କୃଷି ଆଇନ୍‍ ପ୍ରତ୍ୟାହାର କରିବ କେନ୍ଦ୍ର, ଆଗକୁ ଆସୁଥିବା ନିର୍ବାଚନ ପାଇଁ ଥୋପ!

କୃଷି ଆଇନ୍‍ ପ୍ରତ୍ୟାହାର କରିବ କେନ୍ଦ୍ର, ଆଗକୁ ଆସୁଥିବା ନିର୍ବାଚନ ପାଇଁ ଥୋପ!

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:କୃଷକଙ୍କ ଆଗରେ ଶେଷରେ ମୁଣ୍ଡ ନୁଆଁଇଲେ କେନ୍ଦ୍ର ସରକାର।ପ୍ରଧାନମନ୍ତ୍ରୀ ଆଜି ଲାଗୁ ହୋଇଥିବା ତିନି କୃଷି ଆଇନ୍‍ ପ୍ରତ୍ୟାହାର ପାଇଁ ସୂଚନା ଦେବା ସହିତ ଚଳିତ ମାସରେ ବସିବାକୁ ଯାଉଥିବା ସଂସଦ ଅଧିବେଶନରେ ଏହା ପ୍ରତ୍ୟାହାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା କହିଛନ୍ତି ।ଏହି ଘୋଷଣା ସହିତ ଆନ୍ଦୋଳନରତ କୃଷକମାନେ ଘରକୁ ଫେରିବାପାଇଁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି । ଏଥିସହିତ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୃଷକମାନଙ୍କ କଲ୍ୟାଣ ପାଇଁ ତିନିଟି କୃଷି ଆଇନ୍‍ ଆଣିଥିଲୁ । ହେଲେ ଏହା ବିରୁଦ୍ଧରେ କିଛି ଗୋଷ୍ଠି ଆନ୍ଦୋଳନକୁ ଓହ୍ଲାଇଥିଲେ । ଆନ୍ଦୋଳନକୁ ଦୃଷ୍ଟିରେ ରଖି ଏହି ତିନି ଆଇନ୍‍ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନିଆଯାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶରେ ୮୦ଭାଗ ଲୋକ କୃଷି ସହିତ ଜଡିତ । ସେମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।ଏହାସହ କେନ୍ଦ୍ର ସରକାର ପ୍ରାକୃତିକ କୃଷି ବୃଦ୍ଧି, କୃଷି ଢାଞ୍ଚାକୁ ବୈଜ୍ଞାନିକ ପଦ୍ଧିତିରେ ବଦଳାଇବା ସହିତ ଏମ୍‍ଏସ୍‍ପିକୁ ଅଧିକ ପାରଦର୍ଶିତା କରିବାପାଇଁ କେନ୍ଦ୍ର ସରକାର ଏକ କମିଟି ଗଠନ କରିବେ । ଏହି କମିଟିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତିନିଧି, ଚାଷୀ, କୃଷି ବୈଜ୍ଞାନିକ, କୃଷି ଅର୍ଥଶାସ୍ତ୍ରୀ ଆଦି ରହିବେ । କୃଷକମାନଙ୍କ ପାଇଁ କେନ୍ଦ୍ର ସରକାର ସବୁବେଳେ କାର୍ଯ୍ୟ କରୁଛନ୍ତି ଏବଂ ଏହା ଜାରି ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ତେବେ ଆନ୍ଦୋଳନରତ କୃଷକ ସଂଗଠନମାନେ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଥିଲେ ମଧ୍ୟ ସଂସଦରେ କୃଷି ଆଇନ୍‍ ପ୍ରତ୍ୟାହାର ପର୍ଯ୍ୟନ୍ତ ସେମାନଙ୍କ ଆନ୍ଦୋଳନ ଜାରି ରହିବ ବୋଲି ସୂଚନା ଦେଇଛନ୍ତି । ଆନ୍ଦୋଳନକୁ ତତକ୍ଷଣାତ ବନ୍ଦ କରାଯିବ ନାହିଁ ବୋଲି କହିଛନ୍ତି ଚାଷୀ ନେତା ତଥା କୃଷକ ଆନ୍ଦୋଳନର ନେତୃତ୍ୱ ନେଉଥିବା ରାକେଶ ଟିକାୟତ । ସେ କହିଛନ୍ତି ଆମେ ସେ ପର୍ଯ୍ୟନ୍ତ ଅପେକ୍ଷା କରୁଛୁ, ଯେପର୍ଯ୍ୟନ୍ତ କେନ୍ଦ୍ର ସରକାର ଏହାକୁ ସଂସଦରେ ପ୍ରତ୍ୟାହର ବିଲ ପାସ ନକରିଛନ୍ତି । ଏହା ସହ ଟିକାୟତ କହିଛନ୍ତି ଚାଷୀ ଆନ୍ଦୋଳନ ସ୍ଥଗିତ ରହିବା ପୂର୍ବରୁ କେନ୍ଦ୍ର ସରକାର କୃଷକଙ୍କ ସହ ଆଲୋଚନା କରନ୍ତୁ ।ଅନ୍ୟ ପକ୍ଷେରେ ବିରୋଧୀ ଏହାକୁ ନେଇ ଭିନ୍ନ ମତ ଦେଉଛନ୍ତି।କୃଷି ଆଇନ ପ୍ରତ୍ୟାହାର ପାଇଁ କେନ୍ଦ୍ର ସରକାରଙ୍କ ଘୋଷଣା ପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ଏହି ଘୋଷଣା ପୁଣି ଗୋଟିଏ ଜୁମଲା ହେବନି ତ ବୋଲି ପ୍ରଶ୍ନ କରିଛନ୍ତି ନରସିଂହ । ଅତୀତରେ ସ୍ୱାମୀନାଥନ କମିଟି ସୁପାରିସ ଲାଗୁ କରିବା ଲାଗି ଅନେକ ପ୍ରତିଶ୍ରୁତି ମିଳିଥିଲା । କିନ୍ତୁ ସେ ସବୁ ଜୁମଲାରେ ପରିଣତ ହୋଇଛି ବୋଲି ସେ କହିଛନ୍ତି।ଅନ୍ୟାୟ ବିରୋଧରେ ଏକ ବିଡ଼ ବିଜୟ ହୋଇଛି ବୋଲି ଟ୍ବିଟ୍ କରିଛନ୍ତି ରାହୁଲ ଗାନ୍ଧି । ବିଭିନ୍ନ ରାଜ୍ୟର ଉପନିର୍ବାଚନରେ ପରାଜୟ ଓ ଆସୁଥିବା ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ତିନି କୃଷି ଆଇନ ପ୍ରତ୍ୟାହାର ପାଇଁ କେନ୍ଦ୍ର ବାଧ୍ୟ ହୋଇଥିବା ପ୍ରତିକ୍ରିୟାରେ ରାହୁଲ କହିଛନ୍ତି । ସେତେବେଳେ ଜଣେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୁଏ , ଯେତେବେଳେ ଜଣେ ସେହିଭଳି ଲୋକ ମୁଣ୍ଡ ନୁଆଁଇବା ପାଇଁ ବାଧ୍ୟ କରାଏ । କେନ୍ଦ୍ର ସରକାର ବହୁ ଆଗରୁ ଆଇନ ପ୍ରତ୍ୟାହାର କରିବାର ଥିଲା, ଏଭଳି ହୋଇଥିଲେ ୫୦୦ ରୁ ଅଧିକ ଚାଷୀ ସହିଦ ହୋଇ ନଥାନ୍ତେ ବୋଲି କଂଗ୍ରେସ କହିଛି । ସରକାର ନିର୍ବାଚନ ହାରିବା ଭୟରେ ଆଇନ ପ୍ରତ୍ୟାହାର କଲେ ବୋଲି ଏନସିପି ନେତା ନୱାବ ମଲ୍ଲିକ କହିଛନ୍ତି ।ବିରୋଧୀ ଆରମ୍ଭରୁ ଆଇନ ବିପକ୍ଷରେ ଥିଲେ, ସରକାର ବିଚାର ବିମର୍ଶ କରିଥିଲେ, ଏତେ ଚାଷୀ ସହିଦ ହୋଇ ନଥାନ୍ତେ ବୋଲି ଆରଜେଡି କହିଛି । କେନ୍ଦ୍ର ସରକାରଙ୍କ ଅହଂକାର ଭାଙ୍ଗିଛି, ଚାଷୀଙ୍କ ବିଜୟ ହୋଇଛି ବୋଲି ଟିଏମ୍‌ସି ପ୍ରତିକ୍ରିୟା ରଖିଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: