ଭୁବନେଶ୍ୱର: କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଢାଞ୍ଚାରେ ହେବ ଓଡ଼ିଶାରେ ସ୍ନାତକୋତ୍ତର ନାମଲେଖା ପ୍ରକ୍ରିୟା। ଆସନ୍ତା ଶିକ୍ଷାବର୍ଷ ପାଇଁ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ପାଇଁ କେବଳ ପ୍ରବେଶିକା ପରୀକ୍ଷାକୁ ହିଁ ଗୁରୁତ୍ବ ଦିଆଯିବ। ପୂର୍ବଭଳି ପ୍ରବେଶିକା ପରୀକ୍ଷାର ମାର୍କ ଓ କ୍ୟାରିଅର ମାର୍କ ମଧ୍ୟରେ 80 ଅନୁପାତ 20 ରହୁଥିଲା। ହେଲେ ଏଥର କ୍ୟାରିଅର ମାର୍କକୁ ଆଉ ବିଚାରକୁ ନିଆଯିବ ନାହିଁ। କେବଳ ପ୍ରବେଶିକା ପରୀକ୍ଷା ମାର୍କକୁ ହିଁ ବିଚାର କରାଯିବ। ଏହାଫଳରେ ସବୁ ବର୍ଗର ମେଧାବୀ ଓ ଦକ୍ଷ ପିଲା ଏଥିରେ ସାମିଲ ହୋଇ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇ ପାରିବେ। ସ୍ନାତକ ବା ଯୁକ୍ତ ଦୁଇ ପରୀକ୍ଷା ବେଳେ ଅସୁସ୍ଥତା ହେଉ ବା କୌଣସି କାରଣରୁ ଅଳ୍ପ ମାର୍କ ରଖିଥିବା ଛାତ୍ରଛାତ୍ରୀ କ୍ୟାରିଅର ମାର୍କ ଯୋଗୁଁ ଅଡୁଆରେ ପଡୁଥିଲେ। ହେଲେ ଏଥର ଆଉ ସେ ସମସ୍ୟା ରହିବ ନାହିଁ।

ଅଧିକାଂଶ ସମୟରେ ଦେଖାଯାଇଛି, ଯୁକ୍ତ 2 କ୍ୟାରିଅର ମାର୍କକୁ ବିଚାର କରାଗଲାବେଳେ ସିବିଏସ୍ଇ ଓ ଆଇସିଏସ୍ଇ ପିଲାଙ୍କ ସହ ଓଡ଼ିଶାର ସିଏଚ୍ଏସଇ ପିଲାମାନେ ପ୍ରତିଦ୍ବନ୍ଦିତା କରି ପାରୁନଥିଲେ। ସେମାନେ ଅଧିକ ମାର୍କ ରଖୁଥିବାରୁ ସହଜରେ ପିଜି ଆଡମିସନ କରିଯାଉଥିଲେ। ଏବେ କିନ୍ତୁ ସେ ସମସ୍ୟା ରହିବ ନାହିଁ। ଯିଏ ପିଜି ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷାରେ ଭଲ ମାର୍କ ରଖିଲା, ସେ ନାମ ଲେଖାଇ ପାରିବ।
ଖାଲି ଏତିକି ନୁହେଁ, ଏଥର ପିଜି ନାମଲେଖା ପ୍ରକ୍ରିୟାରେ ଅନେକ ସଂଶୋଧନ କରି ସଂସ୍କାର ଅଣାଯାଇଛି। ଜୁଲାଇ 10 ସୁଦ୍ଧା ପିଜି ପାଠ୍ୟକ୍ରମରେ ପାଠପଢ଼ା ଆରମ୍ଭ ହେବ। ଯୁକ୍ତ ତିନି ବା ସ୍ନାତକ ଶ୍ରେଣୀର ପରୀକ୍ଷାଫଳ ପ୍ରକାଶ ପାଇନଥିଲେ ବି ଯଦି ଜଣେ ପିଜି ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୁଏ, ସିଏ ନାମ ଲେଖାଇ ପାରିବ। ସ୍ନାତକ ଶ୍ରେଣୀର ପରୀକ୍ଷା ଫଳ ବାହାରିବା ପରେ ଯଦି ସେ ଫେଲ୍ ହୋଇଥିବେ, ତାଙ୍କୁ ପିଜି ସିଟ୍ ଛାଡ଼ିବାକୁ ହେବ।
ଜୁଲାଇ 10ରୁ ପାଠପଢ଼ା ଆରମ୍ଭ ହେବାକୁ ଥିବାରୁ ତା ପୂର୍ବରୁ ହିଁ ପ୍ରବେଶିକା ପରୀକ୍ଷା ଓ ଏହାର ଫଳାଫଳ ପ୍ରକାଶ କରିବାକୁ ଉଚ୍ଚଶିକ୍ଷା ବିଭାଗ ପଦକ୍ଷେପ ନେଇଛି। ଏଥିଲାଗି ଆସନ୍ତା 10 ତାରିଖ (2025 ମାର୍ଚ୍ଚ 10)ରୁ ଆବେଦନ ଆରମ୍ଭ ହେବ। ମେ ମାସ ପ୍ରଥମ ସପ୍ତାହରେ ସ୍ନାତକୋତ୍ତର ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ବା କମନ୍ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ (CPET) କରାଯିବ। ଆଉ ସଠିକ ସମୟରେ ପାଠ୍ୟକ୍ରମ ଆରମ୍ଭ ହୋଇ ସଠିକ ସମୟରେ ସମାପ୍ତ ହେବ।
ପୂର୍ବରୁ ପିଜି ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ବହୁତ ବିଳମ୍ବ ହେଉଥିଲା। ଯାହା ଫଳରେ ସଂପୂର୍ଣ୍ଣ ନାମଲେଖା ପ୍ରକ୍ରିୟା ସରିବା ବେଳକୁ ସ୍ନାତକୋତ୍ତର ପିଲାଙ୍କର ଗୋଟିଏ ସିମେଷ୍ଟର ପାଠପଢ଼ା ବ୍ୟାହତ ହେଉଥିଲା। ଏପରିକି ନାମଲେଖା ପ୍ରକ୍ରିୟା ଡିସେମ୍ବର ପର୍ଯ୍ୟନ୍ତ ଚାଲୁଥିଲା। ଯାହା ଫଳରେ ପିଲାମାନେ ଜାତୀୟସ୍ତରରେ ବିଭିନ୍ନ ପରୀକ୍ଷା ଓ ପାଠପଢ଼ାରେ ସାମିଲ ହେବାରେ ସମସ୍ୟା ଭୋଗୁଥିଲେ। ଏଥର ସରକାର ଏ ବ୍ୟବସ୍ଥାରେ ସଂସ୍କାର ଆଣିଛନ୍ତି।
0 Comments