କୁରୁକ୍ଷେତ୍ରର ନାଁ ‘ପଦ୍ମପୁର’

କୁରୁକ୍ଷେତ୍ରର ନାଁ ‘ପଦ୍ମପୁର’

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଭଦ୍ରକ ଜିଲ୍ଲା ଧାମନଗର ଉପନିର୍ବାଚନରେ ବିଜେପିର ବିଜୟ ହୋଇସାରିଛି। ବିଜେପିର ଏହି ବିଜୟ ରାଜ୍ୟ ରାଜନୀତିକୁ ସରଗରମ୍ କରିଛି। ଏହି କ୍ରମରେ ବରଗଡ଼ ଜିଲ୍ଲା ପଦ୍ମପୁରରେ ମଧ୍ୟ ଉପନିର୍ବାଚନ ହେବାକୁ ଯାଉଛି। ପୂର୍ବରୁ ଏହି ଆସନରେ କଂଗ୍ରେସ, ବିଜେଡି ଓ ବିଜେପି ବିଭିନ୍ନ ସମୟରେ ଜିତି ଆସିଛନ୍ତି। ତେଣୁ କରି ଏଠାରେ ତ୍ରିମୁଖୀ ଲଢ଼େଇ ହେବା ସୁନିଶ୍ଚିତ। ଆଶ୍ଚର୍ଯ୍ୟର କଥା, ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। ମାତ୍ର ବିଜେଡି କାହାକୁ ପ୍ରାର୍ଥୀ କରିବ, ତାହା ଜାଣି ପାରୁନାହିଁ। ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂହବରିହାଙ୍କ ପରିବାରରୁ ନା ଜଣେ ସ୍ବେଚ୍ଛାକୃତ ଅବସର ନେବାକୁ ଯାଉଥିବା ସରକାରୀ ଅଧିକାରୀଙ୍କୁ ବିଜେଡି ପ୍ରାର୍ଥୀ କରିବ, ସେଥିରେ ସ୍ପଷ୍ଟତା ଆସି ପାରୁନାହିଁ।
ପଶ୍ଚିମ ଓଡ଼ିଶାର ଜଣେ ପୁରୁଖା ନେତାଙ୍କ କହିବାନୁଯାୟୀ, ବିଜେପି ଓ କଂଗ୍ରେସର ପ୍ରାର୍ଥୀମାନେ ନିଜ ଦମରେ ଲଢ଼ିବେ। ହେଲେ ବିଜେଡିର ହାଇକମାଣ୍ଡ ଯାହାକୁ ପ୍ରାର୍ଥୀ କରିବେ, ଆମକୁ ପ୍ରାର୍ଥୀଙ୍କୁ ସମ୍ପୂର୍ଣ୍ଣ ଭାବେ ଭୋଟରଙ୍କୁ ପରିଚିତ କରାଇ ତାଙ୍କ ପାଇଁ ଭୋଟ୍ ମାଗିବାକୁ ପଡ଼ିବ। ଧାମନଗର ପରାଜୟ ପରେ ପଦ୍ମପୁର ବିଜୟ ଆମ ପାଇଁ ଅତ୍ୟନ୍ତ ଜରୁରୀ ହୋଇଯାଇଛି।

ପଦ୍ମପୁରର ବିଧାୟକ ଥିବା ବିଜୟ ରଞ୍ଜନ ସିଂହବରିହାଙ୍କ ମୃତ୍ୟୁପରେ ଏଠାରେ ଆସନ୍ତା ୫ ତାରିଖରେ ଉପନିର୍ବାଚନ ହେବାକୁ ଯାଉଛି। ସ୍ୱର୍ଗତ ବରିହା ଗୋଟିଏ ସମୟରେ ନବୀନ ପଟ୍ଟନାୟକଙ୍କ ସରକାରରେ ମନ୍ତ୍ରୀ ଥିଲେ। ତେବେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ପଦ୍ମପୁରରେ ରାଜନୈତିକ ତାତି ବଢ଼ିବାରେ ଲାଗିଛି। ବିଶେଷ କରି ବିଜେଡି ଓ ବିଜେପିର ବହୁ ଛାମୁଆ ନେତା ଏଠାକୁ ଘନ ଘନ ଗସ୍ତ କରି ନିଜ ଦଳର ସ୍ଥିତି ବଢ଼ାଉଛନ୍ତି ।

୨୦୧୯ ବିଧାନସଭା ନିର୍ବାଚନରେ ଧାମନଗରରୁ ବିଜେପି ପ୍ରାର୍ଥୀ ପ୍ରାୟ ୪୬୨୫ ଭୋଟ୍ ବ୍ୟବଧାନରେ ଜିତିଥିବାବେଳେ ପଦ୍ମପୁରରେ ୫୭୩୪ ଭୋଟରେ ବିଜେପି ପ୍ରାର୍ଥୀଙ୍କୁ ହରାଇ ବିଜେଡି ଏହାକୁ ପୁର୍ନବାର ନିଜ ଅକ୍ତିଆରକୁ ଆଣିଥିଲା । ଧାମନଗରରେ ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗ ପରେ ହୋଇଥିବା ଉପନିର୍ବାଚନରେ ବିଜେପି ନିଜ ସଂଗଠନ ସହିତ ଅନୁକମ୍ପା ଭୋଟ ବଳରେ ପୂର୍ବ ଅପେକ୍ଷା ଢେର ଅଧିକ ଭୋଟ ବ୍ୟବଧାନରେ ଏହି ଆସନକୁ ପୁର୍ନବାର ଦଖଲ କରିଛି । ଏହା ପୂର୍ବରୁ ପିପିଲି, ତିର୍ତ୍ତୋଲ, ବ୍ରଜରାଜନଗର ବିଧାନସଭା କ୍ଷେତ୍ର ପାଇଁ ହୋଇଥିବା ଉପନିର୍ବାଚନରେ ଦିବଙ୍ଗତ ବିଜେଡି ବିଧାୟକମାନଙ୍କ ପରିବାରରୁ ଯେଉଁମାନେ ପ୍ରାର୍ଥୀ ହୋଇଥିଲେ ସେମାନଙ୍କ ଉପରେ ବି ଅନୁକମ୍ପା ଭୋଟ୍‍ ଅଜାଡ଼ି ହୋଇ ପଡ଼ିଥିଲା । ଧାମନଗର ବିଧାନସଭା ଉପନିର୍ବାଚନର ହାର ଜିତ୍‍ ପରେ ପଦ୍ମପୁର ପୁଣି ଥରେ ବିଜେଡି, ବିଜେପି ଓ କଂଗ୍ରେସ ପାଇଁ ମର୍ଯ୍ୟାଦାର ପ୍ରଶ୍ନ ହୋଇଛି । ଆଗକୁ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ହେବାକୁ ଥିବା ପରିପ୍ରେକ୍ଷୀରେ ପଦ୍ମପୁରବାସୀଙ୍କ ରାୟ ଉପରେ ଏବେ ସମସ୍ତଙ୍କ ନଜର। ୨୦୧୮ ମସିହା ବିଜେପୁର ଉପନିର୍ବାଚନ ଯେଭଳି ହୋଇଥିଲା, ୨୦୧୯ର ଭୋଟ୍ ରାଜନୀତି ସେହି ଦିଗରେ ଗତି କରିଥିଲା। ତେଣୁ ଧାମନଗର ପରେ ପଦ୍ମପୁର ବିଜୟ ବିଜେପିକୁ ଅତି ଉତ୍ସାହିତ କରିଦେବ। ଅନ୍ୟପଟେ ପଦ୍ମପୁରର ଆଉ ଏକ ପରାଜୟ ବିଜେଡି କ୍ୟାମ୍ପରେ ବ୍ୟାପକ ପରିବର୍ତ୍ତନ କରାଇବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: