ଆମେରିକାରୁ ଶିକ୍ଷା: ଗଣତନ୍ତ୍ର ରାଷ୍ଟ୍ରରେ ଜନତା ପ୍ରକୃତ ‘ଜନାର୍ଦ୍ଦନ’

ପ୍ରିଜମ୍ ନ୍ୟୁଜ (ସମ୍ପାଦକୀୟ): ବିଶ୍ୱର ସବୁଠୁ ପୁରୁଣା ଗଣତନ୍ତ୍ର ରାଷ୍ଚ୍ରରେ ନିର୍ବାଚନ ସରିଛି। ଫଳାଫଳ ବି ବାହାରିଛି। ଆଉ ସମସ୍ତଙ୍କ ଟାଣୁଆ ମୁହଁକୁ ଚୁପ୍ କରି ବିଶ୍ୱ ବିଗବସ୍ ବନଛନ୍ତି ଡେମୋକ୍ରାଟିକ ପାର୍ଟିର ନେତା ଜୋ ବାଇଡେନ। ରେଜଲ୍ଚର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଚାତକ ଭଳି ଅନେଇ ରହିଥିବା ଡୋନାଲ୍ଡ ଟ୍ରମ୍ପ ଶେଷରେ ମାଟି କାମୁଡ଼ି ପଡ଼ିଥିଲେ। ଗତ ନିର୍ବାଚନରେ ପରାଜୟ ବରଣ କରିଥିବା ହିଲାରୀ କ୍ଲିଣ୍ଟନ ଯେମିତି ନିର୍ବାଚନ ହାରିବା ପରେ ସୁପ୍ରିମକୋର୍ଟ ଧମକ ଦେଇଥିଲେ। ଏବେ ଟ୍ରମ୍ପ ମଧ୍ୟ ସେହି ପଥ ଅନୁସରଣ କରିଛନ୍ତି। କିନ୍ତୁ, ଫଳ କିଛି ବି ମିଳିବ ନାହିଁ। କାରଣ, ଆମେରିକା ଜନତା ବାଇଡେନଙ୍କୁ ସେମାନଙ୍କ ନେତା ବାଛି ସାରିଛନ୍ତି। ନୂଆବର୍ଷରେ ନୂଆ ନେତା ଶପଥ ନେବେ। ଯଦିଓ ଭାରତ ଭଳି ଆମେରିକାରେ ଲୋକମାନେ ପ୍ରତ୍ୟକ୍ଷ ଭାବେ ନେତାଙ୍କୁ ନିର୍ବାଚିତ କରି ନ ଥାନ୍ତି, ତଥାପି ବି ପରୋକ୍ଷ ଭାବେ ବାଇଡେନଙ୍କୁ ସେମାନେ ନିଜର ମୁଖିଆ ଭାବେ ଚୟନ କରିଛନ୍ତି। ତେବେ ବିଭିନ୍ନ କାରଣରୁ ଏଥର ଟ୍ରମ୍ପ ନିର୍ବାଚନ ହାରିଛନ୍ତି।

କୋରୋନା

କୋରୋନା ଭୂତାଣୁ ମହାମାରୀ ଆମେରିକାରେ ୨ ଲକ୍ଷ ୩୦ ହଜାର ଲୋକଙ୍କ ଜୀବନ ନେଇଛି। ତେଣୁ, ଟ୍ରମ୍ପ କୋରୋନା ମୁକାବିଲା କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ନିର୍ବାଚନ ପ୍ରଚାର ଶେଷ ଦିନରେ ଟ୍ରମ୍ପ ନିଜେ ଏକଥା ସ୍ୱୀକାର କରିଥିଲେ। ୱିସକନସିନରେ ଏକ ରାଲିରେ ଟ୍ରମ୍ପ କହିଥିଲେ, ଫେକ୍ ନ୍ୟୁଜ୍ ବଦଳରେ ଯଦି କିଛି ଅଛି, ତେବେ ତାହା ହେଉଛି କୋଭିଡ୍। ତେଣୁ, ସଂକ୍ରମଣକୁ ନଜରରେ ରଖି ଲୋକଙ୍କ ମୁଖ୍ୟ ସମସ୍ୟା ଏବେ କୋରୋନା ପାଲଟି ଯାଇଥିଲା। ଏହି ସମୟରେ ଡୋନାଲ୍ଡ ଟ୍ରମ୍ପ ନିଜକୁ ଯେମିତି ସମ୍ଭାଳିଥିଲେ ଏବଂ କୋରୋନା ମୁକାବିଲା କରିଥିଲେ, ତାହା ଲୋକଙ୍କୁ ପସନ୍ଦ ଆସି ନ ଥିଲା। କୋଭିଡ୍ ସଂକ୍ରମଣ ସମ୍ଭାଳିବାରେ ବାଇଡେନ୍ ଟ୍ରମ୍ପଙ୍କ ଠାରୁ ୧୭ ପ୍ରତିଶତ ଆଗରେ ରହିଛନ୍ତି। ଏହାସହ ବିଜ୍ଞାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା, ଛୋଟବଡ଼ ନୀତି ବିରୋଧରେ ତୁରନ୍ତ ଫଇସଲା ନେବା ଭଳି ଅନେକ କାରଣରୁ ଟ୍ରମ୍ପଙ୍କ ନେତୃତ୍ୱରେ ଲୋକଙ୍କ ଭରସା ତୁଟିବାରେ ଲାଗିଲା। ତେଣୁ, ଟ୍ରମ୍ପଙ୍କ ନିର୍ବାଚନ ଅଭିଯାନର ଏହି ବିଫଳତାକୁ ବାଇଡେନଙ୍କ ନିର୍ବାଚନ ପ୍ରଚାରକୁ ହତିଆର ଭାବେ ବ୍ୟବହାର କରାଯାଇଥିଲା।

କମ୍ ନିର୍ବାଚନ ପ୍ରଚାର

ସେହିପରି ଅନ୍ୟତମ ନିଜ ରାଜନୈତିକ କ୍ୟାରିୟର ଭିତରେ ବାଇଡେନ୍ ନିଜକୁ ଚିନ୍ତାଜନକ ରାଜନେତା ଭାବେ ପରିଗଣିତ ହୁଅନ୍ତି। ୧୯୮୭ ନିର୍ବାଚନରେ ବାଇଡେନ ନିଜ ଭୁଲ ଯୋଗୁ ରାଷ୍ଟ୍ରପତି ନିର୍ବାଚନ ହାରିଥିଲେ। ଏହାପରେ ୨୦୦୭ ପର୍ଯ୍ୟନ୍ତ ତାଙ୍କୁ ନିର୍ବାଚନରେ ସେମିତି ସଫଳତା ମିଳି ନ ଥିଲା। ଏଥର ବି ବାଇଡେନ୍ ସେତେଟା ଲୋକପ୍ରିୟ ହୋଇ ନ ଥିଲେ। ଟ୍ରମ୍ପ ନିଜର କୁହାଳିଆ ଭାଷଣ ଯୋଗୁ ସବୁବେଳେ ମିଡିଆରେ ଚର୍ଚ୍ଚାରେ ଥିଲେ। କିନ୍ତୁ, ଗତ କିଛି ମାସ ଧରି ଆମେରିକା ମିଡିଆରେ ଲଗାତାର ଭାବେ ରହିବାରେ ଲାଗିଲା। କୋରୋନା ସଂକ୍ରମଣ, ଜର୍ଜ ଫ୍ଲୁଇଡ୍ ମୃତ୍ୟୁ ପରେ ହିଂସା, ଅର୍ଥନୀତି ପ୍ରଭାବ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆମେରିକା ଜନତାଙ୍କୁ ନିଜର ନେତା ପରିବର୍ତ୍ତନ କରିବାକୁ ବାଧ୍ୟ କରିଥିଲା। ଅନ୍ୟପଟେ ବାଇଡେନଙ୍କୁ ମିଡିଆରେ ସେତିକି ଅଣାଯାଇଥିଲା, ଯେତିକି ନିର୍ବାଚନ ଅଭିଯାନ ପାଇଁ ଦରକାର ଥିଲା। ଫଳରେ ସେ ମାପିଚୁପି ନିଜର ମତ ରଖୁଥିଲେ। ଅନ୍ୟପଟେ ଅନେକ ଥର ଟ୍ରମ୍ପଙ୍କୁ ନିଜର ମତାମତ ନେଇ ହରଡ଼ଘଣାରେ ପକାଇଥିଲା। ଫଳରେ ବାଇଡେନ୍ ଏହାର ଫାଇଦା ନେଇଥିଲେ।

ଟ୍ରମ୍ପଙ୍କ ବିନା ଅନ୍ୟ କୌଣସି ନେତା ନ ରହିବା

ନିର୍ବାଚନର ଏକ ସପ୍ତାହ ପୂର୍ବ ପର୍ଯ୍ୟନ୍ତ ବାଇଡେନ ଟେଲିଭିଜନରେ ଗୋଟିଏ ପ୍ରସଙ୍ଗକୁ ନେଇ ଅଡ଼ି ବସିଥିଲେ। ସେହିପରି ତାଙ୍କର ନାମାଙ୍କନ ଭାଷଣରେ ବାଇଡେନ୍ କହିଥିଲେ, ଏହି ନିର୍ବାଚନ ଆମେରିକାର ଆତ୍ମାକୁ ବଞ୍ଚାଇବାର ଲଢ଼େଇ। ଏହାସହ ଗତ ୪ ବର୍ଷର ବିଭାଜନର ପ୍ରଭାବ ଏବଂ ବଢ଼ୁଥିବା ଅବ୍ୟବସ୍ଥା ବିରୋଧରେ ଲଢ଼େଇ କରିବାକୁ ବାଇଡେନ୍ ଆହ୍ୱାନ ଦେଉଥିଲେ। ଏହି ସ୍ଲୋଗାନ ପଛରେ ଏକ ଛୋଟିଆ ଗଣିତ ଥିଲା। ବାଇଡେନ୍ ନିଜର ରାଜନୈତିକ ଭାଗ୍ୟକୁ ଏଥିପାଇଁ ପଶାରେ ଲଗାଇ ଦେଇଥିଲେ ଯେ, ଟ୍ରମ୍ପ ଧ୍ରୁବିକରଣ ଚାହୁଁଛନ୍ତି, ଲୋକଙ୍କୁ ଭଡ଼କାଉଛନ୍ତି ଏବଂ ଆମେରିକାବାସୀ ଜଣେ ନମ୍ର ଓ ଶାନ୍ତ ନେତାଙ୍କୁ ଚାହୁଁଛନ୍ତି।

ଉତ୍ତମ ରଣନୀତି

ଯେଉଁ ସମୟରେ ବାଇଡେନ ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ ଭାବେ ଥିଲେ, ତାଙ୍କ ପ୍ରତିଯୋଗିତା ବର୍ଣ୍ଣି ସାଣ୍ଡଲସ୍ ଏବଂ ଏଲିଜାବେଥ୍ ୱାରେନଙ୍କ ସହ ଥିଲା। ଏହି ଦୁଇ ଜଣଙ୍କ ଅଭିଯାନରେ ଅଧିକ ପଇସା ଥିଲା। ଅଭିଯାନର ଆୟୋଜନ ପୂରା ବ୍ୟବସ୍ଥିତ ପ୍ରକ୍ରିୟାରେ ଚାଲୁଥିଲା। ଆଉ ଏଥିରେ ଅଧିକ ସଂଖ୍ୟାରେ ଲୋକଙ୍କ ଭିଡ଼ ମଧ୍ୟ ଜମୁଥିଲା। ସେହିପରି ଏହି ସମୟରେ ବାଇଡେନ୍ ସରକାରଙ୍କ ଦ୍ୱାରା ପରିଚାଳିତ ସ୍ୱାସ୍ଥ୍ୟ ସେବା, କଲେଜରେ ଦିଆଯାଉଥିବା ମାଗଣା ଶିକ୍ଷା ଓ ଅନ୍ୟାନ୍ୟ ଯୋଜନା ଗୁଡ଼ିକୁ ବିରୋଧ କରିଥିଲେ। ପରିବେଶ ଓ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ମଧ୍ୟ ବାଇଡେନ ଯୁବପିଢ଼ିଙ୍କୁ ନିଜ ପ୍ରତି ଆକର୍ଷିତ କରିବାରେ ସଫଳ ହୋଇଥିଲେ।

ଅଧିକ ଟଙ୍କା, କମ୍ ସମସ୍ୟା

ଚଳିତବର୍ଷ ପ୍ରଥମରୁ ବାଇଡେନଙ୍କ ନିକଟରେ ନିର୍ବାଚନ ପରିଚାଳନା କରିବାକୁ ପର୍ଯ୍ୟାପ୍ତ ଟଙ୍କା ନ ଥିଲା। କିନ୍ତୁ, ଏପ୍ରିଲ ମାସରୁ ସେ ନିର୍ବାଚନ ଅଭିଯାନ ପାଇଁ ଲୋକଙ୍କଠାରୁ ପାଣ୍ଠି ସଂଗ୍ରହ କରିବା ଆରମ୍ଭ କରିଥିଲା। ଆଗାମୀ ଦିନରେ ବାଇଡେନଙ୍କୁ ଏହା ଲୋକଙ୍କ ଆସ୍ଥାଭାଜନ କରିବାରେ ସଫଳତା ଆଣିଥିଲା। ଫଣ୍ଡ ରାଇଜିଂ କରି ଶେଷରେ ବାଇଡେନ ଟ୍ରମ୍ପଙ୍କ ଠାରୁ ପ୍ରାୟ ୧୪ କୋଟି ଡଲାରରୁ ଅଧିକ ଟଙ୍କା ନିର୍ବାଚନ ଅଭିଯାନ ପାଇଁ ରଖିଥିଲେ। ସେହିପରି ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଗୁଡ଼ିକରେ ଅଧିକ ଟେଲିଭିଜନ ବିଜ୍ଞାପନ ଦେଇଥିଲେ। ଫଳରେ ବାଇଡେନଙ୍କ ପ୍ରତିଦ୍ୱନ୍ଦ୍ୱି ତାଙ୍କୁ ଟକ୍କର ଦେବାରେ ସଫଳ ହୋଇ ନ ଥିଲେ। କିନ୍ତୁ ଟଙ୍କା ସବୁକିଛି ନୁହେଁ। ପୂର୍ବ ନିର୍ବାଚନରେ ହିଲାରୀ କ୍ଲିଣ୍ଟନଙ୍କ ଠାରୁ ଟ୍ରମ୍ପଙ୍କ ନିକଟରେ କମ୍ ପଇସା ଥିଲା। ଏଥିରେ ଟ୍ରମ୍ପ ନିର୍ବାଚନ ଲଢ଼ିଥିଲେ। କିନ୍ତୁ, ଏଥର ପରିସ୍ଥିତି ଥିଲା ସମ୍ପୂର୍ଣ୍ଣ ଅଲଗା। କୋରୋନା ମହାମାରୀ ଯୋଗୁ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଯାଇ ନିର୍ବାଚନ ପ୍ରଚାର କରିବା ସମ୍ଭବ ହୋଇ ନ ଥିଲା। ଏହା ଫଳରେ ଲୋକଙ୍କ ନିକଟକୁ ଯିବାକୁ ହେଲେ ଏକମାତ୍ର ଭରସାଯୋଗ୍ୟ ମାଧ୍ୟମ ଥିଲା ଟେଲିଭିଜନ। ଆଉ ଏହାକୁ ସମ୍ପୂର୍ଣ୍ଣ ଭାବେ ବିନିଯୋଗ କରି ଜୋ ବାଇଡେନ୍ ନିର୍ବାଚନ ଜିତିବାରେ ସକ୍ଷମ ହୋଇଛନ୍ତି।ତେଣୁ, ଟେକ୍ସାସ, ଜର୍ଜିଆ ଏବଂ ଓହାଇଓ ଭଳି ସ୍ଥାନରେ ବାଇଡେନ୍ ଟ୍ରମ୍ପଙ୍କୁ କଡ଼ା ଟକ୍କର ଦେଇଛନ୍ତି।

ଏହା ବ୍ୟତୀତ ଟ୍ରମ୍ପ ତାଙ୍କର ଚାରି ବର୍ଷର ରାଷ୍ଟ୍ରପତି କ୍ୟାରିୟର ଭିତରେ ସର୍ବସାଧାରଣରେ ଦଶ ହଜାରରୁ ଅଧିକ ଥର ମିଛ ପ୍ରତିଶ୍ରୁତି, ମିଛ ଦାବ ଓ ମିଛ ଭାଷଣ ଦେଇଛନ୍ତି। ଏହାକୁ ନେଇ ୱାଶିଂଟନ ପୋଷ୍ଟ ଭଳି ଅନେକ ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ସର୍ଭେ କରିଛନ୍ତି। ତେଣୁ, ନିର୍ବାଚନ ପୂର୍ବରୁ ପ୍ରତିଟି ଦେଶ ନିଜ ମୁଖିଆଙ୍କ ଗୁଣ ଓ ଖୁଣ ବାହାର କରିବା ନିହାତି ଜରୁରୀ। ତେବେ ଭାରତ କଥାକୁ ଟିକେ ବିଚାର କରିବା। ଦିଲ୍ଲୀ ନିର୍ବାଚନ ସମୟରେ ବିଜେପି ସିଏଏ ଏବଂ ଦିଲ୍ଲୀ ଦଙ୍ଗାକୁ ମୁଖ୍ୟ ପ୍ରସଙ୍ଗ କରିଥିଲା। ସବୁବେଳେ କେଜ୍ରିୱାଲ ସରକାରଙ୍କ ଉପରେ ବର୍ଷୁଥିଲା। ମାତ୍ର, ନିର୍ବାଚନର ଅନ୍ତିମ ସମୟ ଯାଏ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମୋଦି କିମ୍ୱା ତାଙ୍କ ଦଳ ବିଷୟରେ ପଦିଏ ବି କହି ନ ଥିଲେ। ଅତ୍ୟନ୍ତ ବ୍ୟବସ୍ଥିତ ଢଙ୍ଗରେ ନିଜର ଅଭିଯାନକୁ ଲୋକାଭିମୁଖୀ କରିବା ପୁଣି ଥରେ ଆମ୍ ଆଦମୀ ପାର୍ଟିକୁ ଦିଲ୍ଲୀରେ ସରକାର ଗଢ଼ିବାରେ ସହାୟକ ହୋଇଥିଲା।

ସେହିପରି ବିରୋଧୀ କଂଗ୍ରେସ କଥା ବିଚାର କଲେ, କେନ୍ଦ୍ର ସରକାରଙ୍କ କୋରୋନା ମୁକାବିଲା, ଶ୍ରମିକ ଅସନ୍ତୋଷ, ଅର୍ଥନୀତି, ନିଯୁକ୍ତି ଆଦି ଅନେକ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ପ୍ରସଙ୍ଗ ଅଛି। ମାତ୍ର, ବିରୋଧୀ ସରକାରଙ୍କ ବିରୋଧରେ ପଦିଏ ବି କହିବାର ସାହସ କରୁନାହାନ୍ତି। ଅବା ସେମାନଙ୍କୁ କୁହାଇ ଦିଆଯାଉ ନାହିଁ। ଏହି ପରିପ୍ରେକ୍ଷୀରେ ଜନତା ଜନାର୍ଦ୍ଦନ ହିଁ ସେମାନଙ୍କ ଉଚିତ୍ ମୂଲ୍ୟାୟନ କରିବେ। ଟଙ୍କା ଥାଇ, ପାୱାର ଥାଇ, ସରକାର ଥାଇ ଡୋନାଲ୍ଡ ଟ୍ରମ୍ପ ନିର୍ବାଚନ ହାରିଲେ। ଅଧିକ କହିବା, ସବୁ କଥାରେ ମନ୍ତବ୍ୟ ଦେବା ଏବଂ ଭାବି ଚିନ୍ତି ନିଷ୍ପତ୍ତି ନ ନେବା ହିଁ ଟ୍ରମ୍ପଙ୍କୁ ପରାଜୟର ସ୍ୱାଦ ଚଖାଇବାକୁ ବାଧ୍ୟ କରିଛି। ଏହା ସାରା ବିଶ୍ୱର ବିରୋଧୀ ଦଳର ନେତାଙ୍କ ପାଇଁ ଏକ ଉତ୍ତମ ଶିକ୍ଷା।

%d bloggers like this: