ପ୍ରିଜମ୍ ନ୍ୟୁଜ (କମଳାକାନ୍ତି ପତି): ହୁ ହୁ ହୋଇ ବଢୁଛି ପେଟ୍ରୋଲ ଡିଜେଲ ଦର। ଦାମରେ ଶତକ ପୂରଣ ପାଇଁ ଆଉ ମାତ୍ର କିଛି ଦିନ ବାକି। ସମାନ ଭାବେ ତାଳ ଦେଇ ବଢ଼ାଇ ଦିଆଯାଉଛି ରନ୍ଧନ ଗ୍ୟାସ ଦର। ଏହି ପରିପ୍ରେକ୍ଷୀରେ ସୋମବାର, ଫେବ୍ରୁଆରୀ ୧୫ରେ ଓଡ଼ିଶା କଂଗ୍ରେସର ୬ ଘଣ୍ଟିଆ ଆନ୍ଦୋଳନକୁ ଦେଖି ଅନେକଙ୍କ ମନରେ ପ୍ରଶ୍ନ, ଏହା କ’ଣ ହ୍ରାସ କରିପାରିବ ବର୍ଦ୍ଧିତ ତୈଳ ଦର ? କମାଇପାରିବ ହାଣ୍ଡିଶାଳର ମହଙ୍ଗା ବୋଝ ? ଏହାର ଉତ୍ତରରେ କେବଳ ଶୁଣିବାକୁ ମିଳିବ ନାହିଁ। କାରଣ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାର। ତୈଳ ମନ୍ତ୍ରୀ ଜଣେ ଓଡ଼ିଆ। ଅଭିଯୋଗ ଉଠୁଛି, ଏମାନଙ୍କର ଗୋଟିଏ ଲକ୍ଷ୍ୟ ସାଧାରଣ ଜନତାଙ୍କୁ ଶୋଷଣ।
ତୈଳ ଦର ବୃଦ୍ଧି କେବଳ ଆଖିକୁ ଦିଶୁଛି। ପରୋକ୍ଷରେ ଅତ୍ୟାବଶ୍ୟକ ସାମଗ୍ରୀ ସମେତ ସବୁ ଦ୍ରବ୍ୟର ମୂଲ୍ୟ ବଢୁଛି। ନିନ୍ଦୁକମାନେ କହିବା ଆରମ୍ଭ କଲେଣି ସରକାର ଦରବୃଦ୍ଧି ଆଢୁଆଳରେ ଲୋକଙ୍କ ଉପରୁ କୋଭିଡ୍ ଜନିତ ଖର୍ଚ୍ଚ ଉଠାଉଛନ୍ତି। ନହେଲେ କ’ଣ ମାଗଣାରେ ଦେଇପାରନ୍ତେ କୋଭିଡ୍ ପ୍ରତିଷେଧକ ? ଦେଖାଇ ପାରନ୍ତେ ସୁଦିନ (ଅଛେ ଦିନ )ର ସ୍ବପ୍ନ। ଆଗକୁ ଚାରି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ନିର୍ବାଚନ। ତଥାପି କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାରର ପରବାଏ ନାହିଁ। ପାର୍ଲିଆମେଣ୍ଟରେ ତୈଳ ଦରବୃଦ୍ଧି କଥା ଉଠିଲା। କିଛି କ’ଣ ଫରକ୍ ପଡ଼ିଲା ସରକାରଙ୍କୁ ? ବରଂ ତୈଳମନ୍ତ୍ରୀ ବିଭିନ୍ନ ଆଳ ଦେଖାଇ ବିରୋଧୀଙ୍କୁ ଚୁପ୍ କରାଇ ଦେଲେ। ଏହି ପରିସ୍ଥିତିରେ ଲୋକଙ୍କୁ ଭଗବାନ ଭରସା। ସଂଖ୍ୟା ବଳରେ ବଳିୟାନ ଏ ସରକାର କାହା କଥା ଶୁଣିବା ଅବସ୍ଥାରେ ନାହାନ୍ତି। କାରଣ ମହଙ୍ଗା ମାଡ଼ ସେମାନଙ୍କୁ କୌଣସି ଫରକ ପଡୁନାହିଁ। ମହଙ୍ଗା ଭାର ସମ୍ଭାଳୁଛନ୍ତି ସାଧାରଣ ଜନତା। ଯେଉଁଠି ସଂସଦରେ ମିଳିତ ବିରୋଧୀ ଦଳ ପରାସ୍ତ, ସେଠି ଓଡ଼ିଶା କଂଗ୍ରେସର ଆନ୍ଦୋଳନ କେନ୍ଦ୍ରୀୟସ୍ତରରେ କେତେ ପ୍ରଭାବ ପକାଇ ପାରିବ ? ଏହି ଆନ୍ଦୋଳନ ଓଡ଼ିଶାରେ ସଫଳତା ପାଇଥାଇ ପରେ ମାତ୍ର ସର୍ବଭାରତୀୟ ସ୍ତରରେ ଏହାର ପ୍ରଭାବ କଣ ? ହଁ, ଏଠାରେ କଂଗ୍ରେସ ଏହି ଆନ୍ଦୋଳନ ଜରିଆରେ ତାର ଶକ୍ତି ଦେଖାଇ ଥାଇ ପରେ, କିନ୍ତୁ ତୈଳ ଦର ହ୍ରାସ କରିବା କ୍ଷେତ୍ରରେ ଏହାର କୌଣସି ପ୍ରଭାବ ରହିବ ବୋଲି ଚିନ୍ତା କରିବା କଷ୍ଟକର।
ରାଜ୍ୟରେ କଂଗ୍ରେସ କ୍ରମଶଃ ତାର ସ୍ଥିତି ବିପନ୍ନ କରିଚାଲଛି। ସଂଗଠନ ଅବସ୍ଥା ନ କହିବା ଭଲ। ତୃଣମୂଳସ୍ତରରେ କର୍ମୀ ଭାଙ୍ଗି ଗଲେଣି। ଯେଉଁ କର୍ମୀ ଅଛନ୍ତି, ସେମାନଙ୍କୁ ଉଜ୍ଜୀବିତ କରି ରଖିବା ସକାଶେ ରାଜ୍ୟ କଂଗ୍ରେସ ନେତୃତ୍ୱ ଏମିତି ଏକ ଆନ୍ଦୋଳନକୁ ସଞ୍ଜିବନୀ ଭାବେ ଗ୍ରହଣ କରିଛି ବୋଲି କୁହାଯାଉଛି। ବାସ୍ତବରେ ଏହି ଆନ୍ଦୋଳନ ପ୍ରତି ସାମଗ୍ରିକ ଭାବେ କର୍ମୀମାନଙ୍କର କେତେ ଆନ୍ତରିକତା ରହିଛି ତାହା ଆକଳନ କରାଯାଇ ପାରିବ ନାହିଁ। ସେମାନେ କେବଳ ଘୋ’ ରେ ମାଡ଼ିଚାଲିଲେ। ୬ ଘଣ୍ଟିଆ ଆନ୍ଦୋଳନ କାରଣରୁ ସାଧାରଣ ଜନତା ହିଁ ହଇରାଣ ହେବା ସାର ହେଲା। କାରଣ ଏହାର କୌଣସି ପ୍ରଭାବ ବର୍ଦ୍ଧିତ ତୈଳ ଦର ଏବଂ ଏହା ପଛର ବଡ଼ ପଣ୍ଡାମାନଙ୍କ ଉପରେ ପଡ଼ିବାର ନାହିଁ। ଏହାବ୍ୟତୀତ ଅନ୍ୟ ଏକ କଥା ହେଉଛି, ତୈଳ ଦର ଆଜି ବଢ଼ିନାହିଁ, ଏହା କ୍ରମାଗତ ଭାବେ ବେଶ କିଛି ମାସ ଧରି ବଢ଼ି ଚାଲିଛି। କେବଳ ଫେବୃୟାରୀ ମାସରେ ଲିଟର ପିଛା ୫ ଟଙ୍କାରୁ ଅଧିକ ବଢ଼ିଲାଣି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ପହିଲାରେ ସାଧାରଣ ବଜେଟ ୨୦୨୧-୨୨ ଉପସ୍ଥାପନ ବେଳେ ପେଟ୍ରୋଲ ଡିଜେଲ ଉପରେ ଯଥାକ୍ରମେ ୨.୫ ଟଙ୍କା ଓ ୪ ଟଙ୍କା କୃଷି ସେସ୍ ଲଗାଇଦେଲେ। କହିଲେ, ଏହାର ପ୍ରଭାବ ଖାଉଟିଙ୍କ ଉପରେ ପଡ଼ିବ ନାହିଁ। କିନ୍ତୁ ଲାଗୁ ସେସ୍ ଠାରୁ ଅଧିକ ବଢ଼ିଲାଣି ତୈଳ ଉପରେ ଦର। ଏହା କ’ଣ ସେତେବେଳେ କଂଗ୍ରେସ ଓ ବାମଦଳ ନେତାଙ୍କୁ ଦେଖାଯାଇ ନଥିଲା। ଏବେ ନେଡ଼ିଗୁଡ଼ କହୁଣିକୁ ବୋହି ଯାଉଥିବା ବେଳେ ସେମାନେ ଆନ୍ଦୋଳନ ପାଇଁ ବାହାରି ଆସିଲେ। ଏଭଳି ଲୋକଦେଖାଣିଆ, ଲୋକଙ୍କୁ ହଇରାଣ କରିବା ପାଇଁ ଆନ୍ଦୋଳନ କାହିଁକି ? ତୈଳ ଦରରେ ଲଗାମ ଲଗାଇବା ପାଇଁ କେନ୍ଦ୍ର ସରକାରଙ୍କର କୌଣସି ଇଛା ନଥିବା ଗତ ୧୦ ତାରିଖରେ ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସଂସଦରେ ଉତ୍ତରରୁ ସ୍ପଷ୍ଟ ହେଲା। ବାସ୍ତବ ସମସ୍ୟାକୁ ଅଣଦେଖା କରି ପ୍ରଧାନ କହିଲେ ଯେ, ବିରୋଧୀ ତୈଳ ଦରକୁ ନେଇ ଅପପ୍ରଚାର ଚଳାଇଛନ୍ତି। ତୈଳ ମନ୍ତ୍ରୀଙ୍କର ଏହି ‘ଅପପ୍ରଚାର’ ଶବ୍ଦର ଅର୍ଥ ବୁଝିବାକୁ ସାଧାରଣ ଜନତା ଅକ୍ଷମ। ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ପୂର୍ବାପେକ୍ଷା ଯଥେଷ୍ଟ କମ୍ ରହିଛି। ଏହା କ’ଣ ଅପପ୍ରଚାର ? ଦେଶରେ ତୈଳ ଦର ଆକାଶ ଛୁଆଁ ହେଲାଣି, ସବୁ ପୂର୍ବ ରେକର୍ଡ ଭାଙ୍ଗିଲାଣି, ଏହା କଣ ଅପପ୍ରଚାର ? ପ୍ରଧାନ କହିଲେ, ବିଶ୍ୱ ବଜାର ତୈଳ ଦର ସହ ତୁଳନା କରି ଯେଉଁ ହିସାବ ଦର୍ଶାଯାଉଛି ତାହା ଭୁଲ ବ୍ୟାଖ୍ୟା। ପ୍ରକୃତରେ ଅଶୋଧିତ ତୈଳ ଏବଂ ବିଶ୍ୱ ବଜାରରେ ଏହି ଦୁଇ ଇନ୍ଧନର ଦର ହିସାବ ପରିପ୍ରେକ୍ଷୀରେ ଦେଶରେ ତୈଳ ଦର ପ୍ରଭାବିତ ହେଉଛି। ଯଦିଓ ପରିସଂଖ୍ୟାନରୁ ତୈଳ ଦର ବୃଦ୍ଧି ରେକର୍ଡ ସ୍ପଷ୍ଟ, ସେକ୍ଷେତ୍ରରେ ମନ୍ତ୍ରୀଙ୍କ ଉତ୍ତରରେ ବିସ୍ମିତ ହେବାକୁ ପଡୁଛି। ପ୍ରଧାନ ଏହା ମଧ୍ଯ ସ୍ପଷ୍ଟ କରିଦେଇଛନ୍ତି ଯେ, ବର୍ତ୍ତମାନ ଶୁଳ୍କ ହ୍ରାସର କୌଣସି ପ୍ରସ୍ତାବ ସରକାରଙ୍କର ନାହିଁ। ରାଜ୍ୟ ଗୁଡ଼ିକ ତୈଳ ଉପରେ ଭାଟ୍ ଲଗାଇ ବସିଛନ୍ତି। ତୈଳ ମନ୍ତ୍ରୀ ଏହା ମନେ ପକାଇଦେବାର ହେତୁ ହେଉଛି, ରାଜ୍ୟ ଗୁଡ଼ିକ ଭାଟ୍ କମାଇ ତୈଳ ଦରକୁ ନିମ୍ନଗାମୀ କରନ୍ତୁ। ପ୍ରଧାନଙ୍କର ଏହି ଯୁକ୍ତି ରାଜ୍ୟ ଗୁଡ଼ିକୁ ଆଶ୍ଚର୍ଯ୍ୟ କରୁଛି। କେନ୍ଦ୍ର ସରକାର ସେସ୍ ବସାଇ ରାଜସ୍ବ ଆଦାୟ କରି ରାଜକୋଷ ଭରିବେ, ରାଜ୍ୟ ଗୁଡ଼ିକ ଭାଟ୍ କମାଇ ରାଜସ୍ବ ଉଜାଡ଼ିବେ।
କେନ୍ଦ୍ର-ରାଜ୍ୟର ଏହି ଟଣାଓଟରାରେ ବୋଝ ବୋହି ଚାଲିଛନ୍ତି ସାଧାରଣ ଜନତା। ଏଭଳି ସ୍ଥିତିରେ ତୈଳ ଦରବୃଦ୍ଧି ବିରୋଧରେ କଂଗ୍ରେସ ଆନ୍ଦୋଳନର ଫଳ କ’ଣ ? ବାସ୍ତବ ପରିସଂଖ୍ୟାନ କହୁଛି ୨୦୧୪ ମେ’ ମାସ ଠାରୁ ମୋଦି ସରକାର ଗତ ୬ ବର୍ଷରେ ପେଟ୍ରୋଲ ଦର ପ୍ରାୟ ୨୫୦% ଓ ଡିଜେଲ ଦର ପ୍ରାୟ ୮୦୦% ବଢ଼ାଇଛନ୍ତି। ପ୍ରତିଥର ବିଶ୍ୱ ବଜାରରେ ଅଶୋଧିତ ତୈଳ ଶସ୍ତା ଥିବା ସତ୍ତ୍ୱେ ସରକାର ଶୁଳ୍କ ବଢ଼ାଇଛନ୍ତି। ଲୋକଙ୍କୁ ତୈଳ ଦର ହ୍ରାସର ସୁବିଧା ଦିଆଯାଇନାହିଁ। ବଜେଟରେ ମୂଳ ଉତ୍ପାଦନ ଶୁଳ୍କ ଓ ଅତିରିକ୍ତ ଉତ୍ପାଦନ ଶୁଳ୍କ ହ୍ରାସ କରାଯାଇଥିଲେ ମଧ୍ଯ କୃଷି ଭିତ୍ତିଭୂମି ଉନ୍ନୟନ ସେସ୍ ଲାଗୁ କରି ଦିଆଯାଇଛି। ଫଳରେ ତୈଳ ଦର ବଢ଼ି ବଢ଼ି ଚାଲିଛି। ତୈଳ ମନ୍ତ୍ରୀଙ୍କ ବାହାଦୂରୀ ହେଉଛି ସରକାର ୨୦୧୭ ଏବଂ ୨୦୧୮ରେ ଯଥାକ୍ରମେ ୨ ଟଙ୍କା ଓ ୧.୫ ଟଙ୍କା ଉତ୍ପାଦନ ଶୁଳ୍କ ହ୍ରାସ କରିଥିଲେ। ଗତ ୩ଶହ ଦିନ ମଧ୍ୟରୁ ୬୦ ଦିନ ତୈଳ ଦର ବଢିଛି। ପେଟ୍ରୋଲ ୭ ଦିନ ଓ ଡିଜେଲ ୨୧ ଦିନ ଦର କମିଛି। ୨୫୦ ଦିନ ଦର ଅପରିବର୍ତ୍ତିତ ରହିଛି। ତୈଳ ମନ୍ତ୍ରୀଙ୍କ ଏହି ପରିସଂଖ୍ୟାନ ଯେତିକି ବାସ୍ତବ, ସେତିକି ହାସ୍ୟକର ବୋଲି ତଥ୍ୟଭିଜ୍ଞ ମହଲ ମତ ଦେଉଛି। ପ୍ରଶ୍ନ ଉଠୁଛି, କେନ୍ଦ୍ର ସରକାର କ’ଣ ସବୁଦିନ ତୈଳ ଦର ବୃଦ୍ଧି ହୋଇଥିଲେ ଖୁସି ହୋଇଥାନ୍ତେ ?