ପ୍ରିଜମ୍ ନ୍ୟୁଜ(EXCLUSIVE)
ଖଣିଜ ସମ୍ପଦ ଭରା ରାଜ୍ୟ ଓଡ଼ିଶା । ଭାରତର ମୋଟ୍ ଖଣିଜ ଦ୍ରବ୍ୟ ମଧ୍ୟରେ ଓଡ଼ିଶାର ଅବଦାନ ରହିଛି ୫୦ ପ୍ରତିଶତ । କିନ୍ତୁ ଲଗାତାର ଆମର ରାଜ୍ୟରେ ଖଣିଜ ସମ୍ପଦ ଲୁଟ୍ ହେବାରେ ଲାଗିଛି। କୋରିକୋରି ଖାଇ ଦେଉଛନ୍ତି ସବୁ । ହେଲେ କିଏ ଖାଉଛି ? କିଏ ଖୁଆଉଛି ? ସେ ସବୁର କିଛି ହିସାବ ନାହିଁ । ଏବେ ଓଡ଼ିଶାରେ ସୁନ୍ଦରଗଡ଼ ଜିଲ୍ଲାର ଖଣି ଚୋରି ଅନ୍ୟତମ ମୁଖ୍ୟ ପ୍ରସଙ୍ଗ। ଏହାର ଖୋଳତାଡ଼ କଲେ ନେତା, ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଅମଲା ପର୍ଯ୍ୟନ୍ତ ସବୁ କାଠଗଡ଼ାକୁ ଟଣା ହେବେ। ହେଲେ କିଏ ଟାଣିବ କାଠଗଡ଼ାକୁ ? ଏଠି ଖୁଲମଖୁଲ୍ଲା ଚାଲିଛି ଖଣି ଲୁଟ୍। କଥା ଯାଇ ହାଟରେ ପଡ଼ି ଦାଣ୍ଡରେ ଗଡ଼ିବା ପରେ ଏବେ ଆକ୍ସନ୍ ମୋଡ଼କୁ ଆସିଛି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ। ସେଥିପାଇଁ ରତନସରାରେ ଥିବା ୧୦ରୁ ଅଧିକ ଖଣି ଉପରେ ଚଢ଼ାଉ କରାଯାଇଛି । ଚଢ଼ାଉ ବେଳେ ଜଙ୍ଗଲରୁ ଷ୍ଟକୟାର୍ଡ ମିଳିଛି । ତେବେ ଏହି ଚଢ଼ାଉ ବେଳେ ଜଣାପଡ଼ିଛି ଯେ, ସେଠାରେ ହଜାର ହଜାର ଟନ୍ କୋଇଲା ଗଚ୍ଛିତ ଅଛି । ହେଲେ କେବଳ ହେମଗିରି ତେଲେନଡିହି କି ରତନସରାର ଏ ପ୍ରସଙ୍ଗ ନୁହେଁ । ଓଡ଼ିଶାର ଜଙ୍ଗଲରେ ସରିନି କଳାହୀରାର କଳା ସାମ୍ରାଜ୍ୟ। ଗୋଟିକ ପରେ ଗୋଟିଏ ଗାଁ ଡେଇଁ ବହୁ ଆଗକୁ ବଢ଼ି ଚାଲିଛି ଏହି କଳାହୀରାର କଳା ବେପାର । ତେଲେନଡିହି ଜଙ୍ଗଲରୁ ପ୍ରାୟ ୧୦ କିଲୋମିଟର ଦୂରରେ ରହିଛି ରତନସରା ଗାଁ । ଏଠାରେ ବେଧଡ଼କ ଖଣି ଲୁଟ୍ କରିବା ସହ ବେଆଇନ କୋଇଲା ଚାଲାଣ କରୁଛନ୍ତି ମାଫିଆ।

ପୂର୍ବ ସରକରା ଅମଳରେ ମଧ୍ୟ ଖଣି ଲୁଟ୍ ପ୍ରସଙ୍ଗରେ କୌଣସି ପଦକ୍ଷେପ ନିଆଯାଇ ନଥିଲା। ଏହି ସରକାର ଏବେ ଓଡ଼ିଶାର ଖଣିଗୁଡ଼ିକୁ ଅଦାନୀକୁ ବିକି ଦେବା ପାଇଁ ବାଟ ସଫା କରୁଛନ୍ତି। ଚଳିତବର୍ଷ ମାର୍ଚ୍ଚ ୨୪ ତାରିଖରେ ‘ଡାଉନ୍ ଟୁ ଆର୍ଥ’ରେ ଏକ ଖବର ପ୍ରକାଶ ପାଇଥିଲା । କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍ର ୬ଟି ଗ୍ରାମ ପଞ୍ଚାୟତର ଆଦିବାସୀ ଲୋକମାନେ ତଦସିଲଦାର ଅଫିସ ଘେରାଉ କରିଥିଲେ। ବଲଡ଼ା ବକ୍ସାଇଟ୍ ଖଣି ପ୍ରକଳ୍ପକୁ ସରକାର ଅଦାନୀ ଗ୍ରୁପକୁ ଟେକି ଦେଉଥିବାରୁ ଲୋକମାନେ ଏହାର ବିରୋଧ କରିଛନ୍ତି। ଆନ୍ଦୋଳନକାରୀ ଏହାକୁ ବିରୋଧ କରି ରାଷ୍ଟ୍ରପତି, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି। ବଲଡ଼ା ନାଗେଶ୍ବରୀ ପର୍ବତର ବକ୍ସାଇଟ୍ ଖଣି ଗ୍ରାମସଭାର ଅଗୋଚରରେ ନିଲାମ କରି ଦେଇଥିବା ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି।


ଏହା ତ କେବଳ ଗୋଟିଏ ଉଦାହରଣ । ଅନୁଗୁଳ ଛେଣ୍ଡିପଦା ସିଙ୍ଗରାଣୀ ଖଣି ପାଇଁ ୧ ଲକ୍ଷ ୬ ହଜାର ଗଛ କାଟିବାକୁ ପ୍ରଶାସନ ଓ ସରକାର ଅନୁମତି ଦେଇଛନ୍ତି। ନିକଟରେ ଛେଣ୍ଡିପଦାରେ ୧୦ ହଜାରରୁ ଅଧିକ ଗଛ କଟା ଯାଇଛି। ତେବେ ଓଡ଼ିଶାର ଖଣିଜ ସମ୍ପଦକୁ ଅଦାନୀ ଭଳି ଗ୍ରୁପକୁ ଟେକି ଦେଉଛନ୍ତି ସରକାର। ଅନ୍ୟପଟେ ଏଦିଗରେ ଓଡ଼ିଶା ବିପୁଳ ପରିମାଣରେ ରାଜସ୍ବ ମଧ୍ୟ ହରାଉଛି। ଓଡ଼ିଶା ପଲିଟିକାଲ ଥିଙ୍କର୍ସ ଫୋରମ୍ର ରିପୋର୍ଟ ଅନୁସାରେ, ଓଡ଼ିଶାର ଋଣ ଭାର ୧.୪୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଲାଣି। ସେହିପରି ଖଣି ମାଲିକମାନେ 2ଲକ୍ଷ କୋଟିରୁ ଅଧିକ ଟଙ୍କାର କେବଳ ଲାଭ ପାଇଛନ୍ତି। ଫଳରେ ଖଣିରୁ ଓଡ଼ିଶା କେବଳ ବାର୍ଷିକ ୫୪୦୦ କୋଟି ଟଙ୍କା କ୍ଷତି ସହୁଛି। ଆଶ୍ଚର୍ଯ୍ୟର କଥା, ଓଡ଼ିଶା ବାର୍ଷିକ ୨୪୦ ମିଲିୟନ ଟନ୍ କୋଇଲା ଉତ୍ପାଦନ କରୁଛି। ହେଲେ ମାତ୍ର ୨୦ ମିଲିୟନ ଟନ୍ ଆମ ରାଜ୍ୟ ବ୍ୟବହାର କରୁଛି। ଓଡ଼ିଶାରେ ଯେଉଁ କୋଇଲା ଅଛି, ସେହି କୋଇଲାର ମୂଲ୍ୟ ବାହାରେ ଟନ୍ ପିଛା ୧୩ ହଜାର ଟଙ୍କା। କିନ୍ତୁ ଓଡ଼ିଶା ସେହି ଉନ୍ନତମାନର କୋଇଲାକୁ ଟନ୍ ପିଛା ୯୦୦ରୁ ୩୫୦୦ ଟଙ୍କାରେ ବିକ୍ରି କରୁଛି।

ସବୁଠୁ ବଡ଼ କଥା ହେଲା ଯେ, ଅନ୍ତର୍ଜାତୀୟ ବଜାର ଅପେକ୍ଷା ଅଦାନୀ, ବେଦାନ୍ତ ଓ ବିର୍ଲା ଭଳି କମ୍ପାନି ଶାଗମାଛ ଦରରେ ଓଡ଼ିଶାର କୋଇଲାକୁ କିଣୁଛନ୍ତି। ବେଦାନ୍ତ ଟନ୍ ପିଛା ୧୬୭୪ ଟଙ୍କାରେ କିଣୁଥିବାବେଳେ ଅଦାନୀ ଟନ୍ ପିଛା ୨୧୪୬ ଟଙ୍କାରେ କିଣୁଛି। ସେହିପରି ହିଣ୍ଡାଲ୍କୋ ଟନ୍ ପିଛା ମାତ୍ର ୯୬୦ ଟଙ୍କାରେ କୋଇଲା କିଣୁଛି। ତେଣୁ, ପଶ୍ଚିମବଙ୍ଗ ଯେଉଁଭଳି କୋଇଲା ଉପରେ ୨୫ ପ୍ରତିଶତ ସେସ୍ ଲାଗୁ କରିଛି, ସେହିଭଳି ଓଡ଼ିଶା ମଧ୍ୟ ସେସ୍ ଲାଗୁ କରିବା ଉଚିତ୍। ଏହା ଲାଗୁ ହେଲେ ଓଡ଼ିଶା ବାର୍ଷିକ ୭୦ ହଜାରରୁ ୧ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ରାଜସ୍ବ ବୃଦ୍ଧି କରିପାରିବ।
(କ୍ରମଶଃ)
0 Comments