କୃଷି ଆଇନ ୨୦୨୦: ଦେଖାଇବା ଓ ଖାଇବା ଦାନ୍ତ ଅଲଗା

ପ୍ରିଜମ୍ ନ୍ୟୁଜ (ସମ୍ପାଦକୀୟ): ମଙ୍ଗଳବାର କେନ୍ଦ୍ର କୃଷି ଆଇନ ୨୦୨୦କୁ ନେଇ ହୋଇଥିବା ଆବେଦନ ଉପରେ ଶୁଣାଣି କରି ବଡ଼ ରାୟ ଶୁଣାଇଛନ୍ତି ଦେଶର ସର୍ବୋଚ୍ଚ କୋର୍ଟ । ତାଙ୍କର ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନୂଆ କୃଷି ଆଇନ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମ କୋର୍ଟ । ଏଥିସହ ଗତ ସୋମବାରଠାରୁ ଆରମ୍ଭ ହୋଇଥିବା ଶୁଣାଣିର ଦ୍ୱିତୀୟ ଦିନ ଶୁଣାଣିରେ କୃଷକଙ୍କ ସମସ୍ୟାର ସମାଧାନ ପାଇଁ ଗଠନ କରିଛନ୍ତି ଏକ ୪ ଜଣିଆ କମିଟି । କମିଟିର ୪ ସଦସ୍ୟ ହେଉଛନ୍ତି କୃଷି ଅର୍ଥନୀତିଜ୍ଞ ଅଶୋକ ଗୁଲାଟି, ପ୍ରମୋଦ କୁମାର ଯୋଶୀ, ଭାରତୀୟ କିଷାନ ୟୁନିଅନ ନେତା ଭୁପିନ୍ଦର ସିଂହ ମାନ୍ ଏବଂ ସତ୍କାରୀ ସଂଗଠନର ନେତା ଅନିଲ ଘନୱତ । ଏହି କମିଟି ଆସନ୍ତା ୧୦ ଦିନ ମଧ୍ୟରେ ବୈଠକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ପ୍ରଥମ ବୈଠକର ଦୁଇ ମାସ ମଧ୍ୟରେ କମିଟି ରିପୋର୍ଟ ଦାଖଲ କରିବ ।

ତେବେ ଏହି କମିଟି ଉପରେ କୃଷି ସଂଗଠନ ବିଶ୍ୱାସ କରିପାରି ନାହାନ୍ତି। ୪ କମିଟି ସଦସ୍ୟ ପୂର୍ବରୁ କୃଷି ଆଇନକୁ ସମର୍ଥନ କରିଥିବାରୁ ସେମାନଙ୍କଠାରୁ ନ୍ୟାୟ ଆଶା କରିବା ବେକାର ବୋଲି କହିଛନ୍ତି କଂଗ୍ରେସ ନେତା ରଣଦୀପ ସୁର୍ଜେୱାଲା । ସୁପ୍ରିମକୋର୍ଟଙ୍କ ଦ୍ୱାରା କମିଟି ପରେ ବି ଦିଲ୍ଲୀ ସୀମାରେ ଆନ୍ଦୋଳନ ପୂର୍ବ ପରି ଜାରି ରହିବ ବୋଲି ଘୋଷଣା କରିଛନ୍ତି କୃଷକ ନେତା। ଭାରତୀୟ କୃଷକ ୟୁନିଅନ ନେତା ରାକେଶ ଟିକାୟତ ମଧ୍ୟ କମିଟିର ନିରପେକ୍ଷତା ନେଇ ସନ୍ଦେହ ପ୍ରକାଶ କରିଛନ୍ତି। କାହିଁକି ସର୍ବୋଚ୍ଚ କୋର୍ଟଙ୍କ ଦ୍ୱାରା ଗଠିତ କମିଟିର ନିରପେକ୍ଷତାକୁ ନେଇ କୃଷକ ନେତାମାନେ ସନ୍ଦେହ ପ୍ରକାଶ କରିଛନ୍ତି, ସେ ପ୍ରସଙ୍ଗକୁ ଯିବା ପୂର୍ବରୁ ପ୍ରଥମେ ଦେଖିବା ଦରକାର ଯେ, ଦ୍ୱିତୀୟ ଦିନର ଶୁଣାଣିରେ କ’ଣ କହିଥିଲେ ସୁପ୍ରିମ କୋର୍ଟ। ଚିଫ ଜଷ୍ଟିସ ଅଫ ଇଣ୍ଡିଆ ଏସ. ଏ. ବୋବଡ଼େ, ଜଷ୍ଟିସ ଏ. ଏସ. ବୋପାନ୍ନା ଏବଂ ଜଷ୍ଟିସ ଭି. ରାମସୁବ୍ରମଣ୍ୟମଙ୍କ ଖଣ୍ଡପୀଠ କହିଥିଲେ, ଏହା ରାଜନୀତି ନୁହେଁ। ରାଜନୀତି ଏବଂ ନ୍ୟାୟପାଳିକା ଭିତରେ ପାର୍ଥକ୍ୟ ରହିଛି, ଏବଂ ଆପଣମାନଙ୍କୁ ଏଥିରେ ସହଯୋଗ କରିବାକୁ ହେବ। ଏଠାରେ ‘ଆପଣମାନେ’ ହେଉଛନ୍ତି ଆନ୍ଦୋଳନରତ କୃଷକ । ଏଇଠାରୁ ହିଁ କୋର୍ଟଙ୍କ ପକ୍ଷପାତିତା ସ୍ପଷ୍ଟ ବାରି ହୋଇପଡୁଛି । କାରଣ କୋର୍ଟ କେଉଁଠି ହେଲେ କହିନାହାନ୍ତି, ସରକାର ଏଥିରେ ସହଯୋଗ କରିବାକୁ ହେବ। ଅର୍ଥାତ୍ କୋର୍ଟ ଯେମିତି ଜାଣି ପାରିଛନ୍ତି ଯେ, ସରକାର ନିଶ୍ଚୟ ସହଯୋଗ କରିବେ । ଏହା ହିଁ ତ ପକ୍ଷପାତିତା ! କାରଣ ସମସ୍ତଙ୍କ ସହିତ ସୁପ୍ରିମକୋର୍ଟ ବି ଜାଣନ୍ତି ଯେ, କମିଟିର ଚାରି ସଦସ୍ୟ ପୂର୍ବରୁ କୃଷି ଆଇନକୁ ସମର୍ଥନ କରି ସାରିଛନ୍ତି । ଏପରି ସ୍ଥଳେ କମିଟିର ବୈଧତା ହିଁ କୃଷକ ସଂଗଠନର କାଠଗଡ଼ାରେ ଛିଡ଼ା ହୋଇଯାଇଛି ।

ଉପରକୁ ଜଣାପଡୁଛି ଯେ, ସୁପ୍ରିମ କୋର୍ଟ ଆଇନ ଉପରେ ରୋକ୍ ଲଗାଇ ସରକାରଙ୍କ ଉପରେ ଅଙ୍କୁଶ ଲଗାଇଦେଲେ । କିନ୍ତୁ ଟିକେ ତଳେଇ କରି ଦେଖିଲେ ଜଣାପଡ଼ିବ, କୋର୍ଟ ଏହାଦ୍ୱାରା ବରଂ କୃଷି ଆଇନକୁ ଧୀରେସୁସ୍ଥେ ଦେଶବାସୀଙ୍କୁ ବୁଝାଇବାକୁ ସମୟ ନେଇଗଲେ । ଅବଶ୍ୟ ଆମ ଉଦ୍ଦେଶ୍ୟ କୃଷି ଆଇନ ଠିକ୍ କି ଭୁଲ୍, ସେକଥା ପ୍ରମାଣିତ କରିବା ନୁହେଁ । ପରନ୍ତୁ ସୁପ୍ରିମକୋର୍ଟଙ୍କ ଏହି କମିଟି ଗଠନ ଯେ, ହାତୀର ଦାନ୍ତ ପରି; ଏବଂ ଦେଖାଇବା ଓ ଖାଇବା ଦାନ୍ତ ଭିନ୍ନ ଭିନ୍ନ ସେ କଥା ପ୍ରମାଣିତ କରିବା । ଆନ୍ଦୋଳନକାରୀ କୃଷକଙ୍କ ଓକିଲ ଏ. ପି. ସିଂହ ମଧ୍ୟ ସେହି ସନ୍ଦେହ କରିଛନ୍ତି । ଏଥିସହ ସେ ଏକଥା ବି କହିଛନ୍ତି ଯେ, ସାମୟିକ ହେଲେସୁଦ୍ଧା ଏ ବିଜୟ କୃଷକମାନଙ୍କର । ତେବେ ଆସନ୍ତୁ ଦେଖିବା କୃଷି ଆଇନକୁ ନେଇ ଆଜି ଦ୍ୱିତୀୟ ଦିନ ଶୁଣାଣିରେ କ’ଣ କହିଲେ ସର୍ବୋଚ୍ଚ କୋର୍ଟ ।

୧- ମାମଲାର ସମାଧାନ ପାଇଁ ସୁପ୍ରିମ କୋର୍ଟ ଗଠନ କଲେ ୪ ଜଣିଆ କମିଟି । କୃଷକଙ୍କୁ କହିଲେ, ସମାଧାନ ଚାହୁଁଥିଲେ କମିଟି ସହ ଆଲୋଚନା କରିବାକୁ ପଡ଼ିବ । ( କାହିଁକି ? କେବଳ କୃଷକମାନଙ୍କୁ ହିଁ ସମାଧାନ ଦରକାର ?? ସରକାରଙ୍କୁ ନୁହେଁ ??? )
୨- ଏହି କମିଟି ସୁପ୍ରିମକୋର୍ଟ ନିଜ ପାଇଁ ଗଠନ କରିଛନ୍ତି, ଯାହା କୋର୍ଟକୁ ରିପୋର୍ଟ ପ୍ରଦାନ କରିବ । କମିଟି ସମ୍ମୁଖରେ ଯେ କେହି ବି ନିଜ ବକ୍ତବ୍ୟ ରଖିପାରିବେ । ( ସେ ରିପୋର୍ଟ ଯେ Prejudiced ହୋଇ ନ ଥିବ, ତା’ର ଗ୍ୟାରେଣ୍ଟି କିଏ ଦେବ ? )
୩- କୃଷି ଆଇନକୁ ନେଇ ସୁପ୍ରିମ କୋର୍ଟ ଦ୍ୱିତୀୟ ଦିନ ଶୁଣାଣିରେ କହିଲେ, କୌଣସି କୃଷକଙ୍କ ଜମି କେହି ନେଇପାରିବେ ନାହିଁ । ଏହା ଗୁଜବ । (ସତରେ ? ନିଆଁ ନ ଥିଲେ ଧୂଆଁ ବାହାରେ କି ? )
୪- ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଲେ, ଯେ କୌଣସି ଆନ୍ଦୋଳନରେ କାହାରି ମୃତ୍ୟୁ ହେବା ଅନୁଚିତ । ସେଥିପାଇଁ ବୟସ୍କ, ମହିଳା ଏବଂ ଛୋଟପିଲାଙ୍କୁ କୃଷି ଆନ୍ଦୋଳନରେ ସାମିଲ କରନ୍ତୁ ନାହିଁ ।
୫- ସୁପ୍ରିମ କୋର୍ଟ ୨୬ ଜାନୁଆରୀରେ ହେବାକୁ ଥିବା ଟ୍ରାକ୍ଟର ରାଲି ଉପରେ ବି କଟକଣା ଲଗାଇଛନ୍ତି । କହିଛନ୍ତି, ଗଣତନ୍ତ୍ର ଦିବସ ମନାଇବା ପାଇଁ ସମସ୍ତଙ୍କ ଅଧିକାର ରହିଛି, ଏଥିରେ ବାଧାଦେବା ଠିକ୍ ନୁହେଁ । ( ତେବେ ଓଡ଼ିଶା ସମେତ ବହୁ ରାଜ୍ୟରେ ସେଦିନ ରାଲି କରିବାକୁ କୃଷକ ସଂଗଠନଗୁଡ଼ିକ ସୁପ୍ରିମ କୋର୍ଟଙ୍କ ରାୟ ଆସିବା ପରେ ପରେ ହିଁ ନିଷ୍ପତ୍ତି ନେଇଛନ୍ତି । )
୬- କୃଷକ ଆନ୍ଦୋଳନର ଖଲିସ୍ତାନ କନେକ୍ସନକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କଠାରୁ ସତ୍ୟପାଠ ତଲବ କରିଛନ୍ତି । ବୁଧବାର ସୁଦ୍ଧା ଆଟର୍ଣ୍ଣି ଜେନେରାଲ କେ. କେ. ଭେନୁଗୋପାଲ ଗୁଇନ୍ଦା ରେକର୍ଡ ସାଙ୍ଗକୁ ସମସ୍ତ ତଥ୍ୟ ସମ୍ପର୍କରେ ସୁପ୍ରିମ କୋର୍ଟଙ୍କୁ ସୂଚନା ଦେବେ ।
୭- ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତି ପରେ ଭାରତୀୟ କୃଷକ ୟୁନିଅନ ନେତା ରାକେଶ ଟିକାୟତ କହିଛନ୍ତି, ସବୁ କୃଷକ ସଂଗଠନ ସହ ଆଲୋଚନା ପରେ ନିଆଯିବ ଅନ୍ତିମ ଫଇସଲା । ( ଏହାର ଅର୍ଥ, ସେ ସର୍ବୋଚ୍ଚ କୋର୍ଟଙ୍କ କମିଟି ଗଠନରେ ସନ୍ତୁଷ୍ଟ ନାହାନ୍ତି । )

ସର୍ବୋଚ୍ଚ କୋର୍ଟଙ୍କ ଦ୍ୱାରା ଗଠିତ କମିଟିରେ ସବୁ ବିଭାଗରୁ ଅଭିଜ୍ଞ ବ୍ୟକ୍ତି ଥିବାରୁ ବାହାରକୁ ଏହା ଏକ ସନ୍ତୁଳିତ କମିଟି ମନେ ହେଉଛି । ତେବେ ଆସନ୍ତୁ ଦେଖିବା କମିଟିରେ ଥିବା ସଦସ୍ୟମାନେ କିଏ ଓ ସେମାନଙ୍କ ବାସ୍ତବତା କ’ଣ ।

ଅଶୋକ ଗୁଲାଟି-


ସେ ହେଉଛନ୍ତି ଜଣେ ଭାରତୀୟ କୃଷି ଅର୍ଥନୀତିଜ୍ଞ ଏବଂ ‘କମିଶନ ଫର ଏଗ୍ରିକଲଚୁରାଲ କୋଷ୍ଟ ଆଣ୍ଡ ପ୍ରାଇସେସ’ (ସିଏସିପି)ର ପୂର୍ବତନ ଅଧ୍ୟକ୍ଷ । ଏଥିସହ କେନ୍ଦ୍ର ସରକାରଙ୍କ ଖାଦ୍ୟ ଯୋଗାଣ ଓ ମୂଲ୍ୟାୟନ ପଲିସୀ ପରାମର୍ଶଦାତା କମିଟିର ଜଣେ ସକ୍ରିୟ ସଦସ୍ୟ । ବର୍ତ୍ତମାନ ସେ ‘ଇଣ୍ଡିଆନ୍ କାଉନସିଲ ଫର୍ ରିସର୍ଚ୍ଚ ଅନ ଇଣ୍ଟରନ୍ୟାସନାଲ ଇକୋନମିକ ରିଲେସନ୍ସ’ (ଆଇସିଆରଆଇଇଆର)ର ଚେୟାର ପ୍ରଫେସର । ସବୁଠୁ ବଡ଼କଥା ହେଉଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଆୟୋଗର କୃଷି ଟାସ୍କ ଫୋର୍ସର ସିଏ ହେଉଛନ୍ତି ସଦସ୍ୟ । ଫୁଡ୍ କର୍ପୋରେସନ ଅଫ ଇଣ୍ଡିଆର ନବୀକରଣ ପାଇଁ ଏନଡିଏ ସରକାର ଦ୍ୱାରା ଗଠିତ ଉଚ୍ଚସ୍ତରୀୟ କମିଟିର ଅଶୋକ ଗୁଲାଟି ହେଉଛନ୍ତି ଜଣେ ସକ୍ରିୟ ସଦସ୍ୟ । ତେଣୁ ସେ କାହା ସ୍ୱାର୍ଥରେ ସିଦ୍ଧାନ୍ତ ନେବେ, ଟିକେ ଚିନ୍ତାକଲେ ଜଣାପଡ଼ି ଯାଉଛି ।

ଭୁପିନ୍ଦର ସିଂ ମାନ୍-


ଭାରତୀୟ କିଷାନ ୟୁନିଅନ ନେତା ଭୁପିନ୍ଦର ସିଂ ମାନ୍ ୧୯୯୦ରେ ଯେତେବେଳେ ରାଜ୍ୟସଭା ସଦସ୍ୟ ଥିଲେ, ତତ୍କାଳୀନ ପ୍ରଧାନମନ୍ତ୍ରୀ ପି. ଭି. ନରସିଂହରାଓଙ୍କ ସହ ତାଙ୍କ ମତପାର୍ଥକ୍ୟ କଥା ସମସ୍ତେ ଜାଣନ୍ତି । ଭାରତୀୟ କୃଷକମାନେ ନିଜ ଉତ୍ପାଦିତ ଦ୍ରବ୍ୟର ୭୨ ପ୍ରତିଶତ ଅବ ମୂଲ୍ୟାୟନର ସାମ୍ନା କରନ୍ତି ବୋଲି ତାଙ୍କର ଅକାଟ୍ୟ ଯୁକ୍ତି ସରକାରଙ୍କୁ ଗ୍ରହଣ କରିବାକୁ ପଡ଼ିଥିଲା । ଏହାପରେ ହିଁ କୃଷି ଉତ୍ପାଦିତ ଦ୍ରବ୍ୟରେ ସବସିଡି ବ୍ୟବସ୍ଥା ଆରମ୍ଭ କରିଥିଲେ କେନ୍ଦ୍ର ସରକାର ।

ପ୍ରମୋଦ କୁମାର ଯୋଶୀ-


କୃଷି ଅର୍ଥନୀତିଜ୍ଞ ପ୍ରମୋଦ ଯୋଶୀ ହେଉଛନ୍ତି ନ୍ୟାସନାଲ ଏକାଡେମୀ ଅଫ ଦି ଆଗ୍ରିକଲଚରାଲ ରିସର୍ଚ୍ଚ ମ୍ୟାନେଜମେଣ୍ଟ, ହାଇଦ୍ରାବାଦର ଜଣେ ପୂର୍ବତନ ନିର୍ଦ୍ଦେଶକ । ଏଥିସହ ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ ସେଣ୍ଟର ଫର ଆଗ୍ରିକଲଚରାଲ ଇକୋନମିକ୍ସ ଆଣ୍ଡ ପଲିସୀ ରିସର୍ଚ୍ଚର ମଧ୍ୟ ସିଏ ଥିଲେ ପୂର୍ବତନ ନିର୍ଦ୍ଦେଶକ । କୃଷି ଉତ୍ପାଦିତ ଦ୍ରବ୍ୟର ମିନିମମ୍ ସପୋର୍ଟ ପ୍ରାଇସ ବା ଏମଏସପିର ସିଏ ହେଉଛନ୍ତି ଜଣେ ଦୃଢ଼ ସମାଲୋଚକ ।

ଅନିଲ ଘନୱତ-


ବାକି ରହିଲେ ଅନିଲ ଘନୱତ। ସିଏ ହେଉଛନ୍ତି ମହାରାଷ୍ଟ୍ରଭିତ୍ତିକ ସେତ୍କାରୀ ସଂଗଠନର ନେତା । ସିଏ ଏବଂ ତାଙ୍କ ସଂଗଠନ ଦୃଢ଼ ଭାବରେ କୃଷି ବିଲ୍ ୨୦୨୦କୁ ନେଇ କେନ୍ଦ୍ର ସରକାରଙ୍କୁ ଦୃଢ଼ ସମର୍ଥନ ଜଣାଇ ଆସିଛି । ଏପରିକି ୨୪ ଅଗଷ୍ଟ ୨୦୨୦ରେ ବିଲ୍ ଆଇନରେ ପରିଣତ ହେବାର ଅବ୍ୟବହିତ ପୂର୍ବରୁ ହିଁ ସେତ୍କାରୀ ସଂଗଠନ ମହାରାଷ୍ଟ୍ରର ସମସ୍ତ ଜିଲ୍ଲାର ତହସିଲଦାରମାନଙ୍କ ଜରିଆରେ ପିଏମ୍ ମୋଦିଙ୍କୁ ଧନ୍ୟବାଦ ଜଣାଇ ଲେଖିଥିଲେ ପତ୍ର ।

%d bloggers like this: