ଶିଶୁ ଗଳ୍ପ : ରାଜା ବୁଝିଲେ

ଶିଶୁ ଗଳ୍ପ : ରାଜା ବୁଝିଲେ

(ସୁପ୍ରିୟା ପଣ୍ଡା):ଜଣେ ରାଜା ଥିଲେ। ସେ ଖୁବ୍ ସରଳ ବିଶ୍ୱାସୀ ଏବଂ ଶାନ୍ତ ସ୍ଵଭାବର ଥିଲେ। ରାଜା ବୋଲି ତାଙ୍କ ମନରେ ଟିକିଏ ବି ଗର୍ବ କି ଅହଙ୍କାର ନଥିଲା। ରାଜ୍ୟର ସମସ୍ତ ଅଧିବାସୀଙ୍କୁ ସେ ପରିବାରର ପରି ମନେ କରୁଥିଲେ। ରାଜାଙ୍କ ରାଜ ସଭାରେ ବିଚକ୍ଷଣ ବୁଦ୍ଧି ସମ୍ପନ୍ନ ମନ୍ତ୍ରୀ ଓ ପାରିଷଦମାନେ ଥିଲେ। ରାଜା ସେମାନଙ୍କ ଉପରେ ବହୁତ ବିଶ୍ୱାସ କରୁଥିଲେ। ସେମାନେ ଯାହା କହୁଥିଲେ ରାଜା ସେହି କଥାକୁ ସତ୍ୟ ବୋଲି ଗ୍ରହଣ କରିନେଉଥିଲେ। ରାଜ୍ୟରେ କୌଣସି ପ୍ରକାରର ଅଭାବ କି ଅସୁବିଧା ନଥିଲା। ସେଥିପାଇଁ ରାଜକୋଷ ସବୁବେଳେ ପୁରି ରହୁଥିଲା। ରାଜା ବି ପରମ ସନ୍ତୋଷରେ କାଳାତିପାତ କରୁଥିଲେ।ଥରେ ରାଜା ତାଙ୍କ ଦରବାରରେ ପାତ୍ର ମନ୍ତ୍ରୀଙ୍କ ସହ କିଛି ବିଚାର କରୁଥିବା ସମୟରେ ବାହାରୁ କିଛି ପାଟିତୁଣ୍ଡ ଶୁଭାଗଲା। ରାଜା କୌତୁହଳ ହୋଇ ସେ ବିଷୟରେ ଜାଣିବାକୁ ଚାହିଁଲେ ଏବଂ ମନ୍ତ୍ରୀଙ୍କୁ ପ୍ରାସାଦ ବାହାରକୁ ଯାଇ କାରଣ ଜାଣିବାକୁ ଆଦେଶ ଦେଲେ ।କିଛି ସମୟ ପରେ ମନ୍ତ୍ରୀ ଫେରିଆସି ରାଜାଙ୍କୁ ଜଣେଇଲେ ବାହାରେ ଜଣେ କୃଷକ ରାଜାଙ୍କ ସହ ଦେଖା କରିବା ପାଇଁ ଅନୁମତି ଚାହୁଁଛି।ରାଜା ସାଙ୍ଗେ ସାଙ୍ଗେ କୃଷକକୁ ସମ୍ମାନର ସହ ଦରବାର ମଧ୍ୟକୁ ପାଛୋଟି ଆଣିବାକୁ ନିର୍ଦ୍ଦେଶ ଦେଲେ ।

