ସାମାଜିକ ଓ ଅର୍ଥନୈତିକ ବିକାଶର ଅନ୍ୟତମ କର୍ଣ୍ଣଧାର ‘ହସ୍ତତନ୍ତ’

ସାମାଜିକ ଓ ଅର୍ଥନୈତିକ ବିକାଶର ଅନ୍ୟତମ କର୍ଣ୍ଣଧାର ‘ହସ୍ତତନ୍ତ’

ପ୍ରିଜମ୍ ନ୍ୟୁଜ୍ (ସ୍ୱତନ୍ତ୍ର): ଆଜି ହେଉଛି ଜାତୀୟ ହସ୍ତତନ୍ତ ଦିବସ। ଏହି ଦିନଟି ସ୍ୱତନ୍ତ୍ର ଭାବେ ହସ୍ତତନ୍ତ ବୁଣାକାରଙ୍କ କଳାକୀର୍ତ୍ତିକୁ ସ୍ବୀକୃତି ଦେବା ପାଇଁ ଉତ୍ସର୍ଗୀକୃତ। ଦେଶର ସମାଜିକ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ବୁଣାକାରଙ୍କ ଅବଦାନ ଅତୁଳନୀୟ। ସେଥିପାଇଁ ସେମାନଙ୍କୁ ସଶକ୍ତ କରିବା ସହ ଏହି ଐତିହ୍ୟକୁ ବଞ୍ଚାଇ ରଖିବା ପାଇଁ ଏହି ଦିବସ ପାଳନ କରାଯାଇଥାଏ। ଏହାର ସ୍ମୃତିରକ୍ଷା କରିବା ପାଇଁ ପ୍ରତିବର୍ଷ ଅଗଷ୍ଟ ମାସ ୭ ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ଏହାର ଶୁଭାରମ୍ଭ କରିଥିଲେ।

ଏବର୍ଷ ଖାସ୍

ଚଳିତବର୍ଷ ସୋସିଆଲ ମିଡିଆ କ୍ୟାମ୍ପେନ୍ କରିବା ପାଇଁ କେନ୍ଦ୍ର ସରକାର ଦେଶର ସମସ୍ତ ମୁଖ୍ୟମନ୍ତ୍ରୀ, ଉପ ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ ପ୍ରମୁଖଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେଥିପାଇଁ ସୋସିଆଲ ମିଡିଆରେ ଦେଶର ପ୍ରାୟ ଅଧିକାଂଶ ନେତା ହସ୍ତତନ୍ତ ଦିବସର ସୋସିଆଲ ମିଡିଆ କ୍ୟାମ୍ପେନିଂ କରି ହସ୍ତତନ୍ତ ବୁଣାକାରଙ୍କ ପାଇଁ ସଂହତି ସ୍ଥାପନା କରିଛନ୍ତି। ସେହିପରି କୋରୋନା ଯୋଗୁ କୌଣସି ପ୍ରକାର ପ୍ରଦର୍ଶନୀ ବା ନେଳା ଅନୁଷ୍ଠିତ ହୋଇ ନ ଥିବାରୁ ସରକାର ଭର୍ଚୁଆଲ ମେଳା କରିଛନ୍ତି। ଆତ୍ମ ନିର୍ଭର ଭାରତ ଅଭିଯାନରେ ସାମିଲ ହୋଇ ଦେଶର ପ୍ରାୟ ୧୫୦ ଜଣ ବୁଣାକାର ଏହି ଭର୍ଚୁଆଲ ମେଳାରେ ସାମିଲ ହୋଇଛନ୍ତି।

କଳାକାରଙ୍କ ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସମସ୍ତେ ହସ୍ତତନ୍ତ ଦିବସରେ କ୍ୟାମ୍ପେନିଂ କରିଛନ୍ତି। ଅଭିନେତ୍ରୀ କଙ୍ଗନା ରାଣାୱତ, ପ୍ରିୟଙ୍କା ଚୋପ୍ରା, ବିଦ୍ୟା ବାଲାନ ପ୍ରମୁଖ ଏହି ଦିନରେ ଶୁଭେଚ୍ଛା ଜଣାଇବା ସହ ବୁଣାକାରମାନଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପ ରାଷ୍ଟ୍ରପତି ଭେଙ୍କିୟା ନାଇଡୁ ପ୍ରମୁଖ ହସ୍ତତନ୍ତ ଦିବସରେ ଶୁଭେଚ୍ଛା ଜଣାଇଛନ୍ତି।

ଅନ୍ୟପଟେ କୋରୋନା ମହାମାରୀ ଯୋଗୁ ବୁଣାକାରମାନଙ୍କ ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି। ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁରର ଜଣେ ବୁଣାକାର କହିଛନ୍ତି, କୋରୋନା ଯୋଗୁ ବେପାର ମାନ୍ଦା ହୋଇଛି। କୌଣସି ପ୍ରଦର୍ଶନୀ କିମ୍ୱା ମେଳା ହେଉ ନ ଥିବାରୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ବାସ୍ତବିକ ଏହି ଦିନଟି ବୁଣାକାରମାନଙ୍କ ପାଇଁ ହିଁ ଉତ୍ସର୍ଗୀକୃତ ହେବା ଜରୁରୀ। କାରଣ ଦେଶର ସାମାଜିକ ତଥା ଅର୍ଥନୈତିକ ବିକାଶ ପାଇଁ ହସ୍ତତନ୍ତ ବୁଣାକାର ସମୁଦାୟର ଅବଦାନ ଅତୁଳନୀୟ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: