ପ୍ରିଜମ୍ ନ୍ୟୁଜ(ସ୍ୱତନ୍ତ୍ର): ନୂଆଁଖାଇ । ଏ ଶବ୍ଦଟିର ଉଚ୍ଚାରଣ ମାତ୍ରକେ ମନରେ ସଞ୍ଚରିଯାଏ ସେହି ଅନୁଭୂତି, ଯାହାକୁ ପାଥେୟ କରି ଏହି ଦୁନିଆର ସୃଷ୍ଟି । ଈଷ୍ଟ ଦେବାଦେବୀଙ୍କ ନିକଟରେ ନବାନ୍ନ ଲାଗି ପରଠାରୁ ହିଁ ଆରମ୍ଭ ହୁଏ ନୂଆର ଅୟମାରମ୍ଭ। ଜନମାନସରେ ଗଢ଼ିତୋଳେ ଭିନ୍ନ ଏକ ସମ୍ପର୍କ । ନିଆରା ସମ୍ପର୍କ । ମଣିଷର ଏହି ସମ୍ପର୍କରେ କିଛି ବି ପ୍ରଭାବ ପକାଇ ପାରିନି ମହାମାରୀ କୋରୋନା । ସେଥିପାଇଁ ତ ଶତାବ୍ଦୀର ସବୁଠୁ ସ୍ମରଣୀୟ ହୋଇ ରହିବ ‘ଏହି ନୂଆଁଖାଇ’ ।
ଇତିହାସ
କୃଷକ ଓ କୃଷି ସମ୍ପ୍ରଦାୟ ପାଇଁ ନୂଆଖାଇର ରହିଛି ଅନେକ ତାତ୍ପର୍ଯ୍ୟ । ନୂଆଁଖାଇ ପ୍ରଥମ ଶସ୍ୟ ଅମଳର ପର୍ବ । କାଳିଦାସଙ୍କ ବର୍ଣ୍ଣନାରେ ଶକୁନ୍ତଳା ଲଗାଇଥିବା ଫୁଲଗଛରେ ଯେଉଁଦିନ ପ୍ରଥମ ଫୁଲ ଫୁଟେ ଶକୁନ୍ତଳା ସେହିଦିନଟିକୁ ଗୋଟିଏ ଉତ୍ସବ ରୂପେ ପାଳନ କରିଥାନ୍ତି । ପ୍ରଥମ ଶସ୍ୟ ଉତ୍ପାଦନରେ ଠିକ୍ ସେହି ଭାବନା ଚାଷୀଙ୍କ ମନରେ ଜାତ ହୋଇଥାଏ । ଖରିଫ ଋତୁର ପ୍ରଥମ ନୂଆଧାନକୁ ସ୍ୱାଗତ କରିବା ପାଇଁ ଏହି ପର୍ବର ଆୟୋଜନ । ଅନ୍ୟ ଭାଷାରେ କହିବାକୁ ଗଲେ ଅମଳ ହୋଇଥିବା ଧାନ ଉପଲକ୍ଷେ ଏହା ଚାଷୀମାନଙ୍କର ଆନନ୍ଦ ମୁଖରିତ ଶୋଭାଯାତ୍ରା । ଏହି ପର୍ବର ଶୁଭାରମ୍ଭ କେବେଠାରୁ ଆରମ୍ଭ ହେଲା, ତାହା ନିର୍ଦ୍ଦିଷ୍ଟ ଭାବରେ କହିହେବ ନାହିଁ । ଗବେଷକମାନଙ୍କ ମତରେ ଏହା ପ୍ରାକ୍ ବୈଦିକ କାଳରୁ ଭାରତରେ ପ୍ରଚଳିତ । ସେ ଯୁଗରେ ଋଷିମାନେ ଯଜ୍ଞ କରୁଥିଲେ। କୃଷିଭିତ୍ତିକ ସମାଜରେ ପାଞ୍ଚଟି ମୁଖ୍ୟ କୃଷିକାର୍ଯ୍ୟକୁ ପାଞ୍ଚଟି ଯଜ୍ଞ ସହ ତୁଳନା କରାଯାଇଛି । ପ୍ରଥମଟି ହେଉଛି ସୀତାଯଜ୍ଞ । ଏହାର ଅର୍ଥ ଜମିଚାଷ ବା ହଳଦ୍ୱାରା କର୍ଷଣ କରିବା କାର୍ଯ୍ୟ । ଦ୍ୱିତୀୟଟି ହେଉଛି ପ୍ରବପନ ଯଜ୍ଞ । ଏହାର ଅର୍ଥ ବିହନ ବା ମଞ୍ଜି ବୁଣିବା କାର୍ଯ୍ୟ । ତୃତୀୟଟି ହେଉଛି ପ୍ରଲବନ ଯଜ୍ଞ । ଏହାର ଅର୍ଥ ପ୍ରଥମ ଶସ୍ୟ କାଟିବା କାର୍ଯ୍ୟ । ଚତୁର୍ଥଟି ହେଉଛି ଖଳା ଯଜ୍ଞ । ଏହାର ଅର୍ଥ ହେଉଛି ଶସ୍ୟ ଅମଳ କାର୍ଯ୍ୟ । ଆଉ ପଞ୍ଚମଟି ହେଉଛି ପର୍ଯ୍ୟାୟଣ ଯଜ୍ଞ। ଏହାର ଅର୍ଥ ଶସ୍ୟ ସଂରକ୍ଷଣ କାର୍ଯ୍ୟ । ଏହି ଦୃଷ୍ଟିରୁ ତୃତୀୟ କୃଷି କାର୍ଯ୍ୟ ପ୍ରଲମ୍ୱନ ବା ପ୍ରଥମ ଶସ୍ୟ କାଟିବାରୁ ନୂଆଁଖାଇର ସୃଷ୍ଟି । ଅନ୍ନ ବ୍ରହ୍ମଙ୍କୁ ପରଂବ୍ରହ୍ମଙ୍କ ଉଦ୍ଦେଶ୍ୟରେ ସମର୍ପଣର ଅନ୍ୟନାମ ଅନ୍ନଯଜ୍ଞ । ବୈଦିକ ମାନ୍ୟତାରେ ନବଜାତ ଶସ୍ୟଦ୍ୱାରା ସମ୍ପାଦିତ ଯଜ୍ଞର ନାମ ଆଗ୍ରୟଣେଷ୍ଟି । ଏହି ଆଗ୍ରୟଣେଷ୍ଟି ବା ନବାନ୍ନ ଭକ୍ଷଣ ଯଜ୍ଞ ବର୍ଷା, ଶରତ ଓ ବସନ୍ତ ଋତୁରେ ତିନିଥର ପାଳନ କରିବାର ବିଧି ରହିଛି । ବର୍ଷା ଋତୁରେ ଶ୍ୟାମକ ବା ଶୁଆଁ ଓ କୋଳିଆ ବା ଷାଠିଆ ଧାନରୁ ପ୍ରସ୍ତୁତ ଯେଉଁ ନବାନ୍ନ ଭକ୍ଷଣ ଯଜ୍ଞ ହୁଏ, ତାକୁ ଶ୍ୟାମକାଗ୍ରୟଣେଷ୍ଟି କୁହାଯାଏ । ଶରତ ଋତୁରେ ଶାରଦ ଧାନ ଓ ବିରିରୁ ପ୍ରସ୍ତୁତ ଅନ୍ନରେ ସମ୍ପାଦିତ ଦ୍ୱିତୀୟ ନବାନ୍ନ ଭକ୍ଷଣକୁ ବ୍ରିହ୍ୟାଗ୍ରୟଣେଷ୍ଟି ଏବଂ ବସନ୍ତ ଋତୁରେ ଯବ ଓ ଗହମ ଛତୁଆରେ ସମ୍ପାଦିତ ତୃତୀୟ ନବାନ୍ନ ଭକ୍ଷଣକୁ ଯବାଗ୍ରୟଣେଷ୍ଟି ନାମରେ ନାମିତ କରାଯାଇଛି । ଆମ ପୂର୍ବପୁରୁଷମାନେ ଏହି ପ୍ରଥମ ଉତ୍ପାଦିତ ଶସ୍ୟରେ ପ୍ରସ୍ତୁତ ଅନ୍ନ ଏବଂ ପିଠାପଣା ଦେବତା ଓ ପିତୃପୁରୁଷଙ୍କୁ ଅର୍ପଣ କରିବା ପରେ ନିଜେ ସେବନ କରିବାର ବିଧି ହିଁ ନୂଆଁଖାଇ ନାମରେ ବିଖ୍ୟାତ ।
ଲଗ୍ନ
ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଶସ୍ୟ ଉତ୍ପାଦନ କାଳରେ ଶୁଭଦିନ ନିର୍ଣ୍ଣୟ କରାଯାଇ ନୂଆଁଖାଇ ପାଳନ କରାଯାଉଛି । ପଶ୍ଚିମ ଓଡ଼ିଶାରେ କିନ୍ତୁ ଏହା ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପାଳନ କରାଯାଉଛି, ଯାହାକୁ କୁହାଯାଉଛି ଋଷି ପଞ୍ଚମୀ । ପ୍ରଥମେ କିନ୍ତୁ ଧାର୍ଯ୍ୟ ହୋଇ ନ ଥିଲା ଏହି ତିଥି । ସ୍ୱତନ୍ତ୍ର ରୀତି ଓ ବିଶ୍ୱାସ ଅନୁଯାୟୀ ଭାଦ୍ରବ ମାସର ଶୁକ୍ଳପକ୍ଷର ବିଭିନ୍ନ ତିଥିରେ ଏହା ପାଳନ କରାଯାଉଥିଲା । କାରଣ ପଶ୍ଚିମ ଓଡ଼ିଶା ଏକ ମାଳ ଅଞ୍ଚଳ । ଏଠାରେ ଧାନଚାଷ ଶୀଘ୍ର ଆରମ୍ଭ ହୋଇଥାଏ । ଛୋଟଧାନ ପ୍ରାୟ ଦୁଇ ସାମରେ ପାଚି ପାକଳ ହୋଇଥାଏ । ଏହି ଋତୁରେ ଖରିଫ ଶସ୍ୟ ପାଚୁଥିଲା । ଶସ୍ୟ ପୂରା ପାକଳ ନ ହେଲେ ମଧ୍ୟ ଭାଦ୍ରବ ମାସରେ ପାଳନ କରିବାର ବହୁତ କାରଣ ଥିଲା । ଶସ୍ୟ ପାକଳ ହୋଇ ଖାଇବା ଯୋଗ୍ୟ ହେଲେ ତାକୁ ପଶୁପକ୍ଷୀ ଅଇଁଠା କରିଦେବାର ଆଶଙ୍କା ଥାଏ । ତେଣୁ ସର୍ବପ୍ରଥମେ ଏହାକୁ ଭୂଦେବୀ ଅର୍ଥାତ୍ ମାଟି ମାଆଙ୍କୁ ଅର୍ପଣ କରାଯାଏ । ଗୋଟିଏ ଦିନରେ ନବାନ୍ନ ଲଗ୍ନ ବାହାର କରିବା ଲାଗି ଭିନ୍ ଭିନ୍ନ ପଦ୍ଧତି ଅନୁସରଣ କରାଯାଏ । କେତେକ ସ୍ଥାନରେ ଈଷ୍ଟଦେବୀଙ୍କ ନାଁରେ ଏବଂ ଆଉ କେତେକ ସ୍ଥାନରେ ପୂର୍ବତନ ଶାସକ, ରାଜା ବା ଜମିଦାରବା ଉମୁରାଙ୍କ ଜାତକ ସିଦ୍ଧ ତିଥିରୁ ଏହାର ଶୁଭ ମୂହୁର୍ତ୍ତ ନିର୍ଣ୍ଣୟ କରାଯାଏ । ବର୍ତ୍ତମାନ କେବବଳ ଈଷ୍ଟ ଦେବୀଙ୍କ ନାମରେ ଏହାକୁ ସ୍ଥିର କରାଯାଉଛି । ତିଥି ଓ ଶୁଭ ମୂହୁର୍ତ୍ତ ସମ୍ୱଲପୁରର ଇଷ୍ଟଦେବୀ ସମଲେଶ୍ୱରୀ, ବଲାଙ୍ଗିରର ଈଷ୍ଟଦେବୀ ପାଟଣେଶ୍ୱରୀ, ସୁବର୍ଣ୍ଣପୁରର ଈଷ୍ଟଦେବୀ ସୁରେଶ୍ୱରୀ ଏବଂ କଳାହାଣ୍ଡିର ଈଷ୍ଟଦେବୀ ମାଣିକେଶ୍ୱରୀଙ୍କ ନାମରେ ସ୍ଥିର କରାଯାଉଛି ।
କେଉଁ କେଉଁ ପତ୍ରରେ ନୂଆଁ ଖିଆଯାଏ
ନୂଆଁଖାଇ ପାଇଁ ବ୍ୟବହୃତ ହୁଏ ବିଭିନ୍ନ ଗଛର ପତ୍ର । ଏଥିପାଇଁ ଭିନ୍ନ ଭିନ୍ନ ସଂପ୍ରଦାୟ ଅଲଗା ଅଲଗା ଗଛର ପତ୍ରରେ ନୂଆଁ ଖାଇଥାନ୍ତି । ମହୁଲ, କୁରେଇ, ସିଆଳି, ସରଗି ଭଳି ଗଛକୁ ପୂଜାର୍ଚ୍ଚନା କରିବା ପରେ ସେଥିରୁ ପତ୍ର ସଂଗ୍ରହ କରାଯାଏ । ସେହି ପତ୍ରରେ ତିଆରି ଖଲି, ଚଉପତି, ଦନା, ଠୋଲାରେ ମାଆଙ୍କ ନିକଟରେ ନବାନ୍ନ ଲାଗି ହୁଏ, ଆଉ ତା’ ପରେ ସମସ୍ତେ ନୂଆଁ ଖାଇଥା’ନ୍ତି।
ନୂଆଁଖାଇ ଭେଟଘାଟ୍
ନୂଆଁଖାଇ ଭେଟଘାଟର ପରମ୍ପରା ଖୁବ୍ ପୁରୁଣା। କେବଳ ଯେ ପାରିବାରିକ କ୍ଷେତ୍ରରେ ଏହା ସୌହାର୍ଦ୍ଦ୍ୟର ସଂହତି ସ୍ଥାପନ କରେ ତା’ ନୁହେଁ, ସାମାଜିକ କ୍ଷେତ୍ରରେ ମଧ୍ୟ ରହିଛି ଏହାର ପ୍ରାସଙ୍ଗିକତା । ସଞ୍ଜବେଳେ ଲୋକେ ଉପହାର ନେଇ ପରସ୍ପରକୁ ଭେଟନ୍ତି । ବନ୍ଧୁ, ଶୁଭେଚ୍ଛୁ ଓ ସମ୍ପର୍କୀୟମାନେ ପରସ୍ପରକୁ ଭେଟି ନୂଆଁଖାଇର ଶୁଭେଚ୍ଛା ଓ ଶୁଭ କାମନା ଜଣାଇଥା’ନ୍ତି ।ବଡ଼ମାନେ ସାନମାନଙ୍କୁ ଦିଅନ୍ତି ଆଶୀର୍ବାଦ । ଭେଟଘାଟରେ ପାରମ୍ପରିକ ସମ୍ୱଲପୁରୀ ନୃତ୍ୟ- ରସରକେଲି, ଡାଲଖାଇ, ରଙ୍ଗବତୀ, ମାଇଲା ଜଡ଼, ଚୁଟକୁଟୁଟା, ସଜନୀ, ନାଚନିଆଁ ଓ ବାଜନିଆଁ ପରି ନୃତ୍ୟ ପରିବେଷିତ ହୋଇଥାଏ । ଆଉ ଏହାର ନିନାଦରେ ଦୁଲକିଥାଏ ପଶ୍ଚିମ ଓଡ଼ିଶା ।
0 Comments