ପିଏଫଆଇ ସଦସ୍ୟଙ୍କୁ ପଚରାଉଚରା ପାଇଁ ଇଡିକୁ ମଞ୍ଜୁରୀ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପିଏଫଆଇ ସଦସ୍ୟଙ୍କୁ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ମିଳିଲା ମଞ୍ଜୁରୀ। ମଥୁରା ଜିଲ୍ଲା କାରାଗାରରେ ଥିବା ପିଏଫଆଇ ସଦସ୍ୟଙ୍କୁ ପଚରା ଉଚରା କରିବ ଇଡି। ହାଥରସ ମାମଲାର ପିଏଫଆଇ ଲିଙ୍କ୍ ନେଇ ସୁରାକ୍ ମିଳିବା ପରେ ସେମାନଙ୍କୁ ପଚରାଉଚରା ପାଇଁ କୋର୍ଟରେ ଆବେଦନ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ନିକଟରେ ପିଏଫଆଇର ୪ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରିଛି ପୋଲିସ। ତଦନ୍ତକାରୀ ସଂସ୍ଥା ସନ୍ଦେହ କରୁଛି ଯେ, ହାଥରସରେ ଦଳିତ ଯୁବତୀଙ୍କୁ ହତ୍ୟା ଘଟଣା ଆଳରେ ଉତ୍ତରପ୍ରଦେଶରେ ଜଡାତୀୟ ହିଂସା ସୃଷ୍ଟି କରିବାକୁ ହୋଇଥିଲା ଷଡ଼ଯନ୍ତ୍ର। ମଥୁରାର ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍ ଇଡିକୁ ପଚରାଉଚରା ପାଇଁ ଦେଇଛନ୍ତି ଅନୁମତି। ବର୍ତ୍ତମାନ ଇଡି ତଦନ୍ତ କରିବ ଜାତୀୟ ହିଂସା ସୃଷ୍ଟି ପାଇଁ କିଏ ଫଣ୍ଡିଂ କରୁଥିଲା। ଏଥିସହ କିଏ କିଏ ଏହାର ମାଷ୍ଟର ମାଇଣ୍ଡ ଅଛନ୍ତି। କିଛିଦିନ ତଳେ ୟୁପି ପୋଲିସ ଦିଲ୍ଲୀରୁ ହାଥରସ ଯାଉଥିବା ପିଏଫଆଇର ଏହି ୪ ସଦସ୍ୟଙ୍କୁ ମଥୁରାରୁ ଗିରଫ କରିଥିଲା। ପୋଲିସର ଅଭିଯୋଗ ହେଉଛି, ଏହି ଚାରିଜଣ ହାଥରସ ବାହାନାରେ ପୂରା ଉତ୍ତର ପ୍ରଦେଶରେ ଦଙ୍ଗା ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର ରଚନା କରିଥିଲେ। ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଲକ୍ଷ୍ନୌ ୟୁନିଟ୍ ମଥୁରା ଜିଲ୍ଲା କାରାଗାରରେ ବନ୍ଦୀ ଥିବା ପିଏଫଆଇର ସମ୍ପୃକ୍ତ ୪ ସଦସ୍ୟଙ୍କୁ ଜେରା କରିବ। ସେମାନଙ୍କ ମଧ୍ୟରୁ ମୁଖ୍ୟ କୁହାଯାଉଥିବା ଅତିକୁର୍ ରହମାନ ଦିଲ୍ଲୀ ଶାହୀନବାଗ ଘଟଣାରେ ମଧ୍ୟ ସମ୍ପକ୍ତ ଥିବା ଜଣାପଡ଼ିଛି। ସେମାନଙ୍କୁ ଜେରା କରିବାକୁ ଇଡିର ଉକ୍ତ ଟିମ୍ ମଥୁରା ପହଞ୍ଚି ସାରିଛି।

%d bloggers like this: