ବିଜେଡିର ପ୍ରଶ୍ନ; ବ୍ଲକ କାର୍ଯ୍ୟାଳୟକୁ କ୍ଲବ ଘର ଭାବୁଛନ୍ତି କି କବିସୂର୍ଯ୍ୟନଗର ବିଧାୟକ?

ବିଜେଡିର ପ୍ରଶ୍ନ; ବ୍ଲକ କାର୍ଯ୍ୟାଳୟକୁ କ୍ଲବ ଘର ଭାବୁଛନ୍ତି କି କବିସୂର୍ଯ୍ୟନଗର ବିଧାୟକ?

କବିସୂର୍ଯ୍ୟନଗର: କ୍ଷମତାକୁ ଆସୁ ଆସୁ ଅସଲ ରୂପ ଦେଖାଇଲାଣି କି ଭାରତୀୟ ଜନତା ପାର୍ଟି ବିଜେପି ? ଆରମ୍ଭରୁ ଅମଲା ବିରୋଧୀ ନୀତି ଆପଣାଉଥିବା ବିଜେପି ଏବେ ବିନା ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ଦଳୀୟ ନେତା ଓ କର୍ମୀଙ୍କୁ ନେଇ ସମିତି କାର୍ଯ୍ୟାଳୟରେ ସମୀକ୍ଷା ବୈଠକ କରିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । ବିବାଦ ସେଇଠୁ ଆରମ୍ଭ ହେଲା ଯେବେ କବିସୂର୍ଯ୍ୟନଗରର ନବ ନିର୍ବାଚିତ ବିଜେପିର ବିଧାୟକ ପ୍ରତାପ ନାୟକ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ ଡକାଇଥିଲେ । ତେବେ ଏହି ବୈଠକରେ କୌଣସି ବ୍ଲକ ଅଧିକାରୀ କିମ୍ବା ବିଜୁ ଜନତା ଦଳର ନିର୍ବାଚିତ ଜନପ୍ରତିନିଧିଙ୍କୁ ସୂଚନା ବି ଦିଆଯାଇନଥିଲା ବୋଲି ଅଭିଯୋଗ ଆସିଛି ।

ଏହି ଅଭିଯୋଗ ସ୍ଥାନୀୟ ବିଜେଡି ନେତା ତଥା ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ପ୍ରମୋଦ ପଣ୍ଡା ଆଣିଛନ୍ତି । କବିସୂର୍ଯ୍ୟନଗର ବିଧାୟକଙ୍କ ମନମୁଖି କାର୍ଯ୍ୟକୁ କଡ଼ା ଭାଷାରେ ନିନ୍ଦା କରିବା ସହ ପ୍ରମୋଦ ପଣ୍ଡା କହିଛନ୍ତି ଯେ, ଯେଉଁଠି କବିସୂର୍ଯ୍ୟନଗର ବିଧାୟକ ଦଳୀୟ କର୍ମୀଙ୍କୁ ନେଇ ବୈଠକ କରିଥିଲେ ସେଇଟା ସରକାରୀ ଅଫିସ ବିଜେପିର କାର୍ଯ୍ୟାଳୟ ନୁହେଁ । ଏହାକୁ କଡ଼ା ଭାଷାରେ ଯୁବ ବିଜେଡି ଘୋର ନିନ୍ଦା କରୁଛି ବୋଲି ଫୋନ୍ ଯୋଗେ ପ୍ରିଜମ ନ୍ୟୁଜ୍ କୁ ଜଣାଇଛନ୍ତି ବିଜେଡି ନେତା ପ୍ରମୋଦ ପଣ୍ଡା।

ଗଣତନ୍ତ୍ରର କଥା କହୁଥିବା ଭାରତୀୟ ଜନତା ପାର୍ଟି ବିଜେପି ଏଠାରେ ଗଣତନ୍ତ୍ରର ଗଳା ଚିପିବାକୁ ଉଦ୍ୟମ କରୁଥିବା କହି ସମାଲୋଚନା କରିଛନ୍ତି ପ୍ରମୋଦ ପଣ୍ଡା । ଆଗାମୀ ଦିନରେ ଏହାକୁ ସ୍ଥାନୀୟ ବିଜେଡି ପ୍ରସଙ୍ଗ କରି ଆନ୍ଦୋଳନ କରିବ । ସମିିତି ସମ୍ମିଳନୀ କକ୍ଷରେ ବିଜେପି କର୍ମୀଙ୍କୁ ନେଇ ବୈଠକ କରିବାକୁ କିଏ ଅନୁମତି ଦେଇଥିଲା ସେ ପ୍ରସଙ୍ଗରେ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ପ୍ରଶ୍ନ କରିବୁ ବୋଲି କହିଛନ୍ତି ବିଜେଡି ନେତା ପ୍ରମୋଦ ପଣ୍ଡା ।

ଏନେଇ ଆମେ କବିସୂର୍ଯ୍ୟନଗର ବିଧାୟକଙ୍କ ସହ ଫୋନ୍ ଯୋଗେ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: