ବିଗତ ଆଠବର୍ଷ ଭିତରେ ଭାରତର ଡିଜିଟାଲ କାରବାରରେ ବ୍ୟାପକ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । ୨୦୧୪-୧୫ ଆର୍ଥିକ ବର୍ଷରେ ତାହା ମାତ୍ର ୩୧୬ କୋଟି ଟଙ୍କା ଥିବାବେଳେ ୨୦୨୧-୨୨ ଆର୍ଥିକ ବର୍ଷରେ ୮,୮୪୦ କୋଟି ଟଙ୍କା ଛୁଇଁଛି । ଡିଜିଟାଲ ନେଣଦେଣ କ୍ଷେତ୍ରରେ ଘଟିଥିବା ଏହି ପ୍ରଗତି ପ୍ରଯୁକ୍ତିଗତ ବିକାଶ ଏବଂ ପ୍ରଗତିଶୀଳ ସରକାରୀ ନୀତି ଓ ନିୟମାବଳୀର ମିଳିତ ସଫଳତା ବୋଲି ନିର୍ବିବାଦରେ କୁହାଯାଇପାରେ ।
ନିର୍ଦ୍ଦିଷ୍ଟ ଭାବେ କହିଲେ, ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ହିଁ ଏକମାତ୍ର ସାଧନ ଯାହା ଭାରତକୁ ତା’ର ଦୈନନ୍ଦିନ ଆର୍ଥିକ ନେଣଦେଣ କ୍ଷେତ୍ରରେ ନଗଦ ରାଶି ଆଦାନପ୍ରଦାନ ବ୍ୟବସ୍ଥା ଉପରେ ନିର୍ଭର କରିବା ପରିସ୍ଥିତିରୁ ମହତ୍ତ୍ୱପୂର୍ଣ୍ଣ ଭାବେ ସ୍ୱଳ୍ପ ନଗଦ ରାଶି ଅର୍ଥନୀତିରେ ପରିଣତ କରିଛି । ୟୁପିଆଇର ବ୍ୟବହାରକାରୀମାନଙ୍କୁ ଏହି ବ୍ୟବସ୍ଥା ସହଜରେ ରିଅଲ ଟାଇମ୍ ଆଧାରରେ ଏବଂ ବିବିଧ ବ୍ୟାଙ୍କ ଜମାଖାତାରୁ କୌଣସି ସମସ୍ୟା ବିନା ଅର୍ଥ ହସ୍ତାନ୍ତରଣ ପ୍ରକ୍ରିୟାକୁ ସାକାର କରିପାରିଛି । ୟୁପିଆଇ ଆର୍ଥିକ ବ୍ୟବସ୍ଥା ୨୦୧୬ ମସିହା ଏପ୍ରିଲ ମାସରେ ଆରମ୍ଭ କରାଯାଇଥିଲା ଏବଂ ସେହି ଦିନଠାରୁ ଅଦ୍ୟାବଧି ତାହା ବ୍ୟାପକ ଭାବେ ବୃଦ୍ଧି ପାଇଛି । ୨୦୨୧-୨୨ ଆର୍ଥିକ ବର୍ଷରେ ଏହି କାରବାରର ମୂଲ୍ୟ ୧ ଟ୍ରିଲିଅନ୍ ଆମେରିକୀୟ ଡଲାର (୪୫.୬ ବିଲିଅନ କାରବାର ଜରିଆରେ)କୁ ଅତିକ୍ରମ କରିବା ଫଳରେ ଏହା ଏକ ବୈଶ୍ୱିକ ମାଇଲଖୁଣ୍ଟ ହାସଲ କରିପାରିଛି । ସେହିଭଳି ଘରୋଇ କ୍ଷେତ୍ରରେ ମେ, ୨୦୨୨ରେ ମାସିକ ୧୦ ଟ୍ରିଲିଅନ ଟଙ୍କା ମୂଲ୍ୟ (୫.୯୫ ବିଲିଅନ୍ କାରବାର ଜରିଆରେ)କୁ ଅତିକ୍ରମ ଦ୍ୱାରା ଆଉ ଏକ ନୂଆ କୀର୍ତ୍ତିମାନ ସ୍ଥାପିତ ହୋଇଛି । ୟୁପିଆଇ କାରବାରରେ ହାସଲ କରାଯାଇଥିବା ଏହି ଅବିଶ୍ୱସନୀୟ ପ୍ରଗତି ବିଗତ ପାଞ୍ଚବର୍ଷ ଭିତରେ ବାର୍ଷିକ ୩୮୧ ପ୍ରତିଶତ ସିଏଜିଆର ହିସାବରେ ଘଟିଥିବା ଯୋଗୁ ଭାରତ ଡିଜିଟାଲ କାରବାରକୁ ବ୍ୟାପକ ଭାବେ ଗ୍ରହଣ କରିଥିବା ବିଶ୍ୱର ଅନ୍ୟତମ ରାଷ୍ଟ୍ରରେ ପରିଣତ ହୋଇପାରିଛି ।
ନୀତି ପ୍ରୋତ୍ସାହନ
ଯେକୌଣସି ପ୍ରକାର ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାର ସଫଳତା ନିମନ୍ତେ ସରକାରୀ ନୀତି ଏବଂ ନିୟାମକ ପ୍ରୟାସ ପ୍ରମୁଖ କାରଣ ଭାବେ ବିବେଚିତ ହୋଇଥାଏ । ସରକାର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଦେଶକୁ ଏକ ସୀମିତ ନଗଦ ସମାଜ (ଲେସ୍ କ୍ୟାସ୍ ସୋସାଇଟି)ରେ ପରିଣତ କରିବା ନିମନ୍ତେ ମିଳିତ ଭାବେ ପ୍ରୋତ୍ସାହକ ଭୂମିକା ଗ୍ରହଣ କରିଆସିଛନ୍ତି । ଭାରତର ଡିଜିଟାଲ ବିପ୍ଳବ ଦୁଇଟି ପ୍ରୟାସ ମାଧ୍ୟମରେ ଆରମ୍ଭ ହୋଇଥିଲା । ସେହି ଦୁଇଟି ପ୍ରୟାସ ହେଲା : ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଯାହାକି ଏକ ଆର୍ଥିକ ସମାଯୋଜନ ପ୍ରୟାସ ଭାବେ ୨୦୧୪ ମସିହାରେ ଆରମ୍ଭ କରାଯାଇଥିଲା ଏବଂ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଯାହା ୨୦୧୫ ମସିହାରେ ଡିଜିଟାଲ ସଶକ୍ତିକରଣ କାର୍ଯ୍ୟକ୍ରମ ରୂପେ ଶୁଭାରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଆର୍ଥିକ ସମାଯୋଜନ ନୀତିକୁ ବିଶ୍ୱବ୍ୟାପୀ ଅଭୂତପୂର୍ବ ପ୍ରୋତ୍ସାହନ ଯୋଗାଇ ଆସିଛି ଯଦ୍ୱାରା ଦେଶର ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ୪୫୭ ନିୟୁତ ନୂଆ ଜମାଖାତାଧାରୀଙ୍କୁ ସାମିଲ କରିପାରିଛି । ଜନ ଧନ, ଆଧାର ଏବଂ ମୋବାଇଲ୍ ଭଳି ‘ଜାମ୍’ ତ୍ରୟୀ ସହିତ ନାଗରିକମାନଙ୍କୁ ସେମାନଙ୍କ ୟୁନିକ୍ ବାୟୋମେଟ୍ରିକ୍ ଆଧାର ପରିଚୟପତ୍ରକୁ ସଂଯୋଗ କରିବା ନିମନ୍ତେ ପରାମର୍ଶ ଦିଆଯାଇଥିଲା । ସେହିଭଳି ସେମାନଙ୍କର ମୋବାଇଲ ନମ୍ବରକୁ ବ୍ୟାଙ୍କ ଜମାଖାତା ସହିତ ଯୋଡ଼ି ଡିଜିଟାଲ ଅର୍ଥନୀତିରେ ସାମିଲ ହେବାକୁ କୁହାଯାଇଥିଲା । ଅପରପକ୍ଷେ, ବ୍ୟାପକ ମାତ୍ରାରେ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତରଣ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରାଯାଇଥିଲା ଯାହାକି ଅଦ୍ୟାବଧି ୩୧୩ଟି କେନ୍ଦ୍ରୀୟ ଯୋଜନା ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଯୋଜନାରେ ପ୍ରବର୍ତ୍ତିତ କରାଯାଇଛି । ଏହା ଫଳରେ ୨୦୨୧-୨୨ ଆର୍ଥିକ ବର୍ଷରେ ହିତାଧିକାରୀମାନଙ୍କ ଜମାଖାତାକୁ ୬.୩ ଟ୍ରିଲିଅନ ଟଙ୍କା ହସ୍ତାନ୍ତର କରାଯାଇଛି ।
ସରକାର ବିଗତ ବର୍ଷମାନଙ୍କରେ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ସକାଶେ ସକ୍ରିୟ ଭାବେ ପ୍ରୟାସ କରିଆସୁଛନ୍ତି ଏବଂ ଏଥିପାଇଁ ଟିକସ ଛାଡ଼ଠାରୁ ଆରମ୍ଭ କରି ଅନେକ ପ୍ରୋତ୍ସାହନ ବ୍ୟବସ୍ଥା ଲାଗୁ କରିଛନ୍ତି । ଡିଜିଟାଲ ପେମେଣ୍ଟ ମୂଲ ଉପରେ ଥିବା କ୍ୟାପ୍ ଛାଡ଼ ଏବଂ ଖୁଚୁରା କାରବାର ପାଇଁ ଅନ୍ୟାନ୍ୟ ପ୍ରୋତ୍ସାହନ ବ୍ୟବସ୍ଥା ଏଥିରେ ସାମିଲ। ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ସକାଶେ କେବଳ ଗତବର୍ଷ ସରକାର ୧,୫୦୦ କୋଟି ଟଙ୍କା ରାଶି ପ୍ରଦାନ କରିଥିଲେ । ଜାତୀୟ ଇଲେକ୍ଟ୍ରୋନିକ୍ ଟୋଲ୍ ସଂଗ୍ରହ ବ୍ୟବସ୍ଥା ଏବେ ‘ଫାଷ୍ଟଟାଗ୍ ୟୁବିକୁଟସ’ମାଧ୍ୟମରେ କୌଣସି ପ୍ରତ୍ୟକ୍ଷ ସମ୍ପର୍କରହିତ, ସମସ୍ୟାବିହୀନ ଇଲେକ୍ଟ୍ରୋନି୍ ଟୋଲ୍ ସଂଗ୍ରହ କରୁଛି । ଏଥିପାଇଁ ଯାତ୍ରୀ ପରିବହନକାରୀ ପ୍ରତ୍ୟେକ ଚାରିଚକିଆ ଯାନ ବ୍ୟବହାରକାରୀଙ୍କୁ ଫାଷ୍ଟଟାଗ୍ ସହିତ ସଂଯୁକ୍ତ ହେବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି ।
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ସଦାସର୍ବତା ତାଙ୍କର ନିୟାମକ ଢାଂଚାକୁ ସଂସ୍କାରିତ କରି ବର୍ଦ୍ଧିଷ୍ଣୁ ଆବଶ୍ୟକତାର ମୁକାବିଲା କରିବା ଏବଂ ପେମେଣ୍ଟ ବ୍ୟବସ୍ଥାରେ ପରିପକ୍ୱତା ଆଣିବା ନିମନ୍ତେ ପଦକ୍ଷେପ ଗ୍ରହଣ କରିଆସିଛନ୍ତି । ଏଥିପାଇଁ ଏକ ଚିନ୍ତାଶୀଳ, ପ୍ରମାଣ ଆଧାରିତ ଏବଂ ପ୍ରଗତିଶୀଳ କାର୍ଯ୍ୟପନ୍ଥା ଆପଣାଇଛନ୍ତି । ଯେତେବେଳେ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ଦେଶରେ ବ୍ୟବସ୍ଥିତ ହୋଇଛି, ସେଥିରେ ଅନୁମୋଦନଯୋଗ୍ୟ ପେମେଣ୍ଟ ସୀମାକୁ ମଧ୍ୟ ବଢ଼ାଇ ଦିଆଯାଇଛି, ମୂଲ୍ୟ ଢାଂଚାକୁ ସୁସଙ୍ଗତ କରାଯାଇଛି , ଆନ୍ତଃକାରବାରକୁ ଅଧିକ ବ୍ୟାପକ କରାଯାଇଛି ଓ ପେମେଣ୍ଟ ବ୍ୟବସ୍ଥାରେ ଅଂଶଗ୍ରହଣକାରୀଙ୍କ ଉତ୍ତରଦାୟିତ୍ୱକୁ ଉଭୟ ଉପଭୋକ୍ତାଙ୍କ ସୁରକ୍ଷା ଏବଂ ସେବା ଯୋଗାଣକାରୀଙ୍କ ସ୍ତରରେ ସୁଦୃଢ଼ କରାଯାଇଛି । ଗତବର୍ଷ, ଆରବିଆଇ ପ୍ରତ୍ୟକ୍ଷ ଏବଂ ଡିଜିଟାଲ ପଏଣ୍ଟ ଅଫ୍ ସେଲ୍ ସଂସାଧନକୁ ସ୍ୱଳ୍ପ ଜନସଂଖ୍ୟାବିଶିଷ୍ଟ କେନ୍ଦ୍ରମାନଙ୍କରେ, ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ରରେ ଏବଂ ପ୍ରଧାନମନ୍ତ୍ରୀଙ୍କ ରାସ୍ତାକଡ଼ ବୁଲାବିକାଳୀମାନଙ୍କ ଆତ୍ମନିର୍ଭର ନିଧି (ପିଏ ସ୍ୱନିଧି) ଯୋଜନାର ହିତାଧିକାରୀମାନଙ୍କ ନିମନ୍ତେ ରିହାତି ସୁବିଧା ଯୋଗାଣ ଲାଗି ଏକ ‘ପେମେଣ୍ଟ ଇନଫ୍ରାଷ୍ଟ୍ରକଚର ଡେଭଲପମେଣ୍ଟ ଫଣ୍ଡ୍’କୁ କାର୍ଯ୍ୟକାରୀ କରିଛନ୍ତି ।
ଭାରତୀୟ ଉପଭୋକ୍ତା ଏବେ ଟେକ୍-ସେଭୀ
ଏକ ସମସ୍ୟାରହିତ, ସ୍ୱଳ୍ପମୂଲ୍ୟର ଡିଜିଟାଲ ପେମେଣ୍ଟ ସମାଧାନ ବ୍ୟବସ୍ଥା ଏବଂ ଏହାକୁ ଲୋକମାନଙ୍କ ମଧ୍ୟରେ ଆଦୃତ କରିବା ତଥା ଏହାକୁ ଉପଯୋଗ କରିବା ନିମନ୍ତେ ସେମାନଙ୍କ ମନରେ ସୃଷ୍ଟ ଆତ୍ମବିଶ୍ୱାସ ଅଧିକାଂଶ ଭାରତୀୟ ଉପଭୋକ୍ତାଙ୍କୁ ବର୍ତ୍ତମାନ ଟେକ୍-ସେଭୀ ଏବଂ ଡିଜିଟାଲ କାରବାର ସଂପର୍କରେ ଅଧିକ ସଚେତନ କରିଛି । ଏହି କାରଣରୁ ୟୁପିଆଇ ପିଛା ୟୁପିଆଇ ବ୍ୟବହାରକାରୀମାନଙ୍କ ମାତ୍ରା ୨୦୧୭ ମସିହା ମାର୍ଚ୍ଚ ମାସରେ ମାସିକ କାରବାର ୩.୫ ଅର୍ଥାତ୍ ଆର୍ଥିକ ମୂଲ୍ୟ ହିସାବରେ ୧୩,୨୪୩ ଟଙ୍କା ଥିବାବେଳେ ୨୦୨୨ ମସିହା ମାର୍ଚ୍ଚ ମାସ ସୁଦ୍ଧା ତାହା ୨୮କୁ ବୃଦ୍ଧି ପାଇ ଆର୍ଥିକ ମୂଲ୍ୟ ଦୃଷ୍ଟିରୁ ୪୯,୭୪୪ ଟଙ୍କା ଛୁଇଁଛି । ଭାରତୀୟ ଜାତୀୟ ପେମେଣ୍ଟ୍ ସହଯୋଗ ଏବଂ ଭାରତର ଉପଭୋକ୍ତା ଅର୍ଥନୀତି ଗବେଷଣା (୨୦୨୦) ଦ୍ୱାରା କରାଯାଇଥିବା ଅନୁଧ୍ୟାନ ଅନୁସାରେ ଭାରତର ପ୍ରତି ପରିବାର କୌଣସି ନା କୌଣସି ଭାବେ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାକୁ ଉପଯୋଗ କରିଆସୁଛନ୍ତି । ଏହା ଖୁସିର କଥା ଯେ ସମାଜର ତଳ ସ୍ତରରେ ଥିବା ୪୦ ପ୍ରତିଶତ ନିମ୍ନ ଆୟକାରୀଗୋଷ୍ଠୀର ପ୍ରାୟ ୨୫ ପ୍ରତିଶତ ପରିବାର ଏହି ବ୍ୟବସ୍ଥାକୁ ଖୁସିରେ ଆପଣାଇଛନ୍ତି । ଏହା ଉପଭୋକ୍ତା ବାତାବରଣରେ ହୋଇଥିବା ଉନ୍ନତିକୁ ପ୍ରତିଫଳିତ କରେ ।
ଭବିଷ୍ୟତର ମାର୍ଗ
ଦେଶର ଜନସଂଖ୍ୟାର ବିପୁଳତା ଦୃଷ୍ଟିରୁ ପେମେଣ୍ଟ ବ୍ୟବସ୍ଥାକୁ ଡିଜିଟାଲ କରିବା ଏବଂ ଏବଂ ଡିଜିଟାଲ କାରବାରର ଏକ ସମୃଦ୍ଧ ଇତିହାସ ରହିଥିବା ଦୃଷ୍ଟିରୁ ଏହାକୁ ଏବେ ଛୋଟ ଛୋଟ ବ୍ୟାବସାହିକ କାରବାର ଠାରୁ ଆରମ୍ଭ କରି ସର୍ବତ୍ର ବ୍ୟାପକ ମାତ୍ରାରେ ବ୍ୟବହାର କରାଯିବା ଦେଶର ଆର୍ଥିକ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବ । ୟୁପିଆଇକୁ ରୁପେ କାର୍ଡ଼ ସହିତ ଲିଙ୍କ୍ କରିବା ଦିଗରେ ପ୍ରୟାସ କରିବା ସକାଶେ ନିକଟରେ ଆରବିଆଇ ପକ୍ଷରୁ ଘୋଷଣା କରାଯାଇଛି । ଖୁବ୍ ଶୀଘ୍ର ୫ଜି ବ୍ୟବସ୍ଥା ଲାଗୁ ହେବାକୁ ଯାଉଥିବାରୁ ଇଣ୍ଟରନେଟ୍ ଏବଂ ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍ର ମୁତୟନ ଏହାକୁ ବ୍ୟାପକ ଭାବେ ପ୍ରୋତ୍ସାହିତ କରିବ ଏବଂ ଲୋକମାନଙ୍କ ଦ୍ୱାରା ଏହା ଅଧିକ ମାତ୍ରାରେ ଗ୍ରହଣୀୟ ହେବ । ଅନଲାଇନ୍ ବିବାଦ ସମାଧାନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବା ଉପଭୋକ୍ତାମାନଙ୍କ ମନରେ ନୂତନ ବିଶ୍ୱାସ ସୃଷ୍ଟି କରିବ ଏବଂ ଏହା କାର୍ଯ୍ୟାନୁଷ୍ଠାନ ସମୟ ଏବଂ ଉପଭୋକ୍ତାମାନଙ୍କ ଅଭିଯୋଗ ସମାଧାନ ଉତ୍ତରଦାୟିତ୍ୱକୁ ଆହୁରି ସୁଦୃଢ଼ କରିବ । ଏହିସବୁ ଉପକ୍ରମ ଭାରତର ସୁଦୃଢ଼ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାର ବିକାଶକୁ ଆହୁରି ସୁସଙ୍ଗତ କରିଛି ଏବଂ ଭାରତୀୟମାନଙ୍କୁ ଏକ ସକ୍ରିୟ ଆର୍ଥିକ ବ୍ୟବସ୍ଥା ଭିତରେ ଏକଜୁଟ କରିପାରିଛି ଯାହାକି ଭବିଷ୍ୟତରେ ଅଧିକ ମାତ୍ରାରେ ନଗଦ ରାଶି ବ୍ୟବହାରକୁ କମାଇବା ସହିତ ପୋଷଣୀୟ ବିକାଶକୁ ସୁନିଶ୍ଚିତ କରିବାରେ ସହାୟକ ହେବ ।
ଲେଖିକା ସୁଶ୍ରୀ ସିମ୍ମୀ ଚୌଧୁରୀ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଆର୍ଥିକ ପରାମର୍ଶଦାତା ତଥା ଗୋଷ୍ଠୀ ସଂଯୋଜକ ଭାବେ କାର୍ଯ୍ୟରତ । ଏହି ପ୍ରବନ୍ଧରେ ପ୍ରତିଫଳିତ ମତାମତ ଲେଖିକାଙ୍କର ନିଜସ୍ୱ ।
0 Comments