ପ୍ରିଜମ ନ୍ୟୁଜ ବ୍ୟୁରୋ:ଆପଣ ଅନେ ଚୋରି ଘଟଣା ଦେଖିଥିବେ ବା ଶୁଣିଥିବେ। ଅଧିକାଂଶ ଚୋରି ସୁନା, ରୂପା, ଟଙ୍କା ବା ଅନ୍ୟ କିଛି ମୂଲ୍ୟବାନ ଜିନିଷର ହୋଇଥାଏ। କିନ୍ତୁ ଆପଣ କେବେ ଶୁଣିଛନ୍ତି କି ବ୍ରିଜ ଚୋରି ହେବାର। କଥାଟା ଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ଏମିତି ସତ ଘଟଣା ଘଟିଛି ବିହାରରେ। ଚୋରିର ଏଭଳି ଅଜବ ମାମଲା ବିହାରର ରୋହତାସ୍ ଜିଲ୍ଲାରୁ ସାମ୍ନାକୁ ଆସିଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଚୋରମାନେ ଏଠାରେ ଥିବା ଏକ ୬୦ ଫୁଟ ଲମ୍ବା ବ୍ରିଜକୁ ଚୋରି କରି ନେଇଛନ୍ତି। ବିହାରର ରୋହତାସ ଜିଲ୍ଲାର ନାସିରିଗଞ୍ଜ ପୋଲିସ ଷ୍ଟେସନ ଅନ୍ତର୍ଗତ ଅମିଆଭର୍ ଅଞ୍ଚଳରେ ଏକ କେନାଲ ରହିଛି। ଏହି କେନାଲରେ ନିର୍ମିତ ଲୁହା ବ୍ରିଜ୍ ରାତାରାତି ଅଦୃଶ୍ୟ ହୋଇଯାଇଛି।
ବ୍ରିଜ୍ ନିଖୋଜ ହେବାର ଖବର ସାମ୍ନାକୁ ଆସିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଯେତେବେଳେ ଲୋକମାନେ କେନାଲ ପାଖକୁ ଯାଇଥିଲେ ଦେଖିବାକୁ ପାଇଥିଲେ ଯେ କେନାଲ ଉପରେ ନିର୍ମିତ ୬୦ ଫୁଟ ଲମ୍ବ, ଦଶ ଫୁଟ ଚଉଡା ଏବଂ ବାର ଫୁଟ ଉଚ୍ଚ ବ୍ରିଜ୍ ନିଖୋଜ ହୋଇଯାଇଛି। ଏହାପରେ କଥାଟି ଦୃତ ଗତିରେ ଉକ୍ତ ଅଞ୍ଚଳରେ ବ୍ୟାପିବାରେ ଲାଗିଥିଲା। କୁହାଯାଉଛି ଯେ ଚୋରମାନେ ଜେସିବି ଦ୍ଵାରା ବ୍ରିଜକୁ ଉଚ୍ଛେଦ କରି ଟ୍ରକ ଉପରେ ଲୁହା ବ୍ରିଜକୁ ଲଦି ନେଇ ଯାଇଥିଲେ।ଚୋରମାନେ ଦିନରେ ଏତେ ବଡ କାଣ୍ଡ କରିଥିଲେ ମଧ୍ୟ ସ୍ଥାନୀୟ ଲୋକ କି ପ୍ରଶାସନ କେହିବି ଏ ବିଷୟରେ ସୁରାକ ପାଇ ପାରି ନଥିଲେ। କୌତୁହଳର ବିଷୟ ହେଉଛି ନିଜକୁ ଜଳସେଚନ ବିଭାଗର ଅଧିକାରୀ କହି ଚୋରମାନେ ସ୍ଥାନୀୟ ବିଭାଗୀୟ କର୍ମଚାରୀଙ୍କ ସାହାଯ୍ୟ ନେଇ ସେମାନଙ୍କ ଉପସ୍ଥିତିରେ ସମ୍ପୂର୍ଣ୍ଣ ସେତୁ ଚୋରି କରିଥିଲେ।
ସୂଚନା ଯୋଗ୍ୟ ଯେ, କେନାଲରେ ତିଆରି ହୋଇଥିବା କଂକ୍ରିଟ ବ୍ରିଜ ସହିତ ସମାନ୍ତରାଳହୋଇଥିବା ୨୫ ଫୁଟ ଦୁରାନ୍ତରେ ଏକ ଲୁହା ସେତୁ ଥିଲା, ଯାହାକି ବହୁ ଦଶନ୍ଧି ପୁରୁଣା । ଗ୍ରାମବାସୀ କୁହନ୍ତି ଯେ, ସେହି ସେତୁରୁ ପୂର୍ବରୁ ମଧ୍ୟ ଅନେକ ଥର ଚୋରମାନେ ଲୁହା ଚୋରୀ କରି ପିକଅପରେ ଲୋଡ୍ କରି ନେଇଯାଇଥିଲେ। ତେବେ ଏଥର ଚୋରମାନେ ସମ୍ପୂର୍ଣ୍ଣ ୬୦ ଫୁଟ ଲମ୍ବର ବ୍ରିଜ ଚୋରି କରିନେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଚୋରମାନେ ବ୍ରିଜରୁ ଲୁହା କାଢି କେଉଁ ଆଡେ ନେଇଛନ୍ତି ତାହା ଜଣା ପଡିନାହିଁ।ଗ୍ରାମବାସୀଙ୍କ କହିବା ଅନୁଯାୟୀ ସୋମବାର ଦିନ ଚୋରମାନେ ଜେସିବି ଏବଂ ଟ୍ରକ୍ ଆଣି ଦିନ ଦ୍ୱିପହରେ ବ୍ରିଜକୁ ଚୋରୀ କରିଛନ୍ତି। ଯେତେବେଳେ ଗ୍ରାମବାସୀ ସେମାନଙ୍କୁ ଏନେଇ ପ୍ରଶ୍ନ କରିଥିଲେ, ଚୋରମାନେ କହିଥିଲେ ଯେ ସେ ଜଳସେଚନ ବିଭାଗର କର୍ମଚାରୀ। ଏହା ପରେ ସେ ବ୍ରିଜର ଲୁହାକୁ ଏକ କଟର ସାହାଯ୍ୟରେ କାଟି ଟ୍ରକରେ ଲୋଡ୍ କରି ନେଇଯାଇଥିଲେ । ଗାଁର ଲୋକମାନେ କୁହନ୍ତି ଯେ ପୂର୍ବରୁ ଲୋକମାନେ ଡଙ୍ଗା ସାହାଯ୍ୟରେ କେନାଲ ପାର ହେଉଥିଲେ, କିନ୍ତୁ ୧୯୬୬ ମସିହାରେ ଏକ ଯାତ୍ରୀବାହି ଡଙ୍ଗା କେନାଲରେ ବୁଡ଼ି ଯାଇଥିଲା। ଯେଉଁଥିରେ ଅନେକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ୧୯୭୨ ରୁ ୧୯୭୫ ମଧ୍ୟରେ ଏହି ଲୁହା ବ୍ରିଜ୍ ନିର୍ମାଣ କରାଯାଇଥିଲା। ତେବେ ଏହାର କିଛି ବର୍ଷ ପରେ ଲୁହା ବ୍ରିଜ ଆଂଶିକ ନଷ୍ଟ ହୋଇଯାଇଥିଲା। ତା’ପରେ ଏହାର ସମାନ୍ତରାଳ ଭାବରେ ଏକ କଂକ୍ରିଟ୍ ବ୍ରିଜ୍ ନିର୍ମାଣ କରାଯାଇଥିଲା। ଏହି କାରଣରୁ ପୁରୁଣା ବ୍ରିଜରୁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା ଏବଂ ଏହା ଆଉ ବ୍ୟବହୃତ ହେଉ ନଥିଲା। କିନ୍ତୁ ଏବେ ତାକୁ ଦୁର୍ବୃତ୍ତମାନେ ଚୋରୀ କରି ନେଇଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ଜଳସମ୍ପଦ ବିଭାଗର ଜେଇ ପୋଲିସ ଷ୍ଟେସନରେ ଏଫଆଇଆର ପଞ୍ଜିକରଣ କରିଛନ୍ତି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଚୋରମାନଙ୍କୁ ଖୋଜୁଛି।
0 Comments