କ୍ଷୀର, ଛୁଇଁ ଆଳୁରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ ତରକାରୀ

କ୍ଷୀର, ଛୁଇଁ ଆଳୁରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ ତରକାରୀ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଆପଣ କ୍ଷୀରରେ ଅନେକ ପ୍ରକାର ଖାଦ୍ୟ ପ୍ରସ୍ତୁତ କରିଥିବେ ବା ଖାଇଥିବା। ହେଲେ ଆଜି ଆମେ ଆପଣଙ୍କୁ କ୍ଷୀରରେ ପ୍ରସ୍ତୁତ ଏକ ନିଆରା ଖାଦ୍ୟ ବିଷୟରେ କହିବୁ। ତାହା ହେଉଛି କ୍ଷୀର, ଛୁଇଁ ଆଳୁ ସନ୍ତୁଳା। ଏହା ଅଳ୍ପ ତେଲ ମସଲାରେ ପ୍ରସ୍ତୁତ ହେବା ସହ ସ୍ୱାଦିଷ୍ଟ ହୋଇଥାଏ। ଏବଂ ଏହା ସ୍ୱାସ୍ଥ୍ୟ ଉପଯୋଗୀ ମଧ୍ୟ। ତେବେ ଚାଲନ୍ତୁ ଜାଣିବା କେମିତି ତିଆରି କରିବା କ୍ଷୀର, ଛୁଇଁ ଆଳୁ ସନ୍ତୁଳା
ଆବଶ୍ୟକୀୟ ସାମଗ୍ରୀ:
ସଜନା ଛୁଇଁ – ୨ ଟା, ଆଳୁ – ୨ଟା ମଧ୍ୟମ ଆକାରର, ଅଳ୍ପ ଫୁଟଣ,ଶୁଖିଲା ଲଙ୍କା – ୨ଟା, ସୋରିଷ ତେଲ – ୨ ଚାମଚ, ହଳଦୀ ଗୁଣ୍ଡ ଓ ଲୁଣ ସ୍ୱାଦ ଅନୁଯାୟୀ, କ୍ଷୀର – ୧ କପ୍।
ପ୍ରସ୍ତୁତି ପ୍ରଣାଳୀ:
ଛୁଇଁକୁ ଲମ୍ବା ଲମ୍ବା କାଟି ରଖନ୍ତୁ । ଏହାସହ ଆଳୁକୁ ଚୋପା ଛଡ଼ାଇ, ଗୋଲ ଗୋଲ କାଟି ରଖନ୍ତୁ ।
କଡ଼େଇରେ ୨ ଚାମଚ ତେଲ ନେଇ ମଧ୍ୟମ ଆଞ୍ଚରେ ଗରମ କରି, ଫୁଟଣ ଓ ଲଙ୍କା ପକାଇ ଫୁଟାନ୍ତୁ । ଏବେ ସେଥିରେ ଛୁଇଁ ଆଳୁ ପକାଇ କିଛି ସମୟ ଭାଜି ଦିଅନ୍ତୁ । ଏବେ ସେଥିରେ ଲୁଣ, ହଳଦୀ ପକାଇ ଅଳ୍ପ ପାଣି ଦେଇ ଘୋଡାଇ ଦିଅନ୍ତୁ। କିଛି ସମୟ ମଧ୍ୟମ ଆଞ୍ଚରେ ସିଝାନ୍ତୁ ।
ଛୁଇଁ ଆଳୁ ସିଝିଲା ପରେ ଏବେ ସେଥିରେ କ୍ଷୀର ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ । ମାତ୍ର ଗୋଟିଏ ମିନିଟ୍ ଚଲାଇ ଗ୍ୟାସ୍ ବନ୍ଦ କରିଦିଅନ୍ତୁ । ଏବେ ସେଥିରେ ଟିକେ ଜୀରା ଓ ଲଙ୍କା ଗୁଣ୍ଡ ପକାଇ କାଢି ଦିଅନ୍ତୁ ଏବେ ପ୍ରସ୍ତୁତ ହୋଇଗଲା କ୍ଷୀର, ଛୁଇଁ ଆଳୁ ସନ୍ତୁଳା। ଆପଣ ଏହାକୁ ଭାତ,ରୁଟି ଓ ପିଠା ସହ ଖାଇପରିବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: