ପ୍ରିଜମ ନ୍ୟୁଜ ବ୍ୟୁରୋ: ଆଇପିଏଲ ୨୦୨୨ର ୪୯ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଚାରିଥର ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ)କୁ ୧୩ ରନରେ ପରାସ୍ତ କରିଛି। ଆଜି ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଚାଲିଥିବା ଏହି ମ୍ୟାଚ୍ରେ ୧୭୪ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଚେନ୍ନାଇ ନିର୍ଦ୍ଧାରିତ ଓଭରରେ ୮ ଉଇକେଟ ହରାଇ ୧୬୦ ରନ୍ କରିବାରେ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ଡି. କନୱେ ସର୍ବାଧିକ ୫୬ ରନ୍ କରିଥିଲେ। ମୋଇନ ଅଲ୍ଲୀ ୩୪, ରୁତୁରାଜ ଗାଏକ୍ଵାଡ ୨୮ ରନ୍ ସ୍କୋର କରିଥିଲେ। ଆରସିବି ପକ୍ଷରୁ ହର୍ସେଲ ପଟେଲ ସର୍ବାଧିକ ୩ ଉଇକେଟ ନେଇଥିବା ବେଳେ ଗ୍ଲେନ୍ ମ୍ୟାକ୍ସୱେଲ୍ ୨ଟି ଉଇକେଟ ନେଇଥିଲେ।ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁ ନିର୍ଦ୍ଧାରିତ ଓଭରରେ ୮ ଉଇକେଟ୍ ହରାଇ ୧୭୩ ରନ୍ କରିଥିଲା।
ବେଙ୍ଗାଲୁରୁ ପକ୍ଷରୁ ମାହିପାଲ୍ ଲୋମରୋର ୨୭ ବଲ୍ରୁ ୪୨ ରନ୍ର ପାଳି ଖେଳିଥିଲେ। ସେହିପରି ଅଧିନାୟକ ଫାଫ୍ ଡୁପ୍ଲେସିସ୍ ୩୮, ବିରାଟ କୋହଲି ୩୦,ଦୀନେଶ କାର୍ତ୍ତିକ ୨୬, ରଜତ ପଟିଦାର ୨୧ ରନ୍ କରିଥିଲେ। ଚେନ୍ନାଇ ପକ୍ଷରୁ ମହିଷ ଥିକିଷ୍ଣା ସର୍ବାଧିକ ୩ଟି ଉଇକେଟ୍ ନେଇଥିଲେ। ସେହିପରି ମୋଇନ ଅଲ୍ଲି ୨ ଏବଂ ଡ୍ବେନ୍ ପ୍ରେଟୋରିୟସ୍ ଗୋଟିଏ ଉଇକେଟ୍ ନେଇଥିଲେ।ଚଳିତ ଆଇପିଏଲ୍ରେ ୧୧ଟି ମ୍ୟାଚ୍ ଖେଳି ଆରସିବି ୬ଷ୍ଠ ବିଜୟ ହାସଲ କରିଥିବାବେଳେ ଚେନ୍ନାଇ ୧୦ ମ୍ୟାଚ୍ ଖେଳି ୭ମ ପରାଜୟବରଣ କରିଛି।ଏହି ମ୍ୟାଚ୍ ଧୋନୀଙ୍କ ପାଇଁ ସ୍ବତନ୍ତ୍ର ଥିଲା। ଆଇପିଏଲର ଯେକୌଣସି ଗୋଟିଏ ଫ୍ରାଞ୍ଚାଇଜ ପାଇଁ ୨୦୦ ମ୍ୟାଚ ଖେଳିଥିବା ଧୋନୀ ଦ୍ୱିତୀୟ ଖେଳାଳି ହୋଇଛନ୍ତି।
ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଆଇପିଏଲରେ ଏହା ତାଙ୍କର ୨୦୦ ତମ ମ୍ୟାଚ ଥିଲା ଯେକୌଣସି ଗୋଟିଏ ଫ୍ରାଞ୍ଚାଇଜ ପାଇଁ ୨୦୦ କିମ୍ବା ଅଧିକ ମ୍ୟାଚ ଖେଳିବା କ୍ଷେତ୍ରରେ କେବଳ ବିରାଟ କୋହଲି ତାଙ୍କଠାରୁ ଆଗରେ ଅଛନ୍ତି। ବିରାଟ ବର୍ତ୍ତମାନ ପର୍ଯ୍ୟନ୍ତ ଆଇପିଏଲରେ ବେଙ୍ଗାଲୁରୁ ପାଇଁ ୨୧୭ ମ୍ୟାଚ ଖେଳିଛନ୍ତି। ୨୦୧୬ ଏବଂ ୨୦୧୭ରେ ଚେନ୍ନାଇ ନିଷେଧ ହେବା ପରେ ଧୋନୀଙ୍କୁ ଅନ୍ୟ ଫ୍ରାଞ୍ଚାଇଜ ପାଇଁ ଖେଳିବାକୁ ପଡିଥିଲା, ନଚେତ୍ ସେ କୋହଲିଙ୍କଠାରୁ ଆଗରେ ଥାଆନ୍ତେ।
0 Comments