ପ୍ରିଜମ୍ ନ୍ୟୁଜ(କମଳାକାନ୍ତ ପତି): ଦେଶ ଅର୍ଥନୀତିରେ ବେହାଲ ଅବସ୍ଥା। ଶୁକ୍ରବାର ପାର୍ଲିଆମେଣ୍ଟରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟରୁ ଏହା ଜଳଜଳ ଦିଶୁଛି। ଚଳିତ ଆର୍ଥିକ ବର୍ଷରେ ଦେଶର ଅର୍ଥନୀତିକୁ ଅତିମାରୀ କରୋନା ଶକ୍ତ ଚୋଟ ମାରିଛି ସତ୍ୟ ମାତ୍ର ଏହାର ପୂର୍ବବର୍ତ୍ତୀ ଅବସ୍ଥାରୁ ଆର୍ଥିକ ସ୍ଥିତି ନିମ୍ନମୁଖୀ ହୋଇସାରିଥିଲା ବୋଲି ସ୍ୱୀକାର କରିବାକୁ ପଡ଼ିଛି। ସର୍ଭେ ରିପୋର୍ଟ ପ୍ରଦର୍ଶିତ କରିଥିବା ତଥ୍ୟ ଅନୁଯାୟୀ, କୋଭିଡଜନିତ ଲକଡାଉନ ଧକ୍କା ପୂର୍ବରୁ ୨୦୧୯-୨୦ ବର୍ଷରେ ଅଭିବୃଦ୍ଧି ହାର ଥିଲା ମାତ୍ର ୪ ପ୍ରତିଶତ। ଯଦିଓ ତାହା ଏବେ ଅତୀତ, କିନ୍ତୁ ସଦ୍ୟ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟ ଆଗାମୀ ଦିନରେ ମୋଦି ସରକାରଙ୍କ ଦୁଃଶ୍ଚିନ୍ତା ବଢ଼ାଇବ। କୁହାଯାଇଛି ଯେ, ଚଳିତ ଆର୍ଥିକ ବର୍ଷ ଜିଡିପି ସଂକୋଚନ ୭.୭ ପ୍ରତିଶତ ହେବ। ସେହି ଧାରାରେ ହିସାବ କଲେ ଆଗାମୀ ଆର୍ଥିକ ବର୍ଷ (୨୦୨୧-୨୨)ରେ ଜିଡିପି ସଂକୋଚନ ୧୧ ଶତାଂଶରେ ପହଞ୍ଚିବ। ସେହିପରି ମୂଲ୍ୟ ବୃଦ୍ଧି ସହ ଅଭିବୃଦ୍ଧିର ହାର ୧୫.୪% ହେବ ବୋଲି ଆକଳନ କରାଯାଇଛି। ଅଭିବୃଦ୍ଧିର ଏହି ଉର୍ଦ୍ଧ୍ୱ ଗତିକୁ ସାମ୍ନାରେ ରଖି ସରକାର ଅର୍ଥନୀତିକୁ ଠିକଣା ମାର୍ଗକୁ ଫେରାଇ ଅଣାଯାଇ ପାରୁଛି ବୋଲି ପ୍ରଚାରର ଅଂଶ ବିଶେଷ କରିପାରନ୍ତି। ମାତ୍ର ଏହା ବାସ୍ତବତା ଠାରୁ ଅନେକ ଦୂର। ଦୁଇଟି ହିସାବ ଦେଖିଲେ ତାହା ସ୍ପଷ୍ଟ ହେଉଛି।
ପ୍ରଥମତଃ ଚଳିତ ଆର୍ଥିକ ବର୍ଷରେ ୭.୭ ପ୍ରତିଶତ ସଂକୋଚନ କାରଣରୁ ଦେଶର ମୋଟ୍ ଘରୋଇ ଉତ୍ପାଦ (ଜିଡିପି) ୧୩୪.୪ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଯିବ। ସର୍ଭେ ଆକଳନକୁ ଯଦି ତୁଳନାତ୍ମକ ଭାବେ ହିସାବକୁ ନିଆଯାଏ, ତେବେ ଆଗାମୀ ଆର୍ଥିକ ବର୍ଷରେ ଜିଡିପି ୧୧ ପ୍ରତିଶତକୁ ବୃଦ୍ଧି ଘଟିଲେ ଏହା ୧୪୫.୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ। ତାହାକୁ ଯଦି କୋଭିଡ୍ ପୂର୍ବ (୨୦୧୯-୨୦)ଜିଡିପି ସହ ତୁଳନା କରାଯାଏ, ତେବେ ୨.୪ ପ୍ରତିଶତ ବେଶୀ। ଅର୍ଥାତ୍ ଏହି ବୃଦ୍ଧିକୁ ଆଳ କରି ଯଦି ଦେଶର ଅଭିବୃଦ୍ଧି ଘଟୁଛି ବୋଲି ଢୋଲ ପିଟା ଯାଏ ତେବେ ତାହା କେବଳ ଭାଷଣ ସର୍ବସ୍ବ ବ୍ୟତୀତ ଆଉ କିଛି ନୁହେଁ। ଦ୍ଵିତୀୟତଃ ସର୍ଭେରେ କୁହାଯାଇଛି ଯେ, ଦେଶର ଅର୍ଥନୀତି ପୂର୍ବ କୋରୋନା ସ୍ଥିତିକୁ ଫେରିବା ପାଇଁ ଦୁଇ ବର୍ଷ ଲାଗିବ। ଯଦି ଏହି ଆକଳନ ସତ୍ୟ ହୁଏ, ତେବେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଅର୍ଥନୀତିର ସ୍ଥିତି ସେଭଳି ଉଜ୍ୱଳ ହେବାର ଆଶା କ୍ଷୀଣ।
ସରକାରଙ୍କ ପୂର୍ବତନ ଅର୍ଥନୈତିକ ଉପଦେଷ୍ଟା କୌଶିକ ବସୁ ପୂର୍ବରୁ କହିଥିଲେ ଯେ, ଭାରତରେ ଆର୍ଥିକ ଅଭିବୃଦ୍ଧି ହାର ୨୦୧୬ରୁ ହ୍ରାସ ପାଇବା ଆରମ୍ଭ କଲାଣି। ଅର୍ଥାତ୍ ନରେନ୍ଦ୍ର ମୋଦିଙ୍କ ବିମୁଦ୍ରିକରଣ ନିଷ୍ପତି ଠାରୁ ଏହି ଅବସ୍ଥା ସୃଷ୍ଟି ହୋଇଛି। ସର୍ଭେର ଇଙ୍ଗିତ ମଧ୍ଯ ସେହି ଆଡ଼କୁ ହୋଇଛି। ଏଥିରେ କୁହାଯାଇଛି ଯେ, ଆଗାମୀ ଦିନରେ ଆର୍ଥିକ ସ୍ଥିତି ସୁଖକର ନୁହେଁ। ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିବାବେଳେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ପଦ ସକାଶେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ। ସେତେବେଳେ ସେ ଅଭିଯୋଗ କରୁଥିଲେ ଯେ, ଦୁର୍ନୀତି ଏବଂ ନୀତି ସ୍ଥାଣୁତା କାରଣରୁ ଭାରତୀୟ ଅର୍ଥନୀତି ୮-୯ଶତାଂଶ ବୃଦ୍ଧି ଗତିରେ ବେଗବାନ ହୋଇ ପାରୁନାହିଁ। ଏବେ ବିରୋଧୀମାନେ ମୋଦିଙ୍କୁ ସମାନ ପ୍ରକାର କଟାକ୍ଷ କରୁଛନ୍ତି। ସେମାନଙ୍କ କହିବା ଅନୁସାରେ, ଏବେ ମୋଦି ନିଜ ଜମାନାର କୋଭିଡ୍ ପରବର୍ତ୍ତୀ ପରିସ୍ଥିତିରେ ଅଭିବୃଦ୍ଧି ଗତି ୩ ପ୍ରତିଶତରୁ କମ୍ ଆଣିବାକୁ ନାକେଦମ୍ ହେଉଛନ୍ତି। ସେତେବେଳେ ଅନ୍ୟକୁ ଆଙ୍ଗୁଠି ଦେଖାଉଥିବା ମୋଦି ଏବେ ନିଜ କର୍ମ ପାଇଁ କାହାକୁ ଦାୟୀ କରିବେ ? ସର୍ଭେ ରିପୋର୍ଟ ମଧ୍ଯ ଏ କଥା ସ୍ପଷ୍ଟ କରିଛି ଯେ, ଦେଶର ଅର୍ଥନୀତିକୁ କୃଷି କ୍ଷେତ୍ରର ଅବଦାନ ଯଦି ଅଧିକ ହୋଇ ନଥାନ୍ତା ତେବେ ଚଳିତ ଆର୍ଥିକ ବର୍ଷରେ ଜିଡିପି ସଂକୋଚନ ମାତ୍ର ଆହୁରି ବେଶୀ ହୋଇଥାନ୍ତା। ଚଳିତ ବର୍ଷ କେବଳ କୃଷି କ୍ଷେତ୍ରରୁ ୩.୪ ପ୍ରତିଶତ ଅଭିବୃଦ୍ଧିର ସୂଚନା ମିଳିଛି। ମାତ୍ର ଶିଳ୍ପ ଏବଂ ପରିସେବା କ୍ଷେତ୍ରର ସଂକୋଚନ ହାର ସମଗ୍ର ଅର୍ଥନୀତିର ସଂକୋଚନ ହାର ଠାରୁ ଆହୁରି ଅଧିକ। ସଙ୍ଗିନ ପରିସ୍ଥିତିରେ କୃଷି କ୍ଷେତ୍ର ହିଁ ଅର୍ଥନୀତିକୁ ରକ୍ଷା କରୁଥିଲେ ମଧ୍ଯ ସରକାର ଏହି କ୍ଷେତ୍ର ପ୍ରତି ସବୁବେଳେ ଉଦାସୀନ ରହିଛନ୍ତି।
ଅର୍ଥନୈତିକ ସର୍ଭେ ରିପୋର୍ଟ ସଂସଦରେ ଉପସ୍ଥାପନ ହେବା ପରେ ମୁଖ୍ୟ ଆର୍ଥିକ ଉପଦେଷ୍ଟା କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟମ କହିଛନ୍ତି, କୋରୋନା କାରଣରୁ କଠୋର ଲକଡାଉନ ଜରୁରୀ ଥିଲା। ଲକଡାଉନ ଜାରି କରାଯିବାରୁ କୋରୋନାକୁ ନିୟନ୍ତ୍ରଣ କରାଯାଇ ପାରିଛି। ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାକୁ ସୀମିତ ରଖାଯାଇ ପାରିଛି। ଏବେ ଅର୍ଥନୀତିରେ କ୍ରମେ ସୁଧାର ପରିଲକ୍ଷିତ ହେଲାଣି। ସୁବ୍ରମଣ୍ୟମ ଯାହା କୁହନ୍ତୁନା କାହିଁକି କୋରୋନା ପୂର୍ବରୁ ଦେଶରେ ଆର୍ଥିକ ମାନ୍ଦାବସ୍ଥା ଥିଲା। ଜାତୀୟ ପରିସଂଖ୍ୟାନ ବିଭାଗ ଯଥେଷ୍ଟ ପୂର୍ବରୁ ଏହା ସ୍ୱୀକାର କରି ସାରିଛି। କୋରୋନା ଯୋଗୁ ଅର୍ଥନୀତିରେ ଆହୁରି ବିପର୍ଯ୍ୟୟ ଆସି ଅଭିବୃଦ୍ଧି ୪ ପ୍ରତଶତକୁ ହ୍ରାସ ପାଇଛି। କୋଭିଡ୍ ପୂର୍ବର ଆର୍ଥିକ ଅବସ୍ଥାକୁ ଯଦି ମାନଦଣ୍ଡ ହିସାବରେ ଗ୍ରହଣ କରାଯାଏ ତେବେ ଅର୍ଥନୀତିକୁ ସେହି ଅବସ୍ଥାକୁ ଆଣିବା ବେଳକୁ ଲୋକସଭା ଭୋଟ୍ ଆସିଯାଇଥିବ। ଅନ୍ତର୍ଜାତିକ ମୁଦ୍ରା ପାଣ୍ଠିର ମୁଖ୍ୟ ଅର୍ଥନୀତି ବିଶାରଦ ଗୀତା ଗୋପିନାଥନ ମଧ୍ଯ ସମାନ ଆକଳନ କରିଛନ୍ତି। ତାଙ୍କ କହିବାନୁସାରେ, ଭାରତୀୟ ଅର୍ଥନୀତିକୁ କୋଭିଡ୍ ପୂର୍ବ ଅବସ୍ଥାକୁ ଆଣିବା ସକାଶେ ୨୦୨୫ ପାର ହୋଇଯିବ। ଅର୍ଥନୈତିକ ସର୍ଭେରେ ମଧ୍ଯ ସମାନ ପ୍ରତିଫଳନ ଦେଖିବାକୁ ମିଳୁଛି।