ଦିନକୁ ୧ କୋଟି ଟିକାକରଣ: ଆରମ୍ଭରୁ ସୁଖଦ ଅନୁଭବ

ଦିନକୁ ୧ କୋଟି ଟିକାକରଣ: ଆରମ୍ଭରୁ ସୁଖଦ ଅନୁଭବ

ପ୍ରିଜମ୍ ନ୍ୟୁଜ(ହିତାଂଶୁ ଶେଖର ମହାନ୍ତ): ଦେଶରେ ଧୀରେ ଧୀରେ ତଳମୁହାଁ ହେଉଛି କୋରୋନାର ସଂକ୍ରମଣ ଗ୍ରାଫ୍ । ମୃତ୍ୟୁ ସଂଖ୍ୟା ମଧ୍ୟ ଆଶାତୀତ ଭାବରେ କମିବାରେ ଲାଗିଛି । କହିବାକୁ ଗଲେ ଏକ ରକମର ନାହିଁ କହିଲେ ଚଳେ । (ଆରେ ଇଏ ତ ଖୁସି ଦେବାଭଳି ଖବର । ତେବେ କେତେକଙ୍କୁ ଏ ଖବର ବି ଅଡୁଆ ଲାଗୁଛି କାହିଁକି ? ମୃତ୍ୟୁ ସଂଖ୍ୟା ବଢ଼ିଲେ ବି ଅଡୁଆ/ ସମାଲୋଚନା, ଆଉ ଖସିଲେ ବି ଚିନ୍ତା !) ଉଭୟ ରାଜ୍ୟ ଆଉ କେନ୍ଦ୍ର ସରକାର ଟିକାକରଣକୁ ପ୍ରାଧାନ୍ୟ ଦେଇ ଯେତେଶୀଘ୍ର ସମ୍ଭବ ଟିକାଦାନ ସାରିବାକୁ ଲଗାଇ ଦେଇଛନ୍ତି ଜୀ ଜାନ୍ । ଆଜିଠାରୁ ଆରମ୍ଭ ହୋଇଥିବା ୧୮-୪୪ ବର୍ଷ ବୟସ ବର୍ଗର ଲୋକଙ୍କ ଟିକାକରଣ ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ କରିଛନ୍ତି ଫୁଲପ୍ରୁଫ୍ ପ୍ଲାନ୍ । ଦିନକୁ ୧ କୋଟି ଲୋକଙ୍କୁ ଟିକାକରଣର ଟାର୍ଗେଟ୍ । ଆଉ ଏହାକୁ ହାସଲ କରିବା ସରକାରଙ୍କ ପାଇଁ ଏକ ବଡ଼ ଚାଲେଞ୍ଜ । ମାନେ ଦେଶର ଅବଶିଷ୍ଟ ଶହେ କୋଟି ଲୋକଙ୍କ ପାଇଁ ଅତି ବେଶିରେ ୪ ମାସ ସମୟ ଧାର୍ଯ୍ୟ କରି ସେତିକି ସମୟ ଭିତରେ ଟିକାଦାନ ସାରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ଖାଲି ଲକ୍ଷ୍ୟ ରଖାଯାଇନି, ତୁରନ୍ତ ଏ ଦିଗରେ କାମ ବି ଆରମ୍ଭ ହୋଇଯାଇଛି ।

ଆଜି ଦେଶରେ ରେକର୍ଡସଂଖ୍ୟକ ୮୧ ଲକ୍ଷ ଲୋକଙ୍କୁ ଦିଆଯାଇଛି କୋରୋନା ଟିକା । ଆଉ ମାତ୍ର ୨୪ ଘଣ୍ଟା ମଧ୍ୟରେ ଏତେସଂଖ୍ୟକ ଲୋକଙ୍କୁ ଟିକାଦେବା ଘଟଣା ସାରା ବିଶ୍ୱରେ ପ୍ରଥମ । କାରଣ ବର୍ତ୍ତମାନ ଗୋଟିଏ ଦିନରେ ଭାରତରେ ଟିକାକରଣ ଯେତିକି, ଏପରି ଅନେକ ଦେଶ ରହିଛି ଯେଉଁ ଦେଶର ଜନସଂଖ୍ୟା ସେତିକି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନିଜ କ୍ଷେତ୍ରରେ ଏପରି ଏକ ଅତୁଳନୀୟ ଘଟଣାକୁ ପ୍ରଶଂସା ନ କରି ରହିପାରି ନାହାନ୍ତି । ଏତେ ସଂଖ୍ୟାରେ ରେକର୍ଡତୋଡ୍ ଭ୍ୟାକ୍ସିନେସନ ବାସ୍ତବିକ ସୁଖଦ ବୋଲି ଟ୍ୱିଟ୍ କରି କହିଛନ୍ତି ମୋଦି । ଯେଉଁମାନେ ଟିକା ନେଲେ ସେମାନଙ୍କୁ ଅଭିନନ୍ଦନ ଏବଂ କୋରୋନା ସମ୍ମୁଖ ଯୋଦ୍ଧାମାନଙ୍କୁ ସାବାସ୍ ବୋଲି ନିଜ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ମୋଦି । ଆଜିର ରେକର୍ଡ ସଂଖ୍ୟାରେ ଭ୍ୟାକ୍ସିନେସନ ଉପରେ ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଟିକା ହିଁ ମହାମାରୀ ବିରୋଧରେ ଅମୋଘ ଅସ୍ତ୍ର । ବଡ଼କଥାଟିଏ ହେଉଛି, ରାଜଧାନୀ ଦିଲ୍ଲୀରେ କୋରୋନା ସଂକ୍ରମଣ ୧୦୦ ତଳକୁ ଖସିଛି । ଆଜି ଚଳିତ ବର୍ଷର ସବୁଠାରୁ କମ୍ ଅର୍ଥାତ୍ ମାତ୍ର ୮୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଦେଶର ରାଜଧାନୀରେ । ପ୍ରାୟ ୨ କୋଟି ଲୋକସଂଖ୍ୟାବିଶିଷ୍ଟ ଏତେବଡ଼ ସହର(!)ରେ ଦୈନିକ ସଂକ୍ରମଣ ଶହେ ତଳକୁ ଖସିବା ନିଶ୍ଚିତ ଭାବରେ ଏକ ବଡ଼ ଉପଲବ୍ଧି । ପାଠକଙ୍କର ମନେ ଥିବ, ଯେତେବେଳେ ଦେଶରେ ପର୍ଯ୍ୟାପ୍ତ ଟିକା ଉପଲବ୍ଧ ହେଉ ନ ଥିଲା, ସେତେବେଳେ ବିରୋଧୀମାନେ କେଉଁଭଳି ଭାଷା ବ୍ୟବହାର କରି ସରକାରଙ୍କୁ ଶୋଧିଛନ୍ତି । ଇଏ ବେଶିଦିନ ତଳର କଥା ନୁହେଁ ।

କେନ୍ଦ୍ର ସରକାରଙ୍କ ମନ୍ତ୍ରୀମାନେ ସାମ୍ନାକୁ ଆସି ନମ୍ର ଭାବରେ ଟିକା ଉତ୍ପାଦନ ଓ ଟିକାଦାନର ତାଲିକା ସାର୍ବଜନୀନ କରୁଥିଲେ ହେଁ ବିରୋଧୀ ଦଳଗୁଡ଼ିକ ସରକାରଙ୍କ କଛା ଟାଣିବାରେ ହିଁ ନିଜର ସମସ୍ତ ଶକ୍ତି ସାରୁଥିଲେ । ଟେଲିଭିଜନ ଶୋ’ ଆଉ ଡିବେଟଗୁଡ଼ିକରେ ସରକାରଙ୍କ ଅପାରଗତା ହିଁ ଥିଲା ଆଲୋଚନାର ପ୍ରମୁଖ ବିଷୟ । ତେବେ ଏହା ମାତ୍ର ମାସକରୁ ମଧ୍ୟ କମ୍ ବ୍ୟବଧାନର ବିଷୟ । ଆଜି କେନ୍ଦ୍ର ସରକାର ଦିନକୁ କୋଟିଏ ଟିକାକରଣର ଟାର୍ଗେଟ୍ ପ୍ରଥମ ଦିନରୁ ହିଁ ହାସଲ କରିବା ଦେଶବାସୀଙ୍କୁ ଖୁସି ଦେଇଥିବ ନିଶ୍ଚୟ । ଲୋକେ ସଚେତନ ତଥା ଉତ୍ସାହିତ ହୋଇ ଅଧିକରୁ ଅଧିକ ଟିକା ନେବାକୁ ଆଗେଇ ଆସିବା ମଧ୍ୟ ଏହି ଲକ୍ଷ୍ୟପ୍ରାପ୍ତିକୁ ଆହୁରି ସହଜ କରିବ । ତୃତୀୟ ଲହର ଆସିବା ପୂର୍ବରୁ ସରକାର ଦେଶର ୧୩୮ କୋଟି ଜନତାଙ୍କ ଟିକାକରଣ ସମ୍ପାଦନ କରିପାରିଲେ ହିଁ ଦେଶବାସୀଙ୍କ ନଜରରେ ଯେଉଁ ଅଲିଖିତ ତଥା ଅଦୃଶ୍ୟ ଚାଲେଞ୍ଜ ରହିଛି, ତାକୁ ସଫଳତାର ସହ ମୁକାବିଲା କରିପାରିବେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: