ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ପୂରଣରେ ସରକାର ବିଫଳ

ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ପୂରଣରେ ସରକାର ବିଫଳ

ପ୍ରିଜମ୍ ନ୍ୟୁଜ(କମଳାକାନ୍ତ ପତି): ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗୁଡ଼ିକରୁ ପୁଞ୍ଜି ପ୍ରତ୍ୟାହାର କରି ସେଗୁଡ଼ିକୁ ଘରୋଇ ସଂସ୍ଥା ହାତକୁ ଟେକିଦେବା ପାଇଁ ଚାହୁଁଛନ୍ତି ମୋଦି ସରକାର। ବିଶେଷ କରି ଯେଉଁ ରାଷ୍ଟ୍ରାୟତ୍ତ ସଂସ୍ଥା ଗୁଡ଼ିକ କ୍ଷତିରେ ଚାଲୁଛନ୍ତି ସେଗୁଡ଼ିକୁ ବେସରକାରୀ ସଂସ୍ଥା ହାତକୁ ଟେକିଦେବା ସକାଶେ କାହାର କିଛି ଅଂଶ ବା ଶେୟାର ବିକ୍ରି କରାଯାଉଛି ତ କେଉଁ ସଂସ୍ଥାକୁ ସରକାରୀ ମାଲିକାନରୁ ମୁକ୍ତ କରାଯାଉଛି। ଏଥିପାଇଁ ସରକାର ସାଧାରଣ ବଜେଟରେ ଲକ୍ଷ୍ୟ ଧାର୍ଯ୍ୟ କରୁଛନ୍ତି। ମାତ୍ର ନିର୍ଦ୍ଦିଷ୍ଟ ସମୟସୀମା ମଧ୍ଯରେ ସେହି ଲକ୍ଷ୍ୟ ପୂରଣ ହେଉ ନଥିଲେ ମଧ୍ଯ ପୁନର୍ବାର ଲକ୍ଷ୍ୟ ଧାର୍ଯ୍ୟ କରିବାରେ ସରକାର ପଶ୍ଚାତପଦ ହେଉନାହାନ୍ତି। କେନ୍ଦ୍ର ସରକାର ୨୦୨୦-୨୧ ସାଧାରଣ ବଜେଟରେ ପୁଞ୍ଜି ପ୍ରତ୍ୟାହାରରୁ ୨.୧୦ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବାର ଲକ୍ଷ୍ୟ ରଖିଥିଲେ। କିନ୍ତୁ ଚଳିତ ଆର୍ଥିକ ବର୍ଷ ଶେଷ ହେବାକୁ ଆଉ ମାତ୍ର ଦୁଇ ମାସରୁ କମ୍ ସମୟ ଥିଲେ ମଧ୍ଯ ସେହି ଲକ୍ଷ୍ୟ ପୂରଣ ହେବାର ସମ୍ଭାବନା ଦେଖାଯାଉନାହିଁ। କାରଣ ବର୍ତ୍ତମାନ ସୁଦ୍ଧା ୧୯ ହଜାର ୪୯୯ କୋଟି ଟଙ୍କା ପୁଞ୍ଜି ପ୍ରତ୍ୟାହାରରୁ ସଂଗ୍ରହ ହୋଇପାରିଛି। ଅର୍ଥାତ୍ ଚଳିତ ଆର୍ଥିକ ବର୍ଷରେ ଲକ୍ଷ୍ୟ ମାତ୍ରାର ଅର୍ଧେକ ପୂରଣ ହେବ ନାହିଁ ବୋଲି ସରକାରୀ ମହଲର ଗୋଟିଏ ଅଂଶ ଆକଳନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତକାଲି ସଂସଦରେ ଉପସ୍ଥାପିତ କରିଥିବା ୨୦୨୧-୨୨ ଆର୍ଥିକ ବର୍ଷର ସାଧାରଣ ବଜେଟରେ ୧ ଲକ୍ଷ ୭୫ ହଜାର କୋଟି ଟଙ୍କା ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ପୂରଣ ହୋଇ ପାରି ନଥିବାରୁ ନିର୍ମଳା ଆଗାମୀ ଆର୍ଥିକ ବର୍ଷ ସକାଶେ ଧାର୍ଯ୍ୟ ଲକ୍ଷ୍ୟ ହ୍ରାସ କରିବାକୁ ବାଧ୍ୟ ହୋଇଛନ୍ତି ବୋଲି ତଥ୍ୟଭିଜ୍ଞ ମହଲରେ ଧାରଣା।

ଅର୍ଥମନ୍ତ୍ରୀ ନିର୍ମଳାଙ୍କ ବଜେଟ ପ୍ରସ୍ତାବ ଅନୁଯାୟୀ, ଆଗାମୀ ଆର୍ଥିକ ବର୍ଷରେ ଦୁଇଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ଗୋଟିଏ ବୀମା କମ୍ପାନୀରରୁ ପୁଞ୍ଜି ପ୍ରତ୍ୟାହାର କରାଯାଇ ଏଗୁଡିକର ଘରୋଇକରଣ କରାଯିବ। ଯଦିଓ ଅର୍ଥମନ୍ତ୍ରୀ ଏହି ବ୍ୟାଙ୍କ୍ ଓ ବୀମା କମ୍ପାନୀର ନାଁ ପ୍ରକାଶ କରି ନାହାନ୍ତି, କିନ୍ତୁ ଏହା ସ୍ପଷ୍ଟ କରିଛନ୍ତି ଯେ, ଏଥର ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି)ର ଇନିସିଆଲ ପବ୍ଲିକ ଅଫର (ଆଇପିଓ ) ଆସିବ। ଆଗାମୀ ଆର୍ଥିକ ବର୍ଷରେ ବିପିସିଏଲ, ଏୟାର ଇଣ୍ଡିଆ, ସିପିଙ୍ଗ କର୍ପୋରେସନ, କଣ୍ଟେନର କର୍ପୋରେସନ, ବିଇଏମଏଲ, ଆଇଡିବିଆଇ ବ୍ୟାଙ୍କ, ନୀଳାଚଳ ଇସ୍ପାତ ନିଗମ ଲିମିଟେଡ଼, ପୱନ ହଂସରୁ ପୁଞ୍ଜି ପ୍ରତ୍ୟାହାର ଶେଷ ହେବ ବୋଲି ବଜେଟରେ ଘୋଷଣା କରାଯାଇଛି। ଏତଦବ୍ୟତୀତ କ୍ଷତି ସହୁଥିବା ଏବଂ ରୁଗ୍ଣ ସଂସ୍ଥା ଗୁଡିକୁ ଉପଯୁକ୍ତ ସମୟରେ ବନ୍ଦ କରିଦିଆଯିବ। ପୁଞ୍ଜି ପ୍ରତ୍ୟାହାର ପାଇଁ ସରକାର ଗୁରୁତ୍ୱପୂର୍ଣ୍ଣ ଓ ଅଣଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଚି଼ହ୍ନଟ କରାଯାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି। ରାଜ୍ୟ ଗୁଡ଼ିକ ଚାହିଁଲେ ନିଜ ଉଦ୍ୟୋଗ ଗୁଡ଼ିକରୁ ପୁଞ୍ଜି ପ୍ରତ୍ୟାହାର ପାଇଁ କେନ୍ଦ୍ରୀୟ ପାଣ୍ଠି ବ୍ୟବହାର କରି ପାରିବେ।

କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷରେ ଯେଉଁ ୨.୧୦ ଲକ୍ଷ କୋଟି ଟଙ୍କା ପୁଞ୍ଜି ପ୍ରତ୍ୟହାରରୁ ସଂଗ୍ରହ କରିବାର ଲକ୍ଷ୍ୟ ରଖିଥିଲେ,ସେଥିରେ ଏଲଆଇସି ଥିଲା ଅନ୍ୟତମ। ସରକାର ତାଙ୍କର ଏହି ବୀମା ନିଗମରୁ ସରକାରୀ ଅଂଶକୁ କୌଶଳଗତ ବିକ୍ରିର ଯୋଜନା କରିଥିଲେ। କିନ୍ତୁ କୋରୋନା ଏଥିରେ ପ୍ରତିବନ୍ଧକ ସୃଷ୍ଟି କଲା। ସେହିପରି ଟାଟା କମ୍ୟୁନିକେସନ (ପୂର୍ବର ଭିଏସଏନଏଲ ) କେନ୍ଦ୍ରର ସମ୍ପୂର୍ଣ୍ଣ ୨୬.୧୨% ଅଂଶଧନ ବିକ୍ରିର ଯୋଜନା ମଧ୍ଯ ପୂର୍ଣ୍ଣ ରୂପରେ ସଫଳ ହୋଇ ନାହିଁ। ଏୟାର ଇଣ୍ଡିଆ, ବିପିସିଏଲ ଭଳି ଏକାଧିକ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ବାକି ରହିଛି। ଉଲ୍ଲେଖ ଯୋଗ୍ୟ, ଏୟାର ଇଣ୍ଡିଆକୁ ଘରୋଇକରଣ କରିବା ପାଇଁ ନିଷ୍ପତ୍ତି ନେଇ ସରକାର ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେଉଛନ୍ତି। ଏହି ରାଷ୍ଟ୍ରୀୟ ବିମାନ ଚଳାଚଳ ସଂସ୍ଥାଟି ଏଵେ ବିପୁଳ କ୍ଷତିର ସମ୍ମୁଖୀନ। ବଜାରରେ ଋଣ ପ୍ରାୟ ୬୦ ହଜାର କୋଟି। କେନ୍ଦ୍ର ସରକାର ନିଜ କାନ୍ଧରୁ ଦାୟିତ୍ୱ ଖସିବା ସକାଶେ ଏୟାର ଇଣ୍ଡିଆରୁ ପୁଞ୍ଜି ପ୍ରତ୍ୟାହାର କରିବାକୁ ଚାହୁଁଛନ୍ତି। କିନ୍ତୁ କ୍ରେତା ମିଳୁନାହାନ୍ତି। ସରକାର ଇତିମଧ୍ୟରେ ଚାରିଥର ପ୍ରୟାସ କରିସାରିଲେଣି। ଶେଷରେ ବିକ୍ରି ସର୍ତ କୋହଳ କରାଗଲା। ତଥାପି ଏୟାର ଇଣ୍ଡିଆ କିଣିବାକୁ କ୍ରେତା ଆଗେଇ ଆସୁନାହାନ୍ତି। ଏବେ ଶୁଣିବାକୁ ମିଳୁଛି ଯେ, ଏହି ରାଷ୍ଟ୍ରାୟତ୍ତ ବିମାନ ଚଳାଚଳ ସଂସ୍ଥାକୁ କିଣିବା ସକାଶେ ଟାଟା ଗ୍ରୁପ ଆଗ୍ରହ ପ୍ରକାଶ କରିଛି। ଏହା ସତ୍ତ୍ୱେ ଚଳିତ ଆର୍ଥିକ ବର୍ଷରେ ଏୟାର ଇଣ୍ଡିଆ ବିକ୍ରି କରାଯିବା ସହଜ ନୁହେଁ ବୋଲି ସଂଶ୍ଲିଷ୍ଟ ମହଲ ମନେ କରୁଛି। ରାଷ୍ଟ୍ରାୟତ୍ତ ସଂସ୍ଥାରୁ ପୁଞ୍ଜି ପ୍ରତ୍ୟାହାର ଏତେ ସହଜ ନୁହେଁ ବୋଲି ଅବଗତ ଥାଇ ମଧ୍ଯ ସରକାର କୌଣସି ଉପାୟ ହାତଛଡ଼ା କରୁନାହାନ୍ତି। ବିରୋଧୀଙ୍କ ଅଭିଯୋଗ, ମୋଦି ସରକାର ସବୁ ସରକାରୀ ଉଦ୍ୟୋଗକୁ ଘରୋଇ ସଂସ୍ଥା ହାତରେ ଟେକିଦେଇ କର୍ପୋରେଟ୍ ଯୁଗ ଆରମ୍ଭ କରିବା ପାଇଁ ବଦ୍ଧପରିକର।

%d bloggers like this: