ଓଡ଼ିଶାବାସୀ ଆଉ କେତେ ଦେଖିବେ  ସୁଆଙ୍ଗ ?

ଓଡ଼ିଶାବାସୀ ଆଉ କେତେ ଦେଖିବେ ସୁଆଙ୍ଗ ?

ପ୍ରିଜମ୍‌ ନ୍ୟୁଜ ବ୍ୟୁରୋ: ଓଡ଼ିଶାରେ ବର୍ତ୍ତମାନ ଗୋଟିଏ ଚର୍ଚ୍ଚା । ବିଜେଡି ଭିତରେ ଚାଲିଛି କ’ଣ ? ୱାକଫ୍‌ ବିଲ୍‌ ସଂଶୋଧନକୁ ନେଇ ବିଜେଡି ଯେଉଁ ଲୁଚକାଳି ଖେଳ ଖେଳିଲା, ତାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ମିଡିଆ ଦିନରାତି ହାଉହାଉ ହେଉଛି । ହେଲେ ମଞ୍ଜ କଥା ହେଉଛି, ବିଜେପି-ବିଜେଡି ଭିତରେ ଆରମ୍ଭରୁ ରହିଛି ମଧୁର ସମ୍ପର୍କ । ଏହା ହେଉଛି ରାଜନୈତିକ ବାସ୍ତବତା । ଏହାକୁ ନା ବିଜେଡି ନେତାଏ ଅସ୍ବୀକାର କରିପାରିବେ ନା ବିଜେପି ନେତାଏ । କିନ୍ତୁ ସଂଶୋଧିତ ୱାକଫ୍‌ ବୋର୍ଡ ବିଲ୍‌ ଉପରେ ବିଜେଡିର ଷ୍ଟାଣ୍ଡ୍‌କୁ ନେଇ ଏବେ ଘମାଘୋଟ ଲଢ଼େଇ ଜାରି ରହିଛି । ବିଜେଡି ଓ ବିଜେପି ରାଜ୍ୟ ଭିତରେ ପରସ୍ପରକୁ ସମାଲୋଚନା କରୁଛନ୍ତି । ଆଗରୁ ଏମିତି ଅନେକ ଜାତୀୟ ପ୍ରସଙ୍ଗ ଯଥା:- ଦରଦାମ୍‌ ବୃଦ୍ଧି, ତୈଳ ଓ ଗ୍ୟାସ୍‌ ଦରବୃଦ୍ଧି ଆଦିକୁ ନେଇ ପ୍ରେସ୍‌ମିଟ୍‌ କରି ବିଜେଡିର ତୁଙ୍ଗ ନେତାଏ, ରାଜ୍ୟ ବିଜେପି ଉପରେ ବର୍ଷିଲା ଭଳିଆ ବର୍ଷି ନାହାନ୍ତି। ହେଲେ ରାଜ୍ୟ ରାଜଧାନୀରେ ସେହି ବର୍ଷଣ ଜାତୀୟ ରାଜଧାନୀରେ ଦେଖିବାକୁ ମିଳିନି । ଭୁବନେଶ୍ବରରେ ସିନା ବିଜେଡି ନେତା ମୁହଁ ଇସ୍ପାତ କରି ବର୍ଷିଛନ୍ତି, ଦିଲ୍ଲୀରେ କିନ୍ତୁ ସେମାନଙ୍କର ଶନ୍ନିପାତ ହୋଇଯାଇଛି। ଏସବୁ ଭିତରେ କେନ୍ଦ୍ରୀୟ ନେତୃତ୍ବ ଏବଂ ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କ ମଧ୍ୟରେ ରହି ଆସିଛି ଭଲ ସମ୍ପର୍କ । ରାଜନୈତିକ ଷ୍ଟଣ୍ଟ୍‌ ଦେଖାଇ ବିଜେଡି ୱାକଫ୍‌ ବିଲ୍‌କୁ ପରୋକ୍ଷରେ ସମର୍ଥନ କରିବା (ଏହି ବିଲ୍‌କୁ ନେଇ ବିଜେଡି ହ୍ବିପ୍‌ ଜାରି ନକରିବା) ସନ୍ଦେହ ସୃଷ୍ଟି କରିଛି । ଏମିତି ଅନେକ ପ୍ରସଙ୍ଗରେ ବିଜେଡିର ହାବଭାବ କିଛି ନୂଆ ନୁହେଁ । ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ସମୟରେ ରାଜ୍ୟସଭାରେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଯେଉଁ ଭାଷଣ ଦେଇଥିଲେ, ତାହା ଏବେବି ସୋସିଆଲ ସାଇଟ୍‌ରେ ଉପଲବ୍ଧ ଅଛି । ପାଠକେ ଚାହିଁଲେ ତାହା ଶୁଣିପାରିବେ । କେବଳ ଧାରା ୩୭୦ ଉଚ୍ଛେଦ ନୁହେଁ, ତିନି ଆପରାଧିକ ବିଲ୍‌ ପାସ୍‌ ବେଳେ, ଯେତେବେଳେ ବିରୋଧୀ ଗୋଷ୍ଠୀର ୧୪୭ ସାଂସଦଙ୍କୁ ଅଧିବେଶନରୁ ନିଲମ୍ବନ କରାଗଲା, ସେତେବେଳେ ବିଜେଡି କେଉଁ ପୋଜିସନ୍‌ରେ ଖେଳୁଥିଲା, ତାହା କ’ଣ ଆଉ କହିବାକୁ ପଡ଼ିବ ! ଏମିତି ଅନେକ ପ୍ରସଙ୍ଗ ଅଛି, ଯେଉଁଥିରେ ବିଜେଡି, ବିଜେପିକୁ ଅକୁଣ୍ଠ, ଅଯାଚିତ ସମର୍ଥନ ଦେଇଛି । ଏଠି ରାଜ୍ୟ ବିଜେପି ଓ ବିଜେଡି ନେତାଏ ସିନା ଲୋକ ଦେଖାଣିଆ କଳି ଲାଗୁଛନ୍ତି, ଦିଲ୍ଲୀରେ ପରା ସେମାନେ କୋଳାକୋଳି !!!

ଏବେ ଓଡ଼ିଶାବାସୀ କେବଳ ଗୋଟିଏ ନାଟକ ଦେଖୁଛନ୍ତି, ଯେଉଁଥିରେ ଅଛନ୍ତି ଜଣେ ମାତ୍ର ଖଳନାୟକ, ଭିକେ ପାଣ୍ଡିଆନ। ବିଜେଡିକୁ ଜନ୍ମ ଦେଇଛି ବିଜେପି। ତେଣୁ ଦୁଇ ଦଳ ମଧ୍ୟରେ କହିବାକୁ ଗଲେ ସମ୍ପର୍କ, ରକ୍ତ ସମ୍ପର୍କଠାରୁ କିଛି କମ୍‌ ନୁହେଁ । ଏବେ ଓଡ଼ିଶାରେ ଯେଉଁ ମହାନାଟକ ଚାଲିଛି, ତାହାର କେବଳ ଗୋଟିଏ ମାତ୍ର ଉଦ୍ଦେଶ୍ୟ ହେଉଛି ବିଜେଡିକୁ ଭାଙ୍ଗିଦେବା, ବିଜେଡିକୁ ସମ୍ପୂର୍ଣ୍ଣ ନିଶ୍ଚିହ୍ନ କରିଦେବା । ନବୀନ ପଟ୍ଟନାୟକଙ୍କ ନେତୃତ୍ବକୁ ଦୁର୍ବଳ କରିଦେବା । ମହାରାଷ୍ଟ୍ରର ଶିବସେନା ହେଉ କି ଏନ୍‌ସିପି ଭଳି ବିଜେଡିକୁ ଭାଙ୍ଗିଦେବା ପାଇଁ ଓଡ଼ିଶାରେ ଏକ ନୂଆ ନ୍ୟାରେଟିଭ ଆରମ୍ଭ ହୋଇଛି । ହେଲେ ସେହି ସଫଳତା ହାସଲ କରିବା ପାଇଁ କ’ଣ ଭିକେ ପାଣ୍ଡିଆନ ଏକମାତ୍ର ଗୋଟି ! ବିଜେପି କାହିଁକି ରାଜ୍ୟରେ ବିଜେଡିକୁ ବିରୋଧ କରୁଛି, ହେଲେ ଭିତିରିଆ କୋଳେଇ ନେଉଛି ! ବିଜେଡି ଯେଉଁ ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ବଦଳାଇଲା, ସେଥିପାଇଁ ଦଳ ଉପରେ କିଏ ଚାପ ପକାଇଥିଲା ? ଯଦି ସବୁରି ମୂଳରେ ଭିକେ ପାଣ୍ଡିଆନ, ତେବେ ସେ ବିଜେପିର କେଉଁ ନେତାଙ୍କ ସହ ସମ୍ପର୍କରେ ଅଛନ୍ତି ? ବିଧାନସଭାରେ ଭିକେ ପାଣ୍ଡିଆନଙ୍କୁ ବିରୋଧ କରୁଛି ବିଜେପି, କିନ୍ତୁ ଦିଲ୍ଲୀରେ ବିଜେପିର ଶୀର୍ଷ ନେତୃତ୍ବ ବିଜେଡି ସହ ଡିଲ୍‌ କରୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଅନ୍ୟପଟେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏଭଳି ପରିସ୍ଥିତି ଭିତରେ କାହିଁକି ଭୟଙ୍କର ନିରବତା ଆପଣାଉଛନ୍ତି ? ଯଦି ଦଳର ରିମୋର୍ଟ ପାଣ୍ଡିଆନଙ୍କ ହାତରେ ନାହିଁ, ତେବେ କାହିଁକି ନବୀନ ସାମ୍ନାକୁ ଆସି ସବୁକିଛି ସ୍ପଷ୍ଟ କରୁନାହାନ୍ତି ?

ମାର୍ଚ୍ଚ ୨୦୨୪ରେ ଯେତେବେଳେ ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଆରମ୍ଭ ହୋଇଥିଲା, ସେତେବେଳୁ ବିଜେଡି ବୁଦ୍ଧି ଶିଖିଯିବା କଥା । କିନ୍ତୁ ସେଭଳି କିଛି ହେଲାନି । ଭିକେ ପାଣ୍ଡିଆନ ଓ ଓଡ଼ିଆ ଅସ୍ମିତାକୁ ନ୍ୟାରେଟିଭ କରି ରାଜ୍ୟରେ ବିଜେପି କ୍ଷମତାକୁ ଆସିଲା । ଗତ ପଞ୍ଚାୟତ ନିର୍ବାଚନରେ ପ୍ରାୟ ୯୦ ପ୍ରତିଶତ ଭୋଟ୍‌ ହାତେଇଥିବା ବିଜେଡି ସାଧାରଣ ନିର୍ବାଚନରେ ମୂଳପୋଛ ହୋଇଗଲା । ତଥାପି ବିଜେଡି ବୁଦ୍ଧି ଶିଖିଲାନି ! ତେଣୁ, ଦଳ ଯଦି ଭାଙ୍ଗିବାର ଥିବ, ନିହାତି ଭାଙ୍ଗିବ । ଏବେ ନବୀନ ବାବୁ ସାମ୍ନାକୁ ଆସି ଦଳର ସାଂପ୍ରତିକ ସ୍ଥିତି ନେଇ ବୟାନ ରଖିବା ଉଚିତ୍‌ । ଆଉ ବିଜେପି ସହ ତାଙ୍କର ଯଦି କୌଣସି ଭିତିରିଆ ମଧୁର ସମ୍ପର୍କ ନାହିଁ, ତାହା ବି ଓଡ଼ିଶାବାସୀଙ୍କ ଆଗରେ କ୍ଲିୟର କରିବା ଦରକାର । କ୍ଷମା କରିବେ, ଓଡ଼ିଶାବାସୀ ଭକୁଆ ନୁହନ୍ତି ଯେ, ବିଜେଡି ଓ ବିଜେପିର ଯୋଡ଼ି ସୁଆଙ୍ଗ ସବୁଦିନ ଦେଖୁଥିବେ…

0 Comments

Leave Your Comment

Your email address will not be published. Required fields are marked *

%d bloggers like this: