(ଡା ଇପସିତା ପ୍ରଧାନ) : ଆୟତନ ୩,୩୮,୪୪୫ ବର୍ଗ କିଲୋମିଟର କୁ ଜନସ°ଖ୍ୟା ୫.୬ ମିଲିୟନ। ଆୟତନ ଏବଂ ଜନସ°ଖ୍ୟା ଦୃଷ୍ଟିରୁ ଦେଖିଲେ ବିଶ୍ବର ସର୍ବବୃହତ୍ ଗଣତନ୍ତ୍ର, ଅର୍ଥାତ୍ ଆମ ଦେଶ ଭାରତଠାରୁ ନିହାତି ଛୋଟ। ହେଲେ କିଛି ମାସ ପୂର୍ବରୁ ପ୍ରକାଶ ପାଇଥିବା ଓ୍ବାର୍ଲ୍ଡ ହାପିନେସ୍ ଇଣ୍ଡେକ୍ସ, ବା ବିଶ୍ବର ସବୁଠାରୁ ସୁଖୀ ଦେଶ ମାନଙ୍କର ତାଲିକାରେ ତା’ର ସ୍ଥାନ ଥିଲା ୧ ନମ୍ବର। ହଁ, ମୁଁ ଏଠି ଫିନଲ୍ୟାଣ୍ଡ କଥା ହିଁ କହୁଛି। ହୁଏତ ମନେଥିବ ଆପଣମାନଙ୍କର ଏ ଇଣ୍ଡେକ୍ସ କଥା! ଆଉ ଯଦି ମନେ ଥିବ, ତା’ ହେଲେ ଏଥିରେ ୧୪୬ଟି ଦେଶ ମଧ୍ୟରେ ଭାରତ ୧୩୬ତମ ସ୍ଥାନରେ ଥିଲା ବୋଲି ମଧ୍ୟ ନିଶ୍ଚୟ ମନେଥିବ। ଠିକ୍ ସେମିତି ଏଇ ସଦ୍ୟ ପ୍ରକାଶ ପାଇଛି, ଓ୍ବାର୍ଲ୍ଡ ହ୍ୟୁମାନ୍ ଡେଭଲପମେଣ୍ଟ୍ ବା ମାନବ ବିକାଶ ଇଣ୍ଡେକ୍ସ, ଯେଉଁଥିରେ ଦୁନିଆର ସବୁଠାରୁ ସୁଖୀ ଦେଶ ୧୨ ନମ୍ବରରେ ଥିବା ବେଳେ, ସମୁଦାୟ ୧୯୧ଟି ଦେଶ ମଧ୍ୟରେ ଭାରତ ଅଛି ୧୩୨ ତମ ସ୍ଥାନରେ।
ହ୍ୟୁମାନ୍ ଡେଭଲପମେଣ୍ଟ୍ ଇଣ୍ଡେକ୍ସରେ ପ୍ରଥମ ସ୍ଥାନରେ ସ୍ବିଜରଲ୍ୟାଣ୍ଡ୍ ରହିଛି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ମାନବ ବିକାଶ କ୍ଷେତ୍ରରେ ଆମ ପଡୋଶୀ ଦେଶ ଶ୍ରୀଲଙ୍କା ଏତେ ଭୟାନକ ଆର୍ଥିକ ମାନ୍ଦାବସ୍ଥା ଏବଂ ଶାସକୀୟ ଅସ୍ଥିରତା ସତ୍ତ୍ଵେ ୭୩ତମ ସ୍ଥାନରେ ଅଛି। ସେମିତି ଆମ ଅନ୍ୟ ପଡୋଶୀ ଦେଶ ଗୁଡିକ ମଧ୍ୟରେ ଚାଇନା ୭୯ତମ, ବା°ଗଲାଦେଶ୍ ୧୨୯ତମ, ଭୁଟାନ୍ ୧୨୭ତମ, ନେପାଳ ୧୪୩ତମ ଓ ପାକିସ୍ତାନ ୧୬୧ତମ ସ୍ଥାନରେ ରହିଛନ୍ତି।
ମୋ’ ପରି ଆପଣଙ୍କ ମନରେ ବି ପ୍ରଶ୍ନ ଆସିଥିବ ଯେ, ଆର୍ଥିକ, ସୈନ୍ୟବଳ, ପରମାଣୁ, ଆୟତନ, ଇଣ୍ଡଷ୍ଟ୍ରିଆଲ୍ ଡେଭଲପମେଣ୍ଟ୍ ଏସବୁ ଦୃଷ୍ଟିରୁ ଏତେ ବଡ଼ ବଡ଼ ଓ ମଜବୁତ ଦେଶ ଥାଇ ମଧ୍ୟ ଏତେ ଛୋଟଛୋଟ ଦେଶ ଗୁଡିକ କେମିତି ହ୍ୟୁମାନ୍ ଡେଭଲପମେଣ୍ଟ୍ ଇଣ୍ଡେକ୍ସର ଶୀର୍ଷରେ ରହିଲେ? ପ୍ରକୃତରେ ହ୍ୟୁମାନ୍ ଡେଭଲପମେଣ୍ଟ୍ ଇଣ୍ଡେକ୍ସର ମାପଦଣ୍ଡ ହିସାବରେ ତିନୋଟି କଥାକୁ ନଜରରେ ରଖାଯାଇଥାଏ,
(୧) ଦୀର୍ଘ, ସୁସ୍ଥ, ନିରାମୟ ଜୀବନ – ଲାଇଫ୍ ଏକ୍ସପେକ୍ଟାନ୍ସି ଆଟ୍ ବାର୍ଥ
(୨) ଶିକ୍ଷା ଓ ସାକ୍ଷରତା- ଏକ୍ସପେକଟେଡ୍ ଇୟର୍ସ ଅଫ ସ୍କୁଲି° ଏବଂ ମିନ୍ ଇୟର୍ସ ଅଫ ସ୍କୁଲି°
(୩) ମୁଣ୍ଡପିଛା ଦେଶର ଆୟ – ଗ୍ରସ୍ ନ୍ୟାସନାଲ୍ ଇନକମ୍ ପର କ୍ୟାପିଟା (ଜି ଏନ୍ ଆଇ ପର କ୍ୟାପିଟା)
ଏହି ତିନୋଟି ମାପଦଣ୍ଡ ସ୍ବାସ୍ଥ୍ୟ, ଶିକ୍ଷା ଓ ଆୟକୁ ସୂଚାଇ ଥାଏ ଏବଂ ପ୍ରତ୍ୟେକ ସୂଚକାଙ୍କକୁ ୦ – ୧ ଭିତରେ ମୂଲ୍ୟାଙ୍କନ କରାଯାଏ। ତିନୋଟି ସୂଚକାଙ୍କର ଜ୍ୟାମିତିକ ମିନ୍ ବା କ୍ୟୁବ୍ ରୁଟ୍ ହେଉଛି ଏଚ୍ ଡି ଆଇ ବା ମାନବ ବିକାଶ ଇଣ୍ଡେକ୍ସ। ଯଦି ସେହି ହିସାବ କରାଯାଇଥିବା ଅଙ୍କ ୦.୮୦୦ ରୁ ଊର୍ଦ୍ଧ୍ଵ ହୁଏ ତେବେ ଏହା ଖୁବ୍ ଉଚ୍ଚ ବା ଅତି ଉନ୍ନତ ଶ୍ରେଣୀର ମାନବ ବିକାଶକୁ ଦର୍ଶାଇ ଥାଏ। ସେହିପରି ୦.୭୦୦ ଏବଂ ୦.୭୯୯ ମଧ୍ୟରେ ଥିବା ସୂଚକାଙ୍କ ଉଚ୍ଚ ମାନବ ବାକାଶ, ୦.୫୫୦ ରୁ ୦.୬୯୯ରେ ମଧ୍ୟମଧରଣର ମାନବ ବିକାଶ ଏବଂ ୦.୫୫୦ ତଳକୁ ନିମ୍ନ ମାନର ମାନବ ବିକାଶକୁ ସୂଚାଏ।
୨୦୨୧ ପାଇଁ ଭାରତର ଏଚ୍ ଡି ଆଇ ହେଉଛି ୦.୬୩୩ (ଯାହାକି ବର୍ଷ ୨୦୧୯ରେ ୦.୬୪୫ ଥିଲା)। ୟୁ ଏନ୍ ଡି ପି ଏହି ଇଣ୍ଡେକ୍ସର ଆକଳନ ପାଇଁ ବିଭିନ୍ନ ଅନ୍ତରାଷ୍ଟ୍ରୀୟ ସ°ସ୍ଥା ଯେମିତିକି ୟୂନେସ୍କୋ, ଓ୍ବାର୍ଲ୍ଡ ବ୍ୟାଙ୍କ୍, ଇଣ୍ଟରନ୍ୟାସନାଲ୍ ମନିଟାରୀ ଫଣ୍ଡ୍, ଅର୍ଗାନାଇଜେସନ୍ ଫର୍ ଇକୋନୋମିକ୍ କୋଅପରେସନ୍ ଆଣ୍ଡ୍ ଡେଭଲପମେଣ୍ଟ୍ ତଥା ୟୁନାଇଟେଡ୍ ନେସନ୍ସ ଡିପାର୍ଟମେଣ୍ଟ୍ ଅଫ୍ ଇକୋନୋମିକ୍ ଆଣ୍ଡ୍ ସୋସିଆଲ୍ ଆଫେୟାର୍ ଗୁଡିକ ଦ୍ବାରା ଦିଆଯାଇଥିବା ଡାଟା ଏବଂ ତଥ୍ୟକୁ ହିଁ ଗ୍ରହଣ କରିଥାଏ।
ତଥ୍ୟ ଅନୁସାରେ ଭାରତର ଏଚ୍ ଡି ଆଇ ପଏଣ୍ଟ୍ କମିବାର ଗୋଟିଏ କାରଣ ହେଉଛି, ମଣିଷର ଲାଇଫ ଏକ୍ସପେକ୍ଟାନ୍ସି ବା ହାରାହାରି ଆୟୁଷ ଏହି ଗତ ଦୁଇ ବର୍ଷ ମଧ୍ୟରେ ୬୯.୭ରୁ କମି ୬୭.୨ ବର୍ଷ ବୟସ ହୋଇ ଯାଇଥିବା ଦେଖାଯାଇଛି। ସେମିତି ଶିକ୍ଷା କ୍ଷେତ୍ରରେ ଦେଖିଲେ ମଧ୍ୟ ଭାରତ କିଛି ବିଶେଷ ଉନ୍ନତି କରିନାହିଁ। ଓଲଟା ଏହି ବିଗତ ଦୁଇ ବର୍ଷ ମଧ୍ୟରେ ଏକ୍ସପେକଟେଡ୍ ଇୟର୍ସ ଅଫ ସ୍କୁଲି° (ହାରାହାରି ଶିକ୍ଷାଗ୍ରହଣର ବର୍ଷ) ବର୍ଷ ୨୦୨୦ର ୧୨.୨ରୁ ୨୦୨୧ରେ ୧୧.୯ବର୍ଷକୁ ଖସି ଆସିଛି। ତଥା ମିନ୍ ଇୟର୍ସ ଅଫ ସ୍କୁଲି° (ଶିକ୍ଷା ଗ୍ରହଣର ସମୁଦାୟ ବର୍ଷ) ୬.୭ ରହିଛି। ଫିନଲ୍ୟାଣ୍ଡ, ଗ୍ରୀନଲ୍ୟାଣ୍ଡ, ନରଓ୍ବେ, ଲକ୍ଜେମବର୍ଗ, ଆଣ୍ଡୋରା, ଭାଟିକାନ୍ ଏବଂ ଲିଚଟେନେଷ୍ଟେଇନ୍ ପରି ଦେଶ ଗୁଡିକରେ ବିଗତ କିଛି ବର୍ଷ ମଧ୍ୟରେ ସାକ୍ଷରତା ହାର ୧୦୦%ରେ ପହଞ୍ଚି ପାରିଥିବା ବେଳେ ଭାରତରେ ଏହା ଏବେ ବି ୭୪.୦୪% ରହିଛି। ପୁରୁଷ ମାନଙ୍କ କ୍ଷେତ୍ରରେ ସାକ୍ଷରତା ହାର ୮୨.୧୪% ଥିବା ବେଳେ ମହିଳା ମାନଙ୍କ କ୍ଷେତ୍ରରେ ଏହା ୬୫.୪୬% ରହିଛି। ଯଦିଓ ଜେଣ୍ଡର ଡେଭଲପମେଣ୍ଟ୍ ଇଣ୍ଡେକ୍ସରେ ଭାରତ ତା’ର ବିଗତ ଥର ୧୩୨ତମ ସ୍ଥାନ ବଜାୟ ରଖିଛି, ତଥାପି ଆମ ଦେଶରେ ମହିଳା ମାନଙ୍କ ହାରାହାରି ଆୟୁଷ ୨୦୨୦ରେ ୭୧ବର୍ଷ ଥିବା ବେଳେ ୨୦୨୧ରେ ଏହା ୬୮.୬ବର୍ଷ ରହିଛି। ସେମିତି ଝିଅମାନଙ୍କର ହାରାହାରି ଶିକ୍ଷାଗ୍ରହଣର ସମୟ ୧୨.୬ରୁ ଖସି ୧୧.୯ ହୋଇଛି।
ମଲ୍ଟି- ଡାଇମେନ୍ସନାଲ ଦାରିଦ୍ର୍ୟ ସୂଚକାଙ୍କ (ଏମ୍ ପି ଆଇ) ରେ ଭାରତ ୦.୧୨୩ ସ୍କୋର କରିଛି। ଏଥିରେ ମୁଣ୍ଡଗଣତି ଅନୁପାତ ୨୭.୯% ରହିଛି ଏବଂ ୮.୮% ଜନସଂଖ୍ୟା ମଲ୍ଟି- ଡାଇମେନ୍ସନାଲ ଦାରିଦ୍ର୍ୟ ଭିତରେ (ପ୍ରତିକୂଳ ଆର୍ଥିକ ଅବସ୍ଥା ଯେପରିକି, ନିମ୍ନତମ ଆବଶ୍ୟକ ସାମଗ୍ରୀ ଉପଲବ୍ଧ ନହେବା, ବାସ୍ତୁହରା, ସାମାଜିକ ବାଛନ୍ଦ, ବିଚ୍ଛିନ୍ନ ଏବଂ ଶକ୍ତିହୀନ, ଶାରୀରିକ ଏବଂ ମାନସିକ ଅସନ୍ତୋଷ ଏବଂ ଅସୁସ୍ଥତା) ଗତି କରୁଛନ୍ତି । ଏବଂ ରିପୋର୍ଟରେ ଏହା ମଧ୍ୟ ଦର୍ଶାଯାଇଛି ଯେ, ଗତ ଦଶନ୍ଧି ମଧ୍ୟରେ ଭାରତ ମଲ୍ଟି- ଡାଇମେନ୍ସନାଲ ଦାରିଦ୍ର୍ୟରୁ ୨୭୧ ମିଲିୟନ ଲୋକଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇପାରିଛି।
ୟୁ ଏନ୍ ଡି ପି ଜାରି କରିଥିବା ଏଚ୍ ଡି ଆଇ ତାଲିକାରେ ଭାରତର ନାଁ ଏତେ ତଳେ ରହିବା ପଛରେ ଦୈନନ୍ଦିନ ଜୀବନରେ ବଢୁଥିବା ଚିନ୍ତା, କାମର ଚାପ, ସାମାଜିକ, ସ୍ବାସ୍ଥ୍ୟଗତ ଏବଂ ମାନସିକ ଅସୁରକ୍ଷାର ଭାବନା, କ୍ରମବର୍ଦ୍ଧିଷ୍ଣୁ ହି°ସା, ରାଜନୈତିକ ଅସ୍ଥିରତା ଏସବୁ ଭାରତୀୟ ମାନଙ୍କର ହାରାହାରି ଆୟୁଷ କମିବା ପାଇଁ ଦାୟୀ ବୋଲି ଆକଳନ କରାଯାଉଛି। ଏହା ଛଡା ବିଗତ ଦୁଇ ବର୍ଷ ହେଲା ପୃଥିବୀ ଭୋଗିଥିବା କୋଭିଡ୍ ମହାମାରୀ ମଧ୍ୟ ଏହି ଅବନତି ପାଇଁ ଅନେକ ମାତ୍ରାରେ ଦାୟୀ। କାରଣ କେବଳ ଭାରତ ନୁହେଁ, ଏହି ତାଲିକାରେ ଥିବା ପାଖାପାଖି ୯୦%ଦେଶ ଗୁଡିକର ଏହି ସୂଚକାଙ୍କରେ ୨୦୨୦ ଓ ୨୦୨୧ରେ ଅବନତି ଘଟିଛି। କୋଭିଡ୍-୧୯ ଛଡା ଆମ ଦେଶରେ ମାନବ ବିକାଶ ସୂଚକାଙ୍କ କମ୍ ଥିବାର ଅନ୍ୟ କାରଣ ଗୁଡିକ ମଧ୍ୟରେ ଜନସଂଖ୍ୟା ବୃଦ୍ଧି, ଦେଶର ଯୁବ ବର୍ଗଙ୍କ ମଧ୍ୟରେ ଅଶିକ୍ଷା, ନିଶା ସେବନ, ସଠିକ୍ ସୂଚନା ଓ ଜ୍ଞାନର ଅଭାବ, ବଢୁଥିବା ସାମାଜିକ ଅସହିଷ୍ଣୁତା ମଧ୍ୟ ରହିଛି। ଏସବୁ ପରେ ଆମେ ସରକାରୀ ଅବହେଳାକୁ ମଧ୍ୟ ଏଡାଇ ପାରିବା ନାହିଁ। ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଦେଶରେ ଗୋଟିଏ ସ୍ବାସ୍ଥ୍ୟସେବା ନିୟମ ବା ୟୁନିଭର୍ସାଲ୍ ହେଲ୍ଥକେୟାର ସର୍ଭିସେସ୍ ଏବଂ ଗୋଟିଏ ଏମରଜେନ୍ସି ସେବା ଲାଇନ୍ ପ୍ରଣୟନ ନ ହୋଇ ପାରିବା ଦେଶର ରୁଗ୍ଣ ସ୍ବାସ୍ଥ୍ୟବସ୍ଥାର ଗୋଟିଏ ବଡ କାରଣ। ସେହିପରି ପ୍ରଥମିକ ଶିକ୍ଷାନୁଷ୍ଠାନ ଗୁଡିକର ବିକାଶ ଏବଂ ସମ୍ପୂର୍ଣ୍ଣ ଦେଶକୁ ଗୋଟିଏ ଶିକ୍ଷାପ୍ରଣାଳୀ ବା ୟୁନିଭର୍ସାଲ୍ ଏଡୁକେସନ୍ ସିଷ୍ଟମ୍ ନ ଯୋଗାଇ ପାରିବା ତଥା ଶିକ୍ଷକତା କରୁଥିବା ନାଗରିକଙ୍କ ପ୍ରତି ସରକାରୀ ଉଦାସୀନତା ମଧ୍ୟ ଆମର ପଛୁଆ ଶିକ୍ଷା ସୂଚକାଙ୍କ ପାଇଁ ଦାୟୀ। ଶିକ୍ଷା ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ ସରକାରୀ ଉଦାସୀନତା ହିଁ ଆଜି ଉଭୟ କ୍ଷେତ୍ରରେ ବେସରକାରୀ ସ°ସ୍ଥାଗୁଡିକର ପ୍ରବେଶ ପଥକୁ ପ୍ରଶସ୍ତ କରିବା ସହ ଏସବୁର ବ୍ୟାବସାୟୀକରଣ କରିପାରିଛି। ସେଇଥିପାଇଁ ହିଁ ସାଧାରଣ ତଥା ପଛୁଆ ବର୍ଗର ଲୋକଙ୍କ ପାଇଁ ଏହା ଅପହଞ୍ଚ ହୋଇଯାଉଛି। ହେଲେ ଆମ ରାଜନୈତିକ ଦଳ ଗୁଡିକୁ ଜ୍ୟାକେଟ୍, ସନ୍ ଗ୍ଲାସ୍, ଟି-ସାର୍ଟ ଓ ନିକର୍ ଭଳି ମୂଲ୍ୟବାନ ମାମଲା ଗୁଡିକରୁ ଫୁରସତ ମିଳିଲେ ତ ଯାଇ ସେମାନେ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ନାଗରିକ ମାନଙ୍କ ରୋଜଗାର ବ୍ୟବସ୍ଥାର ଉନ୍ନତି ସମ୍ପର୍କରେ ବିଚାର କରି ସେସବୁ ପ୍ରତି ଧ୍ୟାନ ଦେଇ ପାରିବେ! ନହେଲେ ହୁଏତ ଆର ଥରକୁ ଆମ ପାଇଁ ମାନବ ବିକାଶ ସୂଚକାଙ୍କ ତାଲିକାରେ ସ୍ଥାନ ଥିବ କି ନାଇଁ କିଏ ଜାଣେ? ଭୁବନେଶ୍ୱର୮୦୧୮୦୫୩୩୯୫
0 Comments