ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ

ପ୍ରିଜମ୍‌ ନ୍ୟୁଜ ବ୍ୟୁରୋ: କଟକ ସ୍ଥାନୀୟ ବିଦ୍ୟାଧରପୁର ୩ ନମ୍ବର ୱାର୍ଡସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ସ୍ୱାସ୍ଥ୍ୟ ଓ ସୁସ୍ଥତା ବିଭାଗ, ଶ୍ରୀ ଶ୍ରୀ ନର୍ସିଂ ମହାବିଦ୍ୟାଳୟ, ସ୍ୱାସ୍ଥ୍ୟସେବା ପରିଚାଳନା ଓ ଚର୍ଚ୍ଚିକା କ୍ଲବ୍ ପକ୍ଷରୁ ଅଙ୍କୁର ହସ୍ପିଟାଲ ଏବଂ ନାଇନ୍ ଏମ୍ ଫର୍ଟିଲିଟି ସହଯୋଗରେ ସୋମବାର ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଏଥିରେ ଦିନତମାମ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସକାଳେ ପିଣ୍ଟୁ ମହାତୋ ଏବଂ ଟିମ୍ ପ୍ରାୟ ୨୦୦ ଜଣ ଅଂଶଗ୍ରହଣକାରୀଙ୍କୁ ଜୁମ୍ବା ତଥା ଏରୋବିକ୍ସ ପ୍ରଶିକ୍ଷଣ ଦେଇଥିଲେ । ଏହାପରେ ନର୍ସିଂ ଛାତ୍ରୀମାନେ ସ୍ୱାସ୍ଥ୍ୟ ପ୍ରଦର୍ଶନୀ ଏବଂ ଉପସ୍ଥିତ ଡାକ୍ତରମାନେ ଦ୍ୱାରା ବ୍ଲଡ୍ ଗ୍ରୁପିଂ, ରକ୍ତଚାପ ପରୀକ୍ଷା, ବିଏମଆଇ ମାପିବା ଏବଂ ଏସପିଓଟୁ ଚେକ୍ ଭଳି ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷଣ କରିଥିଲେ । ବିଶ୍ୱବିଦ୍ୟାଳୟ ଆୟୂର୍ବେଦ ଚିକିତ୍ସକମାନେ ଆଗନ୍ତୁକମାନଙ୍କର ନାଡ଼ି ପରୀକ୍ଷା କରିଥିଲେ । ଏହି ଅବସରରେ ହୋଇଥିବା ଏକ ପୋଷ୍ଟର ପ୍ରତିଯୋଗିତାରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ସମେତ କଟକସ୍ଥିତ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ଶହେରୁ ଊର୍ଦ୍ଧ୍ୱ ଛାତ୍ରୀ ଭାଗ ନେଇ ଖୁବ୍ ସୁନ୍ଦର ସୁନ୍ଦର ପୋଷ୍ଟରମାନ ପ୍ରଦର୍ଶନ କରିଥିଲେ ।

  କାର୍ଯ୍ୟକ୍ରମକୁ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ତେଜପ୍ରତାପ ଉଦଘାଟନ କରିଥିବା ବେଳେ ଅଙ୍କୁର ହସ୍ପିଟାଲର ଅସ୍ଥିଶଲ୍ୟ ବିଶେଷଜ୍ଞ ଡ. ଗୁରୁପ୍ରସାଦ ଜି. ଅତିଥି ଭାବରେ ଯୋଗ ଦେଇଥିଲେ । ଅପରାହ୍ନରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କର୍ମଶାଳାରେ ନର୍ସିଂ ବିଭାଗ ଡିନ୍ ପ୍ରଫେସର ଡଃ. ଜୋୟିତା ମଣ୍ଡଳ ବ୍ୟକ୍ତିଗତ ସ୍ୱଚ୍ଛତା ଉପରେ ମତ ରଖିଥିବା ବେଳେ ସୁସ୍ଥ ଜୀବନଚର୍ଯ୍ୟା ପାଇଁ କ୍ରୀଡ଼ାର ମହତ୍ତ୍ୱ ସମ୍ପର୍କରେ ସୁବ୍ରତ ଦେ ସୂଚନା ଦେଇଥିଲେ । ଏହାପରେ ଯୋଗ ଏବଂ ପ୍ରାଣାୟାମ ପ୍ରଦର୍ଶନ କରାଯାଇଥିଲା । ଅପରାହ୍ନରେ ଉଦଯାପନୀ ଉତ୍ସବରେ କୁଳପତିଙ୍କ ସମେତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କାର୍ମିକ ନିର୍ଦ୍ଦେଶକ ସ୍ୱାମୀ ସତ୍ୟଚୈତନ୍ୟ ଯୋଗ ଦେଇଥିଲେ । 

ଏହାପରେ ଅନୁଷ୍ଠିତ କର୍ମଶାଳାରେ ସ୍ୱାସ୍ଥ୍ୟ ଓ ସୁସ୍ଥତା ବିଭାଗର ଡିନ୍ ପ୍ରଫେସର ଡ. ତୀର୍ଥଙ୍କର ଘୋଷ ‘କ୍ୟାରିଅର ଗାଇଡାନ୍ସ ଓ କାଉନସେଲିଂ’ ଉପରେ, ଅଙ୍କୁର ହସ୍ପିଟାଲର ମନସ୍ତତ୍ତ୍ୱବିତ୍ ପିଲାଙ୍କ ‘ମୋବାଇଲ୍ ଆଡିକ୍ସନ୍’ ଉପରେ, କିମ୍ସ ହସ୍ପିଟାଲର ସ୍ୱାସ୍ଥ୍ୟ ଓ ପୋଷଣ ବିଶେଷଜ୍ଞ ମିସ୍ ସୋନମ୍ ସିଂହ ‘ପୋଷଣ ଓ ସ୍ୱାସ୍ଥ୍ୟ’ ଉପରେ, ଅଙ୍କୁର ହସ୍ପିଟାଲର ଶିଶୁ-ସ୍ନାୟୁ ବିଶେଷଜ୍ଞ ଡ. ଦେବାଶିଷ ପାଣିଗ୍ରାହୀ ‘ଅଟିଜିମ୍ ଏବଂ ଏଥିରେ ପୀଡ଼ିତ ଶିଶୁଙ୍କ ଯତ୍ନ’ ସମ୍ପର୍କରେ ଆଲୋଚନା କରିଥିଲେ । ସନ୍ଧ୍ୟାବେଳେ କାର୍ଯ୍ୟକ୍ରମ ଶେଷରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: