ପ୍ରିଜମ ନ୍ୟୁଜ୍ ବ୍ୟୁରୋ; (କମଳାକାନ୍ତ ପତି): ତୈଳ(ପେଟ୍ରୋଲ, ଡିଜେଲ) ଦର ବୃଦ୍ଧି କାରଣରୁ ଲୋକେ ଦୀର୍ଘଶ୍ୱାସ ଛାଡ଼ୁଛନ୍ତି । ବିଭିନ୍ନ ସାମଗ୍ରୀ ପରିବହନ ଖର୍ଚ୍ଚ ବୃଦ୍ଧିର ଅନ୍ୟତମ କାରଣ ସାଜିଛି ତୈଳ ଦରର ଉର୍ଧ୍ଵମୁଖୀ ପ୍ରଭାବ । ଏହି ପରିସ୍ଥିତିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମାନ ଗତ ପହିଲାରେ ଉପସ୍ଥାପନ କରିଥିବା 2021-22 ଆର୍ଥିକ ବର୍ଷର ବଜେଟରେ ତୈଳ ଉପରେ ସେସ ବୃଦ୍ଧି କରିଛନ୍ତି l କୃଷି ଭତ୍ତିଭୂମି ସେସ ଭାବରେ ଲିଟର ପିଛା ପେଟ୍ରୋଲ ଉପରେ 2.5 ଟଙ୍କା ଏବଂ ଡିଜେଲ ଉପରେ 4 ଟଙ୍କା ସେସ ଚାପି ଦିଅlଯାଇଛି । ଏହି ସେସ ମୂଳ ଉତ୍ପାଦନ ଶୁଳ୍କ ସହ ସମୀକରଣ କରାଯାଇଥିବାରୁ ତାହା ତୈଳ ଦରକୁ ପ୍ରଭାବିତ କରିବ ନାହିଁ ବୋଲି ଅର୍ଥମନ୍ତ୍ରୀ ତାଙ୍କ ବଜେଟ ଭାଷଣରେ ଆଶ୍ୱାସନା ଦେଇଥିଲେ । କିନ୍ତୁ ଆଶା କରାଯାଉଥିଲା ଭିନ୍ନ କଥା । ଅର୍ଥମନ୍ତ୍ରୀ ବଜେଟରେ ଉତ୍ପାଦନ ଶୁଳ୍କ ହ୍ରlସକରି ସାଧାରଣ ଜନତାଙ୍କୁ ବର୍ଦ୍ଧିତ ତୈଳ ଦରରୁ ସାମାନ୍ୟ ଅଶ୍ଵସ୍ତି ଦେଇ ପାରନ୍ତି ବୋଲି ଆଶା ରଖାଯାଉଥିଲା । କିନ୍ତୁ ନିର୍ମଳା ସେହି ଆଶାରେ କେବଳ ପାଣି ଢ଼ାଳିଲେ ନାହିଁ ବରଂ ଇନ୍ଧନ ଦରକୁ ଆହୁରି ଉପରମୁହାଁ ହେବାର ରାସ୍ତା ଖୋଲି ଦେଲେ । ବଜେଟ ପରେ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି । ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ଯଥେଷ୍ଟ କମ ରହିଥିଲେ ମଧ୍ୟ ଭାରତ ବଜାରରେ ତୈଳ ଦରରେ ଲଗାମ ନ ଲଗାଇ ସରକାର ରାଜକୋଷ ଭର୍ତି କରୁଛନ୍ତି । ସେସ ବୃଦ୍ଧି କରି ନିର୍ମଳା ତୈଳ ଦର ଉପରୁ ଉତ୍ପାଦନ ଶୁଳ୍କ ହ୍ରାସର ସମ୍ଭାବନାକୁ ସମାପ୍ତ କରି ଦେଇଛନ୍ତି । ତୈଳ ଦର ଆକାଶ ଛୁଆଁ ହୋଇଥିଲେ ମଧ୍ୟ ବିରୋଧୀ ରାଜନୈତିକ ଦଳ ଗୁଡିକର ସ୍ୱର ଶାଣିତ ହେଉନାହିଁ ।
କୃଷି ଆଇନ ବିରୋଧରେ କୃଷକ ଆନ୍ଦୋଳନ ପରିସ୍ଥିତି ସତେ ଯେମିତି ବିରୋଧୀଙ୍କୁ ସେହି ଦିଗରେ ଦୃଷ୍ଟିକୁ ବାନ୍ଧି ରଖିଛି । ସଂସଦରେ ମଧ୍ୟ ଏନେଇ ସ୍ୱର ଶୁଭୁନାହିଁ । ଯାହାକି ତୈଳ ଦର ବୃଦ୍ଧି ପ୍ରସଙ୍ଗରେ ସରକାରଙ୍କୁ ନିରାପଦ ସ୍ଥାନରେ ରଖିଛି ବୋଲି କୁହାଯାଇ ପାରିବ । ତୈଳ ଦର ବୃଦ୍ଧି ନେଇ କିନ୍ତୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଅରବିଆଇ) ଉଦବିଗ୍ନ, ଯାହାକି ଗତ ଶୁକ୍ରବାର ଶୀର୍ଷ ବ୍ୟାଙ୍କ ଋଣନୀତି ସମୀକ୍ଷା ବେଳେ ଜାଣିବାକୁ ମିଳିଛି । ଏହି ଋଣନୀତିରେ ପେଟ୍ରୋଲ ଡିଜେଲର ସର୍ବକାଳୀନ ରେକର୍ଡ ଗଢ଼ିଥିବା କଥା ଉଲ୍ଲେଖ ରହିଛି । ଇନ୍ଧନ ଖର୍ଚ୍ଚ ବୃଦ୍ଧି ଫଳରେ ମୂଲ୍ୟବୃଦ୍ଧି ହାର ଯେପରି ବଢ଼ି ନଯାଏ, ସେଥିପାଇଁ ଶୀର୍ଷ ବ୍ୟାଙ୍କ ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାର ଗୁଡିକ ଉଦ୍ଦେଶ୍ୟରେ ବାର୍ତା ଦିଆଯାଇଛି । ସେମାନେ ତୈଳ ଉପରେ ଶୁଳ୍କ ହ୍ରାସ କରିବା ପାଇଁ ମିଳିତ ଭାବେ ନୀତିଗତ ପଦକ୍ଷେପ ନେବା ଉଚିତ । ଅତିମାରୀ କରୋନା କାଳରେ ଗତ ବର୍ଷ ଠାରୁ ବଢିଚାଲିଛି ତୈଳ ଦର । କେବଳ ତୈଳ ଦର ନୁହେଁ ରୋଷଇ ଗ୍ୟାସ ଦର ମଧ୍ୟ ତାଳ ଦେଇ ବଢ଼ାଇ ଚାଲିଛନ୍ତି ସରକାର । ଯାହାକି ସାଧରଣ ଜନତାଙ୍କ ହାଣ୍ଡିଶାଳରେ ମାଡ କରିଚାଲିଛି । ଇନ୍ଧନର ଏଭଳି ଦର ବୃଦ୍ଧି ରେକର୍ଡ କରୁଥିବା ପ୍ରସଙ୍ଗ ରିଜର୍ଭ ବ୍ୟାଙ୍କ ଋଣନୀତିରେ ପ୍ରତିଫଳିତ ହୋଇଛି । ବିଶ୍ୱ ବଜାରରେ ଅଶୋଧିତ ତୈଳ କଥା ଏଥିରେ କୁହାଯାଇଥିବା ବେଳେ, କେନ୍ଦ୍ର ଏବଂ ରାଜ୍ୟ ଗୁଡିକ ଇନ୍ଧନ ଉପରେ ବସାଇଥିବା ପରୋକ୍ଷ ଟିକସ ପ୍ରସଙ୍ଗରେ ମଧ୍ୟ ଉଲ୍ଲେଖ କରିଛନ୍ତି ଶୀର୍ଷ ବ୍ୟାଙ୍କ ।
ରିଜର୍ଭ ବ୍ୟାଙ୍କର ଆଶଙ୍କା ଯୋଗାଣ ବୃଦ୍ଧି କରି ଦାମ କ୍ଷେତ୍ରରେ ଯେଉଁ ଅଶ୍ଵସ୍ତି ମିଳିଥିଲା, ତାହାକୁ ବର୍ଦ୍ଧିତ ଦର ପୁନର୍ବାର ପଛକୁ ଟାଣି ନେବ । ତେଣୁ କେନ୍ଦ୍ର ଓ ରାଜ୍ୟ ସରକାର ଗୁଡିକ ମିଳିତ ଭାବେ ଏହାର ପ୍ରତିକାର ରାସ୍ତା ବାହାର କରିବା ଉଚିତ । ଅବଶ୍ୟ ଇତିମଧ୍ୟରେ ଯୋଗାଣ କିଛିଟା ବଢିଛି । ସେହି ଦୃଷ୍ଟିରୁ ପନିପରିବା ଓ ଖାଦ୍ୟ ସାମଗ୍ରୀର ଦର ହ୍ରାସ ପାଇବାର ସମ୍ଭାବନା ଥିଲେ ମଧ୍ୟ ତୈଳ ଦର ବୃଦ୍ଧି ପାଇ ଚାଲିଥିବାରୁ ଖାଦ୍ୟ ସାମଗ୍ରୀର ମୂଲ୍ୟବୃଦ୍ଧି ହାର ପୁଣି ଉର୍ଧ୍ଵମୁଖୀ ହେବାର ଆଶଙ୍କା ଦେଖାଦେଲାଣି । ଉଲ୍ଲେଖ ଯୋଗ୍ୟ ଯେ ବିରୋଧୀମାନେ ବାରମ୍ବାର ତୈଳ ଉପରୁ ବର୍ଦ୍ଧିତ ଶୁଳ୍କ ହ୍ରାସ କରିବା ପାଇଁ ଦାବି କରି ଆସୁଛନ୍ତି । ତେବେ ସେହି ଦାବି ଜୋରଦାର ଢଙ୍ଗରେ ହେଉ ନଥିବାରୁ କେନ୍ଦ୍ର କିମ୍ବା ରାଜ୍ୟ କେହି ସେଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । ବଜେଟରେ ଅର୍ଥମନ୍ତ୍ରୀ ତୈଳ ଉପରୁ ଅତିରିକ୍ତ ଉତ୍ପାଦନ ଶୁଳ୍କ କମାଇଥିଲେ ମଧ୍ୟ ନୂଆ ସେସ ବସାଇ ଥିବା କାରଣରୁ ତୈଳ ଦରରେ କୋଣସି ପରିବର୍ତନ ହୋଇ ନାହିଁ । ଅର୍ଥାତ ଶୁଳ୍କ ହ୍ରାସ କରି ଯେତିକି ଫାଇଦା ଲୋକଙ୍କୁ ଦିଆଯାଇଥାନ୍ତା ସେସ ବସାଇ ସେତିକି, କିମ୍ବା ତାଠାରୁ ଅଧିକ ଅର୍ଥ ନେଇ ନିଆ ଯାଇଛି । ଏହାପୂର୍ବରୁ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର କମ ଥିବା ସମୟରେ ଦେଶରେ ତୈଳ ଉପରେ ରେକର୍ଡ ପରିମାଣର ସେସ ବଢିଥିଲା । ତାପରେ ଲକ ଡାଉନ ସମୟରେ ତୈଳ ଦର ବହୁ ଦିନ ଧରି ଅପରବର୍ତ୍ତିତ ରହିଥିଲା । କିନ୍ତୁ ପରେ ଅତି ଅଳ୍ପ ସମୟ ମଧ୍ୟରେ ତୈଳ ଦର ଆଶାତୀତ ବଢିଛି ।
ଏଵେ ସାଧାରଣରେ ପ୍ରଶ୍ନ ଉଠିଲାଣି, ପେଟ୍ରୋଲ ଡିଜେଲ ଦର ଯେଉଁଭଳି ବଢ଼ି ଚାଲିଛି ଆଗାମୀ ଦିନରେ ଏହା ତିନି ଅଙ୍କ ପାର କରିଯିବ ନାହିଁ ତ ? ଅବଶ୍ୟ ଏଵେ ଦେଶର କେତେକ ସ୍ଥାନରେ ସ୍ପିଡ଼ ପେଟ୍ରୋଲ ଲିଟର ପିଛା ଦର 100 ଟଙ୍କା ପହଁଚି ଗଲାଣି । କୁହାଯାଇ ପରେ ଯେ ତୈଳ ଉପରେ ଲାଗୁ କରାଯାଉଥିବା ଉତ୍ପାଦନ ଶୁଳ୍କମଧ୍ଯରୁ କିଛି ଭାଗ ରାଜ୍ୟ ଗୁଡିକ ପାଇଥାନ୍ତି । କେତେକ ସେସ କ୍ଷେତ୍ରରେ ତାହା ପୁରା ଯାଏ କେନ୍ଦ୍ର ରାଜକୋଷକୁ ,ଫଳରେ ଶୁଳ୍କ କମାଇ ସେସ ବଢାଯିବା ଫଳରେ ରାଜ୍ୟ ଗୁଡିକର ରାଜସ୍ୱ ଆଦାୟ ଧକ୍କା ଖାଇବାର ଆଶଙ୍କା ରହିଛି। ତେଣୁ ରାଜ୍ୟଗୁଡିକ ତୈଳ ଉପରେ ନିଜସ୍ୱ ଭାଟ ବସାଇବାକୁ ବାଧ୍ୟ ହେଉଛନ୍ତି । ରିଜର୍ଭ ବ୍ୟାଙ୍କର ଇସାରା ସେହି ଆଡକୁ ରହିଛି । ତୈଳ ଦର ବୃଦ୍ଧିରେ ଲଗାମ ଲଗାଇବା ସକାଶେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉଦ୍ୟମ କରିବା ଉଚିତ ବୋଲି ଶୀର୍ଷ ବ୍ୟାଙ୍କ ମତ ଦେଇଛନ୍ତି । ଏଵେ ଦେଖିବାକୁ ହେବ ଏହି ପରାମର୍ଶକୁ କେତେ ଗ୍ରହଣ କରିବେ କେନ୍ଦ୍ର ଓ ରାଜ୍ୟ ।