ପୋସ୍କୋ ଫେରୁଛି ପୁଞ୍ଜି ନେଇ; ସ୍ୱପ୍ନ, ସମ୍ଭାବନା ଓ ନୂଆ ସରକାର

ପୋସ୍କୋ ଫେରୁଛି ପୁଞ୍ଜି ନେଇ; ସ୍ୱପ୍ନ, ସମ୍ଭାବନା ଓ ନୂଆ ସରକାର

ଭୁବନେଶ୍ୱର (୧ ନଭେମ୍ବର ୨୦୨୪): ୧୨ ବର୍ଷର ତପସ୍ୟା ଶୁଖୁଆ ପୋଡ଼ାରେ ଗଲା ପରେ ନୂଆ ଆଶା
ଓ ସମ୍ଭାବନା ସହ ବିପୁଳ ପୁଞ୍ଜି ନେଇ ଓଡ଼ିଶାକୁ ଫେରୁଛି ପୋସ୍କୋ । ଆଶା ଏଥର ସମ୍ଭାବନା
ଆଉ ନିରାଶ ହେବନି କାହିଁକିନା ଓଡ଼ିଶାରେ ଏବେ ସରକାର ବଦଳିଛି । ସେକାଳ ପଖାଳ ବି ନାହିଁ
କିନ୍ତୁ ଏହା ବି କହିବା ମୁସକିଲ୍ ଯେ, ଅନ୍ତ ଭଲ ହୋଇଛି ସବୁ ଭଲ ହେବ କି ନାହିଁ ତା କହିବା
ମୁସକିଲ୍ ।

ହଁ, ଆମେ କହୁଛୁ ପୋସ୍କୋ ଫେରିବା ଚର୍ଚ୍ଚାକୁ ନେଇ ଯେଉଁ ବିତର୍କ ଆରମ୍ଭ ହୋଇଛି । ଏହା ସତ
ଯେ, ଏବେ ଓଡ଼ିଶାରେ ସମୟ ବଦଳିଛି କାହିଁକିନା ଏଠାରେ ସରକାର ବଦଳିଛି । ଓଡ଼ିଶା ପାଇଁ
ପୁଣି ଥରେ ସ୍ବପ୍ନକୁ ସାକାର କରିବା ପାଇଁ ନୂଆ ସମ୍ଭାବନା ନେଇ ଓଡ଼ିଶା ଫେରୁଛି ପୋସ୍କୋ ।
ଓଡ଼ିଶାରେ ମୋହନ ସରକାର ଆସିବାର ୪ ମାସ ପରେ ପୋକ୍ସୋ ଫେରୁଥିବା ନେଇ ଚର୍ଚ୍ଚା ବଢ଼ିବା
ପରେ ଏବେ ଏହାକୁ ନେଇ ପୁଣି ଉତ୍ସାହ କାହିଁ କେତେଗୁଣା ବଢିଛି ।

ଉତ୍ସାହ ଏଇଥିପାଇଁ କାହିଁକିନା ୨୦୧୭ ମସିହାରେ ଯେଉଁ କମ୍ପାନୀ ବିରୋଧ
ଏବଂ କଞ୍ଚାମାଲର ଅଭାବ କାରଣରୁ ବିଦାୟ ନେଇଥିଲା ଏବେ ସେ ପୁଣି ଫେରୁଛି । ଏଥର କିନ୍ତୁ
ଭାରତୀୟ କମ୍ପାନୀର କାନ୍ଧରେ କାନ୍ଧ ମିଶାଇ ଓଡ଼ିଶାରେ କୋଟି କୋଟି ଟଙ୍କାର ପୁଞ୍ଜି ନିବେଶ
ପାଇଁ ଫେରୁଛି । ଏଥର ପାରାଦୀପ ନୁହେଁ, ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରରେ ହେବ
ମେଗା ଷ୍ଟିଲ୍ ପ୍ଲାଣ୍ଟ । ହେଲେ ଏକା ନୁହେଁ JSW-ପୋସ୍କୋ ମିଳିତ ଭାବେ କରିବେ ଏ
ପ୍ଲାଣ୍ଟ୍ ।ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଗତ କିଛି ଦିନ ଧରି ପ୍ରକାଶ ପାଉଥିବା ଏ
ଖବର ଉପରେ ମୋହର ମାରି ଆଜି ଏନେଇ ବଡ଼ ସୂଚନା ଦେଇଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।


କେନ୍ଦୁଝର ଗସ୍ତ ଅବସରରେ କହିଛନ୍ତି- ଦିଲ୍ଲୀ ଓ ମୁମ୍ବାଇରେ ଉତ୍କର୍ଷ ଓଡ଼ିଶା ରୋଡ୍ ସୋ
ବେଳେ ଏନେଇ ଉଭୟ JSW ଓ ପୋସ୍କୋ ସହ ଆଲୋଚନା ହୋଇଥିଲା। ଏହା ଭିତରେ ସେମାନେ ମଧ୍ୟ
ପରସ୍ପର ଭିତରେ ଏମଓୟୁ କରି କେନ୍ଦୁଝର ଜିଲ୍ଲାରେ ଷ୍ଟିଲ ପ୍ଲାଣ୍ଟ କରିବେ ବୋଲି ମେନସନ୍
କରିଛନ୍ତି। ଏଥିସହ ନିଶ୍ଚିତ ଭାବେ ଏ ଷ୍ଟିଲ ପ୍ଲାଣ୍ଟ ହେବ ବୋଲି ଦୃଢ଼ୋକ୍ତି ବାଢିଛନ୍ତି
ମୁଖ୍ୟମନ୍ତ୍ରୀ ।

ସେପଟେ ଖଣିଖାଦାନ ଭରା କେନ୍ଦୁଝର ଜିଲ୍ଲାର ନିର୍ଦ୍ଦିଷ୍ଟ ଭାବେ କେଉଁଠି ହେବ ଏ
ମେଗା ପ୍ଲାଣ୍ଟ ସେ ନେଇ କିଛି ସ୍ପଷ୍ଟତା ଆସିନାହିଁ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା
ଅନୁସାରେ ଏଥିପାଇଁ ଦୁଇଟି ଯାଗା ଚିହ୍ନଟ ହୋଇଛି। ଗୋଟିଏ ହେଲା ପୂର୍ବରୁ ଷ୍ଟିଲ ପ୍ଲାଣ୍ଟ
ପାଇଁ ଆର୍ସେଲର ମିତ୍ତଲକୁ ପାଟଣା ବ୍ଲକରେ ଦିଆଯାଇଥିବା 1956 ଏକରର ଜମି। ଅନ୍ୟଟି
ବାଂଶପାଳ ବ୍ଲକର ତରମାକାନ୍ତ ସ୍ଥିତ ଓଡ଼ିଶା ଟି ପ୍ଲାଣ୍ଟେସନ୍ ଲିମିଟେଡ୍ -ଓଟିପିଏଲର
ଉଜୁଡ଼ିଯାଇଥିବା ଚା ବଗିଚାର ୨୫ ଶହ ଏକର ଜାଗା। ଚା ବଗିଚା ବନ୍ଦ ହେବା ପରେ ଏବେ ଏହି ଜମି
ସରକାରଙ୍କ ଅଧିନରେ ରହିଛି। ତେଣୁ ଏଭିତରୁ ଯେକୌଣସି ଗୋଟିକୁ ବାଛିବା ପାଇଁ ଖୁବ୍ଶୀଘ୍ର
ଉଭୟ କମ୍ପାନିର ଏକ ଉଚ୍ଚସ୍ତରୀୟ ଟିମ୍ ଓଡ଼ିଶା ଆସୁଛି। ଉଭୟ କମ୍ପାନି ମଧ୍ୟରେ ବୁଝାମଣା
ମୁତାବକ ପ୍ରାରମ୍ଭିକ ଭାବେ ପ୍ରସ୍ତାବିତ ଷ୍ଟିଲ ପ୍ଲାଣ୍ଟର ବାର୍ଷିକ ଉତ୍ପାଦନ କ୍ଷମତା ୫
ନିୟୁତ ଟନ୍ ରହିବ। ପରବର୍ତ୍ତୀ ସମୟରେ ଏହାକୁ ବଢ଼ାଯାଇପାରେ। ତେବେ ଏନେଇ କେତେ
ପୁଞ୍ଜିନିବେଶ ହେବ ତାହା ୨୦୨୫ ଜାନୁଆରୀରେ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା କନକ୍ଲେଭରେ
ଘୋଷଣା ହେବ ବୋଲି କୁହାଯାଉଛି

ପୁରୁଣା ଦିନର କଥା
ଓଡ଼ିଶାରେ ଏକ ବିଶାଳ ଇସ୍ପାତ କାରଖାନା ସ୍ଥାପନ କରିବା ଲାଗି ୨୦୦୫ ଜୁନ ମାସରେ ପୋସ୍କୋ
ସହ ଏମଓୟୁ କରିଥିଲେ ବିଜେଡି ସରକାର । ଓଡ଼ିଶା ଇତିହାସର ସର୍ବାଧିକ ବିଦେଶୀ ପୁଞ୍ଜି
ନିବେଶକ ଲାଗି ଯୋଜନା କରିଥିଲେ ସରକାର । ଜଗତସିଂହପୁର ଜିଲ୍ଲାରେ ୫୨ ହଜାର କୋଟି ଟଙ୍କା
ନିବେଶ କରିବାକୁ ଚୁକ୍ତି ହୋଇଥିଲା । କାରଖାନା ସ୍ଥାପନ କରିବା ଲାଗି କମ୍ପାନୀ ୪ ହଜାର
ଏକର ଜମି ମାଗିଥିଲା । ଇଡକୋ ଜରିଆରେ ଜମି ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରିଥିଲେ ଓଡ଼ିଶା
ସରକାର । ଅଧିକାଂଶ ଜଙ୍ଗଲ ଜମି ବର୍ଗର ଥିଲା । ଉକ୍ତ ଜଙ୍ଗଲ ଜମିରେ ପାନବରଜ କରି ପେଟ
ପୋଷୁଥିଲେ ସ୍ଥାନୀୟ ଲୋକ ।

୨୦୦୫ରେ ସ୍ୱାକ୍ଷରିତ ଏମଓୟୁ ୨୦୧୧ ଜୁନରେ ଶେଷ ଶେଷ ହୋଇଥିଲା । କିନ୍ତୁ ଜମି ଅଧିଗ୍ରହଣକୁ
ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଥିଲେ ସରକାର ଓ କମ୍ପାନୀ । ରାଜ୍ୟ
ସରକାର ବହୁ ପ୍ରଚେଷ୍ଟାରେ ପ୍ରାୟ ୨ ହାଜରରୁ ଅଧିକ ଏକର ଜମି ଅଧିଗ୍ରହଣ କରି ଯୋଗାଇଥିଲେ ।
ସମ୍ପୂର୍ଣ୍ଣ ଜମି ନମିଳିବାରୁ ୨୦୧୨ ଏପ୍ରିଲ ପର୍ଯ୍ୟନ୍ତ କମ୍ପାନୀ ତାହାର ନବୀକରଣ
କରିନଥିଲା । ସେହିପରି ରାଜ୍ୟର ଖଣ୍ଡାଧାର ଖଣି ପାଇବା ଲାଗି ପୋସ୍କୋର ଦାବି ଥିଲା । ଜମି
ମିଳିବାରେ ସମସ୍ୟା ସହ ଖଣି ନମିଳିବାରୁ ବାଧ୍ୟ ହୋଇ ୨୦୧୭ ମାର୍ଚ୍ଚରେ ଏହି ପ୍ରକଳ୍ପରୁ
ଓହରି ଯାଇଥିଲା ପୋସ୍କୋ ।

କହିବାକୁ ଗଲେ ଏବେ ତ ସମୟ ବଦଳିଛି, ସରକାର ବି ବଦଳିଛି । କ୍ଷମତାକୁ ଆସିବାର ମାତ୍ର ୪
ମାସ ପରେ ପୁଣି ପୋସ୍କୋକୁ ଓଡ଼ିଶା ମୁହାଁ କରିବାରେ ସଫଳ ହୋଇଛି ବିଜେପି ସରକାର। ଶିଳ୍ପ
ସଂଘ କହିଛି- ପୋସ୍କୋ ଓଡ଼ିଶା ଛାଡ଼ିବା ପରେ ସାରା ବିଶ୍ବରେ ଓଡ଼ିଶାରେ ପୁଞ୍ଜିନିବେଶର
ଅନକୂଳ ପରିବେଶ ନଥିବା ନେଇ ଯେଉଁ ବଦନାମ୍ ରହିଥିଲା, ଜେଏସଡବଲୁ ହାତ ଧରି ପୋସ୍କୋ ପୁଣି
ଫେରୁଥିବା ସୂଚନା, ସେଇ ଧାରଣାକୁ ବଦଳାଇବ। ଆଗକୁ ମାଇନିଂ ଓ ମେଟାଲ କ୍ଷେତ୍ରରେ ଓଡ଼ିଶାକୁ
ବିଦେଶୀ ପୁଞ୍ଜିନିବେଶର ବାଟ ଫିଟିବ ।

ଆଶା କରିବା ଓଡ଼ିଶାରେ ଓଡ଼ିଆଙ୍କ ସ୍ବାର୍ଥ୍ୟ ରକ୍ଷା ସହ ପ୍ରଗତୀ ଶିଖରରେ ପହଞ୍ଚିବ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: