ଗର୍ଭଧାରଣ ଦିନଠାରୁ ଏବଂ ଜନ୍ମ ପରେ ଦୁଇବର୍ଷ ପର୍ଯ୍ୟନ୍ତ ମନୁଷ୍ୟ ଜୀବନର ଅତି ଗୁରୁତ୍ୱପୂର୍ଣ୍ଣ ସମୟ । ଏଇ ପ୍ରଥମ ହଜାର ଦିନରେ ଶରୀରରେ ମସ୍ତିଷ୍କର ବିକାଶ ମଧ୍ୟ ହୋଇଥାଏ । ଏହି ସମୟରେ ଶିଶୁମାନଙ୍କଠାରେ ପୁଷ୍ଟିହୀନତା ଦୂର କରିବା ପାଇଁ ୨୦୧୮ ମସିହା ଆରମ୍ଭରୁ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ର ସରକାରଙ୍କ ମୁଖ୍ୟ ଯୋଜନା ଭାବରେ “ପୋଷଣ ଅଭିଯାନ” କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହୋଇଛି । ଏହି କାର୍ଯ୍ୟକ୍ରମରେ ଶିଶୁ, କିଶୋର, ସ୍ତନ୍ୟପାନ କରାଉଥିବା ମା’ ଏବଂ ଗର୍ଭବତୀମାନଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ଏଥିପାଇଁ ଦକ୍ଷତା ବିକାଶ, ଉତ୍ତମ ମାନର ସେବା ଯୋଗାଇବା, ଗୋଷ୍ଠୀଗତ ଭାବରେ ଲୋକଙ୍କ ଯୋଗଦାନକୁ ଉତ୍ସାହିତ କରିବା, ବୈଷୟିକ କୌଶଳର ବ୍ୟବହାର, ଆନ୍ତଃ ମନ୍ତ୍ରଣାଳୟ ଏବଂ ଆନ୍ତଃବିଭାଗୀୟ ସମ୍ପୃକ୍ତି ବୃଦ୍ଧି କରାଯାଊଛି । ଏ କ୍ଷେତ୍ରରେ ସଫଳତାର ସମୀକ୍ଷା ମଧ୍ୟ ହେଉଛି ।
ପୁଷ୍ଟିହୀନତା ଦୂରୀକରଣ କାର୍ଯ୍ୟ ଗୁଡିକ ମାଧ୍ୟମରେ ଶିଶୁ ମୃତ୍ୟୁହାର କମାଇବା, ରୋଗ ପ୍ରତିରୋଧକ ଶକ୍ତି ବଢାଇବା, ଏହି କାର୍ଯ୍ୟକ୍ରମର ଏକମାତ୍ର ଲକ୍ଷ୍ୟ ନୁହେଁ, ବରଂ ମାନବ ଶରୀରର ସର୍ବାଧିକ ବିକାଶ ଲକ୍ଷ୍ୟ ମଧ୍ୟ ରହିଛି । ମାନବ ଶରୀର ବିକାଶ କ୍ଷେତ୍ରରେ ପୁଷ୍ଟି ଉପରେ ଗୁରୁତ୍ୱ ଦେବା ଦ୍ୱାରା ପିଢି ପିଢି ଧରି ଲାଗି ରହିଥିବା ଦାରିଦ୍ର୍ୟ ଦୂର ହେବା ସହିତ ଅର୍ଥନୀତିକ ପ୍ରଗତି ହାସଲ ହୋଇଥାଏ । ଗର୍ଭଧାରଣ ଦିନଠାରୁ ପ୍ରଥମ ହଜାରେ ଦିନ, ମନୁଷ୍ୟ ଜୀବନରେ ଗୁରୁତ୍ୱପୂର୍ଣ୍ଣ ସମୟ । ଏହି ହଜାର ଦିନର ଯତ୍ନରେ ଶରୀରର ସର୍ବାଧିକ ବୃଦ୍ଧି, ଶିଶୁ ମୃତ୍ୟୁ ରୋକିବା ଏବଂ ଜୀବନବ୍ୟାପୀ ସ୍ୱାସ୍ଥ୍ୟ ତଥା ପୁଷ୍ଟିର ସୁରକ୍ଷା ହୋଇଥାଏ । ଗର୍ଭାବସ୍ଥାରେ ପୁଷ୍ଟି ପୂରଣ, ଶିଶୁ ଏବଂ କିଶୋର ଅବସ୍ଥାରେ ପୁଷ୍ଟି ଉପରେ ଗୁରୁ୍ତ୍ୱ ଦେବା ଦ୍ୱାରା ଶିଶୁ ମୃତ୍ୟୁ ରୋକାଯାଇ ପାରିବା ସହିତ ବିଭିନ୍ନ ରୋଗରୁ ଶିଶୁକୁ ସୁରକ୍ଷା ମିଳୁଥିବା ପ୍ରମାଣିତ ହୋଇଛି । ଆହୁରି ମଧ୍ୟ ବୌଦ୍ଧିକ ବିକାଶରେ ଏହା ସହାୟକ ହୋଇଥାଏ, ଶିକ୍ଷା ଗ୍ରହଣ ଓ ଜ୍ଞାନ ଆହରଣରେ ସାହାଯ୍ୟ କରେ ତଥା ଯୌବନରେ ପ୍ରଜନନ କ୍ଷମତାକୁ ବୃଦ୍ଧି କରାଇଥାଏ । ବାସ୍ତବ ପକ୍ଷରେ ଜୀବନର ପ୍ରଥମ ହଜାରେ ଦିନରେ ମସ୍ତିଷ୍କର ଶତକଡା ୮୦ଭାଗ ଗଠନ ହୋଇଥାଏ । ଶୈଶବର ସାମଗ୍ରିକ ବିକାଶ ପୁଷ୍ଟି ଉପରେ ନିର୍ଭର କରେ ।
ପୋଷଣ ଅଭିଯାନ କାର୍ଯ୍ୟକ୍ରମକୁ ଭାରତ ସରକାର ସର୍ବାଧିକ ପ୍ରାଥମିକତା ଦେଇଛନ୍ତି । ପୁଷ୍ଟିହୀନତା ଦୂରୀକରଣରେ ସରକାରଙ୍କର ଦୃଢ ରାଜନୀତିକ ଇଚ୍ଛାଶକ୍ତି ଏବଂ ପ୍ରତିଶ୍ରୁତିବଦ୍ଧତା ପ୍ରତିଫଳିତ ହୋଇଛି । ଜୀବନରେ ପ୍ରଥମ ହଜାରେ ଦିନ ଉପରେ ଗୁରୁତ୍ୱ ଦେଇ ଏକ ସଠିକ ପଦକ୍ଷେପ ସରକାର ଦେଇଛନ୍ତି । ଜୀବନର ପ୍ରଥମ ହଜାରେ ଦିନ ପୁଷ୍ଟି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଥିବା ପ୍ରମାଣିତ ହୋଇଛି । ତେଣୁ ସମଗ୍ର ଦେଶରେ ଏହି କାର୍ଯ୍ୟକ୍ରମକୁ ନିରନ୍ତର ଭାବରେ ସବୁ ସ୍ଥାନରେ ଉତ୍ତମ ଗୁଣବତ୍ତା ସହ କାର୍ଯ୍ୟକାରୀ କରାଯାଉଛି ।
ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ -୫ ଅନୁଯାୟୀ ଜଣାପଡିଛି ଯେ ହଜାର ଦିନରେ ପୁଷ୍ଟି ସାଧନ କାର୍ଯ୍ୟକ୍ରମରେ ଗର୍ଭବତୀଙ୍କ ପଞ୍ଜୀକରଣ, ପ୍ରସବ ପରବର୍ତ୍ତୀ ଯତ୍ନ, ସ୍ତନ୍ୟପାନ ଉପରେ ଗୁରୁତ୍ୱ ଆଦି କାର୍ଯ୍ୟକ୍ରମ ୨୦୧୫-୧୬ ତୁଳନାରେ ଯଥେଷ୍ଟ ଉନ୍ନତି ହୋଇଛି ।
ଏ କ୍ଷେତ୍ରରେ ଆଶା ଏବଂ ଅଙ୍ଗନବାଡି କର୍ମୀମାନଙ୍କରେ ଦକ୍ଷତା ବୃଦ୍ଧି କରାଯାଇ ଅନେକ ସଫଳତା ହାସଲ କରାଯାଇଥିବାର ପ୍ରମାଣ ରହିଛି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଗଧାଡିର ଏହି କର୍ମୀମାନେ ଗର୍ଭଧାରଣ ଦିନଠାରୁ ହଜାର ଦିନ ପର୍ଯ୍ୟନ୍ତ ନିୟମିତ ଭାବରେ, ମା’ ଓ ଶିଶୁମାନଙ୍କ ପୁଷ୍ଟି ସାଧନ ନିମନ୍ତେ ବ୍ୟବହାରଗତ ପରିବର୍ତ୍ତନ ସମ୍ପର୍କୀତ ପରାମର୍ଶ ଦେଉଛନ୍ତି ।
ଉତ୍ତରପ୍ରଦେଶର ବରାଉଚ୍ ଜିଲ୍ଲାର ଜରୱାଲ ବ୍ଲକରେ ଏକ ଦୁର୍ଗମ ଗ୍ରାମରେ ଗତ ମାର୍ଚ୍ଚ ୨୦୨୨ରେ ପୋଷଣ ପକ୍ଷ ପାଳନ ଅବସରରେ ଦେଖାଯାଇଥିଲା ଯେ ଯୁଗ ଯୁଗ ଧରି ରହିଥିବା ଭୁଲ ଧାରଣା ପରିତ୍ୟାଗ କରି ଦୁଇବର୍ଷ ବୟସରୁ କମ୍ ଶିଶୁଥିବା ସମସ୍ତ ପରିବାରବର୍ଗ ଅଙ୍ଗନବାଡି କେନ୍ଦ୍ରକୁ ଶିଶୁଙ୍କର ଓଜନ ପରୀକ୍ଷା ପାଇଁ ଆସିଥିଲେ । ଏହା ଅଙ୍ଗନବାଡି କର୍ମୀମାନଙ୍କର କ୍ରମାଗତ ବହୁମୁଖି ଉଦ୍ୟମ ଯୋଗୁ ସମ୍ଭବ ହୋଇଥିଲା । ଏଥିରେ ମହିଳା ପରିଦର୍ଶକମାନଙ୍କର ସହଯୋଗ ଥିଲା । ସେମାନେ ଶିଶୁଙ୍କର ପିତାମାତାଙ୍କର ସହିତ ସେମାନଙ୍କ ଜେଜେବାପା, ଜେଜେମା ମାନଙ୍କୁ ମଧ୍ୟ ନିୟମିତ ଶିଶୁ ଓଜନ ପରୀକ୍ଷାର ଉପକାରିତା ବୁଝାଇବାରେ ସଫଳ ହୋଇଥିଲେ । ପଞ୍ଚାୟତ ପ୍ରଧାନ ମହିଳା ସୁପରଭାଇଜର ଏବଂ ଅଙ୍ଗନବାଡି କର୍ମୀମାନଙ୍କୁ ସମର୍ଥନ ଓ ସହାୟତା କରିଥିଲେ । ପୋଷଣ ପକ୍ଷ ପାଳନ ପୂର୍ବରୁ ଏକ ସାଧାରଣ ସଭାର ଆୟୋଜନ ପଞ୍ଚାୟତ ପ୍ରଧାନ କରିଥିଲେ । ଏଥିରେ ଅଙ୍ଗନବାଡି କର୍ମୀ, ଆଶା, ସ୍କୁଲ ଶିକ୍ଷକ, ନେତୃସ୍ଥାନୀୟ ବ୍ୟକ୍ତି ଯୋଗଦେଇଥିଲେ । ଏହି ସଭାରେ ଶିଶୁଙ୍କ ଓଜନ ପରୀକ୍ଷାର ଉପକାରିତା, କମ୍ ଓଜନ ହେଲେ ଏହାର ପରିଣତି ଏବଂ ଏଭଳି ଅବସ୍ଥା ହେବାର ବହୁ ପୂର୍ବରୁ ପୋଷଣ ସମ୍ପର୍କୀତ ସ୍ଥିତି ଜାଣି ହେବ ବୋଲି ସେ କହିଥିଲେ । ଠିକ୍ ସେହିପରି ଉନାଓ ଜିଲ୍ଲାର ସିକନ୍ଦରପୁର କଲାଁ ବ୍ଲକରେ ଅଙ୍ଗନବାଡି କର୍ମୀମାନଙ୍କୁ ଶିଶୁଙ୍କର ଓଜନ ମାପିବା ସମ୍ପର୍କୀତ ତାଲିମ ମହିଳା ସୁପରଭାଇଜରମାନେ ଦେଇଛନ୍ତି ଓ ଓଜନ ମାପିବା ଯନ୍ତ୍ର ମଧ୍ୟ ସେମାନଙ୍କ ନିକଟରେ ପହଞ୍ଚାଇ ଦେଇଛନ୍ତି । ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟକ୍ରମ ଅଧୀନରେ “ୱାଜାଁ ଶପଥ”କାର୍ଯ୍ୟକ୍ରମରେ ସବୁ ଶିଶୁଙ୍କର ଓଜନ ମପାଯିବା ଅବସରରେ ସୁପରଭାଇଜରମାନେ ଏହା ପ୍ରକାଶ କରିଥିଲେ ।
ସ୍ୱାସ୍ଥ୍ୟ କ୍ଷେତ୍ରରେ ସମ୍ମୁଖ ସ୍ତରରେ କର୍ମୀମାନେ ଉତ୍ତରପ୍ରଦେଶରେ ଏହି କାର୍ଯ୍ୟକ୍ରମରେ ସଫଳ ହୋଇଛନ୍ତି । ସୁପରଭାଇଜର, ଅଙ୍ଗନବାଡି କର୍ମୀ, ଆଶାମାନଙ୍କ ମିଳିତ ଉଦ୍ୟମରେ ଏହା ହୋଇପାରିଛି । ଉତ୍ତରପ୍ରଦେଶ ପରି ବିହାରର ସୀତାମାଢୀ ଜିଲ୍ଲାର ନେପାଳ ସୀମାକୁ ଲାଗି ରହିଥିବା ଏକ ଦୁର୍ଗମ ଗ୍ରାମରେ ପ୍ରତି ମାସ ଶିଶୁଙ୍କର ଓଜନ ପରୀକ୍ଷା କରାଯାଇ ମା’ ଓ ଶିଶୁଙ୍କର ସ୍ୱାସ୍ଥ୍ୟଯତ୍ନ ନିଆଯାଉଛି । ଏହା ଫଳରେ ଶୁଭମ୍ ଭଳି ଶିଶୁମାନେ ସୁନ୍ଦର ଏବଂ ସ୍ୱାସ୍ଥ୍ୟବାନ ହୋଇ ବଢୁଛନ୍ତି । ବୟସ ଅନୁସାରେ ସେମାନଙ୍କର ଓଜନ ଠିକ୍ ରହୁଛି । ପୂର୍ବରୁ ଶୁଭମ୍ର ଓଜନ ବୟସ ତୁଳନାରେ କମ୍ ଥିଲା, ତା’ ମା’ଙ୍କୁ ଠିକ୍ ସମୟରେ ପରାମର୍ଶ ଦେଇ ସ୍ତନ୍ୟପାନ ସମ୍ପର୍କରେ ପରାମର୍ଶ ଦିଆଯିବା ଯୋଗୁଁ ତା’ର ସ୍ୱାସ୍ଥ୍ୟ ଠିକ୍ ରହିଲା । ସ୍ଥାନୀୟ ଅଙ୍ଗନବାଡି କର୍ମୀ, ଆଶା ଏବଂ ସୁପରଭାଇଜରଙ୍କ ପରାମର୍ଶକ୍ରମେ ଶୁଭମ୍କୁ ବ୍ଲକରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବାକୁ କୁହାଯାଇଥିଲା । ସେଠାରେ ଯତ୍ନ ନିଆଯାଇ ବିଭିନ୍ନ ସଂକ୍ରମଣରୁ ଶିଶୁଟିକୁ ସୁରକ୍ଷା ଦିଆଯାଇଥିଲା ।
ଶିଶୁମାନଙ୍କର ପୋଷଣ ସମ୍ପର୍କୀତ କାର୍ଯ୍ୟକ୍ରମକୁ ସଂଗଠିତ ଏବଂ ପ୍ରଭାବଶାଳୀ କରିବା ପାଇଁ ସ୍ୱାସ୍ଥ୍ୟସେବାର ଆଗଧାଡିର କର୍ମୀମାନଙ୍କୁ ତାଲିମ ଦିଆଯିବା ସହିତ ଲୋକଙ୍କୁ ଏହି କାର୍ଯ୍ୟକ୍ରମରେ ସହଯୋଗ କରିବାକୁ ଆଗ୍ରହୀ କରାଯିବାର ଆବଶ୍ୟକତା ରହିଛି । ଏହା ଫଳରେ ଜୀବନର ପ୍ରଥମ ହଜାରେ ଦିନ ସମ୍ପର୍କୀତ କାର୍ଯ୍ୟକ୍ରମ ଦୀର୍ଘସ୍ଥାୟୀ ଓ ପ୍ରଭାବଶାଳୀ ହୋଇପାରିବ । ସଶକ୍ତ ସମାଜ ପାଇଁ ଆଗଧାଡିର ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ ଦେବା କାର୍ଯ୍ୟକ୍ରମ ସୁଦୃଢ ହେବା ଆବଶ୍ୟକ ।
ଲେଖିକା: ଡଃ ସେବନ୍ତୀ ଘୋଷ (ଭାରତ ସରକାର ଓ ପ୍ରିଜମ ନ୍ୟୁଜ୍ ପକ୍ଷରୁ ଜନହିତରେ ଜାରି)
0 Comments