ମନ୍ଦିର ଭିତରେ କିଏ… ନା, ମୁଁ କଦଳୀ ଖାଇନି

ମନ୍ଦିର ଭିତରେ କିଏ… ନା, ମୁଁ କଦଳୀ ଖାଇନି

ମୋଦି ରାଜ୍‌ରେ ଆନ୍ଦୋଳନ ହେଲେ, ତାକୁ କଣ୍ଟାବାଡ଼ ଓ ପାଣି ମାଡ଼ରେ ରୋକି ଦିଆଯାଏ । ଚାଷୀ ଆନ୍ଦୋଳନରେ ସରକାର ଯାହା କଲେ, ତାହା ସାରା ଦୁନିଆ ଦେଖିଲା । ମଣିପୁର ଜଳୁଛି । କିନ୍ତୁ ପ୍ରଧାନମନ୍ତ୍ରୀ ମୁହଁ ଖୋଲୁନାହାନ୍ତି । ବିରୋଧୀ ଯାହା କହିଲେ, ତାକୁ ଚାପି ଦିଆଯାଉଛି। ମୋଦି ଇରା ଆରମ୍ଭ ହେବା ପରଠାରୁ ମିଡିଆ ବା ଗୋଦି ମିଡିଆ ‘ନମୋ ନମୋ’ଜପ କରୁଛି। ବିମୁଦ୍ରୀକରଣ ହେଉ କି ଏସବିଆଇ ବଣ୍ଡ୍‌ । ସବୁଥିରେ ସରକାର ପାଉଛନ୍ତି କ୍ଲିନ୍‌ ଚିଟ୍‌ । କାହିଁକି ବା ନପାଇବେ ! ଆମ ସରକାର ପରା ସ୍ବଚ୍ଛ, ନିର୍ମଳ ଓ ଦୁର୍ନୀତିମୁକ୍ତ। ଏ ସରକାରରେ ଦଶ ବର୍ଷ ଭିତରେ ଗୋଟିଏ ବି ଦୁର୍ନୀତି ହୋଇନାହିଁ। କାରଣ, ହିମନ୍ତ ବିଶ୍ବଶର୍ମାଙ୍କ ଭଳି ଦୁର୍ନୀତିଖୋର୍‌ ନେତା ବିଜେପିରେ ସାମିଲ ହେବା ପରେ ସେମାନେ କ୍ଲିନ୍‌ ଚିଟ୍‌ ପାଇ ଯାଉଛନ୍ତି। ସେ ବିଜେପିରେ ନଥିବାବେଳେ ବିଜେପି ଯେଉଁ ବିଷ ଉଗାରୁଥିଲା, ଏବେ ହିମନ୍ତ ବିଶ୍ବଶର୍ମାଙ୍କ ବିରୋଧରେ ମାମଲା ଚାଲିଛି ନା ନାହିଁ, ସେକଥା ମା’ଗଙ୍ଗେଙ୍କୁ ଜଣା । ଏହାରି ଭିତରେ ଏକ ନୂଆ ଟପିକ୍‌, ସାରା ଦେଶରେ ହଇଚଇ ସୃଷ୍ଟି କରିଛି। ଅବଶ୍ୟ ଗୋଦି ମିଡିଆର ‘ନମୋ ନମୋ’ମନ୍ତ୍ର ଭିତରେ ତାକୁ ଚାପିଦେବାର ପ୍ରୟାସ କରାଯାଉଛି।

ମନ୍ଦିର ଭିତରେ କିଏ… ନା, ମୁଁ କଦଳୀ ଖାଇନି । ତା’ହେଲେ କଦଳୀ ଖାଇଲା କିଏ ? କିଏ କାହାକୁ କଦଳୀ ଦେଲା, ଆଉ କାହିଁକି ଦେଉଥିଲା ? ହଁ ଆଜ୍ଞା, କଦଳୀ ଖାଇବା ଲୋକ ମୁହଁ ଖୋଲୁ ନଥିବା ବେଳେ ଯାହା ନାଁରେ କଦଳୀ ଦେଇଥିବା ଅଭିଯୋଗ ଆସିଛି, ସେ କହୁଛି ମୁଁ କଦଳୀ ଦେଇନି। ପୁଣି କଦଳୀ ଗିଳିଥିବା ଲୋକଙ୍କୁ କଦଳୀ ବାଡ଼ି ଜଗିବା ଦାୟିତ୍ବ ଦେଇଥିବା ଲୋକେ ବି ମୁହଁ ଖୋଲୁ ନାହାନ୍ତି। ସେବି ମୁଖ୍ୟ ମାଧବୀ ବୁଚ୍ ପୁରୀଙ୍କ ବିରୋଧରେ ଗୋଟିକ ପରେ ଗୋଟେ ସାଂଘାତିକ ଅଭିଯୋଗ ଆସୁଥିଲେ ମଧ୍ୟ ନା ସେ ମୁହଁ ଖୋଲୁଛନ୍ତି, ନା ତାଙ୍କୁ ସେହି ପଦରେ ଅବସ୍ଥାପିତ କରାଇଥିବା କେନ୍ଦ୍ର ସରକାର ମୁହଁ ଖୋଲୁଛନ୍ତି । ବଡ଼ ଆଶ୍ଚର୍ଯ୍ୟର କଥା ଯେ, ଭାରତୀୟ ଶେୟାର୍ ମାର୍କେଟରେ ସବୁକିଛି ଠିକ୍‌ଠାକ ଚାଲିଛି ତ ! ହିଣ୍ଡେନବର୍ଗ ଅଭିଯୋଗକୁ ଭାରତ ସ୍ବାର୍ଥ ବିରୋଧୀ କହି ଏଡ଼ାଇ ଦେଇଥିବା ସରକାର, ଏବେ ମାଧୁରୀ ପୁରୀ ବୁଚ୍‌ଙ୍କ ବିରୋଧରେ ଆସିଥିବା ଅଫିସ୍ ଅଫ୍ ପ୍ରଫିଟ୍ ଅଭିଯୋଗରେ ସମ୍ପୂର୍ଣ୍ଣ ନିରବ।

ବିଚରା ମାଧବୀ ପୁରୀ ବୁଚ୍ । ଏବେ କ’ଣ କରିବେ ? ଚାରିପଟୁ ବିବାଦ, ଏବେ କେମିତି ଖସିବେ IIM ଅହମ୍ମଦାବାଦର ଏହି ପୂର୍ବତନ ଛାତ୍ରୀ ? ନିଜକୁ ୟୁନିଲିଭର୍ ୱାଇଫ୍ ବୋଲି କହୁଥିବା ମାଧବୀ ପୁରୀ ବୁଚ୍‌ଙ୍କ ମ୍ୟାନେଜମେଣ୍ଟରେ କୌଣସି ତ୍ରୁଟି ରହିଗଲା କି ? ହିଣ୍ଡେନବର୍ଗ ପରେ ସେବି ଅଧ୍ୟକ୍ଷା ମାଧବୀଙ୍କ ବିରୋଧରେ କଂଗ୍ରେସ ଆଣିଛି ଅଫିସ୍ ଅଫ୍ ପ୍ରଫିଟ୍ ଅଭିଯୋଗ । କଂଗ୍ରେସର ଅଭିଯୋଗ ଉପରେ ICICI ବ୍ୟାଙ୍କର ସ୍ପଷ୍ଟୀକରଣ, ମାଧବୀଙ୍କ ଅଡୁଆକୁ ବହୁଗୁଣା ବଢ଼ାଇ ଦେଇଛି । କଂଗ୍ରେସର ଅଫିସ୍ ଅଫ୍ ପ୍ରଫିଟ୍ ଅଭିଯୋଗ ପରେ ପୂର୍ବତନ ବିଜେପି ସାଂସଦ ତଥା ଜୀ ଗ୍ରୁପ୍ ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ରା ମାଧବୀଙ୍କୁ କରପ୍ଟ ବା ଦୁର୍ନୀତିଗ୍ରସ୍ତ କହିଛନ୍ତି। ଆଉ ଏବେ ସେବି ଅଧିକାରୀ ଓ କର୍ମଚାରୀ ତାଙ୍କ ବିରୋଧରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଲେଖିଛନ୍ତି ଲମ୍ବା ଚିଠି । ଚାରିପଟୁ ଷଣ୍ଢୁଆସୀ ଆକ୍ରମଣ, ସେବି ଅଧ୍ୟକ୍ଷ ପଦରେ ସୁରକ୍ଷିତ ରହିପାରିବେ ତ ମାଧବୀ ପୁରୀ ବୁଚ୍ !

ଗତ ଅଗଷ୍ଟ ୧୧ ତାରିଖରେ ଆମେରିକୀୟ କମ୍ପାନି ହିଣ୍ଡେନବର୍ଗ, ସେବି ମୁଖ୍ୟ ମାଧବୀ ପୁରୀ ବୁଚ୍‌ଙ୍କ ବିରୋଧରେ ଆଣିଥିଲା ନିହାତି ସାଂଘାତିକ ଅଭିଯୋଗ । ଅଦାନୀ ଗ୍ରୁପ୍ ମାର୍କେଟ ଘୋଟାଲାରେ ସିଧା ସେବି ମୁଖ୍ୟଙ୍କୁ ଛନ୍ଦିଥିଲା ଜର୍ଜ ସୋରସଙ୍କ ହିଣ୍ଡନବର୍ଗ କମ୍ପାନି । ଅଦାନୀ ଗ୍ରୁପର ବିଦେଶୀ ନିବେଶରେ ସେବି ଅଧ୍ୟକ୍ଷା ମାଧବୀଙ୍କ ଜଟିଳତାକୁ ନେଇ ପ୍ରଶ୍ନ ଉଠାଇଥିଲା ହିଣ୍ଡନବର୍ଗ । ବିଦେଶୀ ନିବେଶରେ ଅଦାନୀ ଗ୍ରୁପ୍ ମୁଖ୍ୟ ଗୌତମ ଅଦାନୀଙ୍କ ଭାଇ ବିନୋଦ ଅଦାନୀ ଯେଉଁ ପାଣ୍ଠି ବ୍ୟବହାର କରୁଛନ୍ତି, ସେବି ମୁଖ୍ୟ ମାଧବୀ ସେହି ସମାନ ପାଣ୍ଠି ବ୍ୟବହାର କରୁଥିବା କହିଥିଲା ହିଣ୍ଡନବର୍ଗ । କେବଳ ମାଧବୀଙ୍କୁ କାହିଁକି, ତାଙ୍କ ସ୍ବାମୀ ଧବଲ୍ ବୁଚ୍‌ଙ୍କୁ ମଧ୍ୟ ଅଡୁଆକୁ ଟାଣିଥିଲା ହିଣ୍ଡନବର୍ଗ । ଧବଲ୍ ଏବେ ବ୍ଲାକଷ୍ଟୋନ୍ ଓ ଅଲଭାରେଜ୍ ଏବଂ ମାର୍ଶାଲ୍ ରିସର୍ଚ୍ଚ ଫିନାନସିଆଲ୍ କମ୍ପାନି ପାଇଁ ଉପଦେଷ୍ଟା ଭାବେ କାମ କରୁଛନ୍ତି । ଗିଲ୍‌ଡାନ୍‌ର ନନ୍-ଏକଜିକ୍ୟୁଟିଭ୍ ବୋର୍ଡ ନିର୍ଦ୍ଦେଶକ ମଧ୍ୟ ଅଛନ୍ତି ଧାବଲ୍ ବୁକ୍ । ୨୦୧୭ରେ ମାଧବୀ ସେବିର ସର୍ବକାଳୀନ ସଦସ୍ୟ ହେବା ପରେ ମରିସସର ଟ୍ରାଇଡେଣ୍ଟ ଟ୍ରଷ୍ଟକୁ ଇ-ମେଲ୍ କରିଥିଲେ ତାଙ୍କ ସ୍ବାମୀ ଧବଲ୍ ବୁଚ୍ । ଗ୍ଲୋବାଲ୍ ଡାଇନାମିକ୍ ଅପର୍ଚୁନିଟିଜ୍ ଫଣ୍ଡରେ ତାଙ୍କ ସ୍ତ୍ରୀଙ୍କ ନିବେଶ ସଂକ୍ରାନ୍ତରେ ଏହି ମେଲ୍ କରିଥିଲେ ସେ। ଯାହାର ଇ-ମେଲ୍ କପି ହିଣ୍ଡନବର୍ଗ ଖୁଲ୍ଲାସା କରିଥିଲା । ମାଧବୀଙ୍କ ବ୍ୟକ୍ତିଗତ ମେଲ୍‌କୁ ୨୦୧୮ ଫେବ୍ରୁଆରି ୨୬ ତାରିଖରେ ଗ୍ଲୋବାଲ୍ ଡାଇନାମିକ୍ ଅପର୍ଚୁନିଟିଜ୍ ଫଣ୍ଡ ପକ୍ଷରୁ ଯେଉଁ ଆକାଉଣ୍ଟ ଷ୍ଟେଟମେଣ୍ଟ ଆସିଛି, ତାହା ଗୋତମ ଅଦାନୀଙ୍କ ଭାଇ ବିନୋଦ ଅଦାନୀଙ୍କ ଆକାଉଣ୍ଟ ଷ୍ଟେଟମେଣ୍ଟ ସହ ଅବିକଳ ମେଳ ଖାଉଛି । ତେବେ ହିଣ୍ଡନବର୍ଗ ରିପୋର୍ଟକୁ ଉଭୟ ମାଧବୀ ଏବଂ ତାଙ୍କ ସ୍ବାମୀ ଧବଲ୍ ଡାହା ମିଛ କହି ଖଣ୍ଡନ କରିଛନ୍ତି । ସରକାର ମଧ୍ୟ ଏହାକୁ ଭାରତର ସ୍ବାର୍ଥ ବିରୋଧୀ କହି ଏଡ଼ାଇ ଦେଇଛନ୍ତି।

ହିଣ୍ଡେନବର୍ଗ ବିଦେଶୀ କମ୍ପାନି… ଭାରତର ସ୍ବାର୍ଥ ବିରୋଧୀ… ନିଜ ଫାଇଦା ପାଇଁ ଏମିତି ଡାହା ମିଛ କହୁଛି କହି ଅଭିଯୋଗକୁ ଫୁ’କରିଦେଲେ କେନ୍ଦ୍ର ସରକାର, ନିଜେ ସେବି ମୁଖ୍ୟ ମାଧବୀ ପୁରୀ ବୁଚ୍ ଏବଂ ତାଙ୍କ ସ୍ବାମୀ ଧବଲ୍ ବୁଚ୍ । ହେଲେ କଂଗ୍ରେସ ଆଣିଥିବା ଅଫିସ୍ ଅପ୍ ପ୍ରଫିଟ୍ ଅଭିଯୋଗ କ’ଣ ମିଛ ? ଏହା କ’ଣ ଭାରତର ସ୍ବାର୍ଥ ବିରୋଧରେ ? ୨୦୧୪-୧୫ରେ ICICI ବ୍ୟାଙ୍କରୁ ଅବସର ନେବା ପରେ ୨୦୧୭ରେ ସେବିର ପୂର୍ଣ୍ଣକାଳୀନ ସଦସ୍ୟ ହୋଇଥିଲେ ମାଧବୀ । ୨୦୧୫-୧୬ରେ ICICI ବ୍ୟାଙ୍କ ତରଫରୁ ତାଙ୍କୁ ଟଙ୍କାଟିଏ ଦରମା ମିଳି ନଥିଲା । କିନ୍ତୁ ସେବିର ପୂର୍ଣ୍ଣକାଳୀନ ସଦସ୍ୟ ହେବା ପରେ ପୁଣି ଦରମା ମିଳିବା ଆରମ୍ଭ କଲା । ସାଲାରୀ ବ୍ରେକ୍ ଡାଉନ୍‌ରେ ଏହାକୁ ଦରମା ବୋଲି ଦର୍ଶା ଯାଇଥିବା ବେଳେ କଂଗ୍ରେସର ଅଭିଯୋଗ ପରେ ICICI ବ୍ୟାଙ୍କ ଦେଲା ସ୍ପଷ୍ଟୀକରଣ । ଏହା ଦରମା ନୁହେଁ, ମାଧବୀଙ୍କ ଅବସରକାଳୀନ ପ୍ରାପ୍ୟ ବୋଲି କହିଛି ICICI ବ୍ୟାଙ୍କ । ତେବେ ଦରମାଠାରୁ ପେନସନ୍ କେମିତି ଅଧିକ ହେଲା ବୋଲି କଂଗ୍ରେସ ଯେଉଁ ସାନି ପ୍ରଶ୍ନ ପଚାରିଛି, ତା’ଉପରେ ଆଉ ମୁହଁ ଖୋଲିନି ICICI ବ୍ୟାଙ୍କ୍ । ସେପଟେ ମାଧବୀ ପୁରୀ ବୁଚ୍ କିମ୍ବା କେନ୍ଦ୍ର ସରକାର ମଧ୍ୟ ଅଫିସ୍ ଅଫ୍ ପ୍ରଫିଟ୍ ମାମଲାରେ ଏଯାଏଁ ମୁହଁ ଖୋଲି ନାହାନ୍ତି, ଯାହା ସନ୍ଦେହକୁ ସତ ଆଡ଼କୁ ଟାଣି ନେଉଛି କହିଲେ ଅତ୍ୟୁକ୍ତି ହେବନି।

ହିଣ୍ଡନବର୍ଗ ରିପୋର୍ଟକୁ ଡାହା ମିଛ ଏବଂ ଭାରତ ସ୍ବାର୍ଥ ବିରୋଧୀ କହି ଏଡ଼ାଇ ଦେଇଛନ୍ତି ସେବି ଓ କେନ୍ଦ୍ର ସରକାର । ସୁଭାଷ ଚନ୍ଦ୍ରାଙ୍କ ଅଭିଯୋଗକୁ ସୁବିଧାବାଦ କହି ଟାଳି ଦେଇଛି ସେବି । ଆଉ କର୍ମଚାରୀ ଓ ଅଧିକାରୀଙ୍କ ପତ୍ର ଉପରେ କହିଛି ‘କାର୍ଯ୍ୟଶୈଳୀରେ ବହୁତ କିଛି ପରିବର୍ତ୍ତନ ଅଣାଯାଇଛି, ସମୀକ୍ଷା ବୈଠକର ଫର୍ମାଟରେ ମଧ୍ୟ ଅନେକ କିଛି ପରିବର୍ତ୍ତନ କରାଯାଇଛି । ଟକ୍ସିକ୍ ୱାର୍କ କଲଚର୍ ଅଭିଯୋଗର ବେଶ ଡିପ୍ଲୋମାଟିକ୍ ରେସପନ୍ସ ଦେଇଛି ସେବି । ହେଲେ କଂଗ୍ରେସର ଅଫିସ୍ ଅଫ୍ ପ୍ରଫିଟ୍ ଅଭିଯୋଗ ଉପରେ ICICI ବ୍ୟାଙ୍କର ସ୍ପଷ୍ଟୀକରଣ ମାମଲାକୁ ଅଧିକ ଏକ୍ସପୋଜ୍ କରିଥିବା ବେଳେ କାହିଁକି ମୁହଁ ଖୋଲୁ ନାହାନ୍ତି ନିଜେ ମାଧବୀ ପୁରୀ ବୁଚ୍ ଏବଂ କେନ୍ଦ୍ର ସରକାର ? ଏହା କ’ଣ ସନ୍ଦେହକୁ ଅଧିକ ଘନୀଭୂତ କରୁନି କି ? ବାରମ୍ବାର ନିଜକୁ କ୍ଲିନ୍‌ଚିଟ୍‌ ଦେଉଥିବା ଏ ସରକାର ସତରେ କ’ଣ ଏତେ ସ୍ବଚ୍ଛ ? ନା ନିଜେ ଖାଇ, ଅନ୍ୟକୁ ଖାଇବାକୁ ନଦେଉଥିବା ସରକାର ହେଉଛି ‘ନୂଆ ଭାରତର ସରକାର’ !!!

0 Comments

Leave Your Comment

Your email address will not be published. Required fields are marked *

%d bloggers like this: