ପ୍ରିଜମ୍ ନ୍ୟୁଜ(କମଳାକାନ୍ତ ପତି): ଜାତିଭେଦ ବା ଜାତିଆଣ ଭଳି କୁତ୍ସିତ ଚିନ୍ତାଧାରା ଏବେ ସମାଜର ରକ୍ଷଣଶୀଳ ବ୍ୟକ୍ତିମାନଙ୍କ ନିକଟରେ ବସାବାନ୍ଧି ରହିଛି। ଆଧୁନିକ ସଭ୍ୟତା, ଚିନ୍ତାଧାରା ଓ ଚାଲିଚଳନରେ ଅଭିଜାତ୍ୟ, ବିଜ୍ଞାନର ଯଥେଷ୍ଟ ଅଗ୍ରଗତି ସତ୍ତ୍ୱେ ମଣିଷ ମନରୁ ଦୂର ହୋଇ ପାରୁନାହିଁ ଉଚ୍ଚ- ନୀଚ, ସବର୍ଣ୍ଣ -ଅସବର୍ଣ୍ଣର ଅନ୍ଧବିଶ୍ୱାସ। ଫଳରେ ସମାଜରେ ଦେଖା ଦେଉଛି ଜାତିଆଣ ସଂଘର୍ଷ, ହିଂସାକାଣ୍ଡ। ସବର୍ଣ୍ଣ- ଅସବର୍ଣ୍ଣ ବିବାହ ଏହି ଅନ୍ଧ ବିଶ୍ୱାସକୁ ଦୂରେଇ ଦେଇ ପାରିବ ବୋଲି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ଉଚ୍ଚ ଜାତି ଓ ନିମ୍ନ ଜାତି ଯୁବକ- ଯୁବତୀଙ୍କ ବିବାହକୁ ସ୍ୱୀକାର କରି ନିଆଯାଇ ପାରିଲେ ସମାଜରୁ ଜାତିଆଣ କଳଙ୍କ ସବୁଦିନ ପାଇଁ ଲୋପ ପାଇଯିବାର ସମ୍ଭାବନା ରହିଛି। ପରିବାର ବରିଷ୍ଟ ସଦସ୍ୟମାନେ ଏହାକୁ ଗ୍ରହଣ କରିନେଇ ପାରିଲେ, ପୋଲିସ ପ୍ରଶାସନ ଏଦିଗରେ ସକରାତ୍ମକ ପଦକ୍ଷେପ ଗ୍ରହଣ କଲେ ସମାଜରୁ ଜାତିଆଣ ବ୍ୟାଧିର ଉପଶମ ହୋଇ ପାରିବ। ସମ୍ପ୍ରତି ଏକ ମାମଲାର ଶୁଣାଣୀ କରିବାକୁ ଯାଇ ଶୀର୍ଷ ଅଦାଲତ ଏଭଳି ସଂସ୍କାରଧର୍ମୀ ମତ ଦେଇଛନ୍ତି। ଜଣେ ଉଚ୍ଚବର୍ଣ୍ଣ ଯୁବତୀଙ୍କ ପିତାମାତା କରିଥିବା ଆବେଦନକୁ ଅଦାଲତ ଖଣ୍ଡପୀଠ ଅଗ୍ରାହ୍ୟ କରିଦେଇଛନ୍ତି। ଏଠାରେ ମାମଲାଟି ସମ୍ପର୍କରେ ଅବତାରଣାର ଆବଶ୍ୟକତା ରହିଛି।
କର୍ଣ୍ଣାଟକ ବେଲଗାଭି ଜିଲ୍ଲାର ଜଣେ ଉଚ୍ଚ ଶିକ୍ଷିତ ତରୁଣୀ ତାଙ୍କର ପସନ୍ଦର ଜଣେ ନିମ୍ନ ବର୍ଗର ତରୁଣକୁ ବିବାହ କଲେ। ଉଭୟ ହିନ୍ଦୁ ଧର୍ମର। ହେଲେ ଉଚ୍ଚବର୍ଣ୍ଣର ଏହି ତରୁଣୀଙ୍କ ପିତାମାତା ଏହି ବିବାହରେ ସହମତ ନଥିଲେ। ସେମାନେ ଏହି ବିବାହକୁ ବିରୋଧ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଶୀର୍ଷ ଅଦାଲତ ବିଚାରପତି ସଞ୍ଜୟ କିଶାନ କୌଲ ଓ ବିଚାରପତି ହୃଷିକେଶ ରାୟଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରି ତରୁଣୀଙ୍କ ପିତାମାତା କରିଥିବା ଆବେଦନକୁ ଖାରଜ କରିଦେଇଛନ୍ତି। ଏଭଳି ବିବାହ ଦ୍ୱାରା ସମାଜରୁ ଜାତିଭେଦ ବ୍ୟାଧି ଦୂର ହେବ ବୋଲି ମତ ଦେଇଛନ୍ତି। ଏବର ଯୁବପିଢ଼ି ଯଦି ପୁରୁଣାକାଳିଆ ରୀତିନୀତି ଭାଙ୍ଗି ଜାତି ନିର୍ବିଶେଷରେ ନିଜର ପସନ୍ଦର ମଣିଷଙ୍କୁ ବିବାହ କରନ୍ତି, ତେବେ ସମ୍ଭବତଃ ସମାଜରୁ ଜାତିଆଣ ଚିନ୍ତାଧାରା ଦୂର ହେବା ସହ ଏଥିପାଇଁ ହେଉଥିବା ଦଙ୍ଗା ଓ ହିଂସାର ବିଲୋପ ହେବ ବୋଲି ବିଚାରପତିଦ୍ବୟ ମତ ଦେଇଛନ୍ତି। ପ୍ରଶ୍ନ ଉଠୁଛି ରକ୍ଷଣଶୀଳ ସମାଜ, ଉଚ୍ଚବର୍ଣ୍ଣର ଅହଂକାର ଶୀର୍ଷ ଅଦାଲତର ଏହି ମତକୁ କେତେଦୂର ଗ୍ରହଣ କରିପାରିବ ? ଅଭିଜାତ୍ୟରେ ଅହଙ୍କାରୀ ପିତାମାତା ଏବଂ ପରିବାରର ସଦସ୍ୟମାନେ ଚିନ୍ତାଧାରା ବଦଳାଇଦେଇ ପରିବେକି ? ପୁତ୍ର କନ୍ୟା ସେମାନଙ୍କ ପସନ୍ଦରେ ଜୀବନସାଥୀ ବାଛନ୍ତୁ – ଏହି ଚିନ୍ତାଧାରାକୁ ଅନେକ ପରିବାର ଏବେ ମଧ୍ଯ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି। ସେମାନେ ନିମ୍ନ ବର୍ଗରୁ ପ୍ରାର୍ଥୀ ପସନ୍ଦକୁ ଗ୍ରହଣ କରି ପାରିବେକି ? ଏଭଳି ପ୍ରଶ୍ନର ଉତ୍ତର ସମାଜର ସବୁବର୍ଗର ଲୋକେ, ବିଶେଷ କରି ପରିବାରର ବରିଷ୍ଠ ସଦସ୍ୟମାନେ ଖୋଜିବାର ଆବଶ୍ୟକତା ରହିଛି। ଦେଖିବାକୁ ମିଳୁଛି ଯେ, ସମ୍ଭ୍ରାନ୍ତ ପରିବାରରେ ସନ୍ତାନଙ୍କ ବ୍ୟକ୍ତିଗତ ଜୀବନସାଥୀ ଚୟନ ଇଚ୍ଛାକୁ ଅଧିକାଂଶ କ୍ଷେତ୍ରରେ ସ୍ୱୀକୃତି ମିଳୁନାହିଁ। ଏଭଳି କ୍ଷେତ୍ରରେ ‘ଅନର କିଲିଂ’ ବା ସମ୍ମାନ ପାଇଁ ହତ୍ୟା ଭଳି ଘଟଣା ଘଟୁଛି। ଭାରତରେ ଏହାର ନଜିର କିଛି କମ ନୁହେଁ। ସାଧାରଣ ପରିବାରରେ ମଧ୍ଯ ପୁତ୍ର କନ୍ୟାଙ୍କ ପସନ୍ଦକୁ ଅନେକ କ୍ଷେତ୍ରରେ ନାପସନ୍ଦ କରାଯାଉଛି। ଉତ୍ତର ଭାରତରେ ଖାପ ପଂଚାୟତ ବ୍ୟବସ୍ଥା ପ୍ରେମ ବିବାହରେ ପ୍ରତିବନ୍ଧକ ସୃଷ୍ଟି କରୁଛି। ଅନ୍ୟ ଏକ ପ୍ରସଙ୍ଗ ଆସିଛି ‘ଲଭ ଜିହାଦ’। ଉତ୍ତର ପ୍ରଦେଶ, ରାଜସ୍ଥାନ, ମଧ୍ଯ ପ୍ରଦେଶ ଭଳି ରାଜ୍ୟରେ ଲଭ ଜିହାଦ ରାଜନୀତିର ପଶାପାଲିକୁ ଆସିଯାଇଛି। ଆନ୍ତଧର୍ମ ବିବାହକୁ ବିରୋଧ କରି ଏହି ରାଜ୍ୟ ସରକାରମାନେ ଆଇନ ପ୍ରଣୟନ କରିସାରିଲେଣି। କୌଣସି ମୁସଲମାନ ଯୁବକ ଯଦି ପ୍ରେମ କରି ହିନ୍ଦୁ ଯୁବତୀକୁ ବିବାହ କରୁଛି, ତାହାକୁ ଲଭ ଜିହାଦ ବୋଲି ଆଖ୍ୟା ଦିଆଯାଉଛି। ହିନ୍ଦୁ କନ୍ୟାଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରିବା ଅପରାଧ ବୋଲି ବିବେଚନା କରାଯାଇ ସମ୍ପୃକ୍ତ ମୁସଲମାନ ଯୁବକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲଭ ଜିହାଦ ବିରୋଧୀ ଆଇନର ଉଦ୍ଦେଶ୍ୟ। ଯଦିଓ ଅଦାଲତ ଏହି ଆଇନକୁ ସ୍ୱୀକୃତି ଦେଇନାହିଁ, ମାତ୍ର ସମ୍ପୃକ୍ତ ରାଜ୍ୟ ସରକାର ଗୁଡ଼ିକ ଲଭ ଜିହାଦକୁ ନେଇ ରାଜନୀତି କରିବାକୁ ଆଗେଇ ଆସିଛନ୍ତି।
ସୁପ୍ରିମକୋର୍ଟ ୨୦୧୭ରେ ଏକ ରାୟ ଦେଇ ସ୍ପଷ୍ଟ କରି ଦେଇଥିଲେ ଯେ, ପସନ୍ଦର ପାତ୍ର ପାତ୍ରୀଙ୍କୁ ଜୀବନସାଥୀ ବାଛିବାର ସମ୍ପୂର୍ଣ୍ଣ ଅଧିକାର ସାବାଳକ ଯୁବକ ଯୁବତୀଙ୍କ ରହିଛି। ଏଭଳି ରାୟ ଦେବାବେଳେ ସର୍ବୋଚ୍ଚ ଅଦାଲତର ବିଚାରପତି ଜାତି, ଧର୍ମ, ବର୍ଣ୍ଣ, ଉଚ୍ଚ, ନୀଚର ଭେଦଭାବ ଦର୍ଶାଇ ନାହାନ୍ତି। ଯଦି ଶୀର୍ଷ କୋର୍ଟ ଏଭଳି ରାୟ ଦେଇଛନ୍ତି ତେବେ ଏହାକୁ ସମାଜର ସବୁ ବର୍ଗ ସମ୍ମାନ ଜଣାଇବା ଉଚିତ ନୁହେଁ କି ? କେତେକ ରାଜ୍ୟ ସରକାର ଲଭ ଜିହାଦ ବିରୋଧୀ ଆଇନ ଆଣି ଆନ୍ତଧର୍ମ ପ୍ରେମରେ ପ୍ରତିବନ୍ଧକ ଲଗାଉଛନ୍ତି କାହିଁକି ? ସମାଜର ବଡ଼ ପଣ୍ଡାମାନେ ସବର୍ଣ୍ଣ ଅସବର୍ଣ୍ଣ, ଉଚ୍ଚ ନୀଚ ଭେଦଭାବ ସୃଷ୍ଟି କରି ବିଭେଦ ସୃଷ୍ଟି କରୁଛନ୍ତି କାହିଁକି ? ଏହି ମାନସିକତାର ପରିବର୍ତ୍ତନ ହେବା ଆବଶ୍ୟକ। ଅଦାଲତ ତାଙ୍କ ରାୟ ଦେଇ କାମ ସାରିଦେଇଛନ୍ତି। ଏହାକୁ କାର୍ଯ୍ୟକାରୀ କରିବା ହେଉଛି ସରକାର, ପୋଲିସ ପ୍ରଶାସନ, ସାଧାରଣ ଜନତା, ସର୍ବୋପରି ପରବାର ସଦସ୍ୟଙ୍କ କର୍ତ୍ତବ୍ୟ। ଅନେକ ସମୟରେ ପୋଲିସ ମଧ୍ଯ ନବ ଦମ୍ପତିଙ୍କୁ ସାହାଯ୍ୟ କରିବା ବଦଳରେ ବିବାହକୁ ବିରୋଧ କରୁଥିବା ପିତାମାତାଙ୍କ କଥାରେ ପରିଚାଳିତ ହେଉଥିବା ଦେଖିବାକୁ ମିଳୁଛି। ଯାହା ଫଳରେ ନବ ବିବାହିତ ଯୁବକ ଯୁବତୀ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ବେଲଗାଭି ଜିଲ୍ଲାର ଏହି ନବ ବିବାହିତଙ୍କ କ୍ଷେତ୍ରରେ ତାହା ହିଁ ଘଟିଛି। ବୟାନ ରେକର୍ଡ ପାଇଁ ଥାନାକୁ ଗଲେ ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ଲେଖିକରି ଦେଇଥିଲେ ମଧ୍ଯ ତଦନ୍ତକରି ଅଧିକାରୀ ସେମାନଙ୍କୁ ଥାନାକୁ ଆସିବାକୁ ବାଧ୍ୟ କରିଥିଲେ। ଏନେଇ ଅଦାଲତ କ୍ଷୋଭ ପ୍ରକାଶ କରିବା ସହ ତଦନ୍ତକାରୀ ଅଧିକାରୀଙ୍କର କାଉନ୍ସେଲିଂ ଆବଶ୍ୟକ ବୋଲି ମତ ଦେଇଛନ୍ତି। ଏହି ଘଟଣାରୁ ସ୍ପଷ୍ଟ ହେଉଛି ଯେ, ପୋଲିସ ମଧ୍ଯ କୁ-ସଂସ୍କାରକୁ ସମାଜରୁ ହଟାଇବା ସକାଶେ ତତ୍ପର ନୁହେଁ।