କେବେ ପ୍ରେମର ଆଲୁଅ, କେବେ ମୃତ୍ୟୁର ଅନ୍ଧାର

କେବେ ପ୍ରେମର ଆଲୁଅ, କେବେ ମୃତ୍ୟୁର ଅନ୍ଧାର

ପ୍ରିଜମ ନ୍ୟୁଜ ବ୍ୟୁରୋ:କେବେ ପ୍ରେମର ଆଲୁଅ, କେବେ ମୃତ୍ୟୁର ଅନ୍ଧାରତାଙ୍କ କଣ୍ଠରେ ଥିଲା ନିଆରା ଯାଦୁ । ତାଙ୍କ ପ୍ରତିଟି ଗୀତ ଛୁଇଁଥିଲା ସ୍ରୋତାଙ୍କ ହୃଦୟକୁ । ତାଙ୍କ ଗୀତ ଶୁଣି କେହି କାନ୍ଦୁଥିଲେ ତ କେ ପୁଣି ସବୁ ଦୁଃଖଭୁଲି ଆଶ୍ବସ୍ତ ହେଉଥିଲେ। ନବେ ଦଶକରେ ଭାରତୀୟ ସିନେମାରେ ଯେଉଁ ସବୁ ଗୀତ ସୃଷ୍ଟି ହୋଇଥିଲା, ସେଥିରେ ରୋମାଣ୍ଟିକପଣର ଏକ ନିଆରା ଛାପ ଛାଡ଼ିଥିଲେ ସେ । ସେଥିପାଇଁ ତ ତାଙ୍କୁ ନବେ ଦଶକର ରୋମାଣ୍ଟିକ ଗୀତର ଟ୍ରେଣ୍ଡ ସେଟର୍‌ ବୋଲି କୁହାଯାଏ । କ୍ରିଷ୍ଣକୁମାର କାନ୍ନାଥ ବା ସମସ୍ତଙ୍କ ପ୍ରିୟ କେକେ। ୧୯୯୯ରେ ପ୍ରଥମ ଗୀତ ‘ପଲ୍’ ଜରିଆରେ ସଙ୍ଗୀତ ଜଗତରେ ପାଦ ଥାପିଥିଲେ କେକେ। ବଲିଉଡରେ ତାଙ୍କର ପ୍ରଥମ ଡେବ୍ୟୁ ଗୀତ ଥିଲା ଫିଲ୍ମ ‘ମାଚିସ୍‌’ର ଗୀତ। ଗୁଲଜାର ସାହେବଙ୍କ ଗୀତ ଆଉ ବିଶାଲ ଭାରଦ୍ବାଜଙ୍କ ମ୍ୟୁଜିକ କମ୍ପୋଜରେ ତିଆରି ହୋଇଥିଲା ‘ଛୋଡ୍ ଆୟେ ହମ୍ ୱୋ ଗଲିୟାଁ’ । ଆଉ ଏହାକୁ ଗାଇଥିଲେ କେକେ । ସେ ଗୀତ ଥରେ ଶୁଣିବେ, ହଜିଯିବେ କେଉଁ ଏକ ଅଜଣା ଦୁନିଆରେ । ଏହାପରେ ସଙ୍ଗୀତର ସୋପାନ ପରେ ସୋପାନ ଚଢ଼ିବାରେ ଲାଗିଥିଲେ କ୍ରିଷ୍ଣକୁମାର ଓରଫ୍‌ କେକେ । ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌’ର ‘ତଡପ୍‌ ତଡପ୍‌ କେ ଇସ୍‌ ଦିଲ୍‌ସେ’ ଗୀତଟି ତାଙ୍କୁ ଦେଇଥିଲା ବଡ ସଫଳତା। ଏହି ଗୀତ ବିରହୀ ମନର ଆଖିରେ ଲୁହ ଜକେଇ ଦେବ। ଛାତି ଫଟାଇଦେବ କେକେଙ୍କ ନିଆରା ସ୍ବର। ତାଙ୍କ ଗୀତ କଲେକ୍ସନ୍‌ ଭିତରେ ରହିଛି ଅନେକ ସୁପରହିଟ୍ ଗୀତ । ବଲିଉଡର ଗାୟକମାନଙ୍କ ମଧ୍ୟରେ ଯେଉଁ କେତେଜଣ ଗାୟକଙ୍କ ପ୍ରାୟ ସବୁତକ ଗୀତ ସୁପରହିଟ୍‌, ସେହି ତାଲିକାରେ କେକେଙ୍କ ବି ନାଁ ରହିଛି। ଅଭିନେତା ଇମ୍ରାନ ହାସ୍‌ମୀଙ୍କ ସିନେମାରେ କେକେଙ୍କ ଗୀତ ନିଶ୍ଚିତ ରହିଥାଏ।

ସେ ‘ବିତେ ଲମ୍‌ହେ’ ହେଉ ଅବା ‘ହାଁ ତୁ ହୈ’ । ସେ ‘ଦିଲ୍ ଇବାଦତ୍‌’ ହେଉ ଅବା ‘ଜରା ସା ଦିଲ୍ ମୈ ଦେ ଜଗାହ୍‌ ତୁ’ । ସଙ୍ଗୀତର ଏହି ଷ୍ଟାର୍‌ ସିଙ୍ଗର ଅନେକ ସମ୍ମାନର ଅଧିକାରୀ ମଧ୍ୟ। ସେ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ ଓ ବଙ୍ଗଳା ଆଦି ଭାଷାରେ ଅନେକ ଗୀତ ଗାଇଛନ୍ତି । ସଫଳତାର ସଂଘର୍ଷ ଭିତରେ ତାଙ୍କର ପ୍ରିୟସୀ ଜ୍ୟୋତିଙ୍କୁ ସେ କରିଥିଲେ ବିବାହ । ତାଙ୍କୁ ବିବାହ କରିବା ପାଇଁ ମଧ୍ୟ କେକେଙ୍କୁ କରିବାକୁ ପଡ଼ିଥିଲା ଅନେକ ଷ୍ଟ୍ରଗଲ୍। ୧୯୯୧ରେ ସେ ତାଙ୍କ ପିଲାଦିନର ବନ୍ଧବୀ ଜ୍ୟୋତିଙ୍କୁ କରିଥିଲେ ବିବାହ । ତାଙ୍କର ଗୋଟିଏ ପୁଅ ଓ ଝିଅ ମଧ୍ୟ ଅଛନ୍ତି। କିନ୍ତୁ ପଲକରେ ଭାଙ୍ଗିଗଲା ତାଙ୍କର ସୁନାର ସଂସାର। ମୃତ୍ୟୁ ଏମିତି ବି ଆସିବ ବୋଲି କେବେ କେହି କଳ୍ପନା କରି ନ ଥିବେ। ଜୀବନର ଶେଷ ମ୍ୟୁଜିକ କନସର୍ଟରେ ‘ହମ୍‌ ରହେଁ ୟା ନା ରହେଁ କଲ ୟାଦ ଆଏଁଗେ ୟେ ପଲ’ ଗୀତ ଗାଇ ଦର୍ଶକଙ୍କୁ ବିଭୋର କରିଥିବା କେକେ ସବୁଦିନ ପାଇଁ ଚିରନିଦ୍ରାରେ ସୋଇଯାଇଛନ୍ତି । ମଙ୍ଗଳବାର କୋଲକାତାର ନଜୁରଲ ମଞ୍ଚଠାରେ ଏକ ସଂଗୀତ ସମାରୋହରେ ଯୋଗ ଦେବାକୁ ସେ ଯାଇଥିଲେ । ସଂଗୀତ ପରିବେଷଣ ପରେ ହଠାତ୍‌ ସେ ଖସିପଡ଼ିଥିଲେ। ଏହାପରେ ତାଙ୍କୁ ରାତି ପ୍ରାୟ ୧୦ଟାରେ ସ୍ଥାନୀୟ ସିଏମଆରଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡ଼ି ନଥିଲେ ବି ପୋଲିସ ଏକ ଅସ୍ବାଭାବିକ ମୃତ୍ୟୁ ମାମଲା ରୁଜୁ କରିଛି ।

ସାରା ଦେଶରେ ଏବେ କେକେଙ୍କ ମୃତ୍ୟୁରେ ଶୋକ ପାଳନ କରୁଛି । ସୋସିଆଲ ମିଡିଆରେ ଫ୍ୟାନ୍‌ସଙ୍କ ଅନବରତ ପୋଷ୍ଟ ସଂଖ୍ୟା ବଢ଼ିଚାଲିଛି । ଏହାରି ଭିତରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ । ସଂଗୀତ ଜଗତ ପାଇଁ ଏହା ଏକ ଅପୂରୀଣ କ୍ଷତି ବୋଲି ଟୁଇଟ କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, କେକେଙ୍କ ସଂଗୀତ ସବୁ ବର୍ଗର ଲୋକଙ୍କ ମନ ଛୁଇଁଥିଲା। ସେ ତାଙ୍କ ସଂଗୀତ ପାଇଁ ସବୁଦିନ ମନେ ରହିବେ । ଏଥି ସହିତ ତାଙ୍କ ଶୋକସନ୍ତପ୍ତ ପରିବାର ଓ ଫ୍ୟାନ୍ ମାନଙ୍କୁ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ।

କଭି ହୈ ଇସ୍କ କା ଉଜାଲା, କଭି ହୈ ମୌତ୍‌ କା ଅନ୍ଧେରା…ବତାଓ କୌନ୍ ବେସ୍ ହୋଗା, ମୈ ଯୋଗୀ ବନୁଁ ୟା ଲୁଟେରା…୨୦୦୫ ମସିହାରେ ଦିବଂଗତ ଅଭିନେତା ଇରଫାନ୍ ଖାନଙ୍କ ଏକ ସିନେମାରେ ଗୀତ ଗାଇଥିଲେ ‘ରୋଗ୍’ । ଏହି ସିନେମାର ଗୀତ ‘ମୈନେ ଦିଲ୍ ସେ କହା ଢୁଁଢ୍‌ ଲାନା ଖୁସି’ ପ୍ରାୟ ସବୁ ବର୍ଗର ଲୋକଙ୍କ ପସନ୍ଦର ଗୀତ ଥିଲା । ଏହି ଗୀତକୁ ଗାଇଥିବା ଗାୟକ ଓ ଅଭିନେତା ଉଭୟ ଆଜି ଏ ଦୁନିଆରେ ନାହାନ୍ତି । କିନ୍ତୁ ଏମାନଙ୍କ କଳାର ଛାପ ଏ ଦୁନିଆ ଥିବା ଯାଏ ରହିଥିବ…ଯୁଗ ଯୁଗକୁ…କାଳ କାଳକୁ…କାରଣ, କଳା କେବେ ମରି ପାରେନା…

0 Comments

Leave Your Comment

Your email address will not be published. Required fields are marked *

%d bloggers like this: