ପ୍ରିଜମ୍ ନ୍ୟୁଜ(କମଳାକାନ୍ତ ପତି): ପ୍ରାୟ ତିନି ମାସ ଧରି ତିନି କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଛନ୍ତି ବିଭିନ୍ନ କୃଷକ ସଂଗଠନ। ଦିଲ୍ଲୀ ସୀମାନ୍ତ ବିଭିନ୍ନ ସ୍ଥାନରେ ଚାଲିଛି ଏହି ଆନ୍ଦୋଳନ। ଆନ୍ଦୋଳନକାରୀ କୃଷକମାନଙ୍କ ସହ ସରକାର ଏକାଧିକ ବୈଠକ କରି ସାରିଲେଣି। ସମାଧାନର ପନ୍ଥା ବାହାରି ପାରୁନାହିଁ। ଆଇନ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଅବ୍ୟାହତ ରହିବ ବୋଲି ଆନ୍ଦୋଳନକାରୀ କୃଷକମାନେ ଜିଦିରେ ଅଟଳ ରହିଛନ୍ତି। କୃଷକ ଆନ୍ଦୋଳନକୁ ନେଇ ସରକାର ଚିନ୍ତାରେ ରହିଥିବା ବେଳେ ନୂଆ ଶ୍ରମ ଆଇନ ବିରୋଧରେ ସ୍ୱର ଉଠିଲାଣି। ଆନ୍ଦୋଳନର ଧମକ ଦେଲେଣି ଏକାଧିକ ଶ୍ରମିକ ସଂଗଠନ। ସୂଚନାଯୋଗ୍ୟ ଯେ, ସଂସଦରେ ତିନି କୃଷି ବିଲ ଅନୁମୋଦିତ ହେବାର ପାଖାପାଖି ସମୟରେ ଚାରିଗୋଟି ଶ୍ରମ ବିଲ ମଧ୍ଯ ପାସ ହୋଇଥିଲା। କୃଷି ଆଇନ ଖାରଜ ପାଇଁ ଆନ୍ଦୋଳନ ଜୋରଦାର ହେଉଥିବା ବେଳେ ସରକାର ଶ୍ରମ ଆଇନ କାର୍ଯ୍ୟକାରୀ କରିବା ପାଇଁ ତତ୍ପର ହୋଇଛନ୍ତି। ଖୁବଶୀଘ୍ର ଶ୍ରମ ଆଇନରେ ରହିଥିବା ନିୟମ ଗୁଡିକ କାର୍ଯ୍ୟକାରୀ କରିବା ସକାଶେ ବିଜ୍ଞପ୍ତି ଜାରି ହେବ ବୋଲି କେନ୍ଦ୍ର ଶ୍ରମ ସଚିବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଶ୍ରମ ଆଇନକୁ ନେଇ ଶ୍ରମିକ ସଂଗଠନ ଗୁଡିକ ସନ୍ତୁଷ୍ଟ ନୁହନ୍ତି। ସେମାନେ ଦାବି କରୁଛନ୍ତି ଯେ, ନୂଆ ଶ୍ରମ ଆଇନ ଦେଶର ଶ୍ରମ କ୍ଷେତ୍ରରେ ଅଶାନ୍ତିକୁ ଆମନ୍ତ୍ରଣ କରିବ। କାର୍ଯ୍ୟ କ୍ଷେତ୍ରରେ ଶ୍ରମିକ ଓ ମାଲିକଙ୍କ ମଧ୍ୟରେ ସହଯୋଗିତା ଏବଂ ସୌହାର୍ଦ୍ୟର ପରିବେଶକୁ ନଷ୍ଟ କରିଦେବ। କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ‘ସ୍ୱେଚ୍ଛାଚାରିତା’ର ଆଖ୍ୟା ଦେଇ ଆନ୍ଦୋଳନର ଆହ୍ୱାନ ଦେଲେଣି ୧୦ଟି ଶ୍ରମିକ ସଂଗଠନ। ଆଗାମୀ ଦିନରେ ଶ୍ରମିକ ସଂଗଠନ ଗୁଡିକ କୃଷକଙ୍କ ଭଳି ବଡ଼ ଆନ୍ଦୋଳନ କରିପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଲାଣି। ପ୍ରଶ୍ନ ଉଠୁଛି ଏହି ଶ୍ରମ ଆଇନ କଣ, କାହିଁକି ଏହାକୁ ବିରୋଧ କରୁଛନ୍ତି ଶ୍ରମିକ ସଂଗଠନ। କେନ୍ଦ୍ର ସରକାର ୪୪ଟି ଶ୍ରମ ଆଇନକୁ ଏକତ୍ରିତ କରି ଚାରିଗୋଟି ଶ୍ରମ ଆଇନ ପ୍ରସ୍ତୁତ କରିଛନ୍ତି। ମୋଦି ସରକାରଙ୍କ ଦାବି, ସେମାନେ ସବୁ ପକ୍ଷ ସହ ଆଲୋଚନା ଓ ପରାମର୍ଶ କରି ଏହି ଆଇନ କରିଛନ୍ତି। ବ୍ୟବସାୟ ପରିବେଶକୁ ସହଜ କରିବା ଏବଂ କର୍ମଚାରୀମାନଙ୍କ ପାଇଁ ସାମାଜିକ ସୁରକ୍ଷା ବୃଦ୍ଧି ଏହି ନୂଆ ଆଇନର ଉଦ୍ଦେଶ୍ୟ। ଏହି ଚାରି ଶ୍ରମ ଆଇନ ହେଉଛି ମଜୁରୀ, ଶିଳ୍ପ କ୍ଷେତ୍ରରେ ସମ୍ପର୍କ, ସାମାଜିକ ସୁରକ୍ଷା ଏବଂ ପେସା, ସ୍ୱାସ୍ଥ୍ୟ ଓ କାର୍ଯ୍ୟର ସର୍ତ୍ତ ମଜୁରୀ ଆଇନ ୨୦୧୯ ମସିହାରେ ଅନୁମୋଦିତ ହୋଇଥିବା ବେଳେ ଶ୍ରମ ସଂକ୍ରାନ୍ତ ଅବଶିଷ୍ଟ ଆଇନ ଗତ ବର୍ଷ ସଂସଦ ଅନୁମୋଦନ ଲାଭ କରିଛି।
କେନ୍ଦ୍ର ସରକାର କହୁଛନ୍ତି ଯେ, ଏହି ଆଇନରେ ଥିବା ବିଭିନ୍ନ ବ୍ୟବସ୍ଥା ନେଇ ସବୁ ପକ୍ଷ ସହ ଆଲୋଚନା ଶେଷ କରିଛନ୍ତି। କେବଳ ବିଜ୍ଞପ୍ତି ପ୍ରକାଶ କରି ଶ୍ରମ ସଂସ୍କାରକୁ ଅପେକ୍ଷା କରାଯାଉଛି। କହି ରଖିବା ପ୍ରୟୋଜନ ଯେ ଶ୍ରମ ହେଉଛି ମିଳିତ ତାଲିକା ଭୁକ୍ତ ବିଷୟ । ସୁତରାଂ ଶ୍ରମ କ୍ଷେତ୍ରରେ ଯେକୌଣସି ସଂସ୍କାରରେ ରାଜ୍ୟ ଗୁଡିକର ସହମତି ଜରୁରୀ। ସରକାର ଶ୍ରମ ସଂସ୍କାର ନେଇ ସବୁ ପକ୍ଷ ସହ ଆଲୋଚନା କରିଛନ୍ତି ବୋଲି କହୁଥିଲେ ମଧ୍ଯ ଶ୍ରମିକ ସଂଗଠନ ଗୁଡିକ ଏହି ନୂଆ ଆଇନକୁ ବିରୋଧ କରୁଛନ୍ତି କାହିଁକି ? ସିଟୁ ପକ୍ଷରୁ କୁହାଯାଉଛି ଯେ ନୂଆ ଶ୍ରମ ଆଇନ ନେଇ ସରକାର ସେମାନଙ୍କ ସହ କୌଣସି ଆଲୋଚନା କରି ନାହାନ୍ତି। ଏକତରଫା ଭାବେ ଆଇନ ପ୍ରଣୟନ କରି ଏହାକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ନୂଆ ଆଇନରେ ଥିବା ଅନେକ ବ୍ୟବସ୍ଥା ଶ୍ରମିକମାନଙ୍କ ସ୍ୱାର୍ଥ ପରିପନ୍ଥୀ। ସୁତରାଂ ଏହି ନୂଆ ଆଇନ ଲାଗୁ ହେଲେ କଳ କାରଖାନାରେ ଶ୍ରମିକ ଅଶାନ୍ତି ଦେଖାଦେବ। ଅନ୍ୟ ସର୍ବଭାରତୀୟ ଶ୍ରମିକ ସଂଗଠନର ନେତାମାନେ ମଧ୍ଯ ସମାନ ମତବ୍ୟକ୍ତ କରୁଛନ୍ତି। ଶ୍ରମିକ ସଂଗଠନ ଗୁଡିକ ନୂଆ ଶ୍ରମ ଆଇନକୁ ବିରୋଧ କରିବାର ଏକାଧିକ କାରଣ ରହିଛି। ସରକାର ଏହି ନୂଆ ଆଇନରେ ଯେଉଁ ବ୍ୟବସ୍ଥା ରଖିଛନ୍ତି ତାହା ଶ୍ରମିକ ସ୍ୱାର୍ଥ ପରିପନ୍ଥୀ, ମାଲିକ ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେଇ ଦେଖାଯାଇଛି। ସରକାର କୃଷି ଆଇନରେ କୃଷକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇଛନ୍ତି ବୋଲି ଡିଣ୍ଡିମ ପିଟୁଥିବା ଭଳି, ଶ୍ରମ ସଂସ୍କାର ଶ୍ରମିକଙ୍କ ସ୍ୱାର୍ଥ ରକ୍ଷା ପାଇଁ ଉଦ୍ଦିଷ୍ଟ ବୋଲି ପ୍ରଚାର କରୁଛନ୍ତି। ବାସ୍ତବତା କିନ୍ତୁ ଭିନ୍ନ। ଏହି ଆଇନ କାର୍ଯ୍ୟକାରୀ ହେଲେ ଶ୍ରମିକଙ୍କ ସୁରକ୍ଷା ବିପନ୍ନ ହେବ ବୋଲି ଶ୍ରମିକ ସଂଗଠନ ଗୁଡିକର ମତ। ତେଣୁ ସେମାନେ ଏହାର କାର୍ଯ୍ୟକାରିତାକୁ ବିରୋଧ କରୁଛନ୍ତି।
ନୂଆ ଆଇନରେ ଥିବା ବ୍ୟବସ୍ଥା ଅନୁଯାୟୀ ୩୦୦ ଜଣ ପର୍ଯ୍ୟନ୍ତ କର୍ମଚାରୀ ଥିବା ସଂସ୍ଥା ଗୁଡିକରେ ଛଟେଇ ବା ବ୍ୟବସାୟ ବନ୍ଦ କରିବାକୁ ହେଲେ ସରକାରଙ୍କ ଅନୁମୋଦନ ଲୋଡ଼ା ପଡିବ ନାହିଁ। ଫଳରେ ଅବାଧ ଛଟେଇ ଆଶଙ୍କାକୁ ଏଡାଇ ଦିଆଯାଇ ପାରିବ ନାହିଁ, ଯାହାକି ଏପର୍ଯ୍ୟନ୍ତ ୧୦୦ ଜଣ କର୍ମଚାରୀ ଥିବା ସଂସ୍ଥା ଗୁଡିକ ପର୍ଯ୍ୟନ୍ତ ସୀମିତ ରହିଛି। ସଂସ୍ଥା ଗୁଡିକରେ କର୍ମଚାରୀଙ୍କ ଆଇନଗତ ଅଧିକାରକୁ କ୍ଷୁର୍ଣ୍ଣ କରିବା ସକାଶେ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ସୁହାଇବା ପାଇଁ ସରକାର ନୂଆ ଆଇନରେ ଏଭଳି ବ୍ୟବସ୍ଥା କରିଛନ୍ତି ବୋଲି ଅଭିଯୋଗ ଉଠୁଛି। କେନ୍ଦ୍ର ସରକାର ଶ୍ରମିକମାନଙ୍କର ସାମାଜିକ ସୁରକ୍ଷା କଥା କହୁଥିଲେ ମଧ୍ଯ ନୂଆ ଶ୍ରମ ଆଇନରେ ବେକାରୀ ଭତ୍ତା ବା ବୀମା କଥା ଉଲ୍ଲେଖ କରି ନାହାନ୍ତି।
ସରକାର ଦାବି କରୁଛନ୍ତି ଯେ, ଠିକା ନିଯୁକ୍ତି ଏବଂ ସ୍ଥାୟୀ ଚାକିରୀ କ୍ଷେତ୍ରରେ କର୍ମଚାରୀଙ୍କୁ ସମାନ ସୁବିଧା ସୁଯୋଗ ମିଳିବ। କିନ୍ତୁ ଏହାଦ୍ୱାରା ସୀମିତ ମିଆଦର ଚାକିରୀ ରାସ୍ତା ପ୍ରଶସ୍ତ ହେବ ଏବଂ ସ୍ଥାୟୀ ଚାକିରିର ଜମାନା ଶେଷ ହୋଇଯିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଅନେକ କ୍ଷେତ୍ରରେ ନ୍ୟୁନତମ ମଜୁରୀ ୧୦୦ ଦିନର କାର୍ଯ୍ୟ ଠାରୁ କମ। ଏଭଳି ବ୍ୟବସ୍ଥା ଥିବା ଶ୍ରମ ଆଇନକୁ ସରକାର କିପରି ଶ୍ରମିକ ସ୍ୱାର୍ଥ ଓ ସୁରକ୍ଷା ଅନୁକୂଳ ବୋଲି କହୁଛନ୍ତି ତାହା ବୁଝିବା କଷ୍ଟକର ହେଲାଣି। ସରକାର ଏପରି ମାଲିକ ସ୍ୱାର୍ଥ ସର୍ବସ୍ବ ଆଇନ ପ୍ରସ୍ତୁତ କରିଥିବାରୁ ତାହା ଶ୍ରମିକ ଆନ୍ଦୋଳନକୁ ଆମନ୍ତ୍ରଣ କରିବା ସ୍ୱାଭାବିକ।