(ଶ୍ରୁତକୀର୍ତ୍ତି ତ୍ରିପାଠୀ): କଥାରେ ଅଛି, ” ବୁଡ଼ିଗଲା ଗୋଡ଼ ତଳକୁ ତଳକୁ….” ; ଅର୍ଥାତ ଯାହାର ପତନ ଥରେ ଆରମ୍ଭ ହେଲା, ସେ ଆଉ ତିଷ୍ଠି ରହିବା କଷ୍ଟକର ହୋଇପଡେ l ଯେ କୌଣସି ଉପାୟରେ ଧୀରେ ଧୀରେ ସେ ପତନମୂଖୀ ହୋଇଉଠେ, ଏବଂ ଦୁଃଖର କଥା ସେ ବିଷୟରେ ଟେର ସୁଦ୍ଧା ପାଏନି l ଆମେ ଆଜି ଏଠାରେ ଗଣମାଧ୍ୟମ, ଯାହାକୁ ଆମେ ସମାଜର ” ଚତୁର୍ଥ ସ୍ତମ୍ଭ ” ମଧ୍ୟ କହୁଛେ ତାର ହିଁ ପତନ ବିଷୟରେ ଆଲୋଚନା କରିବାକୁ ଯାଉଛେ l ମୁଦ୍ରଣ ବା ପ୍ରିଣ୍ଟ ମିଡ଼ିଆ ଏବେ ସେ ସ୍ତରକୁ ଯାଇନାହିଁ, ମାତ୍ର ଯେଉଁଠି ଆଶ୍ଚର୍ଯ୍ୟଜନକ ଭାବରେ ନକାରାତ୍ମକ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି, ସେ ହେଉଛି ଇଲେକ୍ଟ୍ରୋନିକ ବା ଯାନ୍ତ୍ରିକ ଗଣମାଧ୍ୟମ l ଟେଲିଭିଜନ ରେ ପ୍ରସାରିତ ନିୟୁଜ ଚେନାଲ ହଉ ବା ୟୁ ଟ୍ୟୁବ ର ଖବର ଚେନାଲ, ହଉ ଅବା ୱେବ ପୋର୍ଟାଲ ; ଏ ସବୁ ମାଧ୍ୟମ ଏବେ ଖୁବ ଦ୍ରୁତ ଗତିରେ ପ୍ରଚାରିତ ଏବଂ ପ୍ରସାରିତ ହେଉଛନ୍ତି l ଖୁବ କମ ସମୟ ଭିତରେ ଏମାନଙ୍କର ଚାହିଦା ଲୋକଙ୍କ ପାଖରେ କାହିଁରେ କଣ l ହାତରେ ଧରିଥିବା ଗୋଟିଏ ମୋବାଇଲ ରେ କେବଳ ଅଙ୍ଗୁଳି ଚାଳନା କରି ସବୁ ଖବର, ଦୃଶ୍ୟ ଗୁଡିକୁ ପୁଙ୍ଖାନୁପୁଙ୍ଖ ଭାବରେ ଦେଖି ହଉଛି ଏବଂ ଶୁଣି ହଉଛି l ଖବର ଟିଏ ‘ ଜଙ୍ଗଲ ନିଆଁ ‘ ବ୍ୟାପିଲା ଭଳି ତତକ୍ଷଣାତ୍ ଭାଇରାଲ ହୋଇଯିବାକୁ ସମୟ ଲାଗୁନାହିଁ l ମାତ୍ର ଚିନ୍ତା ଏବଂ ଭୟ କରିବାର କାରଣ ଏହା ଯେ ଏସବୁ ମାଧ୍ୟମ ରେ ପ୍ରଦର୍ଶିତ ହେଉଥିବା ଖବର ସବୁ କଣ ସତରେ ସେତେ ମାତ୍ରାରେ ପ୍ରଦର୍ଶନ ଏବଂ ପ୍ରଚାରିତ ହେବା ଯୋଗ୍ୟ ?
ପାଠକ ଓ ଦର୍ଶକଙ୍କୁ ଆକର୍ଷିତ କରୁଥିବା, ଦୈନନ୍ଦିନ ଜୀବନରେ ଆବଶ୍ୟକତାରୁ ଅଧିକ ସମୟ ନେଉଥିବା ବୈଦ୍ୟୁତିକ ଗଣମାଧ୍ୟମ ପିଲା ଠାରୁ ବୁଢ଼ା ସମସ୍ତଙ୍କୁ ଆବୋରି ବସିଛି l ଟେଲିଭିଜନ ଖୋଲି ଖବର ଶୁଣିବାକୁ ଆଉ କାହାର ସ୍ପୃହା ନାହିଁ l ହାତ ପାଆନ୍ତାରେ ଯଦି ଚାଲି ବୁଲି ଖବର ଜାଣି ହେଉଛି, ଗୋଟିଏ ସ୍ଥାନରେ ଜଡ଼ ଭଳି ବସିବାକୁ ଭଲ ପାଉଛି କିଏ ? ଜନସାଧାରଣଙ୍କର ମଧ୍ୟ ଏମାନଙ୍କ ଉପରେ ଏତେ ଅଗାଧ ବିଶ୍ୱାସ ଯେ, ଯାହା ସେଠି ପ୍ରଦର୍ଶନ କରାଯାଉଛି, ତାକୁ ହିଁ ସତ ବୋଲି ମାନି ନେଉଛନ୍ତି l ଯାହାର ସୁଯୋଗ ଚାନେଲ ର ସମ୍ପାଦକ ଏବଂ ସାମ୍ବାଦିକମାନେ ନେଉଛନ୍ତି l କିଭଳି ଖବର ଲୋକଙ୍କୁ ଆକର୍ଷିତ କରିବ, କେତେ ମସଲାଦାର ହେଲେ ଖବରଟି ଲୋକ ବାରମ୍ବାର ଦେଖି ମଜା ନେବେ, ତାହା ସେମାନଙ୍କୁ ବେଶ ଜଣା l ତେଣେ ଖବର ଭିତରେ ଥିବା ସତ୍ୟତା, ତାର ପ୍ରାସଙ୍ଗିକତା ଚୂଲି କି ଯାଉ l ଖବର ଆଗେ ବିସ୍ଫୋରଣ ଟିଏ କରି ସଭିଙ୍କୁ ଚମକେଇ ଦେଉ, ପରେ ଦେଖାଯିବ କେତେ ସତ କେତେ ମିଛ ? ଖବର ଭୁଲ ହେଲେ, କଉ ଜୋରିମାନା ଅଛି ନା ଜେଲ ଯେ, ଭୟ କାହାକୁ ? ଆଗେ ଟି. ଆର. ପି ଆସିଯାଉ l ଲାଇକ, କମେଣ୍ଟ, ଭିଉ ହେଇଯାଉ ସଂସ୍ଥାର ନାଁ ସବୁଆଡେ ପ୍ରଚାର ହୋଇଯାଉ l ଲୋକପ୍ରିୟତା ଗୋଟେଇବାକୁ ଏବଂ ବ୍ୟବସାୟ ବଢେଇବାକୁ ଏମାନେ ସାଧାରଣ ଜନତାଙ୍କ କାନ୍ଧରେ ବନ୍ଧୁକ ରଖୁଛନ୍ତି l ଆଉ ବୋକା ଜନତା ଜାଣତ କିମ୍ବା ଅଜାଣତରେ ସେମାନଙ୍କ ଷଡ଼ଯନ୍ତ୍ରର ଶିକାର ହଉଛନ୍ତି l
ଦିନ ଥିଲା ଗଣମାଧ୍ୟମ ସହ ସମ୍ପୃକ୍ତ ସଭିଙ୍କୁ ଖୁବ ସମ୍ମାନ ଓ ଆଦର ମିଳୁଥିଲା l ନିଜ ଜୀବନ ଉପରେ ଖେଳି, ନିଜ ବହୁ ମୂଲ୍ୟ ସମୟ ଦେଇ ଏମାନେ ଖୁବ ପରିଶ୍ରମ କରି ଠିକ ଖବର ସଂଗ୍ରହ କରି ଲୋକଲୋଚନ କୁ ଆଣୁଥିଲେ ବୋଲି ପ୍ରଶଂସାର ପାତ୍ର ହେଉଥିଲେ l ଆଖ୍ୟାତ ପୂରପଲ୍ଲୀ ରୁ ଲୁକ୍କାୟିତ ପ୍ରତିଭାଙ୍କୁ ଖୋଜି ଆଣିବା, ଅସହାୟ, ଶୋଷିତ, ଅବହେଳିତ ଲୋକଙ୍କର ସ୍ୱର ହେବା, ନ୍ୟାୟ ପାଇଁ ଆଶାୟୀ ଲୋକଙ୍କ ପାଇଁ ଆଶାର କିରଣ ଟିଏ ସାଜିବା ଭଳି ଅନେକ ଦୃଷ୍ଟାନ୍ତମୂଳକ କାର୍ଯ୍ୟ କରି ଏମାନେ ସମସ୍ତଙ୍କର ପ୍ରିୟପାତ୍ର ଥିଲେ l ହେଲେ କିଛି ଦିନ ହେଲା ଯେଭଳି ଶସ୍ତା, ସତ୍ୟତାବିହୀନ, ନିଷ୍ପ୍ରୟୋଜନୀୟ, ଅଦରକାରୀ ଖବର ଗୁଡ଼ିକ ଲୋକାଦୃତ ହଉଛି, ତାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି l ଲୋକ ଖବର ଦେଖିବେ କଣ ସେମାନଙ୍କୁ ଗାଳି ମନ୍ଦ କରି ନିଜ କ୍ରୋଧ ପରିପ୍ରକାଶ କରୁଛନ୍ତି lସମାଜର ଚତୁର୍ଥ ସ୍ତମ୍ଭରେ ଯଦି କଳଙ୍କି ଲାଗିଲା, ଏହା ସମାଜ କୁ କେତେ ପ୍ରଭାବିତ କରିବ, ତାହା ସମସ୍ତେ ଜାଣନ୍ତି l ସୁସ୍ଥ ସମାଜ ଗଠନ ଦିଗରେ ପ୍ରତି ସ୍ତମ୍ଭର ମହତ୍ତ୍ୱ ଗୁରୁତ୍ୱପୂର୍ଣ୍ଣ l ଏଣୁ ଗଣମାଧ୍ୟମର ସମ୍ପାଦକ, ସାମ୍ବାଦିକ ମାନଙ୍କୁ ଅନୁରୋଧ ସେମାନେ ଶସ୍ତା ଲୋକପ୍ରିୟତା ହାସଲ ଲୋଭରେ ନିଜର ଦାୟିତ୍ୱରୁ ଓହରି ଯାଆନ୍ତୁ ନାହିଁ l ସେମାନେ ଜଣିବା ଉଚିତ ଯେ ଅଦରକାରୀ ଖବର ଗୁଡିକୁ ୨୪×୭ ପ୍ରଚାର କରିବା ସମୟ ଭିତରେ କେତେ ଜରୁରୀ ଏବଂ ଅତ୍ୟାବଶ୍ୟକ ଖବର ଗୁଡ଼ିକ ସେମାନଙ୍କ ନଜରକୁ ଆସିବାରୁ ବଞ୍ଚିତ ହଉଛନ୍ତି l ସେମାନଙ୍କ ଦ୍ୱାରା ମସଲାଦାର ଖବର ପରିବେଷଣ ସମୟ ଭିତରେ କେତେ ଯେ ଅପରାଧୀ ଅପରାଧ ଘଟାଇ ମୁକୁଳି ଯାଉଥିବେ, କେତେ ଯେ ନିରୀହ ଜୀବନ ଶୋଷିତ, ନିର୍ଯ୍ୟାତିତ ହେଉଥିବେ, କେତେ ଆଇନକୁ ଭାଙ୍ଗି ନିଜ ଲାଭ ବାହାର କରୁଥିବେ, କେତେ ସତ୍ୟ ମିଛ ତଳେ ଅଣନିଃଶ୍ଵାସୀ ହୋଇ ଜୀବନ ହାରୁଥିବ l ପାଠକେ କୁହନ୍ତୁ ଏଗୁଡା କଣ ସେଲିବ୍ରେଟିଙ୍କ ଦୈନନ୍ଦିନ ଜୀବନଚର୍ଯ୍ୟା, ଖେଳ ତାରକାଙ୍କ ପ୍ରେମ ଓ ଯୁଗ୍ମ ଜୀବନ ଖବର ଠାରୁ ବେଶୀ ଜରୁରୀ ନୁହେଁ ? ସାମାନ୍ୟ ଗୋଟିଏ ଖବର କୁ ବେଶୀ ରୁ ବେଶୀ ପ୍ରଚାର କରିବା ପଛରେ ମୂଳ ଉଦ୍ଦେଶ୍ୟ କଣ, କେବଳ ଲୋକପ୍ରିୟତା ଓ ବ୍ୟବସାୟ ?
ଏଭଳି ଖବରକୁ ବେଶୀ ଜନାଦୃତ କରିବା ପାଇଁ ଜନତା ବି ସେତିକି ଦାୟୀ ଯେତେ ପ୍ରଚାରକାରୀ l ଏସବୁ କୁ ରୋକଯାଇ ପାରିବ କେଵେଳ ମାତ୍ର ଦର୍ଶକ ଏବଂ ଶ୍ରୋତା ମାନଙ୍କର ବିରୋଧ l ଯଦି ପ୍ରୋତ୍ସାହନ ନ ମିଳେ, ତା ହେଲେ ପରବର୍ତ୍ତୀ ସ୍ତରରେ ସେମାନେ ଏଭଳି ମୂଲ୍ୟହୀନ ଖବର ପରିବେଷଣ ରୁ ବିରତ ହୋଇପାରନ୍ତି ! ଶେଷରେ ଏତିକି କୁହାଯାଇ ପାରେ ଯେ ଗଣମାଧ୍ୟମ ଏଭଳି ଏକ ଶକ୍ତି, ଯାହାର ଉଚିତ ପ୍ରୟୋଗ ସମାଜରେ ସକାରାତ୍ମକ ଏବଂ ବୈପ୍ଲବିକ ପରିବର୍ତ୍ତନ ଆଣିବାରେ ସକ୍ଷମ ଥିବା ବେଳେ ଏହାର ଭୁଲ ପ୍ରୟୋଗ ସମାଜକୁ ବିପଥଗାମୀ ଗାମୀ କରିବା ସହିତ ‘ ବୁମେରାଂ ‘ ଭଳି ନିଜକୁ ମଧ୍ୟ ସେହି ଧ୍ବଂସଲୀଳା ରୁ ମୁକ୍ତ କରିପାରିବ ନାହିଁ l
0 Comments