ପ୍ରିଜମ ନ୍ୟୁଜ୍ ବ୍ୟୁରୋ: କରୋନା କଚକଣା ପାଇଁ ସିନା ଫିକା ପଡ଼ିଛି ଏଥରର ଗଣେଶ ପୂଜା କିନ୍ତୁ ସୋସିଆଲ ମିଡିଆରେ ଏହାକୁ ନେଇ ଖୁବ୍ ଉତ୍ସାହ ଓ ଆନନ୍ଦ । ରାଜନେତା, ଅଭିନେତା, ଶିଳ୍ପପତି, ବିଶିଷ୍ଟ ବ୍ୟକ୍ତି ଏବଂ ସାଧାରଣ ସୋସିଆଲ ମିଡିଆ ୟୁଜର୍ସ ସୋସିଆଲ ମିଡିଆରେ ଶ୍ରୀଗଣେଶଙ୍କ ଉତ୍ସବରେ ସାମିଲ ହୋଇଛନ୍ତି । ଅଗ୍ରପୂଜ୍ୟଙ୍କ ସୁନ୍ଦର ସୁନ୍ଦର ଫଟୋ ସହ ପରସ୍ପରକୁ ଶୁଭେଚ୍ଛା ଜଣାଉଛନ୍ତି ।
ଆମ ଭାରତର ଶାସ୍ତ୍ର, ପୁରାଣମାନଙ୍କରେ ଯେଉଁସବୁ ଦେବଦେବୀଙ୍କ ନାମ ଓ ଗୁଣର ବର୍ଣ୍ଣନା ଅଛି, ସେମାନଙ୍କ ମଧ୍ୟରେ ଗଣେଶଙ୍କ ମହତ୍ତ୍ୱ ଅସାଧାରଣ । ସନାତନ ହିନ୍ଦୁ ଧର୍ମରେ ଗଣେଶଙ୍କୁ କେବଳ ଯେ ପଞ୍ଚଦେବତାଙ୍କ ମଧ୍ୟରେ ପୂଜା କରାଯାଏ ତାହା ନୁହେଁ; ଅନ୍ୟ ଯେ କୌଣସି ଦେବଦେବୀଙ୍କ ପୂଜା ବା ଉତ୍ସବ ମଧ୍ୟ ଶ୍ରୀଗଣେଶଙ୍କ ସ୍ମରଣ ବା ଆବାହନ ବିନାଆରମ୍ଭ କରାଯାଏ ନାହିଁ । ପୁଣି ଯେ କୌଣସି ଧାର୍ମିକ ବା ମାଙ୍ଗଳିକ କାର୍ଯ୍ୟ ମଧ୍ୟ ଗଣେଶଙ୍କ ପୂଜା ବ୍ୟତୀତ ଆରମ୍ଭ କରାହୁଏ ନାହିଁ । ଗଣେଶ ଏ ଦୃଷ୍ଟିରୁ ଅଗ୍ରପୂଜ୍ୟ । ପୁଣି ସେ ସିଦ୍ଧି ଓ ସମୃଦ୍ଧିଦାତା ହୋଇଥିବାରୁ ସମସ୍ତଙ୍କର ପୂଜ୍ୟ ହୋଇଥାଆନ୍ତି । ବିଘ୍ନେଶ ହୋଇଥିବାରୁ ଗଣେଶଙ୍କୁ ପ୍ରଥମେ ପୂଜା କରି କାର୍ଯ୍ୟ ଆରମ୍ଭ କଲେ କାର୍ଯ୍ୟ ନିର୍ବିଘ୍ନରେ ସମାପ୍ତ ହୁଏ ବୋଲି ବିଶ୍ୱାସ ରହିଛି ।
ପଦ୍ମ ପୁରାଣ, ଲିଙ୍ଗ ପୁରାଣ, ବ୍ରହ୍ମବୈବର୍ତ୍ତ ପୁରାଣ, ସ୍କନ୍ଦ ପୁରାଣ, ଶିବ ପୁରାଣ ଆଦିରେ ଗଣେଶଙ୍କର ଜନ୍ମ ଓ ବିଭିନ୍ନ ଲୀଳା ସମ୍ପର୍କରେ ବହୁ କାହାଣୀ ରହିଛି । କେତେକ କାହାଣୀ ପୁଣି ପରସ୍ପର ଠାରୁ ଭିନ୍ନ । ଗଣେଶ ପୁରାଣ ଓ ମୁଦ୍ଗଲ ପୁରାଣରେ ଗଣେଶଙ୍କର ବିଭିନ୍ନ ଅବତାର ବିଷୟରେ ବିଶଦ ଭାବରେ ଉଲ୍ଲେଖ ଅଛି । ଭଗବାନ ବିଷ୍ଣୁ ଦୁଷ୍ଟମାନଙ୍କୁ ସଂହାର କରି ପୃଥିବୀରେ ଧର୍ମର ପ୍ରତିଷ୍ଠା ପାଇଁ ବିଭିନ୍ନ ଯୁଗରେ ଅବତାର ଗ୍ରହଣ କରିଥିଲେ । ସେହିରି ଗଣେଶ ମଧ୍ୟ ଦୁଷ୍ଟ ସଂହାର କରି ପୃଥିବୀକୁ ରକ୍ଷା କରିବା ପାଇଁ ବିଭିନ୍ନ ଯୁଗରେ ଅବତାର ଗ୍ରହଣ କରିଥିଲେ ବୋଲି ଗଣେଶ ପୁରାଣରେ ଉଲ୍ଲେଖ ଅଛି । ବର୍ଣ୍ଣନା ଅଛି ଯେ, ସତ୍ୟ (କୃତ) ଯୁଗରେ ଗଣେଶଙ୍କର ପ୍ରଥମ ଅବତାର ହୋଇଥିଲା । ‘ମହୋତ୍କଟ ବିନାୟକ’ ରୂପରେ ଦେବମାତା ଅଦିତିଙ୍କ ଗର୍ଭରୁ ଆବିର୍ଭୂତ ହୋଇ ସେ ଧୁମ୍ରାକ୍ଷ, ଜୃମ୍ଭା, ଅନ୍ଧକ, ଦେବାନ୍ତକ, ନରାନ୍ତକ ଆଦି ମାୟାବୀ ଅସୁରଙ୍କୁ ସଂହାର କରିଥିଲେ । ମହୋତ୍କଟ ବିନାୟକଙ୍କର ଦଶଭୁଜ । ଭୁଜରେ ପରଶୁ ଓ କମଣ୍ଡଳୁ, କର୍ଣ୍ଣରେ କୁଣ୍ଡଳ, ଲଲାଟରେ କସ୍ତୂରୀ ତିଳକ, କଣ୍ଠରେ ମୋତିମାଳା, କଟିରେ ସୁବର୍ଣ୍ଣ କଟିସୂତ୍ର ଓ ନାଭିରେ ସର୍ପ ଶୋଭିତ ।
0 Comments