ରାବଣକୁ ଜ୍ବାଇଁ ଭାବନ୍ତି ଏହି ଗାଁ ଲୋକେ, ମାରିବା ଆଗରୁ ମାଗନ୍ତି କ୍ଷମା

ରାବଣକୁ ଜ୍ବାଇଁ ଭାବନ୍ତି ଏହି ଗାଁ ଲୋକେ, ମାରିବା ଆଗରୁ ମାଗନ୍ତି କ୍ଷମା

ପ୍ରିଜମ ନ୍ୟୁଜ୍ ବ୍ୟୁରୋ:ପ୍ରତିବର୍ଷ ଦଶହରା ଅବସରରେ ସାରା ଦେଶରେ ରାବଣର ପ୍ରତିମା ପୋଡ଼ା ଯାଇଥାଏ, କିନ୍ତୁ ମଧ୍ୟପ୍ରଦେଶର ମନ୍ଦସୌର ଜିଲ୍ଲାରେ ରାବଣର ପ୍ରତିମା ଜାଳିବା ପରିବର୍ତ୍ତେ ଲୋକମାନେ ବର୍ଷସାରା ତାକୁ ପୂଜା କରନ୍ତି। ଏହି ଗାଁରେ ରାବଣର ୨୦୦ ବର୍ଷ ପୁରୁଣା ପ୍ରତିମୂର୍ତ୍ତି ମଧ୍ୟ ରହିଛି, ଯାହାକୁ ଲୋକମାନେ ପ୍ରତ୍ୟେକ ଶୁଭ କାର୍ଯ୍ୟରେ ଯିବା ପୂର୍ବରୁ ପୂଜା କରନ୍ତି। ତେବେ ସାରା ଦେଶରେ ରାବଣକୁ ଗୋଟିଏ ଖଳ ଚର୍ତିର ବା ରାକ୍ଷସ ଭାବେ ଧରା ଯାଉଥିବା ବେଳେ ଏହି ଗାଁରେ କାହିଁକି ପୂଜା କରାଯାଏ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏହା ପଛରେ ଥିବା କାହାଣୀ ଆପଣଙ୍କୁ କହୁଛୁ।

ଏହି ଗାଁ ହେଉଛି ରାବଣର ଶଶୁର ଘର:

ମନ୍ଦସୌର ଜିଲ୍ଲାର ଖାନପୁରା ଅଞ୍ଚଳର ରୁଣ୍ଡି ଠାରେ ରାବଣର ଏକ ଦଶ ମୁଣ୍ଡ ବିଶିଷ୍ଟ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ଏହି ଗାଁ ରାବଣର ଶଶୁରଘର ବୋଲି ଜଣାପଡିଛି। ଲୋକମାନେ କୁହନ୍ତି ଯେ ମଞ୍ଜୋଦରି ଏହି ଗାଁରେ ଜନ୍ମ ହୋଇଥିଲେ। ଏହାପୂର୍ବରୁ ଏହି ଗାଁ ଦଶପୁର ନାମରେ ମଧ୍ୟ ଜଣାଶୁଣା ଥିଲା, ଯଦିଓ ଏହି ଗାଁ ରାବଣର ଶଶୁରଘର ବୋଲି କୌଣସି ପୌରାଣିକ ପ୍ରମାଣ ନାହିଁ, କିନ୍ତୁ ଗାଁର ପୁରୁଖା ଲୋକମାନେ ମନ୍ଦସୌରର ନାମକୁ ମଞ୍ଜୋଦରୀ ସହିତ ଯୋଡିଥାନ୍ତି ଏବଂ ରାବଣକୁ ଏହି ଗାଁର ଜ୍ବାଇଁ ଭାବରେ ବିବେଚନା କରନ୍ତି ।

ମହିଳାମାନେ ବିନା ଓଢଣାରେ ମୂର୍ତ୍ତି ସମ୍ମୁଖକୁ ଯାଆନ୍ତି ନାହିଁ:

ଲୋକମାନେ ରାବଣକୁ ଜ୍ବାଇଁ ବୋଲି ଭାବନ୍ତି, ତେଣୁ ଏହି ଗାଁର କୌଣସି ମହିଳା ତାଙ୍କ ପ୍ରତିମୂର୍ତ୍ତି ଆଗକୁ ବିନା ଓଢଣାରେ ଯାଆନ୍ତି ନାହିଁ। ଏଥି ସହିତ, ବିଶ୍ୱାସ କରାଯାଏ ଯେ ରାବଣର ମୂର୍ତ୍ତିର ପାଦରେ କଳା ସୂତା ବାନ୍ଧିବା ଦ୍ୱାରା କୌଣସି ପ୍ରକାରର ରୋଗ ହୁଏ ନାହିଁ, ତେଣୁ ମହିଳାମାନେ ରାବଣର ପାଦରେ କଳା ସୂତା ବାନ୍ଧନ୍ତି। ଦଶହରା ଦିନ ମଧ୍ୟ ମହିଳାମାନେ ରାବଣର ପାଦରେ ସୂତା ବାନ୍ଧିଥାନ୍ତି।

ରାବଣର ମୂର୍ତ୍ତି ଉପରେ ଗଧର ମୁଣ୍ଡ:

ନାମଦେବ ସମାଜର ଲୋକଙ୍କ ଅନୁଯାୟୀ, ଖାନପୁରାରେ ୨୦୦ ବର୍ଷରୁ ଅଧିକ ପୁରୁଣା ରାବଣର ଏକ ପ୍ରତିମୂର୍ତ୍ତି ଥିଲା। ୨୦୦୬-୭ ରେ ବଜ୍ରପାତ ହେତୁ ଏହି ପ୍ରତିମୂର୍ତ୍ତି ନଷ୍ଟ ହୋଇଯାଇଥିଲା। ଏହା ପରେ ପୌରସଂସ୍ଥା ରାବଣର ଦ୍ୱିତୀୟ ପ୍ରତିମୂର୍ତ୍ତି ସ୍ଥାପନ କଲା। ପ୍ରତିବର୍ଷ ପୌରସଂସ୍ଥା ଏହି ପ୍ରତିମୂର୍ତ୍ତିର ରକ୍ଷଣାବେକ୍ଷଣ କରିଥାଏ। ରାବଣର ମୂର୍ତ୍ତିର ଉଭୟ ପାର୍ଶ୍ୱରେ ୪-୪ଟି ମୁଣ୍ଡ ଏବଂ ଗୋଟିଏ ମୁଖ୍ୟ ମୁଣ୍ଡ ଅଛି। ମୁଖ୍ୟ ମୁଣ୍ଡ ଉପରେ ଏକ ଗଧର ମୁଣ୍ଡ ଅଛି। ସ୍ଥାନୀୟ ବୟସ୍କ ଲୋକଙ୍କ କହିବାନୁସାରେ, ରାବଣର ବୁଦ୍ଧି ଭ୍ରଷ୍ଟ ହୋଇଯାଇଥିଲା, ଏହି ଅବଗୁଣ ଦେଖାଇବା ପାଇଁ, ପ୍ରତିମୂର୍ତ୍ତି ଉପରେ ଏକ ଗଧର ମୁଣ୍ଡ ମଧ୍ୟ ରଖାଯାଇଛି।

ନାମଦେବ ସମାଜର ଲୋକମାନେ ପୂଜା କରନ୍ତି:ଦଶହରା ଦିନ ନାମଦେବ ସମ୍ପ୍ରଦାୟର ଲୋକମାନେ ମୂର୍ତ୍ତି ସମ୍ମୁଖରେ ଉପସ୍ଥିତ ରହି ପ୍ରାର୍ଥନା କରନ୍ତି। ଏହା ପରେ ରାମ ଏବଂ ରାବଣର ସୈନ୍ୟମାନେ ଚାଲିଯାଆନ୍ତି। ରାବଣକୁ ହତ୍ୟା କରିବା ପୂର୍ବରୁ ଲୋକମାନେ ରାବଣ ସାମ୍ନାରେ ଠିଆ ହୋଇ କ୍ଷମା ମାଗନ୍ତି ଏବଂ କୁହନ୍ତି ‘ତୁମେ ସୀତାଙ୍କୁ ଅପହରଣ କରିଛ, ତେଣୁ ରାମଙ୍କ ସୈନ୍ୟବାହିନୀ ତୁମକୁ ମାରିବାକୁ ଆସିଛନ୍ତି।’ ଏହା ପରେ ପ୍ରତିମୂର୍ତ୍ତି ସ୍ଥଳରେ ଅନ୍ଧକାର ଛାଇ ଯାଏ ଏବଂ ପରେ ଆଲୋକ ଆସେ। କିଛି ସମୟ ପରେ ରାମଙ୍କ ସେନା ଉତ୍ସବ ପାଳନ କରିବା ଆରମ୍ଭ କରନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: