(ଜୟନ୍ତୀ ବୁରୁଡ଼ା): ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମାଲକାନଗିରି। ଏକଦା ବିଚ୍ଛିନ୍ନାଞ୍ଚଳ ଭାବେ ପରିଚିତ ଏହି ଜିଲ୍ଲା ଆଜି ସ୍ବାଭିମାନ ଅଞ୍ଚଳ ଭାବେ ପରିଚିତ। ସବୁ କ୍ଷେତ୍ରରେ ଏହି ଜିଲ୍ଲାର ରୂପରେଖ ଧୀରେଧୀର ବଦଳୁଛି। ଏହି ଜିଲ୍ଲାର ମହିଳାମାନେ ବି ପୂର୍ବାପେକ୍ଷା ସଚେତନ ହୋଇଛନ୍ତି। ବିଶେଷ କରି ଜିଲ୍ଲାର ବଙ୍ଗାଳି ମହିଳାମାନେ ବିଭିନ୍ନ କ୍ଷେତ୍ରରେ ସ୍ବାବଲମ୍ବୀ ହେଉଛନ୍ତି। କିଏ ବିଡ଼ି ବାନ୍ଧୁଛି ତ ଆଉ କିଏ ନିଜ ବାଡ଼ିରେ ପରିବା ଚାଷ କରୁଛି। ଆଉ କିଏ ମାଛ ଚାଷ କରି ଦୁଇ ପଇସା ରୋଜଗାର କରୁଛି। ନିଜେ ସ୍ୱାବଲମ୍ବୀ ହୋଇ ଏହି ମହିଳାମାନେ ଅନ୍ୟପାଇଁ ପ୍ରେରଣା ସାଜିଛନ୍ତି।
ବଙ୍ଗାଳି ଶରଣାର୍ଥୀଙ୍କ ଥଇଥାନ ପାଇଁ ୧୯୮୫ ମସିହାରେ ମାଲକାନଗିରି ଓ ନବରଙ୍ଗପୁରରେ ଦଣ୍ଡକାରଣ୍ୟ ପ୍ରକଳ୍ପ ଆରମ୍ଭ କରିଥିଲେ ସରକାର। ବଙ୍ଗାଳି ଶରଣାର୍ଥୀଙ୍କୁ ଚାଷ ସହ ପଶୁପାଳନ,ପରିବା ଚାଷ ଏବଂ ମାଛ ଚାଷ ନିମନ୍ତେ ସମସ୍ତ ଭିତ୍ତିଭୂମି ଯୋଗାଇ ଦିଆଯାଇଥିଲା।
ମାଲକାନଗିରି ସଦର ବ୍ଲକ ଏମ.ଭି ୯୨ ଗାଁର ମମତା ଘୋଷ ନିଜ ଘରେ ବିଡ଼ିବାନ୍ଧି ବେଶ୍ ରୋଜଗାର କ୍ଷମ ହୋଇଛନ୍ତି। ମମତାଙ୍କ ସ୍ୱାମୀ ଚାଷ କରୁଥିବା ବେଳେ ତାଙ୍କୁ ସେ ସହାୟତା ମଧ୍ୟ କରନ୍ତି। ନିଜ ପିଲା ଛୁଆଙ୍କୁ ପାଠ ପଢ଼ାଇ ଭବିଷ୍ୟତ ଗଢୁଛନ୍ତି। ମମତା ଘୋଷଙ୍କ ଭଳି ମୀନତି ବାଚଡ, ସୁରେଖା ମଣ୍ଡଳ ଏବଂ ମିତାଲି ମଣ୍ଡଳଙ୍କ ଭଳି ଅନେକ ମହିଳା ଆଜି ଜିଲ୍ଲା ପାଇଁ ପ୍ରେରଣା ସାଜିଛନ୍ତି।
ମାଲକାନଗିରି ଜିଲ୍ଲାରେ ଦୁଇଟି ବିଧାନସଭା ନିର୍ବାଚନମଣ୍ଡଳୀ ଅଛି। ଏହି ନିର୍ବାଚନୀମଣ୍ଡଳୀରେ ବଙ୍ଗାଳି ଭୋଟ୍ ହାର ଢେର୍ ଅଧିକ। ନିର୍ବାଚନ ସମୟରେ ବଙ୍ଗାଳି ଭୋଟ୍ ବେଶ୍ ଗୁରୁତ୍ୱ ବହନ କରେ। ଆଉ ମହିଳା ଭୋଟରଙ୍କ ସଂଖ୍ୟା ପୁରୁଷ ଭୋଟର ସଂଖ୍ୟା ଠାରୁ ଅଧିକ। ସେଥିପାଇଁ ମହିଳାଙ୍କ ଭୂମିକା ନିର୍ବାଚନ ସମୟରେ ଅଧିକ ରହିଥାଏ। ସେହିପରି ମାଲକାନଗିରି ନିର୍ବାଚନ ମଣ୍ଡଳୀରେ ୩ ଜଣ ବଙ୍ଗାଳି ବିଧାୟକ ମଧ୍ୟ ହୋଇଛନ୍ତି। ପ୍ରଥମ ବିଧାୟକ ହେଉଛନ୍ତି ନଦିଆ ବାସୀ ସରକାର। ସେହିପରି ଅରବିନ୍ଦ ଢାଲି ଏବଂ ନିମାଇଁ ସରକାର ମଧ୍ୟ ରାଜ୍ୟ ରାଜନୀତିର ଜଣାଶୁଣା ଚେହେରା। ଅରବିନ୍ଦ ଢାଲି ରାଜ୍ୟ ସରକାରଙ୍କ ମନ୍ତ୍ରୀ ମଧ୍ୟ ରହିଛନ୍ତି। ମନ୍ତ୍ରୀ ସମୟରେ ସେ ଜିଲ୍ଲା ନିମନ୍ତେ ଅନେକ ବିକାଶମୂଳକ କାର୍ଯ୍ୟ କରିଛନ୍ତି।
ତେବେ ମାଲକାନଗିରି ଜିଲ୍ଲାରେ ବଙ୍ଗାଳି ମହିଳାମାନେ ଶିକ୍ଷା ଓ ସ୍ୱାସ୍ଥ୍ୟ ପ୍ରତି କିଛିମାତ୍ରାରେ ଯତ୍ନଶୀଳ। ତଥାପି ନିଜର କର୍ମମୟ ଜୀବନ ଏବଂ ଅଳ୍ପ ବୟସର ବିବାହ ଯୋଗୁଁ ସ୍ୱାସ୍ଥ୍ୟ ସମସ୍ୟା ରହିଛି। ମାଲକାନଗିରି ଜିଲ୍ଲା ସଦର ଡାକ୍ତର ଖାନା ସ୍ତ୍ରୀରୋଗ ବିଶେଷଜ୍ଞ ସୁରମା ବେହେରା ଏବଂ ଅନୁପମା ମାହନାଙ୍କ କହିବାନୁସାରେ, ମହିଳାମାନେ ବିଡ଼ି ବାନ୍ଧୁଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଛି। ଫଳରେ ସେମାନେ ଫୁସଫୁସ୍ ଜନିତ ରୋଗର ଶିକାର ମଧ୍ୟ ହେଉଛନ୍ତି। ଏହାସହ କମ୍ ବୟସରେ ବିବାହ କରିବା ଯୋଗୁ ନାନା ସମସ୍ୟା ଦେଖାଦେଉଛି ବୋଲି ଉଭୟ ଡାକ୍ତର କହିଛନ୍ତି।
0 Comments