ମୋଦିଙ୍କ ପରେ ମଙ୍ଗୁଆଳ କିଏ?

(ସମ୍ପାଦକୀୟ) ଭାରତୀୟ ରାଜନୀତିରେ ଜଣେ ସଫଳ ନେତା ଭାବରେ ନିଜକୁ ପ୍ରମାଣିତ କରିବାରେ ସକ୍ଷମ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁଜରାଟ ମଡେଲର ଉଦାହରଣ ଦେଇ ସଫଳତା ସାଉଁଟିଥିବା ନରେନ୍ଦ୍ର ଦାମୋଦର ଦାସ ମୋଦି ୨୦୧୪ରେ ଇତିହାସ ରଚିଲେ। ଭୋଟ୍ ହାର ହେଉ ଅବା ବିଜେପିକୁ ସଂସଦରେ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା କରିବା, ସବୁଥିରେ ମୋଦି ଚମକ କାମ କରିଛି।  ୨୦୧୪ ସାଧାରଣ ନିର୍ବାଚନର ଫଳାଫଳ କ’ଣ ହେବ ତାହା ସମସ୍ତେ ଜାଣିଥିଲେ। ସେହି ଅନୁସାରେ ମଧ୍ୟ ଫଳାଫଳ ଆସିଲା ।

ପାଞ୍ଚ ବର୍ଷର ମୋଦି ସରକାର ଯୋଜନା ପରେ ଯୋଜନା ପ୍ରଣୟନ ହେଉ ଅବା ରାଜନୈତିକ, କୂଟନୈତିକ ଏବଂ ସାମରିକ ନିଷ୍ପତ୍ତି ସବୁଥିରେ ମୋଦିଙ୍କ ନେତୃତ୍ୱକୁ ପ୍ରଶଂସା କରାଗଲା। ବିରୋଧୀଙ୍କ ସମାଲୋଚନା ବି କମ୍ ନ ଥିଲା ତଥାପି ଏହା ୨୦୧୯ ସାଧାରଣ ନିର୍ବାଚନରେ କୌଣସି ଫରକ ପଡ଼ି ନ ଥିଲା । ଅନ୍ୟମାନେ ଭର୍ସେସ୍ ମୋଦି ଚର୍ଚ୍ଚା ବି ସତ ପ୍ରମାଣିତ ହେଲା। ଦ୍ୱିତୀୟ ବାର ସେଇ ବାରାଣସୀ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇ ମୋଦି ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କଲେ। ବିଜେପି ଶିବିର ଉତ୍ସାହିତ, ନୂଆ ସାଂସଦ ମନ୍ତ୍ରୀ ପାଇ ନିଜ ନିଜ ସ୍ଥାନ ପକ୍କା କଲେ। ଏବେ ପୁଣି ୨୦୨୪ ସାଧାରଣ ନିର୍ବାଚନକୁ ନେଇ ଚର୍ଚ୍ଚା, ଅଙ୍କକଷା ଓ ରଣନୀତି । ମୋଦି ହାଟ୍ରିକ୍ କରିବେ ନା କଂଗ୍ରେସ ଅନ୍ୟ ବିରୋଧୀ ଦଳର ସାଥ୍ ପାଇ ସରକାରକୁ ଫେରିବାରେ ସକ୍ଷମ ହେବେ ତାକୁ ନେଇ ବିଚାରବିମର୍ଶ କରୁଛନ୍ତି। ଏସବୁ ଭିତରେ ଏବେ ଏକ ସାଧାରଣ ପ୍ରଶ୍ନଟିଏ ଉଙ୍କି ମାରିବା ସ୍ୱାଭାବିକ। ସେହି ପ୍ରଶ୍ନ ହେଉଛି ମୋଦିଙ୍କ ପରେ କିଏ ? ଅର୍ଥାତ୍ ମୋଦିଙ୍କ ପରେ ବିଜେପିର ମଙ୍ଗ ସମ୍ଭାଳିବ କିଏ, ମଙ୍ଗୁଆଳ କିଏ ହେବ ? ଏଠି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ କଥା ନୁହେଁ ସର୍ବଶ୍ରେଷ୍ଠ ନେତା ବା ସବୁଠାରୁ ଚର୍ଚ୍ଚିତ ନେତା କିଏ ଯିଏ ମୋଦିଙ୍କ ସ୍ଥାନ ନେଇପାରିବ। ତାକୁ ନେଇ ଆଜିର ଆଲେଖ୍ୟ…

ଆଲୋଚନା ପୂର୍ବରୁ କିଛି ନାମ ସୁଷମା ସ୍ୱରାଜ, ଅରୁଣ ଜେଟଲୀ, ମନୋହର ପାରିକର। ଏମାନେ ଥିଲେ ଜଣେ ଜଣେ ସର୍ବୋତ୍ତମ ଚର୍ଚ୍ଚିତ ବ୍ୟକ୍ତିତ୍ୱ। କୁହାଯାଉଥିଲା ମୋଦିଙ୍କ ପରେ ଯଦି କିଏ ତେବେ ଏମାନଙ୍କ ଭିତରୁ ଜଣେ ସେହି ନାମ। ଏବେ ଏହି କଥାର କୌଣସି ପ୍ରାସଙ୍ଗିକତା ନୁହେଁ କେବଳ ସେମାନଙ୍କ ରାଜନୀତିକୁ ଯୋଗଦାନ ଏବଂ ନିଜ ଦଳ ପାଇଁ ଉତ୍ସର୍ଗକୁ ହିଁ ମନେ ପକାଯାଇପାରେ।

ମୋଦିଙ୍କ ପରେ ଯଦି କିଏ ତେବେ ବର୍ତ୍ତମାନ ସମୟରେ ପ୍ରଥମେ ଅମିତ ଶାହ ଆସିବା ଅତି ସାଧାରଣ କଥା। ଶାହଙ୍କ ପଛକୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଆଲୋଚନା କରାଯାଇପାରେ। ତାଲିକାରେ ନୀତିନ ଗଡ଼କରି, ରାଜନାଥ ସିଂ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ ନିଆଯାଇପାରେ।

ମୋଦିଙ୍କ ପରେ ଅମିତ ଶାହ?

ହୁଏତ ଅନ୍ୟମାନଙ୍କ ଭଳି ଆପଣ ଯଦି ମୋଦିଙ୍କ ପରେ ଅମିତ ଶାହ ଭାବୁଛନ୍ତି ତେବେ ଏହା କେତେକାଂଶରେ ଯୁକ୍ତିଯୁକ୍ତ ହେଲେ ବି ଅନେକ କ୍ଷେତ୍ରରେ ଉତ୍ତର ନା ମଧ୍ୟ ଆସିପାରେ । ଏଥିପାଇଁ ଏହି ସବୁ କାରଣ ନିମ୍ନମତେ ଦିଆଯାଇଛି ।

  • ଅମିତ ଶାହଙ୍କ ପ୍ରସଙ୍ଗରେ ଗୋଟିଏ କଥା କୁହାଯାଇପାରେ ଯେ, ସେ ଏବେ ପ୍ରଧାନମନ୍ତ୍ରୀ ପଦ ପାଇଁ ଉପଯୁକ୍ତ ବୟସରେ ନାହାନ୍ତି କିମ୍ବା ସେହି ସ୍ଥାନ ପାଇଁ ହୁଏତ ପ୍ରଥମ ପସନ୍ଦ ହୋଇନପାରନ୍ତି ।
  • ଦ୍ୱିତୀୟ କଥା ସେ ରାଜନୀତିର ଚାଣକ୍ୟ ଆଖ୍ୟା ପାଇଥିଲେ ମଧ୍ୟ ତାଙ୍କ ଉଗ୍ର ସ୍ୱଭାବ ଓ ଆଚରଣକୁ ନେଇ ଅନେକ ଅସନ୍ତୁଷ୍ଟ ରହିଛନ୍ତି। ତେଣୁ ଏହା ତାଙ୍କୁ ଏକ ନକରାତ୍ମକ ଚିତ୍ର ଭାବେ ଦର୍ଶାଇବାରେ ମୁଖ୍ୟ କାରଣ ହେବ। ସେଥିପାଇଁ ଶାହଙ୍କୁ କେଉଁଠି ନା କେଉଁଠି ନିଜ ବ୍ୟବହାରକୁ ନେଇ ଏହି ଦୌଡ଼ର ପଛରେ ରହିବାର ଏକ କାରଣ ହୋଇପାରେ ।
  • ସେ ପ୍ରଧାନମନ୍ତ୍ରୀ ପଦ ବା ପ୍ରାର୍ଥୀ ଭାବେ ଲୋକଙ୍କ ଆସ୍ଥା ଭାଜନ ହେବାକୁ ଚେଷ୍ଟା କରିପାରନ୍ତି କିନ୍ତୁ ପ୍ରଧାନମନ୍ତ୍ରୀ ସେ ହୁଅନ୍ତୁ ବୋଲି କେହି ନ ଚାହିଁପାରନ୍ତି । ରଣନୀତିକାରମାନେ ଏହା କିନ୍ତୁ ମାନିବାକୁ ବାଧ୍ୟ ହେବେ ଯେ, ଯଦି ମୋଦିଙ୍କୁ ତାଙ୍କ ଉତ୍ତରାଧିକାରୀ ବାଛିବାକୁ କୁହାଯାଏ ସେ ନିଶ୍ଚିତ ଭାବରେ ଶାହଙ୍କୁ ହିଁ ସର୍ବପ୍ରଥମେ ବାଛିବେ ।
  • ୨୦୧୪ ସାଧାରଣ ନିର୍ବାଚନ ପରେ ଶାହଙ୍କୁ କ୍ୟାବିନେଟର ସ୍ଥାନ ଦେଇନଥିଲେ ପ୍ରଧାନମନ୍ତ୍ରୀ ମୋଦି । ୨୦୧୯ରେ କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଗୃହ ମନ୍ତ୍ରାଳୟ ଦାୟିତ୍ୱ ଦେଇଛନ୍ତି । ଏପରିକି ମୋଦିଙ୍କ ଡେପୁଟି ଭାବରେ ତାଙ୍କୁ ଦେଖାଯାଉଛି ।

ଯୋଗୀ ଆଦିତ୍ୟନାଥ

  • ବିଜେପିର ଟାଣୁଆ ନେତା, କୁହାଳିଆ ନେତା, ହିନ୍ଦୁ ଭୋଟରଙ୍କ ସବୁଠୁ ପସନ୍ଦର ଚେହେରା ବର୍ତ୍ତମାନ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହେଉଛନ୍ତି ଯୋଗୀ ଆଦିତ୍ୟନାଥ ।  ବିଜେପିର ଏହି ହାର୍ଡକୋର ନେତା ଗୋରଖପୁରର ସାଂସଦ ଥିବା ବେଳେ ବି ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିସାରିଛନ୍ତି । ଆଉ ଏବେ ନିଜ ମୁଖ୍ୟମନ୍ତ୍ରୀତ୍ୱ କାଳରେ ବହୁ ପ୍ରତିକ୍ଷିତ ଶ୍ରୀରାମ ମନ୍ଦିର ନିର୍ମାଣ ଏବଂ ବାବ୍ରି ମସଜିଦ୍ ମାମଲାର ନ୍ୟାୟିକ ସମାଧାନ ପାଇଁ ସେ ନିଜ ଛବିକୁ ଅଧିକ ଶକ୍ତିଶାଳୀ କରିବାରେ ସମର୍ଥ ହୋଇଛନ୍ତି । ଏପରିକି ମୋଦିଙ୍କ ପରେ ଯଦି କିଏ ବାକ୍ ଚାତୁରୀ, କର୍ମଠ ଏବଂ ପରିଶ୍ରମୀ ନେତା କିଏ ଥାଆନ୍ତି ତେବେ ସେ ହେଉଛନ୍ତି ଯୋଗୀ ଆଦିତ୍ୟନାଥ ।
  • ଦେଶରେ ମୋଦି-ଯୋଗୀଙ୍କ କମାଲ କେବଳ ବିଜେପି ପାଇଁ ନୁହେଁ ବରଂ ଦିଲ୍ଲୀ ଓ ଲକ୍ଷ୍ନୌ ଗାଦି ପାଇଁ ଶୁଭ ସଂକେତ ସାବ୍ୟସ୍ତ ହୋଇଛି । ଘର ଘର ଯୋଗୀ ନାରା ଏବେ ବି ଉତ୍ତର ପ୍ରଦେଶରେ ଗୁଞ୍ଜରଣ ସୃଷ୍ଟି କରୁଛି ।
  • ତଳ ଦିନେ ଚର୍ଚ୍ଚା ଥିଲା ଯେ, ବାଜପେୟୀ ଫର୍ ମୋଦି ଆଉ ଏବେ ମୋଦି ଫର୍ ଯୋଗୀ । ଏମିତିରେ ଯୋଗୀ ଆଦିତ୍ୟନାଥଙ୍କ ସଂସଦୀୟ ଅଭିଜ୍ଞତା ପ୍ରଶଂସନୀୟ । ସେ ଅନେକ ଥର ଜଣେ ଉଚ୍ଚକୋଟିର ସାଂସଦ ଭାବେ ନିଜକୁ ପ୍ରମାଣିତ କରିଛନ୍ତି । ସବୁଠାରୁ ବଡ଼କଥା ହେଲା ମୋଦିଙ୍କ ଭଳି ଯୋଗୀଙ୍କ ମଧ୍ୟ ଏକ ବଡ଼ ସମର୍ଥକ ଗୋଷ୍ଠୀ ରହିଛି । ଆଜି ପର୍ଯ୍ୟନ୍ତ ଏହି ଗୋଷ୍ଠୀ ମୋଦିଙ୍କଠୁ ଅଧିକ ଯୋଗୀଙ୍କୁ ନିଜର ନେତା ଭାବେ ମୋଦି ସମ ସମ୍ମାନ ଦିଅନ୍ତୁ ଓ ଅନୁଗାମୀ ହୋଇ ରହିଛନ୍ତି । ସଂଘ ପରିବାରର ଅନ୍ୟ ଶାଖା ସଂଗଠନଗୁଡ଼ିକ ମଧ୍ୟ ମୋଦିଙ୍କ ଭଳି ଯୋଗୀଙ୍କୁ ଗ୍ରହଣ କରିଛନ୍ତି ।
  • ଅସୁବିଧା ଏହା ଯେ, କେବଳ ହିନ୍ଦୁତ୍ୱ  କିମ୍ବା ହାର୍ଡକୋର ହିନ୍ଦୁ ଚେହେରାକୁ ଦେଶ ଜନତା ଦେଖିବାକୁ ଆଗ୍ରହ ନ ରଖିପାରନ୍ତି । ଯାହା ମୋଦି ଓ ଯୋଗୀଙ୍କ ମଧ୍ୟରେ ରାମ-ବଳରାମଙ୍କ ରୂପ ଭଳି ବିବେଚନା କରିବ । କାହିଁକିନା ସମୟାନୁସାରେ ରାଜନୀତିର ଚିତ୍ର ବଦଳେ ଓ ଚରିତ୍ର ମଧ୍ୟ ସେହି ଅନୁସାରେ ପରିବର୍ତ୍ତନ ହୋଇଥାଏ । କୋଭିଡ୍ ଭଳି ମହାମାରୀରେ ଲୋକେ ସରକାରଙ୍କ ଅନେକ ନିଷ୍ପତ୍ତକୁ ବାଧ୍ୟବାଧକତାରେ ଗ୍ରହଣ କରିଥିବା ବେଳେ ପରବର୍ତ୍ତୀ ଜନାଦେଶ କଣ ହେବ ତାହା କହିବା ମୁସକିଲ୍ ସାବ୍ୟସ୍ତ ହେବ । କାହିଁକି ଏକ ସମୟ ଆସେ ଯେବେ ଭାଷଣ ନୁହେଁ ଲୋକେ ନିଜ ନେତାଙ୍କ ଠାରୁ ପ୍ରକୃତ ବିକାଶ, ସମୃଦ୍ଧି ଓ ନ୍ୟାୟ ଆଶା କରିଥାଏ । ମୋଦି ଏସବୁ କାଏମ ରଖିବାରେ କେତେ ସଫଳ  ଓ ଯୋଗୀ ଆଗକୁ ଏହା କେତେ ଫଳବର୍ତ୍ତୀ କରିପାରେବେ ତାହା ଏକ ପ୍ରସଙ୍ଗ ମାତ୍ର ଏଥିରେ ସତ୍ୟତା କେତେ ତାହା ସ୍ଥିତି ଉପରେ ସମ୍ପୂର୍ଣ୍ଣ ନିର୍ଭର କରେ ।

ନୀତିନ ଗଡ଼କରୀ ଓ ଧର୍ମେନ୍ଦ୍ର ପ୍ରଧାନ

ତାଲିକାରେ ଏଥିପାଇଁ ନୀତିନ ଗଡ଼କରୀ ଓ ଧର୍ମେନ୍ଦ୍ର ପ୍ରଧାନ ଆସୁଛନ୍ତି କାହିଁକିନା ଏମାନେ ନିଜ ନିଜ କ୍ଷେତ୍ରରେ ସଫଳ ସାବ୍ୟସ୍ତ ହୋଇଛନ୍ତି ବୋଲି ଚର୍ଚ୍ଚା ହୁଏ । ମୋଦିଙ୍କ ସ୍ଥାନ ପାଇଁ ଅଯୋଗ୍ୟ ନହେଲେ ବି ଏମାନେ ତାଲିକାର କେଉଁ ଏକ କୋଣରେ ରହିବାର ଯୋଗ୍ୟତା ଅର୍ଜନ କରିଛନ୍ତି । ମୋଦିଙ୍କ ଭରସାକୁ ଏହି ଦୁଇ ନେତା ସଫଳ ଭାବେ ରଖିଛନ୍ତି । କ୍ୟାବିନେଟର ଏହି ଦୁଇ ସଦସ୍ୟ ବିଜେପି କୋର ଟିମ୍ ର ଜଣେ ଜଣେ ତୁଙ୍ଗ ନେତା ଯେଉଁମାନଙ୍କ ସଂଘ ପରିବାର ସହ ଭଲ ସମ୍ପର୍କ ମଧ୍ୟ ରହିଛି । ଏମାନଙ୍କୁ ନେଇ ହୁଏତ ପ୍ରଧାନମନ୍ତ୍ରୀ ପଦ ପାଇଁ ବିଜେପିର ଶୀର୍ଷ ସ୍ଥାନର ଅଧିକାରୀ ବିବେଚନା କରାଯାଇନପାରେ କିନ୍ତୁ ଚର୍ଚ୍ଚାକୁ ଖଣ୍ଡନ ମଧ୍ୟ କରାଯାଇନପାରେ ।

ଆଉ ଏକ ଗୁରୁତ୍ୱର୍ଣ୍ଣ କଥା ହେଲା ମୋଦିଙ୍କୁ ବର୍ତ୍ତମାନ ୭୦ ବର୍ଷ ପୂରଣ କରିଛି । ଅର୍ଥାତ୍ ୨୦୨୯ ବେଳକୁ ମୋଦିଙ୍କ ବୟସ ମାତ୍ର ୭୯ ବର୍ଷ ହୋଇଥିବ। ତେଣୁ ମୋଦିଙ୍କ ଅବସର କିମ୍ବା ସନ୍ନ୍ୟାସ କଥା ୨୦୨୦ କିମ୍ବା ୨୦୨୪ ନିର୍ବାଚନ ପୂର୍ବରୁ ଭାବିବା ଯୁକ୍ତିଯୁକ୍ତ ହେବନାହିଁ। କାହିଁକିନା ଜବାହାରଲାଲ ନେହରୁଙ୍କ ପରି ମୋଦି ମଧ୍ୟ ହାଟ୍ରିକ୍ ପ୍ରଧାନମନ୍ତ୍ରୀ ହେବାର ସବୁ ଗୁଣ ନିଜ ପାଖରେ ରଖିଛନ୍ତି। ସେ ମାତ୍ର ୭୦ ବର୍ଷ ବୟସରେ ଯାହା କରି ଦେଖାଇଛନ୍ତି ୮୦ ବେଳକୁ ମଧ୍ୟ ତାହା କରି ଦେଖାଇବାର ସାହସ ରଖନ୍ତି । କାହିକିଁନା

  • ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇ ୮୧ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ ।
  • ୭୬ ବର୍ଷ ବୟସରେ ୟୁପିଏ -୨ ସରକାର ସମ୍ଭାଳିଥିଲେ ଡକ୍ଟର ମନମୋହନ ସିଂହ। ବିବାଦ ମଧ୍ୟରେ ବି ସେ ନିଜ ମହତ୍ୱାକାକ୍ଷୀଂ ନିଷ୍ପତ୍ତି ପାଇଁ ମନେ ରହିବେ।
  • ସେହିଭଳି ଇନ୍ଦ୍ରକୁମାର ଗୁଜରାଲ ୭୭ ଏବଂ ବାଜପେୟୀ ୭୧ ବର୍ଷ ବୟସରେ ଦେଶର ପ୍ରଧାନମନ୍ତ୍ରୀ ପଦଭାର ସମ୍ଭାଳିଥିଲେ।

ତେଣୁ ଏବେଠୁ ମୋଦିଙ୍କ ଅବସର କିମ୍ବା ମୋଦିଙ୍କ ପରେ କିଏ ଆଲୋଚନା କରିବା ହୁଏତ ସେତେ ଆବଶ୍ୟକତା ନାହିଁ। ମଜାଦାର କଥା ହେଉଛି ଯେ, ଯଦି ଯୋଗୀ ପସନ୍ଦର ନେତା ହୁଅନ୍ତି ତେବେ ସେ ହୁଏତ ୨୦୩୪ ମସିହା ବେଳକୁ ୬୪ ବର୍ଷ ବୟସରେ ଦେଶର ପ୍ରଧାନମନ୍ତ୍ରୀ ପଦଭାର ସମ୍ଭାଳିବାର ବ୍ୟକ୍ତି ବିଶେଷ ହେବାର ସୌଭାଗ୍ୟଲାଭ କରିପାରନ୍ତି ।

%d bloggers like this: