁ ହାରିଛେ: ବିଜେଡି

EXCLUSIVE- ଆମେ ତ ଆଶ୍ରିତଙ୍କଠାରୁ ହାରିଛେ: ବିଜେଡି

ପ୍ରିଜମ୍ ନ୍ୟୁଜ(EXCLUSIVE): ‘ପିପିଲି ଆମେ ଜିତିଲେ ସତ, ହେଲେ ଏହା କ’ଣ ପ୍ରକୃତ ଜିତ୍। ୨୧ ବର୍ଷ ଶାସନ ଆମର, ପୂର୍ବ ବ୍ୟବଧାନ ବଜାୟ ରଖିବା ପାଇଁ ଆମକୁ ନାକେଦମ୍ ହେବାକୁ ପଡ଼ିଲା। ୪୦ ଏମଏଲଏ, ୮ ମନ୍ତ୍ରୀ, ୧୦୦ କାର୍ଯ୍ୟକର୍ତ୍ତା ଦିନରାତି ଡେଲାଙ୍ଗ ପିପିଲିରେ ପଡ଼ି ରହିଲେ। ତା’ ବାଦ୍ ଆମେ ବିଜେପିର ପୂର୍ବ ଭୋଟ୍ ବ୍ୟାଙ୍କକୁ ବିଗାଡ଼ି ପାରିଲେ ନାହିଁ। ଆମେ ସଂଖ୍ୟା ଖେଳରେ ଜିତିଗଲେ ସତ, ବାସ୍ତବରେ ଆମେ ଆଶ୍ରିତ ପଟ୍ଟନାୟକଙ୍କଠାରୁ ହାରିଛେ ବୋଲି ଧରି ନେବାକୁ ହେବ। ପିପିଲି ଆମର ଗଡ଼, ହେଲେ ଏହି ଗଡ଼ ଆମ ହାତରୁ ଖସି ଖସି ଯାଉଛି। ‘

ପାଠକ ବନ୍ଧୁ, ପିପିଲି ଉପନିର୍ବାଚନର ବ୍ୟବଚ୍ଛେଦ କରିବାକୁ ଯାଇ ବିଜୁ ଜନତା ଦଳ ପକ୍ଷରୁ ହୋଇଥିବା ସମୀକ୍ଷା ବୈଠକରେ ଏହି ସବୁ ମତ ପ୍ରକାଶ ପାଇଛି। ୨୦୧୮ ମସିହା ବିଜେପୁର ଉପନିର୍ବାଚନରେ ବିଜେପି ଯେପରି ଭାବେ ଲଢ଼ିଥିଲା, ତାହାର ଏକ ତୃତୀୟାଂଶ ଯଦି ପିପିଲିରେ ଦେଖା ଦେଇଥାନ୍ତା, ତେବେ ଫଳାଫଳ ଭିନ୍ନ ହୋଇଥାନ୍ତା। ଉପନିର୍ବାଚନ ବୋଲି ସିନା ଶାସକ ଦଳ, ଦଳ ବଳ ଘେନି ପିପିଲିରେ ଜମା ହୋଇଯାଇଥିଲା, ଥରେ ଚିନ୍ତା କରନ୍ତୁ। ୨୦୨୪ରେ ଅବସ୍ଥା କଣ ହୋଇଥିବ ! ରୁଦ୍ର ମହାରଥୀଙ୍କୁ ସାଥ୍ ଦେବାକୁ ସେ ସମୟରେ ବିଜେଡି ଦଳ, ବଳ ନେଇ ଯାଇପାରିବ ତ ! ଏକାସାଙ୍ଗରେ ନିର୍ବାଚନ ହେଲେ ବିଜେଡି ଯେ ପିପିଲି ଜିତିବ, ଏ ବିଶ୍ବାସ ଦଳୀୟ କର୍ମୀଙ୍କର ଆଉ ନାହିଁ। କେବଳ ପିପିଲି କାହିଁକି, ପୁରୀ ଜିଲ୍ଲାରେ ପୁରୀ ଓ ବ୍ରହ୍ମଗିରି ଦଳ ସ୍ଥିତି ସଙ୍ଗିନ। ଆଜି ବି ଯଦି ପୁରୀରେ ପୌର ନିର୍ବାଚନ ହେଉଛି, ତେବେ ବିଜେଡି ଯେ ଚେୟାରମ୍ୟାନ୍ ସିଟ୍ ନେବ, ଏକଥା ଛାତିରେ ହାତ ବାଡ଼େଇ କୌଣସି ନେତା କହିପାରିବେ ନାହିଁ। ତେଣୁ, ବିଜେଡିକୁ ଭାବିବାର ବେଳ ଆସିଛି।

ପିପିଲି ନିର୍ବାଚନମଣ୍ଡଳୀଟି ରାଜଧାନୀ ଭୁବନେଶ୍ବର ସମେତ ଖୋର୍ଦ୍ଧା ଏବଂ ଜଟଣୀକୁ ଲାଗିଛି। ତେଣୁ, ଏହାର ପ୍ରଭାବ ଅନ୍ୟ ନିର୍ବାଚନମଣ୍ଡଳୀରେ ପଡ଼ିବାର ସ୍ଥିତିରୁ ଏଡ଼ାଇ ଦିଆଯାଇ ନ ପାରେ। ନିକଟରେ ଖୋର୍ଦ୍ଧା ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ପ୍ରଭାରୀ ତଥା ବରିଷ୍ଠ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ କର୍ମକର୍ତ୍ତାଙ୍କୁ ଚେତାଇ ଦେଇଛନ୍ତି। ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି। ପୁରୀ ଜିଲ୍ଲାରେ ଗତ ଥର ବିଜେଡି ଭଲ ପ୍ରଦର୍ଶନ କରିଥିଲା ସତ, ହେଲେ ସବୁଠି ବିଜେଡି ଦୁଇ ନମ୍ବରରେ ରହିଥିଲା। ଇତି ମଧ୍ୟରେ ଦେବୀ, ଦୟା, ଭାର୍ଗବୀ ଏବଂ କୁଶଭଦ୍ରାରେ ବହୁତ ପାଣି ବୋହିଗଲାଣି। ପୁରୀ ଜିଲ୍ଲା କଂଗ୍ରେସ ଏବେ ପୁରୀ ଜିଲ୍ଲା ବିଜେପିରେ ପରିଣତ ହୋଇଗଲାଣି। ଜିଲ୍ଲାର ୨ ବିଧାୟକ ଏବଂ ପରାଜିତ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର କ୍ରେଜ୍ କମିନାହିଁ। ଉପନିର୍ବାଚନ ପରି ବିଜେଡି ଆଉ ଟେଣ୍ଟ ପକାଇ ପିପିଲି ଯିବନି। ତେଣୁ, ପିପିଲି ସମେତ ପୁରୀ, ବ୍ରହ୍ମଗିରି, ନିମାପଡ଼ା, ଗୋପ, ସତ୍ୟବାଦୀ ଭଳି କେତେକ ଅଞ୍ଚଳରେ ଜିଲ୍ଲା ପରିଷଦଟିଏ ଜିତାଇବା ପାଇ ବିଜେଡିକୁ ନାକେଦମ୍ ହେବାକୁ ପଡ଼ିବ।
ପିପିଲି ପରି ଜଟଣୀରେ ମଧ୍ୟ ସମାନ ଅବସ୍ଥା। ବିଜେଡି ଓ ନବୀନ ପଟ୍ଟନାୟକଙ୍କ ପ୍ରତି ଜନ ସମର୍ଥନ ଥିଲେ ବି ବିଭୂତିଙ୍କ ପ୍ରାର୍ଥିତ୍ବକୁ କେତେକ କର୍ମୀ ଗ୍ରହଣ କରି ପାରୁନାହାନ୍ତି। ତେଣୁ, ପଞ୍ଚାୟତ ଫଳାଫଳ ଭବିଷ୍ୟତର ରଣନୀତି ନିର୍ଦ୍ଧାରଣ କରିବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: