ପ୍ରିଜମ୍ ନ୍ୟୁଜ(କମଳାକାନ୍ତ ପତି): ଦୀର୍ଘଶ୍ୱାସ ଛାଡ଼ିଲାଣି ଉପଭୋକ୍ତା। ନିରବତା ମୁଦ୍ରାରେ କେନ୍ଦ୍ର ସରକାର। ବିରୋଧୀ ରାଜନୈତିକ ଦଳଗୁଡ଼ିକ ମଧ୍ଯ ନିରବତାକୁ ସତେ ଯେମିତି ବ୍ରତ କରିନେଇଛନ୍ତି। ପ୍ରତିଦିନ ବଢ଼ିଚାଲିଛି ତୈଳ ଦର। ଯାନବାହାନ ବ୍ୟବହାରକାରୀ ପ୍ରତ୍ୟକ୍ଷ ଭାବେ ପ୍ରଭାବିତ ହେଉଥିବା ବେଳେ, ଡିଜେଲ ଦର ଆକାଶଛୁଆଁ ହେଉଥିବା କାରଣରୁ ପରିବହନ ଖର୍ଚ୍ଚ ବୃଦ୍ଧି ଘଟି ବିଭିନ୍ନ ସାମଗ୍ରୀ ଉପରେ ପ୍ରତକୂଳ ପ୍ରଭାବ ପକାଉଛି। ଏହାର ପରୋକ୍ଷ ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡୁଛି। ସାଧାରଣରେ ପ୍ରଶ୍ନ, ତେବେ କ’ଣ ଲଗାମ ଲାଗିବ ନାହିଁ ତୈଳ ଦର ବୃଦ୍ଧିର ଧାରାରେ ? ସରକାର ରାଜକୋଷ ଭରିବା ପାଇଁ ସାଧାରଣ ଜନତାଙ୍କ ମେରୁଦଣ୍ଡ ବଙ୍କା କରୁଛନ୍ତି ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି। ଦେଖାଯାଇଛି ଯେ, ମୋଦି ସରକାର ହିଁ ତୈଳ ଉପରେ ପର୍ଯ୍ୟାୟ କ୍ରମେ ସର୍ବାଧିକ ଉତ୍ପାଦ ଶୁଳ୍କ ବୃଦ୍ଧି କରିଛନ୍ତି। ଅନ୍ତର୍ଜାତୀୟ ବଜାରରେ ବ୍ୟାରେଲ ପିଛା ଅଶୋଧିତ ତୈଳ ଦର ହ୍ରାସ ଘଟିଲେ ଘରୋଇ ବଜାରରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ମୂଲ୍ୟ ସ୍ୱୟଂକ୍ରିୟ ପଦ୍ଧତିରେ କମିବ ବୋଲି ଯେଉଁ ନିୟମ ଥିଲା ତାହା ମୋଦିଙ୍କ ଶାସନ କାଳରେ ମୂଲ୍ୟହୀନ ହୋଇଯାଇଛି। ବରଂ ଅଶୋଧିତ ତୈଳ ଦର ସର୍ବନିମ୍ନ ସ୍ତରରେ ରହିଥିଲେ ମଧ୍ଯ ସରକାରଙ୍କ ବର୍ଦ୍ଧିତ ଉତ୍ପାଦ ଶୁଳ୍କ କରଣରୁ ଭାରତ ବଜାରରେ ପେଟ୍ରୋଲ ଡିଜେଲ ଦର ସବୁଦିନ ରେକର୍ଡ ଭାଙ୍ଗୁଛି। ପ୍ରଶ୍ନ ଉଠୁଛି, ତୈଳ ଦର ବଢୁଛି କାହିଁକି ? ମୋଦି ସରକାର ଅମଳରେ ତୈଳ ଉପରେ ଅଧିକ ଉତ୍ପାଦ ଶୁଳ୍କ ବସିଛି କାହିଁକି ? ସରକାର କ’ଣ ଏକମାତ୍ର ପେଟ୍ରୋଲିୟମକୁ ଅଧିକ ଶୁଳ୍କ ସୃଷ୍ଟିର କ୍ଷେତ୍ର ଭାବେ ଧରି ନେଇଛନ୍ତି।
କୋରୋନା କାଳରେ ଅର୍ଥନୀତି ମାଡ଼ ଖାଇଲା। ତୈଳ କ୍ଷେତ୍ରରୁ ଶୁଳ୍କ ଉଠାଇ ରାଜକୋଷ ଭରଣା କରାଗଲା। ତାହା ଦେଖାଦେଖି କେତେକ ରାଜ୍ୟ ମଧ୍ଯ ଭାଟ୍ ବଢ଼ାଇଲେ। ମୋଦି ସରକାର ଆସିବା ଦିନ ଠାରୁ ତୈଳ କ୍ଷେତ୍ରକୁ ଦୁହାଁଳିଆ ଗାଈ ଭାବେ ବ୍ୟବହାର କରିଆସୁଥିବା ଦେଖିବାକୁ ମିଳୁଛି। ବଜାରରେ ଏବେ ପେଟ୍ରୋଲ ଲିଟର ପିଛା ମୂଲ୍ୟ ୯୦ ଟଙ୍କାରୁ ଅଧିକ ହେଲାଣି। ଡିଜେଲ ଲିଟର ପିଛା ଦର ୮୫ ଟଙ୍କା ଟପିଗଲାଣି। ସବୁଦିନ ଦରରେ ଉର୍ଦ୍ଧମୁଖୀ ପରିବର୍ତ୍ତନ ହେଉଥିବାରୁ ଉପଭୋକ୍ତାଙ୍କୁ ମହଙ୍ଗା ମାଡ଼ର ସମ୍ମୁଖୀନ ହେବାକୁ ପଡୁଛି। ଫଳରେ ଅସନ୍ତୋଷ ବଢୁଛି।
![](https://i2.wp.com/prismnews.in/wp-content/uploads/2021/01/petrol-diesel-rep2-1605871718.jpg?resize=734%2C413)
ଏକ ହିସାବରୁ ଦେଖିବାକୁ ମିଳିଛି ଯେ, ୨୦୧୪ ମେ’ ମାସରେ କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ଆସିବା ପରଠାରୁ ତୈଳ ଦର ଉପରମୁହାଁ ହୋଇଚାଲିଛି। ୨୦୧୪ ମେ’ ୨୬ ତାରଖରେ ମୋଦି ସରକାର ଶପଥ ନେଲା। ସେହିଦିନ ଅଶୋଧିତ ତୈଳ ଦର ଅନ୍ତର୍ଜାତୀୟ ବଜାରରେ ବ୍ୟାରେଲ ପିଛା ଥିଲା ୧୦୮ ଡଲାର ହେଲା। ତତ୍କାଳୀନ ବିନିମୟ ମୂଲ୍ୟ ହିସାବରେ ୬ ହଜାର ୩୩୦ ଟଙ୍କା। ସେତେବେଳେ ଭାରତ ବଜାରରେ ପେଟ୍ରୋଲ ୭୧.୪୧ ଟଙ୍କା ଏବଂ ଡିଜେଲ ୫୫.୪୯ ଟଙ୍କାରେ ବିକ୍ରି ହେଉଥିଲା। ଏବେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୫୦.୯୬ ଡଲାର, ଅର୍ଥାତ ୩ ହଜାର ୭୨୫.୯୨ ଟଙ୍କା। କିନ୍ତୁ ଦେଶର ବିଭିନ୍ନ ସ୍ଥାନରେ ତୈଳ ମୂଲ୍ୟ ରେକର୍ଡ କରୁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବର୍ତ୍ତମାନର ସରକାର ତୈଳ ସାମଗ୍ରୀ ଉପରେ ମୂଳ ମୂଲ୍ୟ ଠାରୁ ଢେର ଅଧିକ ଉତ୍ପାଦ ଶୁଳ୍କ ବସାଇ ଦେଇଛନ୍ତି। ସାଢ଼େ ଛଅ ବର୍ଷ ପୂର୍ବରୁ ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ଯଥାକ୍ରମେ ୯.୨୦ ଏବଂ ୩.୪୬ ଟଙ୍କା ଥିଲା। ମୋଦିଙ୍କ ଶାସନ କାଳରେ ପେଟ୍ରୋଲ ଉପରେ ୨୩.୭୮ ଟଙ୍କା ଏବଂ ଡିଜେଲ ଉପରେ ୨୮.୩୭ ଟଙ୍କା ଉତ୍ପାଦ ଶୁଳ୍କ ବଢିଛି। ଅର୍ଥାତ୍ ଏହି ସମୟ ମଧ୍ୟରେ ଏହି ଦୁଇଟି ଇନ୍ଧନ ଉପରେ ଯଥାକ୍ରମେ ୨୫୮% ଓ ୮୨୦% ଶୁଳ୍କ ବଢିଛି। ମୋଦି ସରକାର ତୈଳ ଉପରେ ଶୁଳ୍କ ବଢ଼ାଇ ଇତିମଧ୍ୟରେ ଜନତାଙ୍କ ପକେଟରୁ ଲୁଟ କଲେଣି ୧୯ ଲକ୍ଷ କୋଟି ଟଙ୍କା। ଏଭଳି ଅଭିଯୋଗ ଆଣୁଛନ୍ତି ବିରୋଧୀ। ବର୍ତ୍ତମାନ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ଯେଉଁ ସ୍ଥିତିରେ ରହିଛି ସରକାର ଯଦି ବର୍ଦ୍ଧିତ ଉତ୍ପାଦ ଶୁଳ୍କ ପ୍ରତ୍ୟାହାର କରିନିଅନ୍ତି ତେବେ ଖାଉଟି ଲିଟର ପିଛା ୬୦.୪୨ ଟଙ୍କାରେ ପେଟ୍ରୋଲ ଏବଂ ୪୬.୦୧ଟଙ୍କାରେ ଡିଜେଲ କିଣି ପାରନ୍ତେ।
![](https://i0.wp.com/prismnews.in/wp-content/uploads/2021/01/petrol-pump-1592446015-1024x576.jpg?resize=1024%2C576)
କେବଳ ପେଟ୍ରୋଲ, ଡିଜେଲ ନୁହେଁ, ମୋଦି ସରକାର ରନ୍ଧନ ଗ୍ୟାସର ସିଲିଣ୍ଡର ପିଛା ଦର ବଢ଼ାଇ ହାଣ୍ଡିଶାଳରେ ମହଙ୍ଗା ମାଡ଼ ଦେଇଛନ୍ତି। ୨୦୧୪ରେ ସବସିଡି ଯୁକ୍ତ ଏଲପିଜି ସିଲିଣ୍ଡର ମୂଲ୍ୟ ୪୧୨ ଟଙ୍କା ରହିଥିଲା। ଏବେ ତାହା ୭୨୦ଟଙ୍କାରେ ପହଞ୍ଚିଲାଣି। ବଡ଼କଥା ହେଉଛି, ସରକାର ସବୁ ନିୟମକୁ ଦଳି ମକଚି ଗତ ଡିସେମ୍ବର ମାସରେ ପନ୍ଦର ଦିନ ମଧ୍ୟରେ ଗ୍ୟାସ ଦର ଦୁଇ ଥରରେ ୧୦୦ ଟଙ୍କା ବଢ଼ାଇ ଦେଲେ। ଉଜ୍ୱଳା ଯୋଜନାରେ ଗରିବ ମହିଳାମାନଙ୍କୁ ମାଗଣାରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦେଉଛନ୍ତି ବୋଲି ଡିଣ୍ଡିମ ପିଟୁଥିବା ସରକାର ବୁଝିବା ଦରକାର ଯେ, ବର୍ଦ୍ଧିତ ଦରରେ ସେମାନେ ପୁନଃ ଗ୍ୟାସ କିଣି ପାରିବେ ତ ? ଏକ ଜନମଙ୍ଗଳକାରୀ ସରକାର ଏହି କୋରୋନା କାଳରେ ରୋଜଗାରହୀନ ଲୋକଙ୍କୁ କିଛିଟା ସୁବିଧା ଦେବାର ଅବଶ୍ୟକତା ରହିଛି। ମାତ୍ର ଏ ସରକାର ବୋଝ ଉପରେ ନଳିତା ବିଡା ଲଦୁଛନ୍ତି। ବିଶ୍ୱ ବଜାରରେ ତୈଳ ଦର କମ ଥିବାବେଳେ ଯଦି ଲୋକଙ୍କୁ ଏହାର ସୁବିଧା ମିଳିବ ନାହିଁ, ତେବେ ଏ ସରକାର ଆଉ ସୁବିଧା ଦେବେ କେବେ ?
ସରକାରଙ୍କ ପକ୍ଷରୁ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧିର କାରଣ ଭାବରେ ତେଲର ଆମଦାନୀ ବିଲ ଅଧିକ ହେବା ଏବଂ ସେହି ଖର୍ଚ୍ଚ କମାଇବା ସକାଶେ ଦୀର୍ଘ ମିଆଦୀ ବାଟ ବାହାର କରାଯିବା କଥା କହି ଲୋକଙ୍କୁ ବିଭ୍ରାନ୍ତ କରାଯାଉଛି। ନିକଟରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୈଳ ଦର ବୃଦ୍ଧିର କାରଣ ଦର୍ଶାଇବାକୁ ଯାଇ ଅଶୋଧିତ ତୈଳ ଯୋଗାଣକାରୀ ଦେଶ, ଯଥା ସୌଦିଆରବ ଭଳି ରାଷ୍ଟ୍ର ଉପରେ ଦୋଷ ଲଦିଛନ୍ତି। ଏହି ରାଷ୍ଟ୍ର ଗୁଡିକ ଅଶୋଧିତ ତୈଳ ଯୋଗାଣ ହ୍ରାସ କରିବେ ବୋଲି ନିଷ୍ପତ୍ତି ନେଇଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ତାଙ୍କ ମତରେ ବିଦେଶୀ ଦାମୀ ତୈଳ ଉପରେ ନିର୍ଭରଶୀଳତା ହ୍ରାସ ପାଇଁ ଉଦ୍ୟମ କରାଯାଉଛି। ଆମଦାନୀ ଖର୍ଚ୍ଚ ନିୟନ୍ତ୍ରଣ କରାଯାଇପାରିଲେ ତୈଳ ଦରବୃଦ୍ଧିକୁ ରୋକିବା ସମ୍ଭବ ହେବ। ତେଣୁ ସରକାର ଏଵେ ବୈଦ୍ୟୁତିକ ଗାଡି ବ୍ୟବହାର ଉପରେ ଗୁରୁତ୍ୱ ଦେଉଛନ୍ତି। ମନ୍ତ୍ରୀଙ୍କର ଏଭଳି ବିବୃତି ‘ସାପ ମରିବନି କି ବାଡ଼ି ଭାଙ୍ଗିବନି’ ଭଳି କଥା ହେଉଛି। ବାସ୍ତବ ସମସ୍ୟାକୁ ଅଣଦେଖା କରି ଲୋକଙ୍କୁ ବୁଲେଇ ବଙ୍କେଇ ରାଜନେତାଙ୍କ ଭଳି କଥା କହିଲେ ସେମାନଙ୍କ ପକେଟ୍ ଭରିବ ନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।