ପ୍ରିଜମ ନ୍ୟୁଜ ବ୍ୟୁରୋ: କେନ୍ଦ୍ର ସରକାର କୃଷୀ ମାରଣ ନୀତି ଆପଣାଉଛନ୍ତି । ଅନ୍ନଦାତାଙ୍କ ହକ୍ ଛଡ଼ାଇ ଶିଳ୍ପପତିଙ୍କୁ କୁବେର ସଜେଇବାକୁ ସରକାର ଷଡ଼ଯନ୍ତ୍ର କରୁଛନ୍ତି । ଏମିତି ଅଭିଯୋଗ ଆଣି କିଛି ଦିନର ସଂଗ୍ରାମକୁ ମହାସଂଗ୍ରାମର ରୂପ ଦେଇଛନ୍ତି ଚାଷୀ । କେନ୍ଦ୍ର ସରକାରଙ୍କ କୃଷି ବିଲ୍ ବିରୋଧରେ ରଣହୁଙ୍କାର ଦେଇ ଦିଲ୍ଲୀ ମୁହାଁ ହୋଇଛନ୍ତି ।
କୃଷକଙ୍କ ଏହି ଦିଲ୍ଲୀ ଚଲୋ ଆନ୍ଦୋଳନକୁ ଦୃଷ୍ଟିରେ ରଖି ହରିୟାଣା-ଦିଲ୍ଲୀ ସୀମାରେ ବ୍ଯାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସୀମାରେ ପୋଲିସ ସହ ଆନ୍ଦୋଳନରତ ଚାଷୀଙ୍କ ଧସ୍ତା ଧସ୍ତି, ଖଣ୍ଡଯୁଦ୍ଧ ହୋଇଛି । ଚାଷୀମାନେ ବ୍ଯାରିକେଡ ଭାଙ୍ଗି ଆଗକୁ ବଢ଼ୁଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇବା ପାଇଁ ପାଣି ଓ ଲାଠି ମାଡ଼ କରିଛି । ଉଭୟ ପଞ୍ଜାବ, ହରିୟାଣାର ତିନିଟି ଦିଗରୁ ଚାଷୀମାନେ ଆସୁଛନ୍ତି । ଟ୍ରାର, ଟ୍ରକ, ବସ୍ ସହ ଚାଷୀ ମାନେ ପଦଯାତ୍ରା କରି ଦିଲ୍ଲୀ ଅଭିମୁଖେ ଆସୁଛନ୍ତି ।
ଚାଷୀଙ୍କ ଏହି ଆନ୍ଦୋଳନ ପରେ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ରହିଛନ୍ତି ବୋଲି କହିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଚାଷୀମାନଙ୍କ ଦାବି ଓ ସେମାନଙ୍କ ସମସ୍ତ ସମସ୍ଯାର ସମାଧାନ ପାଇଁ ଆଲୋଚନା ଲାଗି ସହମତି ଦେଇଛନ୍ତି ମନ୍ତ୍ରୀ । କୃଷି ସଂପର୍କିତ ତିନିଟି ବିଲ୍ ଲୋକସଭାରେ ପାରିତ ହେବା ଏବଂ ଏହାକୁ ରାଷ୍ଟ୍ରପତି ମଞ୍ଜୁର ଦେବା ପରଠାରୁ ଏହାକୁ ବିରୋଧ କରି ଆନ୍ଦୋଳନ, ପ୍ରତିବାଦ ଜାରି ରହିଛି । କେତେବେଳେ ରାସ୍ତାରୋକ ତ ପୁଣି କେତେବେଳେ ଟ୍ରେନ୍ ରୋକ ଆଉ ଏବେ ଦିଲ୍ଲୀ ଚଲୋ ଅଭିଯାନ ।
ଆସନ୍ତୁ ବିସ୍ତୃତ ଭାବେ ଜାଣିବା ସରକାରଙ୍କ ନୂଆ କୃଷି ଆଇନ ସମ୍ପର୍କରେ…
ପ୍ରଥମ ବିଲ୍ଟି ଦେଶର କୃଷି ବଜାର ଉପରେ ଆଧାରିତ- ଫାର୍ମର୍ସ ପ୍ରଡ୍ୟୁସ ଟ୍ରେଡ୍ ଆଣ୍ଡ କମର୍ସ (ପ୍ରମୋସନ ଆଣ୍ଡ ଫେଲିସିଟେସନ ) ବିଲ୍ )।
ଚାଷୀ ଓ କ୍ରେତାଙ୍କ ଲାଗି ଏକ ମୁକ୍ତ ବାତାବରଣ ସୃଷ୍ଟି ଲକ୍ଷ୍ୟରେ ଏହି ବିଲ୍ ଆଣାଯାଇଛି। ଏହା ଫଳରେ ପଞ୍ଜିକୃତ ମଣ୍ଡି ବାହାରେ ନିଜ ଉତ୍ପାଦକୁ ନିଜ ନିର୍ଦ୍ଧାରିତ ଦରରେ ବିକିବା ଲାଗି ଚାଷୀଙ୍କୁ ସ୍ବାଧୀନତା ମିଳିବ। ରାଜ୍ଯ ଭିତରେ ଓ ରାଜ୍ୟ ବାହାରେ ବିନା ବାଧାରେ ଚାଷୀ ନିଜ ଉତ୍ପାଦକୁ ବିକି ପାରିବେ। ଅର୍ଥାତ୍ ରାଜ୍ଯ ଓ ପୁରା ଦେଶ ଏକକ ବଜାରରେ ପରିଣତ ହେବ । ବିଲର ବ୍ଯବସ୍ଥା୍ ଚାଷୀଙ୍କ ମାର୍କେଟିଂ ଓ ପରିବହନ ଖର୍ଚ୍ଚ ହ୍ରାସ କରିବା ସହ ସେମାନଙ୍କୁ ଅଧିକ ଦର ପାଇବାରେ ସହାୟତା କରିବ ଏବଂ ଇ-ଟ୍ରେଡିଂ ଲାଗି ଭିତ୍ତିଭୂମି ମଜଭୂତ ହେବ। ତେବେ ଏହାକୁ କାହିଁକି ବିରୋଧ କରୁଛନ୍ତି ବିରୋଧୀ ?
ବିରୋଧୀଙ୍କ କହିବା କଥା, ନୂଆ ବିଲ୍ ଦ୍ବାରା ରାଜ୍ଯମାନେ କ୍ଷତିଗ୍ରସ୍ତ ହେବେ, କାରଣ ସେମାନେ ପଞ୍ଜିକୃତ ମଣ୍ଡିରୁ ପାଉଥିବା ଫି ବା ପାଉଣା ଆଉ ପାଇବେ ନାହିଁ । କମିଶନ ଏଜେଣ୍ଟମାନଙ୍କ ଧନ୍ଦା ଚୌପଟ ହୋଇଯିବ। ନୂଆ ବିଲ୍ ଦ୍ବାରା ଏମଏସପି ବ୍ଯବସ୍ଥା କାଳକ୍ରମେ ଲୋପ ପାଇବ, ଇ-ଟ୍ରେଡିଂ ପ୍ରଚଳିତ ହେଲେ ମଣ୍ଡି ସହ ସଂପୃକ୍ତ ଇ-ନାମ୍ ବ୍ଯବସ୍ଥା ଏକାମୀ ହୋଇଯିବ।
ଦ୍ବିତୀୟ ବିଲଟି ଭାଗ ଚାଷ ସମ୍ବନ୍ଧିତ- ଫାର୍ମର( ଏମ୍ପାଓ୍ୱାରମେଣ୍ଟ ଆଣ୍ଡ ପ୍ରୋଟେକସନ)- ଏଗ୍ରିମେଣ୍ଟ ଅଫ୍ ପ୍ରାଇସ ଆସ୍ଯୁରାନ୍ସ ଆଣ୍ଡ ଫାର୍ମ ସର୍ଭିସ ବିଲ୍-୨୦୨୦
ଫସଲ ଅମଳ ପୂର୍ବରୁ ଚାଷୀ ବୁଝାମଣା ଅନୁଯାୟୀ ନିର୍ଦ୍ଧାରିତ ଦରରେ ନିଜ ଉତ୍ପାଦକୁ ଖାଦ୍ୟ ପ୍ରକ୍ରିୟାକରଣ ଫାର୍ମ, ହୋଲସେଲର, ବଡ଼ ରିଟେଲର ଓ ରପ୍ତାନୀକାରୀଙ୍କୁ ବିକ୍ରି କରିପାରିବେ। କ୍ଷୁଦ୍ର ଓ ନାମାମାତ୍ର ଚାଷୀ ଯେଉଁମାନଙ୍କ ଚାଷ ଜମି ପରିମାଣ ୫ ହେକଟରରୁ କମ୍ ଓ ଯେଉଁମାନଙ୍କ ସଂଖ୍ଯା ୮୬ ପ୍ରତିଶତ, ସେମାନେ ଏହାଦ୍ବାରା ଉପକୃତ ହେବେ । ବିଲ୍ ଦ୍ୱାରା ଉତ୍ପାଦନଜନିତ ଅନିଶ୍ଚିତତା ବା ରିସ୍କ, ଚାଷୀ ମୁଣ୍ଡରୁ ବ୍ଯବସାୟୀଙ୍କ ଉପରକୁ ଚାଲିଯିବ। ଅତ୍ଯାଧୁନିକ କୃଷି ଯନ୍ତ୍ରପାତି ଓ ଜ୍ଞାନକୌଶଳ ବ୍ଯବହାର ସୁଯୋଗ ସାଙ୍ଗକୁ ଉତ୍ପାଦନ ବୃଦ୍ଧି ଘଟିବ। ମାର୍କେଟିଂ ଖର୍ଚ୍ଚ ହ୍ରାସ ସହ ଚାଷୀଙ୍କ ଆୟ ବୃଦ୍ଧି ହେବ। ଉତ୍ପାଦର ମୂଲ୍ଯ ମଧ୍ୟସ୍ଥି ପକେଟକୁ ନଯାଇ ସିଧା ଚାଷୀଙ୍କ ପାଖକୁ ଯିବ। ବିବାଦ ସମାଧାନ ଓ କ୍ଷତି ଭରଣା ଲାଗି ସ୍ପଷ୍ଟ ନିୟମାବଳୀ ରହିବ ।
ତେବେ ବିରୋଧୀଙ୍କ ଯୁକ୍ତି, ବ୍ଯବସାୟୀଙ୍କ ସହ ଡିଲ୍ କରିବାରେ ଗରିବ ଚାଷୀ ସମର୍ଥ ହେବେ ନାହିଁ। ବଡ଼ ବଡ଼ ବିଜିନେସ୍ ହାଉସ କ୍ଷୁଦ୍ର ଚାଷୀଙ୍କ ସହ ବୁଝାମଣା ଲାଗି କେତେ ରାଜି ହେବେ ତାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। କୌଣସି ବିବାଦ କ୍ଷେତ୍ରରେ ବଡ଼ ବ୍ଯବସାୟୀ, ହୋଲସେଲର, ରତ୍ପାନୀକାରୀ ଓ ପ୍ରକ୍ରିୟାକରଣ ଶିଳ୍ପ ମାନେ ହିଁ ସବୁବେଳେ ସୁବିଧା ସ୍ଥିତିରେ ରହିବେ।
ତୃତୀୟ ବିଲଟି କୃଷି ଉତ୍ପାଦଜନିତ-ଏସେନସିଆଲ କମୋଡିଟିଜ୍ ଆମେଣ୍ଡମେଣ୍ଟ ବିଲ୍
ଖାଦ୍ୟଶସ୍ଯ, ଡାଲି, ଆଳୁ, ପିଆଜ ଓ ତୈଳବୀଜକୁ ଅତ୍ଯାବଶକ ସାମଗ୍ରୀ ତାଲିକାରୁ ବାଦ୍ ଦିଆଯିବ, ଯୁଦ୍ଧ ଭଳି ବିଶେଷ ପରିସ୍ଥିତିକୁ ଛାଡିଲେ ଏସବୁ ସାମଗ୍ରୀ ମହଜୁଦ ରଖିବା ଉପରେ ଥିବା କଟକଣାକୁ ହଟାଇ ଦିଆଯିବ। ଏହାଦ୍ବାରା ଏସବୁ କ୍ଷେତ୍ରକୁ ବିପୁଳ ବିଦେଶୀ ପୁଞ୍ଜି ଆସିବା ସମ୍ଭାବନା ବଢିବ ଏବଂ ଏସବୁ ସାମଗ୍ରୀର କାରବାରରେ ଅଯଥା ସରକାରୀ ନିୟନ୍ତ୍ରଣ ନେଇ ପୁଞ୍ଜିନିବେଶକାରୀଙ୍କ ମନରେ ଥିବା ଆଶଙ୍କା ଦୂର ହେବ। ଶୀତଳ ଭଣ୍ଡାର ଭଳି କୃଷି ଭିତ୍ତିଭୂମି ବିକାଶ ଓ ଖାଦ୍ୟ ଯୋଗାଣ ବ୍ଯବସ୍ଥାରେ ସୁଧାର ଆଣିବାରେ ଏହା ସହାୟକ ହେବ।
ଯୋଗାଣ ନିୟନ୍ତ୍ରିତ ହେବା ସହ ଅଣ ଉତ୍ପାଦନ ଋତୁରେ ବି ଦରରେ ସନ୍ତୁଳନ ରହିବ। ବଜାରରେ ପ୍ରତିଯୋଗିତା ବଢିବା ସହ କୃଷି ଉତ୍ପାଦକୁ ନଷ୍ଟ ହେବାରୁ ରୋକାଯାଇପାରିବ। ତେବେ ବିରୋଧୀଙ୍କ ଯୁକ୍ତି, ଗଚ୍ଛିତ ରଖିବା କଟକଣାକୁ ହଟାଇ ଦେବା ଦ୍ବାରା ଦର ନିୟନ୍ତ୍ରଣ କ୍ଷମତା ବ୍ଯବସାୟୀଙ୍କ ହାତକୁ ଚାଲିଯିବ, ଫଳରେ ଚାଷୀ କ୍ଷତିଗ୍ରସ୍ତ ହେବ।