ପରଦା ପଛର ‘ତାଣ୍ଡବ’ ତାଣ୍ଡବ

ପ୍ରିଜମ ନ୍ଯୁଜ୍ ବ୍ଯୁରୋ: ଆମାଜନ ପ୍ରାଇମ ଭିଡିଓରେ ପଲିଟିକାଲ ନାରେଟିଭ୍ ତାଣ୍ଡବ ସହ ପରିଚିତ ହୋଇସାରିଥିବେ ନିଶ୍ଚୟ । ପରଦା ପଛର ସୁପରିକଳ୍ପିତ କାହାଣୀକୁ ଅତି ଆକର୍ଷଣୀୟ ଭାବେ ଦୃଶାୟନ କରାଯାଇଛି । ଯାହାକୁ ଆପଣ ମୋବାଇଲ ପରଦା ମାଧ୍ୟମରେ ଅନୁଭବ କରିଛନ୍ତି । ପ୍ରଭାବୀ ସଂଳାପ ସଂରଚନା ଏବଂ ଚିତ୍ରାୟନର ଚର୍ଚ୍ଚା ଏବେ ଏଠି ସେଠି ସବୁଠି । ହ୍ବାଟ୍ସଅପ୍ ୟୁନିଭରସିଟିରେ ତାଣ୍ଡବକୁ ନେଇ ଚର୍ଚ୍ଚା ସେତେବେଳେ ଜୋର୍ ଧରିଲା, ଯେତେବେଳେ ଲାଇଟ ତାଣ୍ଡବ ଭର୍ସନ ବୟକଟ ତାଣ୍ଡବ ଟ୍ରେଣ୍ଡ କଲା । ଏହାର କେଇ ଶହ ଘଣ୍ଟା ପରେ ଆଉ ଯାହା ଜନରାଜ୍ଯ ଦିବସ ଅବସରରେ ଘଟିଲା ତାହା ବି ତାଣ୍ଡବ । ଅବଶ୍ଯ ଏହା ଥିଲା ପ୍ରୋ-ଭର୍ସନର ତାଣ୍ଡବ । ଯାହାର ରଚନାକାରଙ୍କୁ ଆମେ ଘୋଷ୍ଟ ରାଇଟର କହିପାରିବା । ସେ ଘୋଷ୍ଟ ରାଇଟର ଆପଣ-ମୁଁ-ସେ-ସେମାନେ ହୋଇପାରନ୍ତି । ଆପଣ ଆଉ ମୁଁ ସେ କିଏ ପଛରେ ନ ପଡ଼ି ସେମାନେ କିଏର ଯଦି ଉତ୍ତର ଖୋଜିବା ପ୍ରଥମେ ସରକାର ତା’ ପରେ ଚାଷୀଙ୍କ ବାହାନାରେ ସେମାନେ (ତଥାକଥିତ ଦେଶଦ୍ରୋହୀ, ବିଭାଜନକାରୀ, ଆତଙ୍କବାଦୀ, ଅର୍ବାନ ନକ୍ସଲ)ଇତ୍ଯାଦି ଇତ୍ଯାଦି ହୋଇପାରନ୍ତି ।

ଲାଲକିଲ୍ଲାରେ ଯେଉଁ ତାଣ୍ଡବକୁ ନେଇ ମହାଭାରତ ହେଲା ତାହା ଆଗାମୀ କାଲି ପାଇଁ ଏକ ଆହ୍ବାନ ମାତ୍ର। ଏ ଆହ୍ବାନ ସାଧାରଣ ଲୋକର ସ୍ବର ହୋଇ ଇତିହାସ ଲେଖିବାର ସାମଥର୍ୟ ରଖିପାରେ, ସେମାନଙ୍କ ଦ୍ୱାରା କଳଙ୍କିତ ଅଧ୍ୟାୟ ଲେଖିବାର ଅବସର ହୋଇପାରେ ନାହିଁ ତ ଛାୟାଯୁଦ୍ଧରେ ମାହିର ବର୍ତ୍ତମାନର ଚାଣକ୍ଯ ପଲିଟିକ୍ସର ପିତାମହ ହୋଇ ପୂଜା ପାଇବାର ପଥ ପ୍ରସ୍ତୁତ କରିବାର ପ୍ରୟାସକୁ ସଫଳ କରିପାରେ।

ଏ ଆଦିର ଅନ୍ତନାହିଁ, ଅନ୍ତର ପରିମାଣ କେତେ ଭୟଙ୍କର, ଲଜ୍ଯାଜନକ ହେବ ତାହା ସମୟ କହିବ । ସମୟକୁ କିନ୍ତୁ ନିଜ ହିସାବରେ ଘୁରାଇବାର ବୃଥା ଓ ଅପଚେଷ୍ଟା ଯିଏ ବି କରିବ ସେ କାଲିର କଳଙ୍କିତ ପୁରୁଷ, ଗୋଷ୍ଠୀ, ଦଳ ସର୍ବୋପରି ସେମାନେ ବୋଲି ବିବେଚିତ ହେବ । ବାସ୍, ଏହାକୁ ଯେ ଯେମିତି ଭାବରେ-ଅର୍ଥରେ ହୃଦୟକୁ ନେବ ତାକୁ ଦିଲ୍ଲୀର ହାର୍ଟରେ ଘଟିଥିବା ଘଟଣା ସେମିତି ପ୍ରତୀୟମାନ ହେବ ।

%d bloggers like this: