ପ୍ରିଜମ୍ ନ୍ୟୁଜ (କମଳାକାନ୍ତ ପତି): ଆଉ କିଛିଦିନ ମଧ୍ୟରେ ପଶ୍ଚିମବଙ୍ଗ ସମେତ ଚାରି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭା ପାଇଁ ନିର୍ବାଚନ କମିଶନ ନିର୍ବାଚନୀ ବିଗୁଲ ବଜାଇ ଦେବେ। ନିର୍ବାଚନ ତାରିଖ ଘୋଷଣା ହୋଇ ନଥିଲେ ମଧ୍ୟ ଏହିସବୁ ରାଜ୍ୟ ଗୁଡ଼ିକରେ କାହିଁ କେତେ ଦିନରୁ ରାଜନୈତିକ ଗତିବିଧି ତୀବ୍ର ହୋଇସାରିଛି। ଏଥର ସର୍ବାଧିକ ଫୋକସରେ ରହିଛି ପଶ୍ଚିମବଙ୍ଗ। କାରଣ କେନ୍ଦ୍ରରେ ଶାସନ କ୍ଷମତାରେ ଥିବା ବିଜେପି ଏଥର ପଶ୍ଚିମ ବଙ୍ଗ ଉପରେ ନଜର ପକାଇଛି। ୨୦୧୬ ବିଧାନସଭା ନିର୍ବାଚନରେ ବିଜେପି ଏହି ରାଜ୍ୟରେ ମାତ୍ର ତିନିଟି ବିଧାନସଭା ଆସନ ଜିତିଥିବା ବେଳେ ଏଥର ମମତା ବାନାର୍ଜୀଙ୍କ ତୃଣମୂଳ ସରକାରକୁ କ୍ଷମତାଚ୍ୟୁତ କରିବାର ଆସ୍ଫାଳନ ଦେଖାଉଛି। ଇତିମଧ୍ୟରେ ବିଜେପି ଶାସକ ତୃଣମୂଳ କଂଗ୍ରେସରୁ ବେଶ କେତେଜଣ ମନ୍ତ୍ରୀଙ୍କ ସମେତ ୧୧ ଜଣ ବିଧାୟକଙ୍କୁ ଟାଣିନେଇ ପଦ୍ମ ଧରାଇ ଦେଲାଣି। ପ୍ରାୟ ସବୁଦିନ ବିଜେପି ମିଶ୍ରଣ ପର୍ବ ଆୟୋଜନ କରି ତୃଣମୂଳ ନେତା ଓ କର୍ମୀ ଆମଦାନୀ କରିବାରେ ବ୍ୟସ୍ତ ରହୁଛି। ବିଜେପିର କେନ୍ଦ୍ରୀୟ ନେତାମାନେ ପଶ୍ଚିମ ବଙ୍ଗରେ ଡେରା ପକାଇଛନ୍ତି। ମମତାଙ୍କ ପାଇଁ ବିଜେପି ଯେତିକି ମୁଣ୍ଡ ବ୍ୟଥାର କାରଣ ହୋଇଛି, ପଶ୍ଚିମ ବଙ୍ଗ ନିର୍ବାଚନରେ ପ୍ରାର୍ଥୀ ଦେବାପାଇଁ ଆଗ୍ରହ ପ୍ରକାଶ କରୁଥିବା ଅନ୍ୟ ରାଜ୍ୟର ଆଞ୍ଚଳିକ ଦଳଗୁଡ଼ିକ ତା’ଠାରୁ ଅଧିକ ଚିନ୍ତାର କାରଣ ହେଲେଣି। ଏହି ରାଜ୍ୟର ବିଧାନସଭା ନିର୍ବାଚନରେ ସେହି ଦଳ ଗୁଡ଼ିକର ଆବିର୍ଭାବ ରାଜନୈତିକ ସମୀକରଣ ବଦଳାଇ ଦେଇ ପାରେ ବୋଲି ଆଶଙ୍କା କରାଗଲାଣି। ପ୍ରଶ୍ନ ଉଠୁଛି, ଏହି କ୍ଷେତ୍ରୀୟ ଦଳଗୁଡ଼ିକ କାହାର ଖେଳ ବିଗାଡ଼ିବେ ଏବଂ କାହାପାଇଁ ଫାଇଦା କାରକ ହେବେ ତାହା କହିବା ମୁସ୍କିଲ। ମାତ୍ର ଏବେ ପଶ୍ଚିମବଙ୍ଗରେ ଯେଉଁଭଳି ରାଜନୈତିକ ପବନ ବହୁଛି, ସେଥିରୁ ଆକଳନ କରାଯାଉଛି ଯେ, କେତେକ ଦଳ ରାଜ୍ୟର ୩୦ ପ୍ରତିଶତ ମୁସଲମାନ ଭୋଟ୍ ଉପରେ ନଜର ରଖିଥିବା ବେଳେ ଆଉ କେତେକ ଦଳର ନଜର ରାଜ୍ୟର ୩୦ ପ୍ରତିଶତ ତଫସିଲଭୁକ୍ତ ଜାତି ଓ ଜନଜାତି ତଥା ପଛୁଆ ବର୍ଗ ଭୋଟ ବ୍ୟାଙ୍କ ଉପରେ ନଜର ରଖିଛନ୍ତି। କହିବାବାହୁଲ୍ୟ ଯେ, ଏହା ହେଉଛି ପ୍ରାୟତଃ ମମତାଙ୍କ ତୃଣମୂଳ କଂଗ୍ରେସର ଭୋଟ୍ ବ୍ୟାଙ୍କ।
ହାଇଦ୍ରାବାଦ ସାଂସଦ ଅସଦଉଦ୍ଦିନ ଓୱେସିଙ୍କ ଏଆଇଏମଆଇଏମ ପାର୍ଟି ଏଥର ବଙ୍ଗଭାଷୀ ମୁସଲମାନଙ୍କ ଭୋଟ୍ ହାତେଇବା ସକାଶେ ପଶ୍ଚିମବଙ୍ଗରେ ନିର୍ବାଚନ ଲଢ଼ିବାକୁ ଘୋଷଣା କରିସାରିଲେଣି। ସେ ଏହି ରାଜ୍ୟରେ ମୁସଲମାନଙ୍କ ଉପରେ ପ୍ରଭାବ ରଖିଥିବା ଫୁର୍ଫୁରା ସରିଫ ଦରଗାହର ପୀରଜାଦା ଆବାସ ସିଦ୍ଦିକଙ୍କ ସହ ହାତମିଳାଇ ଇଣ୍ଡିଆନ ସେକୁଲାର ଫ୍ରଣ୍ଟ ନାମକ ଏକ ମେଣ୍ଟ ଗଢ଼ିଛନ୍ତି। ଓୱେସି-ସିଦ୍ଦିକ୍ ମେଣ୍ଟ କାହାପାଇଁ ସୁଯୋଗ ଏବଂ କାହାପାଇଁ ବିପର୍ଯ୍ୟୟ ଆଣିବ, ତାହା ବର୍ତ୍ତମାନ ବଡ଼ ପ୍ରଶ୍ନ। ରାଜନୈତିକ ପାଣିପାଗ ଯାହା ସୂଚନା ଦେଉଛି ଏଥର ବଙ୍ଗଳାରେ ଲଢ଼େଇ ମୁଖ୍ୟତଃ ତୃଣମୂଳ ଏବଂ ବିଜେପି ମଧ୍ୟରେ ହେବ। କିନ୍ତୁ କଂଗ୍ରେସ ଓ ବାମପନ୍ଥୀଙ୍କ ମେଣ୍ଟକୁ ମଧ୍ଯ ରାଜନୈତିକ ମହଲ ଅଣଦେଖା କରୁନାହିଁ। ତେଣୁ ପଶ୍ଚିମବଙ୍ଗରେ ତ୍ରିମୁଖୀ ଲଢେଇର ପଥ ପରିଷ୍କାର ହେଉଛି। ଏପରିସ୍ଥଳେ ଓୱେସି-ସିଦ୍ଦିକ୍ ମେଣ୍ଟ ମମତାଙ୍କ ନିଦ ହଜାଇ ଦେଲାଣି।
ତୃଣମୂଳ ଏବଂ ବିଜେପି ରାଜ୍ୟର ସବୁ ୨୯୪ ଆସନରେ ପ୍ରାର୍ଥୀ ଦେବା ଏକପ୍ରକାର ନିଶ୍ଚିତ। କାରଣ ଏହି ଦୁଇ ଦଳ ଅଦ୍ୟାବଧି କାହାସହ ମେଣ୍ଟ ସପକ୍ଷରେ ନାହାନ୍ତି। କଂଗ୍ରେସ ଓ ବାମଦଳଗୁଡ଼ିକ ଇତିମଧ୍ୟରେ ୧୯୩ ଆସନ ପାଇଁ ବୁଝାମଣା କରିନେଇ ସାରିଲେଣି। ଏଥିରୁ ମମତାଙ୍କ କିଞ୍ଚିତ ଆଶା ଯେ ବିରୋଧୀ ଭୋଟ୍ ବିଭାଜିତ ହୋଇପାରେ, ଯାହାକି ତାଙ୍କ ଦଳ ପାଇଁ ଫାଇଦା ହେବ। କିନ୍ତୁ କେତେକ ଆଞ୍ଚଳିକ ଦଳ ଏଥର ଭୋଟ୍ ଲଢ଼ିବାକୁ ଆଗଭର ହୋଇଥିବାରୁ ସେମାନଙ୍କ ଭୂମିକାକୁ ମଧ୍ଯ ଅଣଦେଖା କରାଯାଇପାରୁନାହିଁ। ଝାଡ଼ଖଣ୍ଡ ରାଜ୍ୟର ଶାସକ ଦଳ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ହେମନ୍ତ ସୋରେନ ଏଥର ପଶ୍ଚିମବଙ୍ଗର ଆଦିବାସୀ ବହୁଳ ଜିଲ୍ଲାରେ ପ୍ରାର୍ଥୀ ଦେବ ବୋଲି ଘୋଷଣା କରିସାରିଲେଣି। ବିଜେପି ସମର୍ଥିତ ଆଜସୁ ମଧ୍ଯ ପ୍ରାର୍ଥୀ ଛିଡା କରାଇବ ବୋଲି କହିଲାଣି। ସୁତରାଂ ଝାଡ଼ଖଣ୍ଡ ରାଜ୍ୟ ସଂଲଗ୍ନ ପଶ୍ଚିମ ବଙ୍ଗର ଆଦିବାସୀ ବହୁଳ ଜିଲ୍ଲା ପୁରୁଲିଆ, ଝଡ଼ଗ୍ରାମ, ପଶ୍ଚିମ ମିଦନାପୁର, ବାଙ୍କୁଡ଼ା, ପୂର୍ବ ଏବଂ ପଶ୍ଚିମ ବର୍ଦ୍ଧମାନ ଏବଂ ବୀରଭୂମି ଉପରେ ଝାଡ଼ଖଣ୍ଡୀଙ୍କ ପ୍ରଭାବ ରହିବ ବୋଲି କୁହାଗଲାଣି। ଝାଡ଼ଖଣ୍ଡ ଏଥର ୪୦ ଆସନରେ ପ୍ରାର୍ଥୀ ଦେବ ବୋଲି ଘୋଷଣା କରିସାରିଲେଣି। ସୁତରାଂ ଏହିସବୁ ଆସନରେ ଭୋଟ୍ ଏପଟ ସେପଟ ହେବାର ସମ୍ଭାବନାକୁ ଅସ୍ବୀକାର କରାଯାଇପାରିବ ନାହିଁ। ଏତଦ୍ ବ୍ୟତୀତ ଆରଜେଡି, ଜେଡିୟୁ, ଏଲଜେପି, ବହୁଜନ ସମାଜ ପାର୍ଟି, ଶିବସେନା ଭଳି କ୍ଷେତ୍ରୀୟ ଦଳ ଗୁଡିକ ମଧ୍ଯ ପଶ୍ଚିମବଙ୍ଗରେ ଭୋଟ୍ ଲଢ଼ିବାକୁ ସଜବାଜ ହେଉଛନ୍ତି। ପ୍ରକାଶ ଯେ, ୨୦୧୬ ବିଧାନସଭା ନିର୍ବାଚନରେ ଏହି ରାଜ୍ୟରେ ଛୋଟ ବଡ଼ ପ୍ରାୟ ୫୪ଟି ଦଳ ନିର୍ବାଚନ ଲଢ଼ିଥିଲେ। ତନ୍ମଧ୍ଯରୁ ଅଧିକାଂଶ ଦଳର ପ୍ରାର୍ଥୀ ଅମାନତ୍ ହରାଇଥିଲେ। ଏଥର ସ୍ଥିତି କିନ୍ତୁ ଅନେକାଂଶରେ ଭିନ୍ନ। ପ୍ରଥମତଃ ମମତା ଦୀର୍ଘ ୧୦ ବର୍ଷ ଧରି ଶାସନ କରୁଥିବାରୁ ରାଜ୍ୟରେ ସରକାର ବିରୋଧୀ ହାୱାକୁ ଅସ୍ବୀକାର କରାଯାଇ ପାରୁନାହିଁ। ଦ୍ବିତୀୟତଃ ତ୍ରିମୁଖୀ ଲଢ଼େଇ, ତୃତୀୟତଃ ୱୱେସି-ସିଦ୍ଦିକଙ୍କ ମେଣ୍ଟ ଯୋଗୁ ମୁସଲିମ ଭୋଟ୍ କେଉଁ ଆଡ଼କୁ ଯିବ ସେନେଇ ସନ୍ଦେହ, ସର୍ବୋପରି ଶାସକ ତୃଣମୁଳରେ ବିଭାଜନ ରେଖା ଆରମ୍ଭ, ଏହିସବୁ ସମସ୍ୟାକୁ ସାମ୍ନାରେ ଦେଖି ଦିଦି ମମତା ବିଚଳିତ। ତେବେ ଜନମତ ସର୍ଭେ ତାଙ୍କ ସରକାର ଓ ଦଳ ସପକ୍ଷରେ ଯାଉଥିବାରୁ ମମତା ସାମାନ୍ୟ ଆଶ୍ୱସ୍ତ।