(ଶ୍ରୁତକୀର୍ତ୍ତି ତ୍ରିପାଠୀ): କୋରୋନା ମହାମାରୀରେ ସାଧାରଣ ଲୋକଙ୍କ ଜୀବନ, ବ୍ୟବସାୟ, ସ୍ୱାସ୍ଥ୍ୟ, ପରିବହନ, ଶିକ୍ଷା ସବୁ ପ୍ରଭାବିତ ହେଲା l ଲୋକ ବଞ୍ଚିବା ପାଇଁ ଯାହା ସବୁଠାରୁ ବେଶୀ ଆବଶ୍ୟକ, ସରକାର ତା ପ୍ରତି ଅଧିକ ଗୁରୁତ୍ୱ ଦେଲେ l ଅଫିସ, ବିଦ୍ୟାଳୟ, ଦୋକାନ, ବଜାର, ଧାର୍ମିକ ସ୍ଥଳ ସବୁ ବନ୍ଦ ରହିଲା l ଧୀରେ ଧୀରେ ପରିସ୍ଥତି ସୁଧୁରିବାରୁ ଅତ୍ୟାବଶ୍ୟକ ସୁବିଧା ସହଜ କରାହେଲା l ଶିକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ଅଚଳ ନ ହେବାକୁ ଦିଆଯାଇ, ଆରମ୍ଭ କରାହେଲା ଅନଲାଇନ ଶିକ୍ଷା l ପିଲାମାନେ ଘରେ ରହି ପାଠ ପଢ଼ିଲେ l ବାଧାପ୍ରାପ୍ତ ହୋଇଥିବା ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ପାଇଁ ଏହି ବିକଳ୍ପ ଟିକୁ ଆପଣେଇ ନେବା ପାଇଁ ସମସ୍ତେ ଏକ ପ୍ରକାର ବାଧ୍ୟ ହେଲେ l ବିଦ୍ୟାର୍ଥୀଙ୍କୁ, ଅଭିଭାବକଙ୍କୁ, ଶିକ୍ଷକ/ ଶିକ୍ଷୟିତ୍ରୀ ସମସ୍ତଙ୍କୁ ସୁବିଧା ହେଲା ଘରେ ରହି ପଢିବା ଆଉ ପଢେଇବାରେ l ପ୍ରଥମେ ପ୍ରଥମେ ସଭିଏଁ ଭାବିଲେ, ଅନଲାଇନ ପାଠପଢା ର ସତରେ କେତେ ସୁବିଧା !! କିନ୍ତୁ ‘ଉପରୁ ଚିକଚିକ କରୁଥିବା ସବୁ ଜିନିଷ କ’ଣ ସତରେ ସୁନା !’
ସମୟ ଗଡ଼ିବା ସହିତ ଅନଲାଇନ ଶିକ୍ଷା ଯୋଗୁଁ ପିଲାମାନଙ୍କ ପାଠପଢା ପ୍ରତି ଅମନଯୋଗୀ ଭାବ, ମୋବାଇଲ ଓ କମ୍ପୁଟର ପ୍ରତି ମାତ୍ରାଧିକ ଆସକ୍ତି, ପରିବାର ଓ ସମ୍ପର୍କୀୟଙ୍କ ଠାରୁ ଦୂରେଇଯିବା ଏବଂ ସର୍ବୋପରି ଶିକ୍ଷାର ମାନ ହ୍ରାସ ପାଇବା ଏହାର ଅନ୍ୟ ଏକ ଦିଗ, ଯାହାକୁ ହିସାବ କଲେ ଅନଲାଇନ ଶିକ୍ଷା ଦ୍ୱାରା ଲାଭ ଠାରୁ କ୍ଷତି ବେଶୀ ହଉଛି ବୋଲି ଜଣାପଡିବ l କିମ୍ବା ଅନ୍ୟ ପ୍ରକାର କହିଲେ , ‘କଣ ଅସୁବିଧା ରହୁଛି ଅନଲାଇନ ପାଠପଢ଼ାରେ ? ତାହା ଜାଣିବା ଆବଶ୍ୟକ l
ଅସୁବିଧା ଅଛି। କିନ୍ତୁ ପରିତାପ ବିଷୟ, ସେସବୁ ପ୍ରତି କ୍ଵଚିତ ଧ୍ୟାନ ଯାଏ। ପୂର୍ବ କାଳରେ ଗୁରୁକୁଳ ଶିକ୍ଷାର ବ୍ୟବସ୍ଥା ଥିଲା। ଗୁରୁଙ୍କ ଦାୟିତ୍ୱରେ ରହି ଶିଷ୍ୟମାନେ ନିଜେ ସବୁ କାର୍ଯ୍ୟ କରୁଥିଲେ,ଯାହା ଭିତରେ ଯେଉଁ ଗୁଣ ରହିଛି ତାକୁ ଲକ୍ଷ୍ୟ କରି ଗୁରୁ ସେ ଦିଗରେ ଉନ୍ନତି ପାଇଁ ଚେଷ୍ଟିତ ରହୁଥିଲେ। ମାତ୍ର ଏବେ ପାଠପଢା ପିଲାଙ୍କ ଉପରେ ଏକପ୍ରକାର ଲଦି ଦିଆଯାଉଛି। ସମସ୍ତେ ଭଲ ପଢିବା ଦରକାର। ଭଲ ପଢିଲେ ଭଲ କ୍ୟାରିଅର ଅଛି ବୋଲି ପିଲାଦିନୁ ସେମାନଙ୍କୁ ବୁଝେଇ ଦିଆଯାଉଛି। ବର୍ତ୍ତମାନ ବିଦ୍ୟାଦାନର ଆବଶ୍ୟକତା ହେଉଛି, ପିଲା ବଡ଼ ହୋଇ ଭଲ ଚାକିରିଟିଏ କରିବ, ନୁହେଁ କି ଭଲ ମଣିଷଟିଏ ହେବ !
ଶିକ୍ଷାଦାନ ପ୍ରଣାଳୀର ଅସଲ ନିୟମ ବିଷୟରେ ବହୁତ ଅଳ୍ପ ଲୋକଙ୍କୁ ଜଣା, ଏବଂ ଜାଣିଲେ ବି ଅନେକେ ଏହାକୁ ଅଣଦେଖା କରନ୍ତି l ଯେପରି -ପ୍ରତି କିଛି ଘଣ୍ଟାର ପାଠପଢ଼ା ପରେ ୧୫ ମିନିଟ ପାଇଁ ପିଲାଙ୍କୁ ଖାଲି ଛାଡିଦିଆଯିବା ଉଚିତ l ତେବେ ସେମାନେ ଯାହା ପଢ଼ି ସାରିଛନ୍ତି, ତାକୁ କେତେଦୂର ମନେ ରଖିଛନ୍ତି, ତାହା ଚିନ୍ତା କରିବେ l ତା ପରେ ସେମାନେ ନିଜେ ତାହା ସ୍ମରଣ କରି ଲେଖିବା ଉଚିତ, ଯାହା ଏ ଅନଲାଇନ ପାଠପଢ଼ା ସୂଚୀ ଭିତରେ ଅସମ୍ଭବ କହିଲେ ଚଳେ l ଏହା ଛଡା ଅନଲାଇନ ଶିକ୍ଷାଗ୍ରହଣ ବେଳେ ପିଲାଙ୍କ ମନରେ ଆସୁଥିବା ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେବା ଏବଂ ପିଲାମାନେ ବୁଝି ନ ପାରିଲେ ଏକାଧିକ ବାର ବୁଝାଇବା ଶିକ୍ଷକ / ଶିକ୍ଷୟତ୍ରୀଙ୍କ ପକ୍ଷେ କଷ୍ଟକର l
ଅନଲାଇନ ଶିକ୍ଷା ଦ୍ଵାରା ବିଦ୍ୟାର୍ଥୀମାନେ ଘରେ ବସି ବିଦ୍ୟା ଗ୍ରହଣ କରିବାରେ ସକ୍ଷମ ହେଲେ , ମାତ୍ର ଘରର ଆରାମଦାୟକ ପରିବେଶ ମଧ୍ୟରେ ରହି ବାସ୍ତବରେ ବିଦ୍ୟା ଅର୍ଜନ କେବେ ସମ୍ଭବ ହୋଇପାରିଥିଲା ନା ହେବ ? ଶ୍ରେଣୀଗୃହରେ ଶୃଙ୍ଖଳିତ ଓ ଅନୁଶାସିତ ହୋଇ ପଢିଲା ବେଳେ ପିଲାମାନେ ପୁସ୍ତକଗତ ଶିକ୍ଷା ବ୍ୟତୀତ ବ୍ୟାବହାରିକ, ପାରମ୍ପରିକ ଓ ସାଂସ୍କୃତିକ ଶିକ୍ଷା ଅର୍ଜନ କରିବାର ସୁଯୋଗ ପାଇଥାନ୍ତି, ଯାହା ବିଦ୍ୟାର୍ଥୀର ସମ୍ପୂର୍ଣ୍ଣ ଚରିତ୍ର ଗଠନ ରେ ସହାୟକ ହୁଏ l
ଏହି ପଠନ ପ୍ରକ୍ରିୟାର ଆଉ ଗୋଟିଏ ଗୁରୁତ୍ୱପୂର୍ଣ ଅସୁବିଧା ହେଉଛି , ଏଥିରେ ମୁଖ୍ୟ କେନ୍ଦ୍ର ଶିକ୍ଷକ କିମ୍ବା ଶିକ୍ଷୟତ୍ରୀ ନୁହଁନ୍ତି l ବରଂ ମୁଖ୍ୟ କାର୍ଯ୍ୟ ନିର୍ବାହ କରୁଛି ସାମାନ୍ୟ ଗୋଟିଏ ଉପକରଣ ମୋବାଇଲ ସ୍କ୍ରିନ, ଲାପଟପ କିମ୍ବା କମ୍ପ୍ୟୁଟର, ଯାହାକୁ ” ଚତୁର୍ଥ ପରଦା ” ର ଆଖ୍ୟା ଦିଆଯାଏ l ଗୁରୁ- ଶିଷ୍ୟ ସାମ୍ନା ସାମନି ସମ୍ପର୍କର ପ୍ରକୃତ ମଧୁରତା ରେ ଏହି ବ୍ୟବସ୍ଥାରେ ହଜିଯାଉ ନାହିଁ କି? ଭଗବାନ ସୃଷ୍ଟିର ସବୁଠାରେ ବିଦ୍ୟମାନ l ମଣିଷ ତଥାପି ମନ୍ଦିର ନିର୍ମାଣ କରି ଠାକୁରଙ୍କୁ ପ୍ରତିଷ୍ଠା କରି ତାଙ୍କର ପୂଜା କରେ, କାରଣ ଘର ଅପେକ୍ଷା ମନ୍ଦିରରେ ମୂର୍ତ୍ତିଙ୍କ ସମ୍ମୁଖରେ ଧ୍ୟାନ ଅଧିକ କେନ୍ଦ୍ରିତ ରହିଥାଏ l ଠିକ ସେହିଭଳି ଶିକ୍ଷାଦାନ ବ୍ୟବସ୍ଥାରେ ମୁଖ୍ୟ ଭୂମିକା କେବଳ ଗୁରୁ ନିର୍ଵାହ କରିବା ବିଧେୟ l ଗୁରୁଙ୍କ ସାମ୍ନାରେ ବିଦ୍ୟା ଅର୍ଜନର ବିକଳ୍ପ ଆଉ କେଉଁଠି ନାହିଁ l ଅନଲାଇନ ଶିକ୍ଷା ପଦ୍ଧତିରେ ବିଦ୍ୟାର୍ଥୀ ବିଭିନ୍ନ କ୍ଷେତ୍ରରେ ବହୁତ ଜ୍ଞାନ ଆହରଣ କରିବାର ସୁଯୋଗ ଥାଏ , ମାତ୍ର ସବୁପିଲା ସେଇଠୁ ଲାଭ ଉଠେଇ ପାରନ୍ତିନାହିଁ l ସ୍ୱେଚ୍ଛାରେ ବସି ପାଠ ନ ପଢ଼ୁଥିବା କିମ୍ବା ପଢିବା ପାଇଁ ଅନିଚ୍ଛୁକ ପିଲା ଏହି ବ୍ୟବସ୍ଥାରୁ ବେଶୀ ଉପକୃତ ହୋଇପାରନ୍ତି ନାହିଁ l
ଅନଲାଇନ ପାଠପଢ଼ା ସମୟରେ ପିତାମାତା ଲକ୍ଷ୍ୟ କରିଥିବେ, ପିଲାମାନେ କେବଳ ‘ yes maam’ , ‘ ok maam ‘, ‘ Thank u maam ‘ ଭଳି ଶବ୍ଦର ବହୁଳ ବ୍ୟବହାର କରୁଛନ୍ତି l ଏସବୁ ଶୁଣିଲେ ” Yes Boss” ର ସଂସ୍କୃତି ଅନୁଭୂତ ହେଉ ନାହିଁ କି?
ଅନଲାଇନ ଶିକ୍ଷାଦାନ ପାଇଁ ସବୁଠାରୁ ଆବଶ୍ୟକୀୟ ଦୁଇଟି ଜିନିଷ ହେଉଛି ସ୍ମାର୍ଟଫୋନ ଓ ଇଣ୍ଟରନେଟ କନେକ୍ସନ l ଇଣ୍ଟେର୍ନେଟ ସେବା ଅଚଳ ହେଲା ମାତ୍ରେ ଶିକ୍ଷାଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହୁଏ l ସହରାଞ୍ଚଳରେ ନେଟୱର୍କ ତ ଆରାମ ରେ ମିଳିଯାଏ, କିନ୍ତୁ ଅସୁବିଧା ଭୋଗନ୍ତି ଗ୍ରାମୀଣ ବିଦ୍ୟାର୍ଥୀମାନେ l ଅନେକ ସମୟରେ ଗ୍ରାମାଞ୍ଚଳରେ ବିଦ୍ୟୁତ ବିଭ୍ରାଟ ଘଟିଥାଏ l ଯେତେବେଳେ ଅନଲାଇନ ପାଠପଢା ପ୍ରାୟ ସବୁଠାରେ ଆରମ୍ଭ ହୋଇଗଲା, ସେଠି ଗାଁ ପିଲାମାନେ କେତେ ଉପକୃତ ହୋଇଥିବେ ତାହା ସହଜରେ ଅନୁମାନ କରାଯାଇ ପାରେ l ଅଭାବୀ ଶ୍ରେଣୀର ଲୋକଙ୍କ ପାଇଁ ବ୍ୟୟବହୁଳ ମୋବାଇଲ ବା କମ୍ପୁଟର ଏବଂ ଇଣ୍ଟେର୍ନେଟର ବ୍ୟବହାର କେତେଦୂର ସମ୍ଭବପର, ତାହା ଅବଶ୍ୟ ଭାବିବାର କଥା l ଅଶିକ୍ଷିତ ଲୋକ, ଯିଏ ଖାଇବାକୁ ପାଉନି ତା ପାଇଁ ଏ ବ୍ୟବସ୍ଥା କେତେ ଫଳପ୍ରଦ ତାହା ପାଠକେ କହିବେ l
ପୁନଶ୍ଚ, ଏହି ପ୍ରକ୍ରିୟାରେ ପଢ଼ାଯାଇଥିବା ପାଠ କୁ ଭିଡ଼ିଓ ଆକାରରେ ସଂଗୃହୀତ କରି ପରେ ବାରମ୍ବାର ଦେଖିବା ଓ ଶୁଣିବା ବ୍ୟବସ୍ଥାକୁ ଅନେକେ ପ୍ରଶଂସା କରିବା ବେଳେ, ଏହି ସୁବିଧା ଯୋଗୁଁ ପିଲାମାନେ କ୍ଲାସ ଚାଲିଥିଲା ବେଳେ ପାଠ ପଢ଼ାରେ ଅମନଯୋଗୀ ହେବା ଲକ୍ଷ୍ୟ କରାଯାଏ l କାରଣ ସେମାନେ ଜାଣନ୍ତି ଯେ ପରେ ଦେଖି ଲେଖିଦେବା ଭଳି ବିକଳ୍ପ ବ୍ୟବସ୍ଥା ସେମାନଙ୍କ ନିକଟରେ ଅଛି l ଅନଲାଇନ ପାଠପଢ଼ା ର ଉପକାରିତା ଅବଶ୍ୟ ରହିଛି ! ସର୍ବାଧିକ ଗୁରୁତ୍ୱପୂର୍ଣ ଉପକାରିତା ହେଉଛି, ଏହା ସମୟ ନଷ୍ଟ ହେବାକୁ ଦିଏନାହିଁ l କିନ୍ତୁ ଶ୍ରେଣୀଗୃହରେ ପଠନ ସମୟରେ ହେଉଥିବା ଭାବ ବିନିମୟ , କୌତୁହଳ ଏବଂ ପାରସ୍ପରିକ ସମ୍ପର୍କ ବୃଦ୍ଧିର ଅଭାବ ଏହାର ଏକ ଅପୂରଣୀୟ କ୍ଷତି l
‘ ବୁଡିଗଲା ଲୋକ କୁଟା ଖିଅକୁ ଆଶ୍ରା ‘ ଭଳି ମହାମାରୀରେ ସ୍କୁଲ କଲେଜ ବନ୍ଦ ସମୟରେ ଅନଲାଇନ ପାଠପଢ଼ା, ପିଲା ତଥା ମାତାପିତାଙ୍କ ମନରେ କ୍ଷଣିକ ଆଶ୍ବସ୍ତି ଆଣିଦେଇଥିଲା l କାରଣ ସେଭଳି ଘଡ଼ିସନ୍ଧି ସମୟରେ ଜୀବନ ବଞ୍ଚେଇବାକୁ ପ୍ରାଥମିକତା ଦେବାର ଆବଶ୍ୟକତା ଢ଼େର ବେଶୀ l ଏବେ ବି ଯେତେବେଳେ କିଛି ଅସୁବିଧା ହେବ, ଅନଲାଇନ ଶିକ୍ଷା ବ୍ୟବସ୍ଥାକୁ ପୁଣିଥରେ କାର୍ଯ୍ୟକ୍ଷମ କରି ସୁବିଧା ନିଆଯାଇ ପାରିବ l କହିବାକୁ ଗଲେ ଉଭୟ ଅନଲାଇନ ଏବଂ ଅଫଲାଇନ ମାଧ୍ୟମରେ ଶିକ୍ଷା ଦିଆଯାଇ ପିଲାଙ୍କୁ ଆହୁରି ଭଲ ଭାବରେ ପରୀକ୍ଷା ପାଇଁ ପ୍ରସ୍ତୁତ କରିହେବ l
ସର୍ବୋପରି, ଏକଥା ସ୍ୱୀକାର କରିବାକୁ ହେବ ଯେ ବିଜ୍ଞାନ ଓ କାରିଗରୀ ବିଦ୍ୟାର ବାହକ ଅନ୍ଲାଇନ୍ ଶିକ୍ଷା ପଦ୍ଧତି ଯେତେ ଚେଷ୍ଟା କଲେ ମଧ୍ୟ ଶ୍ରେଣୀଗୃହରେ ଦିଆ ଯାଉଥିବା ଶିକ୍ଷାର କ୍ୱଚିତ୍ ବିକଳ୍ପ ହୋଇ ପାରେ । ତେଣୁ ବିଦ୍ୟାର୍ଥୀ, ଅଭିଭାବକ ଏବଂ ଶିକ୍ଷକ / ଶିକ୍ଷୟିତ୍ରୀ ଅନଲାଇନ ପାଠପଢା ପ୍ରତି ବେଶୀ ଆସକ୍ତ ନ ହୋଇ କେବଳ ଆବଶ୍ୟକ ସ୍ଥଳେ ଏହାର ବ୍ୟବହାର କରିବା ହିଁ ବୁଦ୍ଧିମତାର ପରିଚୟ ଦେବ l
ଶ୍ରୁତକୀର୍ତ୍ତି ତ୍ରିପାଠୀ
ଫୋନ – 6370516478
0 Comments