ପରିଚୟ ଦେଲେ ୫୦ ହଜାର

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ରହସ୍ୟ ଘେରରେ ରାଜଧାନୀ ମୁଣ୍ଡବିହୀନ ମହିଳାଙ୍କ ହତ୍ୟା। ଏବେବି ଅନ୍ଧାରରେ ବାଡ଼ି ବୁଲାଉଛି କମିସନରେଟ୍ ପୋଲିସ। ଏଯାବତ୍ ମୁଣ୍ଡ ନ ଥିବା ମହିଳାଙ୍କ ପରିଚୟ ମିଳି ପାରି ନ ଥିବା ବେଳେ ପୋଷ୍ଟର ମାରି ମହିଳାଙ୍କ ପରିଚୟ ଖୋଜିବାକୁ ଚେଷ୍ଟା ଆରମ୍ଭ କରିଛି ପୋଲିସ। ବିଭିନ୍ନ ଛକ ଓ ରାସ୍ତା ଘାଟରେ ପୋଷ୍ଟର ମାରି ମହିଳାଙ୍କ ପରିଚୟ ପାଇବାକୁ ପୋଲିସ ଅଣ୍ଟା ଭିଡ଼ିଛି। ଶୁକ୍ରବାର ଭାରତ ବାୟୋଟେକ୍ କ୍ୟାମ୍ପସରେ ଛାନଭିନ କରିବା ପରେ ବି ପୋଲିସ ହାତରେ ସେଭଳି କୌଣସି ସୁରାକ୍ ଲାଗିପାରିଲା ନାହିଁ। ଏଭଳି ପରିସ୍ଥିତିରେ ହତ୍ୟାକାରୀ ପାଖରେ ପହଞ୍ଚିବା ପୋଲିସ ପାଉଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ତଥାପି ପୋଲିସ ମହିଳାଙ୍କ ପରିଚୟ ତଥା ହତ୍ୟାକାରୀର ପରିଚୟ ପାଇବା ପାଇଁ ଆଶା ବନ୍ଧିଛି। ଏଥପାଇଁ ସ୍ଥାନୀୟ ଅଞ୍ଚଳରେ ସମସ୍ତ ସିସିଟିଭି ଓ ଟାୱାର ଟ୍ରାକିଂ ସିଷ୍ଟମ ଉପରେ ଫୋକସ୍ କରିଛି।

ସେହିପରି ମୃତ ମହିଳାଙ୍କ ପରିଚୟ ପାଇବାକୁ ପୁରସ୍କାର ରାଶି ଘୋଷଣା କରିଛି କମିସନରେଟ ପୋଲିସ। ଯେଉଁ ବ୍ୟକ୍ତି ମୃତକଙ୍କ ସଂପର୍କରେ ସୂଚନା ଦେବେ ତାଙ୍କୁ ୫୦ ହଜାର ଟଙ୍କାର ଅର୍ଥ ପୁରସ୍କୃତ କରାଯିବ। ଏହାସହ ତାଙ୍କ ପରିଚୟ ଗୋପନ ରଖାଯିବ। ଫେବ୍ରୁଆରୀ ୪ ତାରିଖରେ ଚନ୍ଦକା ଥାନା ଅନ୍ଧାରୁଆ ଅଞ୍ଚଳରୁ ମୁଣ୍ଡ ବିହୀନ ମହିଳାଙ୍କ ମୃତ ଶରୀର ପୋଲିସ ଉଦ୍ଧାର କରିଥିଲା। କେହି ମହିଳାଙ୍କୁ ହତ୍ୟା କରି ସେହି ସ୍ଥାନରେ ଫୋପାଡ଼ି ଦେଇଥିବା ପୋଲିସ ସନ୍ଦେହ କରୁଛି। ମହିଳା ଜଣଙ୍କୁ ସୁଚିନ୍ତିତ ଭାବେ ହତ୍ୟା କରାଯାଇଥିବା ବେଳେ ଅଭିଯୁକ୍ତଙ୍କୁ ଖୋଜିବା ପାଇଁ ପୋଲିସ ଦତନ୍ତ ଜାରି ରଖିଛି । ପ୍ରାଥମିକ ରିପୋର୍ଟରେ ମହିଳାଙ୍କୁ ହତ୍ୟା କରାଯିବା ପରେ, ତଣ୍ଟି କଟାଯାଇଥିବା ଜଣାପଡ଼ିଛି। ତେବେ ମହିଳାଙ୍କ ପରିଚୟ ମିଳି ନ ଥିବାରୁ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଛି ଚନ୍ଦକା ପୋଲିସ। ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ମୃତ ମହିଳାଙ୍କ ପୋଷ୍ଟର ଲଗାଯାଇଛି। ହିନ୍ଦୀ ଓ ଓଡ଼ିଆ ଭାଷାରେ ଏହି ପୋଷ୍ଟର ତିଆରି ହୋଇଛି। ଭୁବନେଶ୍ୱର ରେଲୱେ ଷ୍ଟେସନ, ଏୟାରପୋର୍ଟ ଓ ବିଭିନ୍ନ ବସ୍ତିରେ ପୋଷ୍ଟର ଲଗାଯାଇଛି। ପୋଷ୍ଟରରେ ୩୦ ବର୍ଷୀୟ ମହିଳାଙ୍କ ଉଚ୍ଚତା ୫ଫୁଟ୍ ୩ ଇଞ୍ଚ ଥିବା ଉଲ୍ଲେଖ ଥିବା ବେଳେ ୨ଟି ନମ୍ବର ଜାରି କରାଯାଇଛି।

%d bloggers like this: