ପ୍ରିଜମ ନ୍ୟୁଜ ବ୍ୟୁରୋ: ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଯେଉଁମାନେ ନିଜ ଜୀବନକୁ ଜଳାଞ୍ଜଳି ଦେଇଥିଲେ ସେମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ ଗୌରୀଶଙ୍କର ରାୟ । ଆଜିର ଓଡ଼ିଶା ଯାହାଙ୍କ ପାଇଁ ବାସ୍ତବ ରୂପ ନେଇ ପାରିଛି ତାହାର ଅନ୍ୟତମ କର୍ଣ୍ଣଧାର ହେଉଛନ୍ତି ଗୌରୀଶଙ୍କର ରାୟ। ସେ ‘ଉତ୍କଳ ଦୀପିକା’ର ପ୍ରତିଷ୍ଠାତା-ସମ୍ପାଦକ ଯାହାକୁ ଓଡ଼ିଶାବାସୀ ‘କର୍ମବୀର’ ଗୌରୀଶଙ୍କର ରାୟ ଭାବରେ ଜାଣନ୍ତି । ଆଜି କର୍ମବୀରଙ୍କ ଜୟନ୍ତୀ, ଏହି ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।
ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର ତଥା ‘ଉତ୍କଳ ଦୀପିକା’ର ପ୍ରତିଷ୍ଠାତା-ସମ୍ପାଦକ ‘କର୍ମବୀର’ ଗୌରୀଶଙ୍କର ରାୟଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀୀ ଧର୍ମେନ୍ଦ୍ର। ନିଜ ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ କର୍ମବୀରଙ୍କୁ ମନ ପକାଇଛନ୍ତି ।
୧୮୩୮ ମସିହା ଜୁଲାଇ ୧୩ ତାରିଖରେ କଟକଜିଲ୍ଲାର ଦୀକ୍ଷିତପଡ଼ା ଗ୍ରାମରେ ତାଙ୍କର ଜନ୍ମ । ଗ୍ରାମ ଚାଟଶାଳୀରେ ହୋଇଥିଲା ତାଙ୍କର ବିଦ୍ୟାରମ୍ଭ । ପ୍ରାଥମିକ ଶିକ୍ଷା ସାରି ସେ ୧୧ ବର୍ଷ ବୟସରେ ସେ କଟକ ଇଂରାଜୀ ସ୍କୁଲରେ ପଢ଼ିଲେ । ପରେ କଲିକତାର ହୁଗୁଳିଠାରେ ଉଚ୍ଚଶିକ୍ଷା ଗ୍ରହଣ କଲେ । ଶିକ୍ଷା ଶେଷକରି ସେ ପ୍ରଥମେ ବାଲେଶ୍ୱର ସ୍କୁଲରେ ଶିକ୍ଷକତା କଲେ । ପରେ କଟକ ଆସି ମନିଅର୍ଡର ଏଜେଣ୍ଟ୍ ଭାବେ କାର୍ଯ୍ୟ କଲେ ।
କର୍ମବୀର ଗୌରୀଶଙ୍କର ରାୟ ଓଡ଼ିଆ ସାମ୍ବାଦିକତାର ଅବିସ୍ମରଣୀୟ ପ୍ରତିଭା। ଜ୍ଞାନର ପ୍ରସାର ପାଇଁ ସେ ବିଚିତ୍ରାନନ୍ଦ ଦାସ ଓ ଲାଲା ଜଗମୋହନ ରାୟଙ୍କ ସହ ମିଶି କଟକରେ ୧୮୬୫ ଜୁଲାଇରେ ପ୍ରତିଷ୍ଠା କରିଥିଲେ ‘କଟକ ପ୍ରିଣ୍ଟିଂ କଂପାନି’। ଏହି ପ୍ରେସ୍ରୁ ପର ବର୍ଷ ଅଗଷ୍ଟ୍ରେ ‘ଉତ୍କଳ ଦୀପିକା’ର ପ୍ରକାଶନ ଆରମ୍ଭ ହୋଇଥିଲା। ଗୌରୀଶଙ୍କର ଥିଲେ ଏହାର ପ୍ରତିଷ୍ଠାତା-ସଂପାଦକ। ଦେହାବସାନ ଯାଏ ପ୍ରାୟ ବାଉନ ବର୍ଷ ସେ ଏହାର ସଂପାଦନା ଦାୟିତ୍ୱ ତୁଲାଇଥିଲେ। ସେତେ ବେଳେ ‘ଉତ୍କଳ ଦୀପିକା’ ଥିଲା, ସାରା ଓଡ଼ିଶାର ମୁଖପତ୍ର। ଏହାକୁ ଓଡ଼ିଶାର ପ୍ରଥମ ଜାତୀୟ ସମ୍ବାଦପତ୍ର ଭାବେ ଗ୍ରହଣ କରାଯାଇଛି। ଏହା ଥିଲା ଓଡ଼ିଆ ଜାତୀୟ ଜୀବନର ବାର୍ତ୍ତାବହ। ଆଲୋଚକ ରବୀନ୍ଦ୍ରମୋହନ ସେନାପତିଙ୍କ ଭାଷାରେ: ‘ଏହା ଥିଲା ଉତ୍କଳର ଦୀପଶିଖା, ଅନ୍ଧାରରେ ଦୀପଶିଖା।
ଏକଦା ଗୌରୀଶଙ୍କର ଶିକ୍ଷକତା କରିଥିଲେ, ତାହା ପରେ କିରାଣି ଚାକିରିରେ ବାର ବର୍ଷ। ଶେଷରେ କଟକର ଅଦାଲତରେ ଅନୁବାଦକ। ୧୮୯୨ ଯାଏ ସେ ଚାକିରି କରିଥିଲେ। ଏହି ବର୍ଷ ଚାକିରି ଛାଡ଼ି, ‘ଉତ୍କଳ ଦୀପିକା’କୁ ପୂର୍ଣ୍ଣ ସମୟ ଦେଇଥିଲେ। ସେ ଥିଲେ ସାହିତ୍ୟରସିକ, କଳା ଓ ସଂଗୀତପ୍ରିୟ। ‘ଉତ୍କଳ ସାହିତ୍ୟ ସମାଜ’ର ଉଦ୍ୟୋକ୍ତା ଥିଲେ। କିଛି କାଳ ‘ଉତ୍କଳ ସଭା’ର ସଂପାଦକ ଦାୟିତ୍ୱ ତୁଲାଇଥିଲେ। ତେବେ, ବିଶେଷ ଆସକ୍ତି ଥିଲା ପ୍ରେସ୍ ଓ ଦୀପିକା ପ୍ରତି। ଏପରିକି ବେଳେବେଳେ ଦିନ-ରାତି କଟୁଥିଲା ପ୍ରେସ୍ରେ। ୧୮୩୮ ଜୁଲାଇ ଆଜିର ଦିନରେ ଅସୁରେଶ୍ୱର ନିକଟସ୍ଥ ଦୀକ୍ଷିତପଡ଼ାରେ ସେ ଜନ୍ମ ହୋଇଥିଲେ।
0 Comments