ରାଜାଙ୍କ ଆଜ୍ଞା ପାଇ ଜଣେ ପାରିଷଦ ପ୍ରାସାଦର ଦ୍ୱାରକୁ ଯାଇ କୃଷକକୁ ସମ୍ମାନର ସହ ଦରବାରକୁ ସ୍ୱାଗତ କରି ଆଣିଲେ।କୃଷକଟି ହାତ ଯୋଡ଼ି ରାଜାଙ୍କ ଦରବାରରେ ଠିଆ ହୋଇ ରାଜାଙ୍କୁ ଅଭିବାଦନ ଜଣାଇଲା। ରାଜା କୃଷକକୁ ଦେଖି ଟିକେ ଆଶ୍ଚର୍ଯ୍ୟ ହେଲେ କିନ୍ତୁ ଅତ୍ୟନ୍ତ ପ୍ରସନ୍ନ ଦେଖାଗଲେ। ସାଧାରଣତଃ ଜଣେ କୃଷକ, ସାଧାରଣ ବେଶ ପୋଷାକରେ ରହିଥାଏ। କିନ୍ତୁ ଦରବାରକୁ ଆସିଥିବା କୃଷକଟି ରେଶମ ଲୁଗା ପିନ୍ଧି ଆସିଥିଲା। କୃଷକର ରେଶମ ଲୁଗା ଦେଖି ରାଜାଙ୍କର ଛାତି କୁଣ୍ଢେ ମୋଟ ହୋଇଗଲା। ଯେଉଁ ରାଜ୍ୟର କୃଷକ ରେଶମ ଲୁଗା ପିନ୍ଧୁଛି ସେ ରାଜ୍ୟ ନିଶ୍ଚିତ ଭାବରେ ଉନ୍ନତୀର ଶିଖରରେ ଅଛି ବୋଲି ରାଜାଙ୍କର ଧାରଣା ହେଲା । ରାଜା କୃଷକକୁ ଆସିବାର କାରଣ ପଚାରିଲେ। କୃଷକ ରାଜାଙ୍କ ହାତକୁ ଏକ ପତ୍ର ଦେଇ ତା’ ଝିଅର ବାହାଘର ପାଇଁ ରାଜାଙ୍କୁ ନିମନ୍ତ୍ରଣ କରିବା ପାଇଁ ଆସିଛି ବୋଲି ଜଣାଇଲା ଏବଂ ସେହି ବିବାହ କାର୍ଯ୍ୟରେ ଯୋଗ ଦେବାପାଇଁ ରାଜାଙ୍କୁ ଅନୁରୋଧ କଲା।ରାଜା ପରମ ଆଗ୍ରହରେ କୃଷକର ନିମନ୍ତ୍ରଣ ରକ୍ଷା କରି ବିବାହ କାର୍ଯ୍ୟରେ ଯୋଗ ଦେବାର ପ୍ରତିଶୃତି ସହ କିଛି ମୂଲ୍ୟବାନ ଉପହାର ଦେଇ କୃଷକକୁ ବିଦା କଲେ । ସେଦିନ ଦରବାରର କାର୍ଯ୍ୟ ପରେ ରାଜା ମଧ୍ୟାହ୍ନ ଭୋଜନ ଗ୍ରହଣ କରିବା ସମୟରେ ରାଣୀଙ୍କୁ କୃଷକର ନିମନ୍ତ୍ରଣ କଥା ଜଣାଇଲେ ଏବଂ କୃଷକର ବେଶ ପୋଷାକ ବିଷୟରେ ଖୁବ ଆତ୍ମ ସନ୍ତୋଷର ସହ ବର୍ଣ୍ଣନା କଲେ। ରାଜାଙ୍କ କଥା ଶୁଣି ରାଣୀଙ୍କ ମନରେ ସନ୍ଦେହ ସୃଷ୍ଟି ହେଲା। ରାଣୀ ଅତ୍ୟନ୍ତ ସୁନ୍ଦରୀ ହେବା ସହ ପ୍ରଖର ବୁଦ୍ଧିମତୀ ଥିଲେ। ଜଣେ କୃଷକ ରେଶମ ପୋଷାକ ପିନ୍ଧିବା କଥା ତାଙ୍କ ମନକୁ ଗଲା ନାହିଁ।ରାଣୀ ରାଜାଙ୍କୁ କହିଲେ “ମହାରାଜ , ଜଣେ ପ୍ରଜାବତ୍ସଳ ରାଜା ଭାବରେ ଆପଣ ବ୍ୟକ୍ତିଗତ ଭାବରେ ଏହାର କାରଣ ଜାଣିବାକୁ ଚେଷ୍ଟା କରନ୍ତୁ। କୃଷକଟିଏ ରେଶମ ପୋଷାକ ସହ ଦରବାରକୁ ଆସିବା କଥା ମୋ ମନରେ ଅନେକ ସନ୍ଦେହ ସୃଷ୍ଟି କରୁଛି। “ରାଣୀଙ୍କ କଥାକୁ ଗମ୍ଭୀରତାର ସହ ନେଇ ରାଜା ତା ପରଦିନ ଦେହ ଅସୁସ୍ଥ କଥା କହି ଦରବାରରେ ଅନୁପସ୍ଥିତ ରହିଲେ ଏବଂ ଜଣେ ସାଧାରଣ ବ୍ୟକ୍ତିର ବେଶରେ ରାଜ୍ୟ କଥା ଜାଣିବା ପାଇଁ ରାଜ ନଅରରୁ ବାହାରି ଗଲେ। ରାଜ ମହଲର କିଛି ଦୂର ପର୍ଯ୍ୟନ୍ତ ରାଜା ଦେଖିଲେ ସେଠାରେ ପ୍ରଜାମାନେ ଖୁବ୍ ସୁନ୍ଦର ଭାବରେ ଜୀବନ ଅତିବାହିତ କରୁଛନ୍ତି। ସେଠାରେ କୌଣସି ଅଭାବ ଅସୁବିଧା ନାହିଁ । କିନ୍ତୁ ଆଉ ଟିକେ ଦୂର ଗଲାପରେ ରାଜା ଯାହା ଦେଖିଲେ ସେଥିରେ ଗଭୀର ଭାବରେ ଦୁଃଖିତ ଓ ମର୍ମାହତ ହେଲେ।ରାଜା ଦେଖିଲେ ଲୋକମାନେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହୁଛନ୍ତି। ଛୋଟ ଛୋଟ ପିଲାମାନେ ରୁଗ୍ଣ ଏବଂ କଙ୍କାଳସାର ଦେଖାଯାଉଛନ୍ତି । ଲୋକମାନେ ଚିରା ଲୁଗା ପିନ୍ଧିଛନ୍ତି। କାହା ମୁହଁରେ ହସ କି ଖୁସିର ଚିହ୍ନ ବର୍ଣ୍ଣ ନାହିଁ । ରାଜ୍ୟର ରାଜକୋଷ ସବୁବେଳେ ପୁର୍ଣ୍ଣ ରହୁଥିବା ବେଳେ ପ୍ରଜାମାନଙ୍କର ଏପରି ଅବସ୍ଥାର ପ୍ରକୃତ କାରଣ ଜାଣିବା ପାଇଁ ରାଜା ଜଣେ ସ୍ଥାନୀୟ ବାସିନ୍ଦାକୁ ପଚାରିଲେ।” ମୁଁ ଶୁଣିଛି ଆପଣଙ୍କ ରାଜା ଜଣେ ସୁଶାସକ ଏବଂ ଆପଣଙ୍କ ରାଜ୍ୟରେ କିଛି ଅସୁବିଧା ନାହିଁ। ତେବେ ଆପଣମାନେ ଏପରି ଅବସ୍ଥାରେ କାହିଁକି ଅଛନ୍ତି।”ଲୋକଟି ରାଜାଙ୍କୁ ତାତ୍ସଲ୍ୟ କରି କହିଲା , ଆପଣ ବୋଧହୁଏ ଅନ୍ୟ ରାଜ୍ୟର ଲୋକ। ସେଥିପାଇଁ କିଛି ଜାଣି ନାହାଁନ୍ତି। ରାଜା ନିଜର ପରିଚୟ ଲୁଚେଇ କହିଲେ ” ହଁ, ହଁ ମୁଁ ବାହାର ରାଜ୍ୟରୁ ଆସିଛି । ଆପଣ ମତେ ପ୍ରକୃତ କାରଣ କହିବେ କି ?ଲୋକଟି ଏକ ଦୀର୍ଘଶ୍ଵାସ ନେଇ କହିଲା , ମୁଁ ବି ଶୁଣିଛି ଆମ ରାଜା ବହୁତ ଭଲ। କିନ୍ତୁ ତାଙ୍କ ଦରବାରରେ ଥିବା ମନ୍ତ୍ରୀ ଏବଂ ପାରିଷଦଙ୍କ କଥାରେ ଚାଲନ୍ତି। ଅନେକ ସମୟରେ ରାଜ୍ୟରେ ଠିକ ସମୟରେ ବର୍ଷା ହେଉ ନଥିବାରୁ ସବୁବେଳେ ଫସଲ ଅମଳ ହୋଇପାରୁନାହିଁ। କିନ୍ତୁ ଆମ ଅଭାବ ଅସୁବିଧା ନ ବୁଝି ଆମ ପାଖରୁ ଖଜଣା ଆଦାୟ କରାଯାଏ। ରାଜ୍ୟରେ କେବଳ ଧନୀକ ଶ୍ରେଣୀର ପିଲାଙ୍କ ପାଇଁ ଶିକ୍ଷାର ବ୍ୟବସ୍ଥା କରାଯାଇଛି । ଆମ ପିଲାମାନଙ୍କ ପାଇଁ କିଛି ନାହିଁ। ଆମ ଦୁଃଖ ସୁଖ କିଛି ବି ରାଜା ବୁଝୁ ନାହାଁନ୍ତି । ରାଜା ଭଲ ହେଲେ କଣ ହେବ ତାଙ୍କର ନିଜର କିଛି ବୁଦ୍ଧି ସୁଦ୍ଧି ନାହିଁ। ତାଙ୍କ ପାତ୍ର ମନ୍ତ୍ରୀମାନେ ରାଜାଙ୍କୁ ଯେମିତି ସୂଚନା ଦେଉଛନ୍ତି ରାଜା ସେମିତି ଚାଲିଛନ୍ତି। ନିଜେ କିଛି ବୁଝିଲେ ସିନା ଜାଣିବେ !

ରାଜା କହିଲେ “ତୁମେମାନେ ରାଜାଙ୍କ ପାଖରେ ଫେରାଦ କାହିଁକି ହେଉନ। “ରାଜାଙ୍କ ପାଖକୁ ଯାଇ ପାରିଲେ ତ ? ଯେତେବେଳେ ବି ଆମ ଭିତରୁ କିଏ ଯାଇଛି ତାକୁ ଧମକ ଚମକ ଦେଇ ରାଜ ଉଆସ ବାହାରୁ ଫେରାଇ ଦିଆଯାଇଛି। ରାଜାଙ୍କୁ କିଛି କହିଲେ ଆମକୁ ଜୀବନରେ ମରିଦେବାର ଧମକ ଦିଆ ଯାଇଛି। ଏଇ ନିକଟରେ ଜଣେ କୃଷକ ରାଜାଙ୍କୁ ଦୁଃଖ ଜଣାଇ ତାର ଝିଅର ବାହାଘର ପାଇଁ କିଛି ସାହାଯ୍ୟ ମାଗିବା ପାଇଁ ଯାଇଥିଲା। ହେଲେ ତାକୁ ରେଶମ ଲୁଗା ପିନ୍ଧାଇ ଭିନ୍ନ ଭାବରେ ରାଜାଙ୍କ ସହ ଦେଖା କରାଗଲା। ରାଜା ତାକୁ ଯାହା ଉପହାର ଦେଇଥିଲେ ଫେରିଲା ବେଳେ ସେସବୁ ଦ୍ୱାରପାଳମାନେ ଛଡ଼ାଇ ନେଲେ। ଏସବୁ କଥା ଶୁଣି ରାଜାଙ୍କ ମନ ଯେତିକି ଖରାପ ହେଲା ନିଜ ପାରିଷଦ ବର୍ଗଙ୍କ ପାଇଁ ସେତିକି କ୍ରୋଧ ଜାତ ହେଲା। ରାଜା ଆଉ ଆଗକୁ ନଯାଇ ମହଲକୁ ଫେରି ଆସିଲେ। ଜାଣିଶୁଣି ମୁଖ୍ୟ ଫାଟକ ବାଟଦେଇ ଆସିଲେ। ରାଜାଙ୍କୁ ଦେଖା କରିବେ ବୋଲି ଦ୍ବାରପାଳଙ୍କୁ ଅନୁମତି ମାଗିଲା ବେଳକୁ ସେମାନେ ରାଜାଙ୍କୁ ଚିହ୍ନି ନପାରି ଅପମାନିତ କରି ଫେରାଇ ଦେଲେ। ରାଜାଙ୍କ ଏବେ ପ୍ରକୃତ ଘଟଣା ପ୍ରତି ନିଜେ ଅବଗତ ହେଲେ ।ପରଦିନ ରାଜା ଦରବାରରୁ ସମସ୍ତ ମନ୍ତ୍ରୀ ଏବଂ ପାରିଷଦଙ୍କୁ ବହିଷ୍କାର କରି ଉପଯୁକ୍ତ ବ୍ୟକ୍ତିଙ୍କ ହାତରେ ଦାୟିତ୍ୱ ଅର୍ପଣ କଲେ ଏବଂ ନିଜେ ପ୍ରତ୍ୟକ୍ଷ ଭାବରେ ପ୍ରଜାମାନଙ୍କ ଦୁଃଖ ସୁଖ କଥା ବୁଝିଲେ। ରାଣୀଙ୍କର ସାମାନ୍ୟ ସନ୍ଦେହ ରାଜାଙ୍କୁ ନିଜର ଭୁଲ ସହ ପରିଚିତ କରାଇବା ସହ ସମାଧାନର ବାଟ ବି ଦେଖାଇଲା ଏବଂ ତାଙ୍କ ଶାଶନରେ ଏକ ବିରାଟ ପରିବର୍ତ୍ତନ ଆଣିଲା। ଅନ୍ୟମାନଙ୍କ ଉପରେ ବିଶ୍ୱାସ କରି ସମ୍ପୂର୍ଣ୍ଣ ନିର୍ଭରଶୀଳ ହେବା ଠିକ ନୁହେଁ ବୋଲି ମଧ୍ୟ ରାଜା ହୃଦୟଙ୍ଗମ କଲେ।

ରସୁଲଗଡ , ଭୁବନେଶ୍ୱର

0 Comments

Leave Your Comment

Your email address will not be published. Required fields are marked *

%d bloggers like this: