ବ୍ରହ୍ମପୁର ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ରତର; କର୍ପୋରେଟରଙ୍କ କାନ୍ଧରେ କାହା ବନ୍ଧୁକ ?

ବ୍ରହ୍ମପୁର ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ରତର; କର୍ପୋରେଟରଙ୍କ କାନ୍ଧରେ କାହା ବନ୍ଧୁକ ?

ଭୁବନେଶ୍ୱର/ବ୍ରହ୍ମପୁର: କ୍ଷମତାରୁ ଯିବା ପରେ ବ୍ରହ୍ମପୁର ବିଜେଡ଼ି ଭିତରେ ଗୋଷ୍ଠୀ କନ୍ଦଳ ତୀବ୍ରତର ହେବାରେ ଲାଗିଛି। ବିଶେଷକରି ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା ଏବଂ ମେୟର ସଂଘମିତ୍ରା ଦଳେଇଙ୍କ ଗୋଷ୍ଠୀ ଭିତରେ ସୃଷ୍ଟି ହୋଇଥିବା କନ୍ଦଳ ଦିନକୁ ଦିନ ଭୟଙ୍କର ପରିସ୍ଥିତି ଆଡ଼କୁ ଯାଉଛି। ମେୟରଙ୍କୁ ଟାର୍ଗେଟ କରି ବିକ୍ରମ ଗୋଷ୍ଠୀ ଜଣେ କର୍ପୋରେଟରଙ୍କ ଫେସବୁକ୍‌ ପୋଷ୍ଟ ପରେ ବର୍ତ୍ତମାନ ଦୁଇ ଗୋଷ୍ଠୀ ଭିତରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି।

ଘଟଣା ହେଲା, ଗତ ନିର୍ବାଚନରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କୁ ଗୋପାଳପୁରରୁ ପ୍ରାର୍ଥୀ କରାଯାଇଥିଲା। ସେ ସେଠାରେ ପରାସ୍ତ ହେଲେ। ତା’ ପରଠୁ ବ୍ରହ୍ମପୁର ଫେରିବା ପାଇଁ ସେ ଚେଷ୍ଟ ଚଳାଇଛନ୍ତି। ତେବେ ଏଥିରେ ପ୍ରତିବନ୍ଧକ ସାଜିଛନ୍ତି ବ୍ରହ୍ମପୁରର ଆଉ ଜଣେ ପୂର୍ବତନ ବିଧାୟକ ତଥା ଜିଲା ବିଜେଡ଼ି ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଏବଂ ମେୟର ସଂଘମିତ୍ରା ଦଳେଇ। ଏହି ଦୁଇ ନେତା ବିକ୍ରମ ପୁଣି ଥରେ ବ୍ରହ୍ମପୁରକୁ ଫେରନ୍ତୁ ବୋଲି ଚାହୁଁନଥିବା କର୍ମୀଙ୍କ ଭିତରେ ଆଲୋଚନା ହେଉଛି। ଏଣୁ ମେୟରଙ୍କ ବିରୋଧରେ ଅନାସ୍ଥା ଆଣିବା ପାଇଁ ବିକ୍ରମଙ୍କ ଗୋଷ୍ଠୀ ପ୍ରସ୍ତୁତ ହେଉଥିବା କୁହାଯାଉଛି।

ଏସବୁ ଭିତରେ ଆଉ ଏକ ରୋଚକ ଘଟଣା ଏବେ ସାମ୍ନାକୁ ଆସିଛି। କଥା ହେଲା, ଗତ ସପ୍ତାହରେ ବ୍ରହ୍ମପୁରର ୧୦ଜଣ କର୍ପୋରେଟର ଆସାମ ଗସ୍ତରେ ଯାଇଥିଲେ। ଅନାସ୍ଥା ଆଣିବା ଦିଗରେ ଏହା ଏକ ଯୋଜନା ବୋଲି କୁହାଯାଉଛି। ଆସାମରେ ଥିବା ସମୟରେ ବିକ୍ରମ ଗୋଷ୍ଠୀ ଜଣେ ବିଜେଡ଼ି କର୍ପୋରେଟର ଫେସବୁକ୍‌ରେ କେତେକ ପୋଷ୍ଟ କରିଥିଲେ। ଏସବୁ ପୋଷ୍ଟରେ ମେୟରଙ୍କୁ ଟାର୍ଗେଟ କରାଯାଇଛି। ମେୟରଙ୍କୁ କଟୁ ସମାଲୋଚନା କରିବା ସହିତ ସମୟ ଆସିଲେ ଉଚିତ ଜବାବ ଦିଆଯିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଥିଲା। କିନ୍ତୁ ପରେ ସେସବୁ ପୋଷ୍ଟକୁ ଡିଲିଟ୍‌ ମାରିଦେଇଛନ୍ତି। କଥା କେବଳ ସେତିକିରେ ଅଟକି ନାହିଁ।

ମଙ୍ଗଳବାର ବିକ୍ରମ ଗୋଷ୍ଠୀ କର୍ପୋରେଟରମାନେ ମେୟରଙ୍କ ଚାମ୍ବରରେ ପହଞ୍ଚି ପ୍ରବଳ ହୋହାହ୍ଲା କରିଛନ୍ତି। ବିଭିନ୍ନ ପ୍ରସଙ୍ଗରେ ମେୟର ମୁହଁ ଉପରେ ଜବାବ ଦେବା ପରେ କର୍ପୋରେଟରମାନେ ଫେରିଥିଲେ। ଅନ୍ୟପଟେ ଦଳ ତରଫରୁ ଗୋଷ୍ଠୀ କନ୍ଦଳକୁ ପ୍ରସମିତ କରିବା ପାଇଁ ଉଦ୍ୟମ ଚାଲିଛି। ଗତ ନିର୍ବାଚନରେ ସାଂସଦ ପ୍ରାଥଁୀ ହୋଇଥିବା ଭୃଗୁ ବକ୍ସିପାତ୍ର ମଙ୍ଗଳବାର ଡା. ଚ୍ୟାଉପଟ୍ଟନାୟକଙ୍କ ଘରେ ପହଞ୍ଚିଥିଲେ। ମେୟର ଶ୍ରୀମତି ଦଳେଇଙ୍କ ସମେତ ଅର୍ବାନ ବ୍ୟାଙ୍କ ସଭାପତି ଆର୍‌.ମୂରଲୀ ମୋହନ ଏବଂ କେତେକ କର୍ପୋରେଟର ଉପସ୍ଥିତ ଥିଲେ। ବ୍ରହ୍ମପୁରରେ ଦଳୀୟ କାର୍ଯ୍ୟକଳାପ ଉପରେ ଆଲୋଚନା ହୋଇଥିଲା। କେବଳ ସେତିକି ନୁହଁ, ଜିଲା ପର୍ଯ୍ୟବେକ୍ଷକ ପ୍ରଦୀପ ଅମାତ ବ୍ରହ୍ମପୁର ସର୍କିଟ ହାଉସ ଠାରେ ଏକ ରୁଦ୍ଧଦ୍ବାର ବୈଠକରେ ନେତାଙ୍କ ସହିତ ଆଲୋଚନା କରିଛନ୍ତି। ତେବେ ବିକ୍ରମଙ୍କ ବ୍ରହ୍ମପୁର ପ୍ରତ୍ୟାବର୍ତ୍ତନ ଉଦ୍ୟମ ପରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି, ତାହାର ଅନ୍ତ କେଉଁଠି ହେବ, ତାହାକୁ ନେଇ ସହରରେ ଚର୍ଚ୍ଚା ଜୋର୍‌ ଧରିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: