ନିର୍ମଳାଙ୍କ ବଜେଟରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଗୁରୁତ୍ୱ

ପ୍ରିଜମ୍ ନ୍ୟୁଜ (କମଳାକାନ୍ତ ପତି): କୋରୋନା ମହାମାରୀ କାରଣରୁ ଭୁଶୁଡ଼ି ପଡ଼ିଥିବା ଅର୍ଥନୀତିକୁ ଠିକଣା ବାଟକୁ ଆଣିବା ସକାଶେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ସଂସଦରେ ଉପସ୍ଥାପିତ କରିଥିବା ସାଧାରଣ ବଜେଟରେ ପ୍ରୟାସ କରିଛନ୍ତି। ତେବେ ୨୦୨୧-୨୨ ସାଧାରଣ ବଜେଟରେ ସର୍ବାଧିକ ଗୁରୁତ୍ୱ ପାଇଛି ସ୍ୱାସ୍ଥ୍ୟ କ୍ଷେତ୍ର। ନିର୍ମଳା ତାଙ୍କର ତୃତୀୟ ଏବଂ ନରେନ୍ଦ୍ର ମୋଦି ସରକାରଙ୍କ ଅଷ୍ଟମ ବଜେଟରେ ଛଅଟି ସ୍ତମ୍ଭ ସୃଷ୍ଟି କରିଛନ୍ତି। ତନ୍ମଧ୍ଯରୁ ସ୍ୱାସ୍ଥ୍ୟ ସ୍ତମ୍ଭଟିକୁ ଅଧିକ ଦୃଢ଼ କରାଯାଇଛି। ଅନ୍ୟ ପାଞ୍ଚଟି ସ୍ତମ୍ଭ ହେଉଛି ଭିତ୍ତିଭୂମି କ୍ଷେତ୍ର, କୃଷି କ୍ଷେତ୍ର, ମାନବସମ୍ବଳ ବା ଶିକ୍ଷା କ୍ଷେତ୍ର, ଇନୋଭେସନ ଏବଂ ସର୍ବନିମ୍ନ ସରକାର, ସର୍ବାଧିକ ଶାସନ କ୍ଷେତ୍ର। ତେବେ କୋରୋନା ପରିପ୍ରେକ୍ଷୀରେ ଅର୍ଥନୀତି ବିଶାରଦମାନଙ୍କର ଅନୁମାନ ଥିଲା, ଅର୍ଥମନ୍ତ୍ରୀ ଏଥର ତାଙ୍କ ବଜେଟରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅଧିକ ବ୍ୟୟ ବରାଦ କରି ପୂର୍ବ ବଜେଟର ତ୍ରୁଟି ସୁଧାରିବେ। ସେହି ଅନୁମାନ ସତ୍ୟ ହୋଇଛି। ସ୍ୱାସ୍ଥ୍ୟ ହିଁ ସମ୍ପଦ କଥାଟିକୁ ମନରେ ରଖି ନିର୍ମଳା ଏହି କ୍ଷେତ୍ର ସକାଶେ ଅର୍ଥ ବିଶାରଦଙ୍କ ପ୍ରତ୍ୟାଶା ପୂରଣ କରିଛନ୍ତି।

ନିର୍ମଳା ତାଙ୍କ ବଜେଟରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ପ୍ରାଧାନ୍ୟ ଦେବାର ମୁଖ୍ୟ କାରଣ ହେଉଛି କୋରୋନା। ସରକାର ଏହି ମହାମାରୀ ବିରୋଧରେ ଗତ ୧୦ ମାସ ଧରି ଲମ୍ବା ଲଢେଇ ଲଢ଼ି ଆସିଛନ୍ତି। ଗତମାସ ମଧ୍ଯ ଭାଗରୁ କୋରୋନା ପ୍ରତିଷେଧକ ପ୍ରଦାନ ଆରମ୍ଭ ହୋଇଛି। ପୃଥିବୀର ବୃହତ୍ ଏହି ଟିକାକରଣ ଅଭିଯାନ ମୋଦି ସରକାର ସକାଶେ ଏକ ବଡ଼ ଚ୍ୟାଲେଞ୍ଜ। ସୁତରାଂ ଅର୍ଥମନ୍ତ୍ରୀଙ୍କୁ ଏଥିପାଇଁ ସତର୍କତାର ସହ ବ୍ୟୟବରାଦ କରିବାକୁ ପଡ଼ିଛି। ଫଳରେ ସ୍ୱାସ୍ଥ୍ୟ କ୍ଷେତ୍ର ସକାଶେ ବରାଦକୁ ପୂର୍ବ ବଜେଟ ତୁଳନାରେ ୧୩୭% ଅଧିକ କରାଯାଇଛି। ସୁତରାଂ ୨୦୨୧-୨୨ ଆର୍ଥିକ ବର୍ଷରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଖର୍ଚ୍ଚ ହେବ ୨ ଲକ୍ଷ ୨୩ ହଜାର କୋଟି ଟଙ୍କା। ୨୦୨୦-୨୧ ସାଧାରଣ ବଜେଟରେ ନିର୍ମଳା ଏହି କ୍ଷେତ୍ର ସକାଶେ ବରାଦ କରିଥିଲେ ୯୪ ହଜାର ୪୫୨ କୋଟି ଟଙ୍କା, ଯାହାକି ସେତେବେଳେ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୃଦ୍ଧି ମାତ୍ରା ଥିଲା ମାତ୍ର ୧.୩ ଶତାଂଶ। ଭାରତ ଭଳି ଜନବହୁଳ ରାଷ୍ଟ୍ରରେ ସ୍ୱାସ୍ଥ୍ୟ କ୍ଷେତ୍ର ସକାଶେ ଏତେ କମ୍ ବ୍ୟୟବରାଦକୁ ତଥ୍ୟଭିଜ୍ଞ ମହଲ ସକାରାତ୍ମକ ଢଙ୍ଗରେ ଗ୍ରହଣ କରିପାରି ନ ଥିଲା। ସମ୍ଭବତଃ ନିର୍ମଳା ପୂର୍ବର ସେହି ଅଭିଜ୍ଞତାରୁ ଶିକ୍ଷା ନେଇଛନ୍ତି। ଏତଦ୍ ବ୍ୟତୀତ କୋରୋନା ଏକ୍ଷେତ୍ରରେ ବଡ଼ ଭୂମିକା ଗ୍ରହଣ କରିଛି ବୋଲି ବିଶେଷଜ୍ଞମାନଙ୍କ ଧାରଣା।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କୋରୋନା ପ୍ରତିଷେଧକ ପ୍ରଦାନ ଅଭିଯାନକୁ ଅର୍ଥମନ୍ତ୍ରୀ ନଜରରେ ରଖି ଏଥି ସକାଶେ ୩୫ ହଜାର କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ପ୍ରଶ୍ନ ଉଠୁଛି, ଏହି ପରିମାଣର ଅର୍ଥ ବିଶାଳ ଟିକାକରଣ ଅଭିଯାନ ପାଇଁ ଯଥେଷ୍ଟ କି ? ପୂର୍ବରୁ କୁହାଯାଉଥିଲା ଯେ, ସରକାର ଯଦି ଦେଶବାସୀଙ୍କୁ ମାଗଣାରେ ପ୍ରତିଷେଧକ ପ୍ରଦାନ କରନ୍ତି ତେବେ ୮୦ ହଜାର କୋଟି ଟଙ୍କା ଆବଶ୍ୟକ ପଡ଼ିବ। ସରକାର ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଲୋକଙ୍କୁ ମାଗଣାରେ ଟିକା ଦେବା ଅଭିଯାନ ଆରମ୍ଭ କରିଛନ୍ତି। ଅବଶିଷ୍ଟ ଜନତା ପର୍ଯ୍ୟାୟ କ୍ରମେ ପ୍ରତିଷେଧକ ପାଇବେ। ଏହି ଅଭିଯାନ ଆଗାମୀ ଆର୍ଥିକ ବର୍ଷରେ ଶେଷ ହେବାର ସମ୍ଭାବନା ଦିଶୁନାହିଁ। ସମ୍ଭବତଃ ଅର୍ଥମନ୍ତ୍ରୀ ସେହି ସମ୍ଭାବନାକୁ ନଜରରେ ରଖି ୨୦୨୧-୨୨ ଆର୍ଥିକ ବର୍ଷ ସକାଶେ ଟିକାକରଣ ଅଭିଯାନ ପାଇଁ ୩୫ ହଜାର କୋଟି ବରାଦ କରିଛନ୍ତି। ପ୍ରଶ୍ନ ଉଠୁଛି, ସରକାର ସମସ୍ତ ଦେଶବାସୀଙ୍କୁ ମାଗଣାରେ ଟିକା ଦେବେ ତ?

କୋରୋନା ଟିକାକରଣ ସକାଶେ ୩୫ ହଜାର କୋଟି ବ୍ୟୟ ବରାଦ କରାଯାଇଥିଲେ ମଧ୍ଯ ଅର୍ଥମନ୍ତ୍ରୀ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସ୍ୱାସ୍ଥ୍ୟ ଯୋଜନା ସକାଶେ ୬୪ ହଜାର ୧୮୦ କୋଟି ଟଙ୍କା ଅଟକଳ କରିଛନ୍ତି। ତେବେ ଏହି ଅର୍ଥ ଗୋଟିଏ ଆର୍ଥିକ ବର୍ଷରେ ନୁହେଁ, ଆଗାମୀ ୬ଟି ଆର୍ଥିକ ବର୍ଷରେ ବ୍ୟୟ କରାଯିବ ବୋଲି କୁହାଯାଇଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ତିନିଟି ମୂଳ ବିଷୟ ଉପରେ ବଜେଟରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ତାହା ହେଉଛି, ରୋଗ ପ୍ରତିରୋଧକ, ରୋଗ ଚିକିତ୍ସା ଏବଂ ସାମଗ୍ରିକ ଭାବେ ସୁସ୍ଥ ରହିବା ସକାଶେ ସ୍ୱାସ୍ଥ୍ୟର ଯତ୍ନ। ଏହି ତିନିଟି କ୍ଷେତ୍ରରେ ବରାଦ ଅର୍ଥ ବ୍ୟୟ ହେବବୋଲି କହିଛନ୍ତି ଅର୍ଥମନ୍ତ୍ରୀ। ସ୍ୱାସ୍ଥ୍ୟ କ୍ଷେତ୍ରକୁ ଗୁରୁତ୍ୱ ଦେବାକୁ ଯାଇ ଅର୍ଥମନ୍ତ୍ରୀ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରର କ୍ଷମତା ବୃଦ୍ଧି କଥା ମଧ୍ଯ କହିଛନ୍ତି। କେନ୍ଦ୍ର ସରକାର ଆଗାମୀ ଆର୍ଥିକ ବର୍ଷରେ ୧୫ଟି ନୂଆ ଜରୁରୀ ସ୍ୱାସ୍ଥ୍ୟ ପରିସେବା କେନ୍ଦ୍ର ନିର୍ମାଣ କରିବେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପାଇଁ ଏକ ସ୍ଥାନୀୟ ଗବେଷଣା କେନ୍ଦ୍ର ଏବଂ ଭୂତାଣୁ ନେଇ ଗବେଷଣା ପାଇଁ ୪ଟି ନୂଆ ଗବେଷଣାଗାର ମଧ୍ଯ ନିର୍ମାଣ କରାଯିବ। ସାନିଟାଇଜେସନ ପାଇଁ ଓ ଜଳ ତଥା ବାୟୁ ପ୍ରଦୂଷଣ ରୋକିବା ସକାଶେ ବଜେଟରେ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ୮୨ ହଜାର କୋଟି ବ୍ୟୟ ବରାଦ କରିଛନ୍ତି ନିର୍ମଳା। କୋରୋନା ପରିସ୍ଥିତିରୁ ଶିକ୍ଷା ନେଇ ସରକାର ବଜେଟରେ ଏହିସବୁ ପ୍ରସଙ୍ଗକୁ ଗୁରୁତ୍ୱ ଦେଇଥିବା ବିଶେଷଜ୍ଞମନେ ଅନୁମାନ କରୁଛନ୍ତି। ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଅଧିକ ବ୍ୟୟ ବରାଦ ସମ୍ପର୍କରେ ନିର୍ମଳା ତାଙ୍କ ବଜେଟ ଅଭିଭାଷଣରେ କହିଛନ୍ତି ଯେ, ଗତ ବଜେଟ ଅପେକ୍ଷା ଏଥର ବଜେଟରେ ସ୍ୱାସ୍ଥ୍ୟ କ୍ଷେତ୍ର ସକାଶେ ଅଧିକ ବ୍ୟୟ ବରାଦ କରାଯାଇଛି। ଏହା ହେଉଛି ଆମର ଅତୀତର ଉପଲବ୍ଧି ଏବଂ ବିଶେଷଜ୍ଞମାନଙ୍କ ପରାମର୍ଶର ଫଳଶ୍ରୁତି। ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ିକରଣ ମଧ୍ୟରେ ଲୁଚି ରହିଛି ଉନ୍ନତିର ଚାବିକାଠି। ଏହାଥିଲା ବିଶେଷଜ୍ଞମାନଙ୍କ ପରାମର୍ଶ। ସେହି ପରାମର୍ଶ ଆଧାରରେ ଏଥର ବଜେଟରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି ବୋଲି କହିଛନ୍ତି ନିର୍ମଳା। କୋରୋନା ଆମର ଯଥେଷ୍ଟ କ୍ଷତି କରିଛି ସତ୍ୟ, ସ୍ୱାସ୍ଥ୍ୟ ସଚେତନ କରାଇଛି। ଏହା କେବଳ ଜନସାଧାରଣ କାହିଁକି, ଅର୍ଥମନ୍ତ୍ରୀଙ୍କୁ ମଧ୍ଯ ଭାବିବାର ସୁଯୋଗ ଦେଇଛି ବୋଲି ବଜେଟ ବ୍ୟୟ ବରାଦକୁ ଦେଖିଲେ ସ୍ପଷ୍ଟ ହେଉଛି।

%d bloggers like this: