ମହିଳାଙ୍କ ଜିଭରେ ଉଠୁଛି ଲମ୍ବା ଲମ୍ବା କେଶ, କାରଣ କିଛି ଏଭଳି…

ମହିଳାଙ୍କ ଜିଭରେ ଉଠୁଛି ଲମ୍ବା ଲମ୍ବା କେଶ, କାରଣ କିଛି ଏଭଳି…


ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବେଳେ ବେଳେ ଦେଖିଥିବେ ଅବା ନିଜେ ଅନୁଭବ କରିଥିବେ ଯେ, ଗୋଟିଏ ରୋଗ ଭଲ କରିବା ପ୍ରକ୍ରିୟା ଆଉ ଗୋଟିଏ ରୋଗକୁ ଡାକି ଆଣିଥାଏ । ତେବେ ସେହିଭଳି ଏକ ବଡ ରୋଗରେ ପଡିଛନ୍ତି ଇଂଲଣ୍ଡର ବ୍ରୋମଲିରେ ରହୁଥିବା ଆନ୍ନାବେଲ ଲଭିକ୍ ନାମକ ଜଣେ ମହିଳା । ସେ ଏବେ ସୋସିଆଲ ମିଡିଆରେ ଲୋକଙ୍କୁ ଜିଭ କର୍କଟ ବିଷୟରେ ସଚେତନ କରାଉଛନ୍ତି । ଇନଷ୍ଟାଗ୍ରାମରେ ଲୋଭିକ୍ ଲାଇଫ୍ କୋଚ୍ ନାମରେ ଆନ୍ନାବେଲ୍ ତାଙ୍କ କର୍କଟ ରୋଗର ଯାତ୍ରା ଲୋକଙ୍କ ସହ ସେୟାର କରୁଛନ୍ତି । ତେବେ ସେ ଯେଉଁ ଘଟଣା ପ୍ରକାଶ କରିଛନ୍ତି, ତାହା ଅନେକଙ୍କୁ ଚକିତ କରିଛି । ଦୁଇଟି ପିଲାଙ୍କ ମା’ ଆନ୍ନାବେଲଙ୍କୁ କର୍କଟ ରୋଗ ହେତୁ ଜିଭ କାଟିବାକୁ ପଡିଥିଲା। କିନ୍ତୁ ଏହା ପରେ ଡାକ୍ତରମାନେ ତାଙ୍କ ଗୋଡରୁ ଚମଡା ବାହାର କରି ଜିଭ ତିଆରି କରିଥିଲେ। ହେଲେ ତାଙ୍କ ନୂଆ ଜିଭ ଏବେ ତାଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି । ସେ କହିଛନ୍ତି ଯେ, ଏହି ନୂଆ ଜିଭ ଲଗେଇବା ପରଠାରୁ ତାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ପ୍ରାରମ୍ଭରୁ ତାଙ୍କର ସେହି କୃତିମ ଜିଭ ବହୁତ ଶୀଘ୍ର ଥକିଯାଉଥିଲା। କଥା କହିବା, ଖାଇବା ଏବଂ ପାଣି ପିଇବାରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଥିଲେ। କିନ୍ତୁ ବର୍ତ୍ତମାନ ଅବସ୍ଥା ଆହୁରି ଅଧିକ ଖରାପ ହେବାରେ ଲାଗିଛି। ଆନ୍ନାବେଲଙ୍କ ଟ୍ରାନ୍ସପ୍ଲାଣ୍ଟ ହୋଇଥିବା ଜିଭ ତାଙ୍କ ଗୋଡରୁ ବାହାର କରାଯାଇଥିବା ବେଳେ ଏବେ ସେଥିରେ ବଡ ବଡ କେଶ ବାହାରିବାରେ ଲାଗିଛି । ଏହି କାରଣରୁ, ସେ ଖାଇ ପିଇବା ଠାରୁ ଆରମ୍ଭ କରି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କଥାବାର୍ତ୍ତା ବେଳେ ମଧ୍ୟ ଏହି ଜିଭ ଯୋଗୁଁ ତାଙ୍କ କଥା ବାର୍ତ୍ତା ଏପଟ ସେପଟ ହୋଇଥାଏ। ଆନ୍ନାବେଲ କହିଛନ୍ତି ଯେ, ଏବେ ପରିସ୍ଥିତି ଏପରି ହୋଇଛି ଯେ ସେ ଏହି ଜିଭରେ ଆଇସକ୍ରିମ ବି ଖାଇବାକୁ ସକ୍ଷମ ହେଉ ନାହାନ୍ତି।
୨୦୧୮ ମସିହାରେ ଆନ୍ନାବେଲ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ। ଆନ୍ନାବେଲଙ୍କର ପୂର୍ବରୁ ମଧୁମେହ ରୋଗ ହୋଇଥିଲା, ଯାହା ପରେ ସେ ଅତ୍ୟଧିକ ପରିସ୍ରା ଯିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏହି ସମସ୍ୟା ବଢିବାରୁ ଆନ୍ନାବେଲେ ଡାକ୍ତରଙ୍କ ପାଖକୁ ଯାଇ ଯାଞ୍ଚ କରିବା ପରେ ତାଙ୍କୁ କର୍କଟ ରୋଗ ହୋଇଥିବାର ଜାଣିଥିଲେ । ଏହା ପରେ ଔଷଧ ଦ୍ଵାରା ତାହାକୁ ନିୟନ୍ତ୍ରଣ କରାଯାଇଥିଲା । କିନ୍ତୁ ହଠାତ୍ ୨୦୨୦ ମସିହାରେ ଜିଭ କର୍କଟ ହେତୁ ତାଙ୍କ ଜିଭକୁ କାଟିବାକୁ ପଡ଼ିଥିଲା। ଅସ୍ତ୍ରୋପଚାର ସମୟରେ ଡାକ୍ତରମାନେ ତାଙ୍କର ଜିଭ ସହ ତିନୋଟି ଦାନ୍ତ କଢ଼ିଦେଇଥିଲେ, କାରଣ ଯେପରି ସେ ହଠାତ୍ ତାଙ୍କ ନୂଆ ଜିଭକୁ ଚୋବାଇ ନପାରିବେ। ପ୍ରଥମେ ଆନ୍ନାବେଲଙ୍କୁ ଅନେକ ଅସୁବିଧା ହେଉଥିଲା, କିନ୍ତୁ ଧୀରେ ଧୀରେ ତାଙ୍କ ଶରୀର ଏହି ନୂତନ ଜିଭକୁ ଗ୍ରହଣ କରି ନେଇଥିଲା। କିନ୍ତୁ ଏବେ ସେ ଏକ ନୂଆ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତାଙ୍କ ଜିଭରେ କେଶ ବଢ଼ିବାରେ ଲାଗୁଛି। ଯେଉଁଥିପାଇଁ ତାଙ୍କୁ ବହୁତ କଷ୍ଟ ଅନୁଭବ ହେଉଛି। ଏହି ସମସ୍ୟାର ସମାଧାନ ପାଇଁ ସେ ଡାକ୍ତରଙ୍କ ପରାମର୍ଶ କରୁଛନ୍ତି। ତେଣୁ ସେ ନିଜେ ଭୋଗୁଥିବା କଷ୍ଟ ଯେପରି ଆଉ କେହି ନ ଭୋଗନ୍ତି । ସେଥିପାଇଁ ସେ ସୋସିଆଲ ମିଡିଆରେ ଲୋକଙ୍କୁ ଜିଭ କର୍କଟ ବିଷୟରେ ସଚେତନ କରାଉଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: